ମା' ଭଣ୍ଡାରଘରଣୀଙ୍କ ପୀଠରେ ନବରାତ୍ରୀ ପୂଜା

author img

By

Published : Sep 27, 2022, 12:58 PM IST

ମା' ଭଣ୍ଡାରଘରଣୀଙ୍କ ପୀଠରେ ନବରାତ୍ରୀ ପୂଜା

ନବରଙ୍ଗପୁରର ଅଧିଷ୍ଠାତ୍ରୀ ଦେବୀ ମା' ଭଣ୍ଡାରଘରଣୀ ପୀଠରେ ଆରମ୍ଭ ହୋଇଯାଇଛି ନବରାତ୍ରୀ ପୂଜା । ଅଧିକ ପଢନ୍ତୁ

ନବରଙ୍ଗପୁର: ଆଉ ମାତ୍ର ଦିନ କେଇଟା ପରେ ଦଶହରା, ଧରାଧାମକୁ ଓହ୍ଲାଇ ଆସିବେ ଜଗତ ଜନନୀ ମା' ଦୁର୍ଗା । ଏନେଇ ସୋମବାର ଠାରୁ ଆରମ୍ଭ ହୋଇଯାଇଛି ମାଙ୍କ ନବରାତ୍ରୀ ପୂଜା । ନଅ ଦିନ ଧରି ନଅଟି ରୂପରେ ପୂଜା ପାଇବେ ମା ଦୁର୍ଗା । ନବରାତ୍ରୀର ପ୍ରଥମ ଦିନରେ ଶକ୍ତିପୀଠ ଓ ପୂଜା ପଣ୍ଡପରେ ଶୈଳପୁତ୍ରୀ ରୂପରେ ପୂଜା ପାଇଛନ୍ତି ମା' । ନବରାତ୍ରୀକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି ନବରଙ୍ଗପୁରର ଅଧିଷ୍ଠାତ୍ରୀ ଦେବୀ ମା' ଭଣ୍ଡାରଘରଣୀ ପୀଠ । ଏଠାରେ ଶାରଦୀୟ ନବରାତ୍ରୀ ପୂଜା ମହାସମାରୋହରେ ଆରମ୍ଭ ହୋଇଯାଇଛି। ନବରାତ୍ରୀ ପାଇଁ ଏଠାରେ ଭକ୍ତଙ୍କ ଗହଳି ହୋଇଥିବା ଦେଖିବାକୁ ମିଳିଛି ।

ମା' ଭଣ୍ଡାରଘରଣୀଙ୍କ ପୀଠରେ ନବରାତ୍ରୀ ପୂଜା

ନବରାତ୍ରୀରେ ମା'ଙ୍କ ପାଟ ଖଣ୍ଡା ବାହାର କରାଯାଇଥାଏ । ଏହାକୁ ଦର୍ଶନ ଦେଇ ଭକ୍ତଙ୍କ ମନସ୍କାମନା ପୂର୍ଣ୍ଣ କରନ୍ତି ମା' । ସବୁବେଳେ ପଶ୍ଚିମ୍ମାମୁଖୀ ହୋଇ ପୂଜା ପାଇଥିବା ମା' ଭଣ୍ଡାରଘରଣୀ ନବରାତ୍ରୀରେ ପାଟଖଣ୍ଡା ରୂପରେ ପୂର୍ବମୁଖୀ ହୋଇ ପୂଜା ପାଇଥାନ୍ତି । ନବରାତ୍ରୀ ଅବସରରେ ମା'ଙ୍କ ସ୍ୱତନ୍ତ୍ର ସୁସଜ୍ଜିତ ବିମାନ ମନ୍ଦିରରୁ ବାହାର କରାଯାଇଥିଲା । ମା'ଙ୍କ ସମସ୍ତ ଗୁପ୍ତ ଅସ୍ତ୍ରଶସ୍ତ୍ର ସହ ପାଟଖଣ୍ଡାକୁ ପୂଜକ ବାହାର କରି ବିମାନରେ ରଖିବା ପରେ ଏହାକୁ ମହାସ୍ନାନ ପାଇଁ ନିଆଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-ଝଙ୍କଡ ପୀଠରେ ନବରାତ୍ର ପୂଜା, ଶୈଳପୁତ୍ରୀ ବେଶରେ ମା' ଶାରଳା

ଏହା ପରେ ଘଣ୍ଟ ଘଣ୍ଟା ଶଙ୍ଖନାଦ ଓ ଭେରୀ ତୁରୀ ସହ ଭକ୍ତ ମାନେ ବିରାଟ ଶୋଭାଯାତ୍ରାରେ ବୀମାନ ସହ ବାହାରିଥିଲେ । ବିମାନକୁ ଦାରୁ ବନ୍ଧକୁ ନିଆଯାଇ ସେଠାରେ ପାରମ୍ପରିକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ପରେ ପାଟ ଖଣ୍ଡାକୁ ମହାସ୍ନାନ କରାଯାଇ ପୁଣି ମନ୍ଦିରକୁ ଅଣାଯାଇ ସ୍ୱତନ୍ତ୍ର ବେଦୀରେ ସ୍ଥାପନ କରାଯାଇଥିଲା । ପାଟଖଣ୍ଡାକୁ ପୂଜା କରିବା ପରେ ମା'ଙ୍କ ସ୍ୱତନ୍ତ୍ର ରୀତିନୀତି ଆରମ୍ଭ ହୋଇଥିଲା । ଏହି ପୂଜା ପରେ ନବରାତ୍ରୀ ପୂଜା ଆରମ୍ଭ ହୋଇଥିଲା ।

ଏହି ଅବସରରେ ମନ୍ଦିରରେ 1008 ଅଖଣ୍ଡ ଦୀପ ପ୍ରଜ୍ବଳନ କରାଯାଇଥିଲା । ମହାଷ୍ଟମୀ, ମହାନବମୀ ପୂଜା ପରେ ବିଜୟାଦଶମୀ ଦିନ ମା'ଙ୍କ ସ୍ୱତନ୍ତ୍ର ଲାଖ ବିନ୍ଧା ଯାତ୍ରା ମହା ଆଡମ୍ବରରେ ଅନୁଷ୍ଠିତ ହେବ । ନବରାତ୍ରୀ ଉପଲକ୍ଷେ ଭକ୍ତଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ମନ୍ଦିର କମିଟି ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

ଏନେଇ ମନ୍ଦିରର ଜଣେ କର୍ମକର୍ତ୍ତା କହିଛନ୍ତି ଯେ, ''ମା'ଙ୍କ ପୀଠରେ ନବରାତ୍ରୀ ପୂଜା ଆରମ୍ଭ ହୋଇଛି, ଏହା ଦଶହରା ପର୍ଯ୍ୟନ୍ତ ଚାଲିବ, ଗତ ଦୁଇ ବର୍ଷ କୋରୋନା କଟକଣା ଯୋଗୁଁ ନବରାତ୍ରୀରେ ମାଙ୍କୁ ଦର୍ଶନ କରିବାରୁ ବଞ୍ଚିତ ଥିଲେ ଭକ୍ତ । କିନ୍ତୁ ଚଳିତ ବର୍ଷ କୌଣସି କଟକଣା ନଥିବାରୁ ଭକ୍ତ ମା'ଙ୍କୁ ଦର୍ଶନ କରି ବେଶ ଖୁସି ଅଛନ୍ତି ।''

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.