Silk Cultivation: କେନ୍ଦ୍ରୀୟ ରେଶମ ବୋର୍ଡ ଦେଉଛି ପ୍ରଶିକ୍ଷଣ, ଟସର ଚାଷ କରି ଲାଭବାନ ଚାଷୀ

author img

By

Published : Dec 3, 2022, 10:42 PM IST

Silk Cultivation: କେନ୍ଦ୍ରୀୟ ରେଶମ ବୋର୍ଡ ଦେଉଛି ପ୍ରଶିକ୍ଷଣ, ଟସର ଚାଷ କରି ଲାଭବାନ ଚାଷୀ

ନବରଙ୍ଗପୁର ପାଲଟିଲା ଟସର ଡିମ୍ବପୁଞ୍ଜ ହବ୍‌ । ଜିଲ୍ଲାରେ କାର୍ଯ୍ୟରତ ଭାରତ ସରକାରଙ୍କ କେନ୍ଦ୍ରୀୟ ରେଶମ ବୋର୍ଡ ଚାଷୀଙ୍କୁ ପ୍ରଶିକ୍ଷଣ ଦେବା ସହ ଟସରର ମୂଳବୀଜ ପ୍ରଗୁଣନ କରୁଛି । ଏହି ମୂଳବୀଜକୁ ରାଜ୍ୟ ତଥା ରାଜ୍ୟ ବାହାରକୁ ପଠାଯାଉଛି । ଅନୁକୂଳ ପରିବେଶ ଆସିଲେ ଏହି ଡିମ୍ବରୁ ପୋକ ହେବା ପରେ ଅନ୍ୟ ଚାଷୀଟିଏ ଟସର ଚାଷ କରିପାରୁଛି । ଦେଖନ୍ତୁ ଏହି ରିପୋର୍ଟ

ନବରଙ୍ଗପୁର: ଟସର ଚାଷ କରି ରାଜ୍ୟର ଅନେକ ଚାଷୀ ନିଜର ଆର୍ଥିକ ମେରୁଦଣ୍ଡ ସୁଦୃଢ କରିପାରିଥିବା ବେଳେ ଅନେକ ସ୍ଥାନରେ ପ୍ରତିକୂଳ ପରିବେଶ ଓ ପ୍ରୋତ୍ସାହନ ଅଭାବରୁ ଏହି ଚାଷ ଛାଡିବା ପାଇଁ ବାଧ୍ୟ ହେଉଛନ୍ତି ଚାଷୀ l ଏଭଳି ସ୍ଥିତିରେ ଜିଲ୍ଲାରେ ଟସର ବିଜ ପ୍ରଗୁଣନ କରି ରାଜ୍ୟ ତଥା ରାଜ୍ୟ ବାହାରକୁ ଟସର ଡିମ୍ବପୁଞ୍ଜ ପଠାଉଛି ନବରଙ୍ଗପୁରରେ କାର୍ଯ୍ୟ କରୁଥିବା କେନ୍ଦ୍ରୀୟ ରେଶମ ବୋର୍ଡ l ଫଳରେ ଆଜି ନବରଙ୍ଗପୁର ଟସର ଡିମ୍ବପୁଞ୍ଜର ହବ୍‌ ପାଲଟିଛି ।

Silk Cultivation: କେନ୍ଦ୍ରୀୟ ରେଶମ ବୋର୍ଡ ଦେଉଛି ପ୍ରଶିକ୍ଷଣ, ଟସର ଚାଷ କରି ଲାଭବାନ ଚାଷୀ



ଜିଲ୍ଲା ସଦର ମହକୁମା ଠାରୁ ୭ କିମି ଦୂରରେ ଜାତୀୟ ରାଜପଥ ପାର୍ଶ୍ବର ଚିକିଲି ଠାରେ ଅବସ୍ଥିତ ଟସର ଫାର୍ମ l ଏହି ଫାର୍ମଟି ପ୍ରାୟ ୧୦୦ ଏକର ଜମିରେ ଅବସ୍ଥିତ l ଟସର ଚାଷ ବର୍ଷକୁ ୨ଟି ପର୍ଯ୍ୟାୟରେ ହୋଇଥାଏ l ପ୍ରଥମ ଫସଲ ଲାଗି ୩୫ ଦିନ ସମୟ ଲାଗୁଥିବା ବେଳେ ଦ୍ବିତୀୟ ଚାଷ ପାଇଁ ୪୫ରୁ ୫୨ ଦିନ ସମୟ ଲାଗିଥାଏ । ଚାଷ ପୋକ ନିଜ ଲାଳରେ ଯେଉଁ କୋଷା ବାନ୍ଧିଥାଏ ସେଥିରୁ ଅନୁକୂଳ ପରିବେଶ ଆସିଲେ ଅର୍ଥାତ ଜୁନ ଜୁଲାଇ ମାସରେ ସେଇ କୋଷାରୁ ପ୍ରଜାପତି ବାହାରିଥାଏ l ରାତି ସମୟରେ କୋଷା ମଧ୍ୟରୁ ୩ରୁ ୪ ପ୍ରଜାପତି ବାହାରି ମାଈ ଓ ଅଣ୍ଡିରା ପ୍ରଜାପତି କପଲିଙ୍ଗ ବା କ୍ରସିଂ ହୋଇଥାନ୍ତି l ପରେ ଯେଉଁ ପ୍ରଜାପତି କ୍ରସିଂ ହୋଇଥାଏ ତାହାକୁ ଚି଼ହ୍ନଟ ପାଇଁ ସେଇ ପ୍ରଜାପତିର ଡେଣାକୁ କଇଁଚି ସାହାଯ୍ୟରେ କାଟିଦିଆଯାଏ l

୬ ରୁ ୮ ପରେ ଯୋଡ଼ ନେଇଥିବା ପ୍ରଜାପତିକୁ ଅଲଗା କରି ମାଈ ପ୍ରଜାପତିକୁ ଆଣି ମାଟି ପାତ୍ରରେ ରଖାଯାଏ l ସେଇ ମାଟି ପାତ୍ରରେ ମାଈ ପ୍ରଜାପତି ୭୨ ଘଣ୍ଟା ଯାଏଁ ହାରାହାରି ୨୦୦ ଅଣ୍ଡା ଦେଇଥାଏ l ପରେ ସେଇ ୨୦୦ ଅଣ୍ଡା ପୁଞ୍ଜକୁ ପରୀକ୍ଷା କରାଯାଏ l ଯଦି ଅଣ୍ଡାରେ ପେଭରିନ ରୋଗ ଥାଏ ତାହେଲେ ସେଇ ଅଣ୍ଡାକୁ ପୋଡି ଦିଆଯାଏ l ଭଲ ଅଣ୍ଡାକୁ ୨ ପ୍ରତିଶତ ଫର୍ମାଲିନ ସଲ୍ୟୁସନ ଦେଇ ବିଶୋଧନ କରାଯାଏ l ବିଶୋଧନ ଅଣ୍ଡାକୁ ଶୁଖାଇ ଗୋଟିଏ ବ୍ୟାଗରେ ରଖାଯାଏ ପରେ ଅଣ୍ଡାରୁ ପୋକ ହୋଇଥାଏ l ପୁଣି ସେହି ପୋକକୁ ନେଇ ଅର୍ଜୁନ କିମ୍ବା ଅସନ ଗଛରେ ନେଇ ଛଡ଼ାଯାଏ l ଗଛରେ ପୋକକୁ ଛାଡିଲା ପରେ ସେମାନେ ଗଛର ପତ୍ର ଖାଇ ବଡ଼ ହୁଅନ୍ତି ଏବଂ ନିଜର ଲାଳ ସାହାଯ୍ୟରେ ସେରିସିନ ନାମକ ପ୍ରୋଟିନ ଦ୍ୱାରା କୋଷା ତିଆରି କରି କୋଷା ମଧ୍ୟରେ ପୋକଟି ପ୍ୟୁପା ଅବସ୍ଥାକୁ ଚାଲିଯାଏ l



ଏ ନେଇ ଜଣେ ଟସର ଚାଷୀ କହିଛନ୍ତି, "୬ ହଜାର ଟଙ୍କା ବିହନ ଆଣିଲେ ସେଥିରୁ ୪୦ରୁ ୪୫ ହଜାର ଟଙ୍କା ପର୍ଯ୍ୟନ୍ତ ଲାଭ ହେଉଛି । ବର୍ଷା ଦିନ ଅପେକ୍ଷା ଶୀତ ଦିନେ ଏହି ଚାଷ ଅଧିକ ଭଲ ହୋଇଥାଏ ।"

ଗୋଟିଏ ଚାଷୀକୁ ୧ ହେକ୍ଟର ପିଛା ୨୫୦ ଡିମ୍ବପୁଞ୍ଜ ଦିଆଯାଏ l ଆଉ ଚାଷୀ ତାକୁ ନେଇ ୩୫ରୁ ୪୦ ଦିନ ମଧ୍ୟରେ ଚାଷ ଅମଳ କରନ୍ତି l ଚାଷୀ ମଧ୍ୟ ଏକରକୁ ୬୦୦୦ ଟଙ୍କା ଖର୍ଚ୍ଚ କରି ୪୦ ରୁ ୪୫ ହଜାର ଟଙ୍କା ଲାଭ ପାଇଥାନ୍ତି l ସୂତା ପାଇଁ ଏହି କୋଷାକୁ ସିଧାସଳଖ ବ୍ୟବସାୟୀଙ୍କୁ ମଧ୍ୟ ବିକ୍ରି କରାଯାଏ l ଗୋଟିଏ କୋଷାରୁ ପ୍ରାୟ ୮୦୦ ରୁ ୧୨୦୦ ମିଟର ଯାଏଁ ସୂତା ବାହାରି ଥାଏ l ଏହି କୋଷାରୁ ବାହାରୁ ଥିବା ରେଶମ ସୂତାର ମଧ୍ୟ ବଜାର ଚାହିଦା ବେଶ ଅଧିକ ଥିବା ହେତୁ ଏହାକୁ ପ୍ରଥମେ ଓଡିଶା ଓ ଓଡିଶା ବାହାରେ ମଧ୍ୟ ପଠାଯାଇଥାଏ l

ସରକାରୀ ସ୍ତରରେ ଚାଷୀଙ୍କୁ ଯଦି ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରାଯାଇ ପାରନ୍ତା ତାହେଲେ ରାଜ୍ୟର ଅନେକ ଚାଷୀ ଏହି ଚାଷ ପାଇଁ ମନ ବଳାଇ ପାରିଥାନ୍ତେ ଏବଂ ଭଲ ରୋଜଗାର ମଧ୍ୟ କରିପାରନ୍ତେ ।



ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.