ନବରଙ୍ଗପୁର କର୍ମୀ ସମ୍ମିଳନୀରେ ଯୋଗ ଦେଲେ ବିଜେପି ରାଜ୍ୟ ସଭାପତି, ବିଜେଡି ସରକାର ଉପରେ ବର୍ଷିଲେ
ନବରଙ୍ଗପୁର କର୍ମୀ ସମ୍ମିଳନୀରେ ଯୋଗ ଦେଲେ ବିଜେପି ରାଜ୍ୟ ସଭାପତି, ବିଜେଡି ସରକାର ଉପରେ ବର୍ଷିଲେ
ଦୁଇ ଦିନିଆ ନବରଙ୍ଗପୁର ଗସ୍ତରେ ମନମୋହନ ସାମଲ । ଆୟୋଜିତ କାର୍ଯ୍ୟକର୍ତ୍ତା ସମ୍ମଳନୀରେ ଯୋଗ ଦେଇ ଓଡ଼ିଶାରେ ଏଥର ବିଜେପି ସରକାର ହେବ କହିଲେ ମନମୋହନ ସାମଲ । ଅଧିକ ପଢନ୍ତୁ
ନବରଙ୍ଗପୁର: ଦୁଇ ଦିନିଆ ନବରଙ୍ଗପୁର ଗସ୍ତରେ ଅଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଏନେଇ ନବରଙ୍ଗପୁରରେ ଆୟୋଜିତ ବିଜେପିର କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗ ଦେଇ ଏଥର ଓଡ଼ିଶାରେ ବିଜେପି ସରକାର କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ।
ଏନେଇ ମନମୋହନ ସାମଲ କହିଛନ୍ତି ଯେ, ଲମ୍ବା ସଂଘର୍ଷ ଯାତ୍ରାରେ କଠିନ ପରିଶ୍ରମ, କାର୍ଯ୍ୟକର୍ତ୍ତାଙ୍କର ବହୁ ନିର୍ଯାତନାର ଶିକାର ହୋଇଛୁ । ମୁଖ୍ୟମନ୍ତ୍ରୀ ୧୫ ବର୍ଷ ହେଲା ମନ୍ତ୍ରୀଙ୍କୁ ଭେଟୁନାହାନ୍ତି । ଲୋକଙ୍କର କୌଣସି କାମ ହେଉନି । ପ୍ରଧାନମନ୍ତ୍ରୀ ଦୈନିକ ହଜାର ଲୋକଙ୍କୁ ଭେଟୁଛନ୍ତି । ରାଜ୍ୟରେ ବିଜେପି ସରକାର ହେବ । ତେଣୁ ଦଳର ସମସ୍ତ କାର୍ଯ୍ୟକର୍ତ୍ତା ଏବେ ଲୋକଙ୍କର ନିକଟକୁ ଯାଇ ଲୋକଙ୍କର କାମ କରିବାକୁ ପରାମର୍ଶ ଦିଆଯାଇଛି । ଅପରପକ୍ଷରେ କେନ୍ଦ୍ର ସରକାର ଗରିବ ଲୋକଙ୍କ ପାଇଁ ଅନେକ ଯୋଜନା କରୁଛନ୍ତି । ହେଲେ ଏଥିରୁ ଉପଯୁକ୍ତ ହିତାଧିକାରୀ ବଞ୍ଚିତ ରହୁଛନ୍ତି । ସେହିପରି ପିଇବା ପାଣି, ବିଜୁଳି ଯୋଗାଣ ପାଇଁ କେନ୍ଦ୍ର ସରକାର ଟଙ୍କା ଦେଉଥିବା ବେଳେ ରାଜ୍ୟ ସରକାର କାର୍ଯ୍ୟକାରୀ କରୁନାହାନ୍ତି । ଏହି ଜିଲ୍ଲାରେ ଗରିବ ଲୋକଙ୍କର କୌଣସି ଉନ୍ନତି ହେଉ ନ ଥିବାବେଳେ ବିଜେଡି ନେତା ଉନ୍ନତି କରୁଛନ୍ତି । କିନ୍ତୁ ରାଜ୍ୟରେ ବିଜେପି ସରକାର ଆସିଲେ ଏହି ସରକାର ଦୁର୍ନୀତିର ହିସାବ ନିଆଯିବ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ମହିଳାଙ୍କୁ ଅତ୍ୟାଚାର କରାଯାଉଛି । ରାଜ୍ୟରେ ଦୁଷ୍କର୍ମ, ହତ୍ୟା ବଢୁଛି । ସେହିପରି ରେଳ ପାଇଁ ଜମି ଅଧିଗ୍ରହଣ ରାଜ୍ୟ ସରକାର କରିନାହାନ୍ତି । ଏଥିସହ ଜିଲ୍ଲାର ବିଜେଡି ସାଂସଦ ଓ ବିଧାୟକ ଏହି ଅଞ୍ଚଳ ସମସ୍ୟା ନେଇ କୌଣସି ପଦକ୍ଷେପ ନେଉ ନଥିବା କହିଥିଲେ । ପୂର୍ବତନ ସାଂସଦ ଇଂ. ବଳଭଦ୍ର ମାଝୀ କେନ୍ଦ୍ର ସରକାରଙ୍କର ବହୁ ଜନହିତକାରୀ ଯୋଜନା,ଜଳସେଚନ ଯୋଜନାରେ କେନ୍ଦ୍ର ଅନୁମୋଦନ କରିଥିଲେ ମଧ୍ୟ ରାଜ୍ୟ ସରକାର ସହଯୋଗ କରୁନାହାନ୍ତି । ସରକାରୀ କର୍ମଚାରୀ,ବିଭିନ୍ନ ଅନୁଷ୍ଠାନରେ ଅସନ୍ତୋଷ ବଢ଼ୁଥିବା ବେଳେ ବିଜେଡି ନେତା ମଧ୍ୟ ଅସହ୍ୟରେ ଅଛନ୍ତି ବୋଲି ଅଭିଯୋଗ କରିଛନ୍ତି ମନମୋହନ ସାମଲ ।
ଅନ୍ୟପଟେ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ରାଜ୍ୟ ସରକାରଙ୍କର ବିଫଳତା ସମ୍ପର୍କରେ କହିଥିଲେ । ଶିକ୍ଷା ସ୍ୱାସ୍ଥ୍ୟ ଗମନଗମନରେ ବିଫଳ ହୋଇଛି । ୫ଟି ଯୋଜନା ପ୍ରହସନ ପାଲଟିଛି । ରାଜ୍ୟ ଉପସଭାପତି ରମେଶ ଚନ୍ଦ୍ର ସାହୁ ରାଜ୍ୟସରକାର ଦୁର୍ନୀତି ଓ ଭ୍ରଷ୍ଟାଚାରରେ ବୁଡି ରହିଥିବା କହିଥିଲେ । ତେବେ ଏହି କାର୍ଯ୍ୟକ୍ରମରେ ରାଜ୍ୟ ସମ୍ପାଦକ ପୂର୍ଣ୍ଣିମା ନାୟକ, ନବରଙ୍ଗପୁର ନଗରପାଳ କୁନୁ ନାୟକ , ପୂର୍ବତନ ଜିଲା ସଭାପତି ଝାଡେଶ୍ୱର ଖଡଙ୍ଗା, ଗୋବିନ୍ଦ ଜୈନ, କୁଞ୍ଜ ଦାସ, ମିନିଜର ଆର୍ଯ୍ୟ,ମୃତ୍ୟୁଞ୍ଜୟ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଏକ ବିରାଟ ବାଇକ ଶୋଭାଯାତ୍ରା ଚାଉରିଆଗୁଡ଼ାରୁ ଆରମ୍ଭ ହୋଇ ନବରଙ୍ଗପୁର ସହର ପରିକ୍ରମା କରିଥିଲା । ନବରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେପିର ବହୁ କର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।
ଇଟିଭି ଭାରତ, ନବରଙ୍ଗପୁର
