ପୋଲିସ ଆଗରେ ମାଆ ହତ୍ୟାର କାହାଣୀ କହିଲା କୁନି ଝିଅ

author img

By

Published : Sep 24, 2022, 2:50 PM IST

Updated : Sep 24, 2022, 3:32 PM IST

ପୋଲିସ ଆଗରେ ମାଆ ହତ୍ୟାର କାହାଣୀ କହିଲା କୁନି ଝିଅ

ପୋଲିସ ଆଗରେ ମାଆ ମୃତ୍ୟୁର କାହାଣୀ କହିଲା କୁନି ଝିଅ । ହତ୍ୟାକାରୀ ସ୍ବାମୀକୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

ନବରଙ୍ଗପୁର: ପୋଲିସ ଆଗରେ ମାଆ ମୃତ୍ୟୁର କାହାଣୀ ବଖାଣିଲା କୁନି ଝିଅ(Little Girl Narrates Story Of Mother Murder) । ବାପା କେମିତି ଗଳା ଚିପି ମାଆକୁ ହତ୍ୟା କରିଥିଲେ, ତାହା ପୋଲିସ ଆଗରେ କହିଲା ଅଢେଇ ବର୍ଷର ଝିଅ । ସମସ୍ତଙ୍କୁ ତାଜୁବ କଲାଭଳି ଏଭଳି ଘଟଣା ସାମ୍ନାକୁ ଆସିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳରୁ । ଦାଦନ ଖଟିବାକୁ ଜଣେ ଦମ୍ପତି ଆନ୍ଧ୍ରପ୍ରଦେଶର କାକିନାଡ଼ାକୁ ଯାଇଥିବାବେଳେ ସେଠାରେ ସ୍ବାମୀ ନିଜର ସ୍ତ୍ରୀକୁ ହତ୍ୟା କରିଛି । ଯାହାର ପୁରା ଘଟଣା ପୋଲିସ ଆଗରେ କହିଛି ତାଙ୍କର କୁନି ଝିଅ । ଝିଅଟିର ବୟାନ ଆଧାରରେ ପୋଲିସ ଅଭିଯୁକ୍ତ ପତ୍ନୀହନ୍ତାଙ୍କୁ ଗିରଫ କରିଛି ।

ପୋଲିସ ଆଗରେ ମାଆ ହତ୍ୟାର କାହାଣୀ କହିଲା କୁନି ଝିଅ

ମିଳିଥିବା ସୂଚନା ଅନୁସାରେ, ୭ ବର୍ଷ ତଳେ ଉମରକୋଟ ବ୍ଲକ ବଙ୍ଗୀୟ କାରା ଗ୍ରାମର ତପନ ମଣ୍ଡଳଙ୍କ ଝିଅ ଲିପିକା ମଣ୍ଡଳ ସିଲାଟି ଗ୍ରାମର ମାଣିକ ଘୋଷଙ୍କୁ ବିବାହ କରିଥିଲେ । ମାଣିକ ହୋଟେଲ ମ୍ୟାନଜମେଣ୍ଟ ପାଠ ପଢିଥିଲେ ହେଁ ବିବାହ ବେଳକୁ କୌଣସି ଚାକିରୀ କରୁନଥିଲେ । ଏହାକୁ ନେଇ ମେ' ମାସରେ ସ୍ବାମୀ ଓ ସ୍ତ୍ରୀ ମଧ୍ୟରେ ଝଗଡା ହୋଇଥିଲା । ଏହି ଘଟଣାକୁ ନେଇ ଉମରକୋଟ ଥାନାରେ ଅଭିଯୋଗ ପରେ ଏକ ମାମଲା ମଧ୍ୟ ରୁଜୁ ହୋଇଥିଲା । ଏହାପରେ ଲିପିକା ନିଜ ବାପଘରକୁ ପଳାଇ ଆସିଥିଲେ । ତେବେ ଜୁନ ମାସରେ ପୁଅ ଘରଲୋକ ସେଠାକୁ ଯାଇ ବୋହୂକୁ ନେବାକୁ କହିଥିଲେ । କିନ୍ତୁ ଝିଅଘର ଛାଡ଼ିବା ପାଇଁ ରାଜି ନଥିଲେ । ଶେଷରେ ଗ୍ରାମଲୋକଙ୍କ ବୈଠକ ବସିବା ପରେ ଲିପିକାଙ୍କ ପରିବାର ଲୋକେ ତାଙ୍କୁ ସ୍ବାମୀ ନିକଟକୁ ଛାଡିଥିଲେ ।

ଜୁନ୍‌ ମାସରେ ସ୍ବାମୀ ଓ ସ୍ତ୍ରୀ ଦାଦନ ଖଟିବାକୁ ସୁଦୂର କାକିନାଡ଼ା ଯାଇଥିଲେ । ସେଠାରେ ମାଣିକ ଗୋଟିଏ ହୋଟେଲରେ କାମ କରୁଥିଲେ । ସୋମବାର ସକାଳ ପ୍ରାୟ ୬ଟାବେଳେ ମାଣିକ କାକିନାଡ଼ାରେ ରହୁଥିବା କାରା ଗାଁର ଗୋଟିଏ ସାଙ୍ଗକୁ ଫୋନ କରି ସ୍ତ୍ରୀ ଅସୁସ୍ଥତା ଯୋଗୁଁ ମୂର୍ଚ୍ଛା ହୋଇଯାଇଥିବା ଜଣାଇବା ସହ ଏବଂ ଆମ୍ବୁଲାନ୍ସ ଡାକିବାକୁ କହିଥିଲେ । କିନ୍ତୁ ପରେ ସେ ଆମ୍ବୁଲାନ୍ସ ତାଙ୍କୁ ନେଇନଥିବା ସାଙ୍ଗକୁ ଜଣାଇଥିଲେ । ଏହାଶୁଣି ସାଙ୍ଗ ଜଣଙ୍କ ସେଠାରେ ପହଞ୍ଚିବା ପରେ ଲିପିକାଙ୍କ ମୃତ୍ୟୁ ହୋଇଯାଇଥିବା ଦେଖିବାକୁ ପାଇଥିଲେ । ଏବଂ ତାଙ୍କ ଗଳାରେ ଚିହ୍ନ ଥିବା ଦେଖିଥିଲେ ।

ଏହି ଖବର ପୋଲିସ ନିକଟରେ ପହଞ୍ଚିବା ପରେ କାକିନାଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ନିଜ ଆଡୁ ମାମଲା ରୁଜୁ କରି ମାଣିକଙ୍କୁ ଗିରଫ କରିଥିଲା । ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି, ମୃତ ମହିଳାଙ୍କ ଅଢେଇ ବର୍ଷର ଝିଅ ପୋଲିସ୍ ଆଗରେ ବାପା ହିଁ ମାଆକୁ ଗଳାଚିପି ହତ୍ୟା କରିଛି ବୋଲି ବୟାନ ଦେଇଥିଲେ । ଏହାପରେ ପତ୍ନୀହନ୍ତା ମାଣିକକୁ ପଚରାଉଚରା କରାଯିବା ପରେ ସେ କହିଥିଲେ ଯେ, "ମୋ ସ୍ତ୍ରୀକୁ ମୂର୍ଚ୍ଛା ହେବା ପରେ ମୁଁ ପାଟି ପାଖରେ ଆଙ୍ଗୁଠି ରଖିଥିଲି ଓ ଏହି ସମୟରେ ଲିପିକା ମୋ ଆଙ୍ଗୁଠିକୁ କାମୁଡି ଦେଇଥିଲା । ତେଣୁ ମୁଁ ରାଗିକି ଲିପିକାର ଗଳା ଚିପି ହତ୍ୟା କରିଥିଲି ।"

ସେପଟେ ଝିଅର ମୃତ୍ୟୁ ଖବର ପାଇ ଲିପିକାଙ୍କ ବାପା ତପନ ମଣ୍ଡଳ କାକିନାଡ଼ା ଠାରେ ପହଞ୍ଚିଥିଲେ । ସେଠାରେ ପୋଲିସ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ । ଏହାପରେ ପ୍ରଥମେ ଲିପିକାଙ୍କ ମୃତଶରୀର କାରା ଗାଁ ଅଣାଯାଇଥିଲା । ପରେ ସ୍ୱାମୀର ଘର ସିଲାଟି ଯାଇଥିଲା । ସେଠାରେ ଲିପିକାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ତେବେ ଏହି ଘଟଣାକୁ ନେଇ ଏବେ ସମଗ୍ର ଉମରକୋଟ ଅଞ୍ଚଳରେ ହଇଚଇ ସୃଷ୍ଟି ହେଇଛି ।

ଇଟିଭି ଭାରତ, ନବରଙ୍ଗପୁର

Last Updated :Sep 24, 2022, 3:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.