ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ଉଦଘାଟନ କଲେ ରାଷ୍ଟ୍ରପତି

ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ଉଦଘାଟନ କଲେ ରାଷ୍ଟ୍ରପତି
କୁଳିଅଣା ଏବଂ ବାରିପଦାର ଦୁଇଟି ବ୍ଲକର କ୍ୟାମ୍ପସ ବର୍ତ୍ତମାନ ଉଦଘାଟନ ପାଇଁ ପ୍ରସ୍ତୁତ ହୋଇଥିବା ବେଳେ କୁଳିଅଣା ବିଦ୍ୟାଳୟ ଆଜି ରାଷ୍ଟ୍ରପତି ଉଦଘାଟନ କରିଛନ୍ତି । ୧୦ ରୁ ୧୨ ଏକର ଜମିରେ ନୂତନ ଇଏମଆରଏସ କ୍ୟାମ୍ପସ ନିର୍ମାଣ ହୋଇଛି । ଯେଉଁଥିରେ କ୍ୟାମ୍ପସ ଭିତରେ ନିର୍ମିତ ବାଳକ ଓ ବାଳିକାଙ୍କ ପାଇଁ ସ୍ବତନ୍ତ୍ର ଭାବେ ହଷ୍ଟେଲ ନିର୍ମାଣ ହୋଇଛି । ଅଧିକ ପଢନ୍ତୁ
ରାଇରଙ୍ଗପୁର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି (ସୋମବାର) ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟର ଉଦଘାଟନ କରିଛନ୍ତି । ଦୁଇ ଦିନିଆ ଦ୍ବିତୀୟ ଥର ପାଇଁ ନିଜ ଗୃହ ଜିଲ୍ଲା ମୟୂରଭଞ୍ଜ ଗସ୍ତରେ ଥିବା ରାଷ୍ଟ୍ରପତି ମୁର୍ମୁ ଜିଲ୍ଲାର କୁଳିଅଣା ବ୍ଲକ ଅନ୍ତର୍ଗତ ପାଣିଜିଆ ଠାରେ ନୂତନ ଭାବେ ନିର୍ମିତ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟର ଉଦଘାଟନ କରିଛନ୍ତି । ଏହି ଅବସରରେ ରାଜ୍ୟପାଳ ରଘୁବର ଦାସ, ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା, ଜଳଶକ୍ତି ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ତଥା ମୟୂରଭଞ୍ଜ ସାଂସଦ ବିଶ୍ବଶ୍ବର ଟୁଡୁ, ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି, ରାଜ୍ୟ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ପ୍ରମୁଖ ଉପସ୍ଥିତ ରହିଥିଲେ ।
ଏକଲବ୍ୟ ଆବସିକ ମଡେଲ ସ୍କୁଲ ହେଉଛି କେନ୍ଦ୍ର ସରକାରଙ୍କ ସ୍ବପ୍ନର ପ୍ରକଳ୍ପ । ଏକଲବ୍ୟ ଆବାସିକ ମଡେଲ ସ୍କୁଲ ଜରିଆରେ କେନ୍ଦ୍ର ସରକାର ଆଦିବାସୀ ଛାତ୍ର ମାନଙ୍କୁ ମାଗଣାରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରୁଛନ୍ତି । ଭାରତରେ ଆଦିବାସୀ ଲୋକଙ୍କୁ ସଶକ୍ତ କରିବା ପାଇଁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି । ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଏହି ଯୋଜନାରେ ବିଦ୍ୟାଳୟର ନିର୍ମାଣ କରୁଛି । ଏକଲବ୍ୟ ଆବାସିକ ମଡେଲ ସ୍କୁଲରେ ଆଦିବାସୀଙ୍କ କଳା, ସଂସ୍କୃତି, ସମେତ ବିଭିନ୍ନ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯାଉଛି ।
କୁଳିଅଣା ଏବଂ ବାରିପଦାର ଦୁଇଟି ବ୍ଲକର କ୍ୟାମ୍ପସ ବର୍ତ୍ତମାନ ଉଦଘାଟନ ପାଇଁ ପ୍ରସ୍ତୁତ ହୋଇଥିବା ବେଳେ କୁଳିଅଣା ବିଦ୍ୟାଳୟ ଆଜି ରାଷ୍ଟ୍ରପତି ଉଦଘାଟନ କରିଛନ୍ତି । ୧୦ ରୁ ୧୨ ଏକର ଜମିରେ ନୂତନ ଇଏମଆରଏସ କ୍ୟାମ୍ପସ ନିର୍ମାଣ ହୋଇଛି । ଯେଉଁଥିରେ କ୍ୟାମ୍ପସ ଭିତରେ ନିର୍ମିତ ବାଳକ ଓ ବାଳିକାଙ୍କ ପାଇଁ ସ୍ବତନ୍ତ୍ର ଭାବେ ହଷ୍ଟେଲ ନିର୍ମାଣ ହୋଇଛି । ମାଗଣାରେ ରହିବା ଖାଇବା ସୁବିଧା ସହିତ ଛାତ୍ରଛାତ୍ରୀଙ୍କ ପାଇଁ ଗୁଣାତ୍ମକ ଶିକ୍ଷା ପାଇବା ପାଇଁ ସମସ୍ତ ପ୍ରକାରର ସୁବିଧା ରହିଛି । ପ୍ରାୟ ୫୦୦ ଆଦିବାସୀ ଛାତ୍ର ପ୍ରତ୍ୟେକ କ୍ୟାମ୍ପସରେ ରହିବେ । ଯାହା ଅତି କମରେ ୨୦ହଜାର ଆଦିବାସୀ ଲୋକ ଏବଂ ୫୦ପ୍ରତିଶତରୁ ଅଧିକ ଆଦିବାସୀ ଜନସଂଖ୍ୟା ବିଶିଷ୍ଟ ବ୍ଲକରେ ସ୍ଥାପନ କରାଯାଉଛି ।
ସୂଚନାଯୋଗ୍ୟଯେ ଓଡିଆ ଝିଅ ଦ୍ରୌପଦୀ ମୁର୍ମୁ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦରେ ଅଧିଷ୍ଠିତ ହେବା ପରେ ଦ୍ବିତୀୟ ଥର ପାଇଁ ନିଜ ଗୃହ ଜିଲ୍ଲା ମୟୂରଭଞ୍ଜ ଗସ୍ତରେ ଆସିଛନ୍ତି । ଗସ୍ତର ପ୍ରଥମ ଦିନରେ ଜନ୍ମମାଟି ମୟୂରଭଞ୍ଜ ଗସ୍ତ କରି ସର୍ବଭାରତୀୟ ସାନ୍ତାଳୀ ଲେଖକ ସଂଘର ସମ୍ମିଳନୀରେ ଯୋଗ ଦେଇଛନ୍ତି । ୩୬ତମ ବାର୍ଷିକ ସମ୍ମିଳନୀରେ ଯୋଗ ଦେଇ ସାନ୍ତାଳୀ ଭାଷାରେ ଅଭିଭାଷଣ ରଖିଥିଲେ ମହାମହିମ ।
ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ସମଗ୍ର ମୟୂରଭଞ୍ଜ ଜିଲ୍ଲା ଚଳଚଞ୍ଚଳ ହୋଇ ଉଠିଛି । ବାରିପଦା ସମେତ କୁଳିଅଣା, ରାଇରଙ୍ଗପୁର, ପାହାଡ଼ପୁର ଓ ବାଦାମପାହାଡ଼ ଆଦି ସ୍ଥାନରେ ପ୍ରସ୍ତୁତି ଜୋରଦାର ହୋଇଛି । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଥିବା ବେଳେ ଆଜି ସକାଳେ ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ପାଲାମ ବିମାନ ବନ୍ଦରରୁ ପଶ୍ଚିମବଙ୍ଗ ସ୍ଥିତ କୋଳେଇକୁଣ୍ଡା ବାୟୁସେନା ବିମାନ ଘାଟିରେ ଅବତରଣ କରିଥିଲେ । ସେଠାରୁ ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ବାରିପଦାରେ ପହଞ୍ଚିଥିଲେ । ସେଠାରେ ରାଜ୍ୟପାଳ ରଘୁବର ଦାସ, କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ରାଜ୍ୟ ସରକାରଙ୍କ ପ୍ରତିନିଧି ଓ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ସ୍ବାଗତ କରିଥିଲେ ।
ଇଟିଭି ଭାରତ, ରାଇରଙ୍ଗପୁର, ମୟୁରଭଞ୍ଜ
