ପୁଅର ଚିକିତ୍ସା ପାଇଁ ଭତ୍ତା ଓ ରାସନ କାର୍ଡ ବନ୍ଧକ ରଖିଲା ମାଆ

author img

By

Published : Sep 4, 2022, 11:38 AM IST

ପୁଅର ଚିକିତ୍ସା ପାଇଁ ଭତ୍ତା ଓ ରାସନ କାର୍ଡ ବନ୍ଧକ ରଖିଲା ମାଆ

ପୁଅର ଚିକିତ୍ସା ପାଇଁ ଭତ୍ତା କାର୍ଡ ଓ ରାସନ କାର୍ଡ ବନ୍ଧକ ରଖିଲା ମାଆ । ନବରଙ୍ଗପୁର ଜିଲ୍ଲାରୁ ସାମ୍ନାକୁ ଆସିଛି ଏଭଳି ଅଭାବନୀୟ ଘଟଣା । ଅଧିକ ପଢନ୍ତୁ

ନବରଙ୍ଗପୁର: ପୁଅର ଭଙ୍ଗା ଗୋଡର ଚିକିତ୍ସା ପାଇଁ ଭତ୍ତା କାର୍ଡ ଓ ରାସନ କାର୍ଡ ବନ୍ଧକ ରଖିଲା ଗରୀବ ମାଆ । ଅର୍ଥ ଅଭାବରୁ ଜଣେ ଅସହାୟ ବୃଦ୍ଧା ପୁଅର ରାସନ କାର୍ଡକୁ ୮ ହଜାର ଟଙ୍କା ଓ ନିଜ ଭତ୍ତା କାର୍ଡକୁ ୬ ହଜାର ଟଙ୍କାରେ ବନ୍ଧକ ରଖିଛନ୍ତି । ଗରୀବଙ୍କୁ ମାଗଣା ସ୍ବାସ୍ଥ୍ୟସେବା ଯୋଗାଇବାକୁ ରାଜ୍ୟରେ ସ୍ମାର୍ଟ ହେଲ୍‌ଥ କାର୍ଡ କାର୍ଯ୍ୟ କରୁଥିବା ବେଳେ ନବରଙ୍ଗପୁର ଜିଲ୍ଲାରୁ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଗାଦବାଗୁଡ଼ା ଗ୍ରାମର ୭୦ ବର୍ଷୀୟ ବୃଦ୍ଧା ସୁଲୋଚନା ଖୁରା ନିଜ ପୁଅର ଭଙ୍ଗା ଗୋଡ଼ର ଚିକିତ୍ସା ପାଇଁ ଭତ୍ତା ଓ ରାସନ କାର୍ଡ ବନ୍ଧା ପକାଇଥିବା ଅଭିଯୋଗ ହୋଇଛି ।

ରାସନ କାର୍ଡ ବନ୍ଧକ ରଖିଲା ମାଆ

ସୁଲୋଚନା ଖୁରାଙ୍କ ସ୍ବାମୀଙ୍କ ଦେହାନ୍ତ ହୋଇଯାଇଥିବା ବେଳେ ପୁଅ ନୟନ ଖୁରାଙ୍କ ନିକଟରେ ରହି ଜୀବନ ଅତିବାହିତ କରୁଥିଲେ । ନୟନ ଖୁରା ସିଲେଇ କାମ କରି ଗୁଜୁରାଣ ମେଣ୍ଟାଉଥିଲେ । ମାଆପୁଅ ଦୁହେଁ କଷ୍ଟମଷ୍ଟେ ତେଲ ଲୁଣର ସଂସାର ଚଳାଉଥିଲେ । ବାର୍ଦ୍ଧକ୍ୟ ସମୟରେ ପୁଅ ଘରର ଦାୟିତ୍ବ ସମ୍ଭାଳିବ ଏବଂ ତାଙ୍କର ଯତ୍ନ ନେବେ ବୋଲି ମାଆ ସୁଲୋଚନା ଆଶା ବାନ୍ଧିଥିଲେ । ହେଲେ ଦଇବର ନିଷ୍ପତ୍ତି କିଛି ଅଲଗା ଥିଲା । ମାଆ ବାର୍ଦ୍ଧକ୍ୟ ଜନିତ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ପୁଅ ଏବେ ସମ୍ବଳ ଅଭାବରୁ ଶଯ୍ୟାଶାୟୀ । ପରିଣତ ବୟସରେ ପୁଅ ମାଆର ସାହାରା ହେବା କଥା । କିନ୍ତୁ ଅସହାୟ ବୃଦ୍ଧା ମାଆ ପୁଅର ସେବା କରୁଛି ।

ସୂଚନା ମୁତାବକ, କିନ୍ତୁ ଗତ ତିନି ବର୍ଷ ପୂର୍ବେ ଏକ ଦୁର୍ଘଟଣାରେ ପୁଅ ନୟନ ଖୁରାଙ୍କ ଡାହାଣ ଗୋଡ଼ରେ ଆଘାତ ଲାଗି ଭାଙ୍ଗି ଯାଇଥିଲା । ପାଖରେ ଯାହା କିଛି ବି ସ୍ବଳ୍ପ ଅର୍ଥ ଥିଲା ପ୍ରାଥମିକ ଚିକିତ୍ସାରେ ସେସବୁ ସରିଗଲା । ପୁଅର ଗୋଡ଼ ଫୁଲି ଯିବା ପରେ ବ୍ୟାଣ୍ଡେଜର ଆବଶ୍ୟକତା ହେବାରୁ ମାଆ ପ୍ରଥମେ ରାସନ କାର୍ଡକୁ ୮ ହଜାର ଟଙ୍କାରେ ବନ୍ଧକ ରଖି ଚିକିତ୍ସା କରିଥିଲେ । ପରେ ନୟନ ସୁସ୍ଥ ହେବାର କିଛି ଦିନ ପରେ ପୁଣି ତାଙ୍କ ଗୋଡ଼ର ଆଘାତ ହୋଇଥିବା ସ୍ଥାନ ଧୀରେ ଧୀରେ ଫୁଲିବାକୁ ଲାଗିଲା । ଘରେ ଟଙ୍କାଟିଏ ନଥିବାରୁ ସୁଲୋଚନା ଶେଷରେ ଭତ୍ତା କାର୍ଡକୁ ୬ ହଜାର ଟଙ୍କାରେ ବନ୍ଧକ ରଖି ଚିକିତ୍ସା କରାଇଥିଲେ । କିନ୍ତୁ କୌଣସି ସୁଫଳ ମିଳିଲା ନାହିଁ । ଗୋଡ଼ ସେମିତି ଫୁଲି ରହିଥିବା ବେଳେ ଡାକ୍ତର ବ୍ରହ୍ମପୁର ମେଡିକାଲରେ ଚିକିତ୍ସା କରାଇବାକୁ କହିଥିଲେ । କିନ୍ତୁ ନିକଟରେ ଆଉ ଟଙ୍କା ନ ଥିବାରୁ ଘରକୁ ନେଇ ଫେରି ନିଜେ ପୁଅର ଯତ୍ନ ନେଉଛନ୍ତି ବୃଦ୍ଧା ମାଆ ସୁଲୋଚନା ।

ରୋଜଗାରିଆ ପୁଅ ବର୍ତ୍ତମାନ ବିଛଣାରେ ପଡିରହୁଛି । ଦୁହିଁଙ୍କ ପେଟକୁ ଦାନା ମୁଠାଏ ପାଇଁ ସମ୍ବଳ ନଥିବାରୁ ସାହି ପଡିଶା ଯାହା ଦେଉଛନ୍ତି ସେତିକିରେ ଭୋକ ମେଣ୍ଟାଉଥିବା ସୁଲୋଚନା କହିଛନ୍ତି । ଏଭଳି ଏକ ଗରିବ ଅସହାୟ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ସ୍ଥାନୀୟ ଗ୍ରାମବାସୀ ଦାବି କରିଛନ୍ତି । ଏଥିସହ ଦୁର୍ଘଟଣାଗ୍ରସ୍ତ ଯୁବକ ନୟନର ଚିକିତ୍ସା କରିବା ପାଇଁ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି । ଅପରପକ୍ଷରେ ଏନେଇ ସରକାରୀ ଅଧିକାରୀଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.