ସାନ୍ତାଳୀଙ୍କ ନିଆରା ପର୍ବ ନିଆଁମଡ଼ା ପର୍ବ, ନିଆଁରେ ଚାଲିଲେ ରୋଗବ୍ୟାଧି ଦୂର ହେବ ରହିଛି ବିଶ୍ୱାସ

author img

By

Published : Jan 24, 2023, 10:25 AM IST

Santali festival

ବିଶ୍ବାସର ପର୍ବ ନିଆଁମଡ଼ା ପର୍ବ । ପର୍ବରେ ସାମିଲ ହୁଅନ୍ତି ରାଜ୍ୟ ତଥା ରାଜ୍ୟ ବାହାରର ଲୋକ । ପୂରଣ ହୁଏ ସବୁ ମାନସିକ । ଅଧିକ ପଢ଼ନ୍ତୁ

ସାନ୍ତାଳୀଙ୍କ ପର୍ବ

ରାଇରଙ୍ଗପୁର : ମୟୂରଭଞ୍ଜ ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏଠି ୧୨ମାସରେ ତେର ପର୍ବ ପାଳନ କରାଯାଏ। ସେଥିମଧ୍ୟରୁ ସାନ୍ତାଳୀ ସମ୍ପ୍ରଦାୟର ଏକ ନିଆରା ପର୍ବ ହେଉଛି ନିଆଁ ମଡ଼ା ବା ଖନ୍ଦାମଡ଼ା ପର୍ବ । ଦୀର୍ଘବର୍ଷ ଧରି ରାଇରଙ୍ଗପୁର ବେଲପୋଷି ଗ୍ରାମରେ ପାଳିତ ହୋଇଆସୁଛି ଏହି ନିଆରା ପର୍ବ । ଏହାକୁ ଦେଖିବା ପାଇଁ ଏହି ଅଞ୍ଚଳକୁ ଛୁଟିଥାଏ ହଜାର ହଜାର ଦର୍ଶକଙ୍କ ସୁଅ । ସାନ୍ତାଳୀଙ୍କ ଭାଷା ଅନୁଯାୟୀ ନିଆଁମଡ଼ାକୁ 'ସେଙ୍ଗେଲ ଲେବେଦ' ବୋଲି ସମ୍ବୋଧନ କରିଥାନ୍ତି ।

ପ୍ରତ୍ୟେକ ବର୍ଷ ଜାନୁଆରୀ ୨୦ ତାରିଖରେ ଏହି ନିଆଁମଡା ଉତ୍ସବ ପାଳନ କରିଥାନ୍ତି ଏଠିକାର ସାନ୍ତାଳୀ ସମ୍ପ୍ରଦାୟର ଲୋକେ । ୨-୩ଦିନ ଧରି ବେଶ ଜାକଜମକରେ ସାନ୍ତାଳୀଙ୍କ 'ସେଙ୍ଗେଲ ଲେବେଦ' ବା ନିଆଁମଡ଼ା ପର୍ବ ପାଳନ କରାଯାଇଥାଏ । ଦୀର୍ଘ ୭୦/୮୦ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିବା ଏହି ନିଆଁମଡ଼ା ପର୍ବରେ ରୋଗ ବ୍ୟାଧି ତଥା ବିଭିନ୍ନ ପ୍ରକାର ସମସ୍ୟାରୁ ମୁକୁଳିବା ପାଇଁ ବିଭିନ୍ନ ଲୋକେ ମାନସିକ ରଖି ଉପକୃତ ମଧ୍ୟ ହୋଇଥାନ୍ତି ।

ଏ ସମ୍ପର୍କରେ ଲାହାନ୍ତି ଯୁବକସଂଘର ସେକ୍ରେଟାରୀ ଆହ୍ଲାନ୍ ହେମ୍ବ୍ରମ କହିଛନ୍ତି, ''ଏହି ପର୍ବ ପାଳନ କରିବା ଦ୍ବାରା ଅନେକ ଶାନ୍ତି ସମୃଦ୍ଧି ମିଳିଥାଏ । ଅନେକ ଦୁଃଖ, ଦୁର୍ଦ୍ଦଶା ବି ଦୂର ହୋଇଥାଏ । ଏହାକୁ ଦେଖିବା ପାଇଁ ନିଜ ରାଜ୍ୟ ବ୍ୟତୀତ ଝାଡ଼ଖଣ୍ଡ ରାଜ୍ୟରୁ ଆସିଥାନ୍ତି ଶ୍ରଦ୍ଧାଳୁ । ଏଠାରେ ଅନେକ ଶ୍ରଦ୍ଧାଳୁ ମାନସିକ ପୂରଣ ପାଇଁ କେହି କେହି ନିଆଁ ଉପରେ ଚାଲିଥାନ୍ତି ତ ଆଉ କାହାର ମାନସିକ ପୂରଣ ହୋଇଯାଇଥିବାରୁ ସେ ମଧ୍ୟ ନିଆଁ ଉପରେ ଚାଲିଥାନ୍ତି ।''

ପର୍ବରେ ଗ୍ରାମର ମୁଖିଆଙ୍କ ଘରେ ପୂଜା ହୋଇଥାଏ । ସେଠାରେ ସମସ୍ତେ ଆସି ସାନ୍ତାଳୀ ସମ୍ପ୍ରଦାୟର ଦେବତାଙ୍କ ନିକଟରେ ପୂଜାର୍ଚ୍ଚନା କରିଥାନ୍ତି । ତେବେ ଏହି ପର୍ବର ସବୁଠୁ ବଡ଼କଥା ହେଉଛି ସମାଜରେ ବଳିପ୍ରଥା ବନ୍ଦ ଥିବା ବେଳେ ଏଠାରେ ଆଜିବି ସେଠାରେ ବଳି ପଡ଼ିଥାଏ । ମଙ୍ଗଳକାମନା କରି କୁକୁଡ଼ା, ପାରା ଓ ବତକକୁ ଅଗ୍ନି ଦେବତାଙ୍କ ଉଦ୍ଦେଶ୍ୟରେ ବଳି ଅର୍ପଣ କରାଯାଇଥାଏ । ପ୍ରତ୍ୟେକ ବର୍ଷ ଅଞ୍ଚଳରେ ଭଲ ଫସଲ ହେବା ସହ ରୋଗବ୍ୟାଧି ନବ୍ୟାପିବା ପାଇଁ ଅଗ୍ନି ଦେବତାଙ୍କ ନିକଟରେ କାମନା କରିଥାନ୍ତି ଦେହୁରୀ ଓ ଶ୍ରଦ୍ଧାଳୁ । ସେଠାରେ ମାନସିକ ରଖି ନିଆଁ ଉପରେ ପ୍ରଦକ୍ଷଣ କରି ଯିଏ ଯାହା ମନାସେ ତାହା ନିଶ୍ଚୟ ପାଏ ବୋଲି ବିଶ୍ବାସ ରହିଛି ।

ବର୍ଷବର୍ଷ ଧରି ଚାଲିଥିବା ଏହି ମେଳାକୁ ଆଜି ବି ଲାହାନ୍ତି ଯୁବକ ସଂଘ ପକ୍ଷରୁ ଆୟୋଜନ କରାଯାଉଛି । ଅନ୍ୟପଟେ ମେଳାରେ ଶହଶହ ଲୋକଙ୍କ ଭିଡ଼ ଲାଗିଥିବାରୁ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଯାମଦା ଥାନା ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥାଏ । ତେବେ ଗତ ୨ ବର୍ଷ ହେବ କୋରୋନା କଟକଣା ଯୋଗୁଁ ଏହି ପର୍ବ ପାଳନ କରାଯାଇନଥିଲା । ହେଲେ ଚଳିତ ବର୍ଷ କୌଣସି କଟକଣା ନଥିବାରୁ ବେଶ ଧୁମଧାମରେ ପାଳନ କରାଯାଇଛି ନିଆଁମଡ଼ା ପର୍ବ । ଆସ୍ଥା ଓ ବିଶ୍ବାସର ପର୍ବ ହେଉଛି ଏହି ନିଆଁମଡା ପର୍ବ । ସାନ୍ତାଳୀଙ୍କ ଏହି ନିଆଁମଡ଼ା ପର୍ବ ଆଧୁନିକ ଯୁଗରେ ମଧ୍ୟ ଦେବୀ ଦେବତାଙ୍କ ଉପରେ ରହିଥିବା ଅତୁଟ ଶ୍ରଦ୍ଧା ଓ ବିଶ୍ବାସକୁ ପ୍ରତିଫଳନ କରେ ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.