ଶିକାରୀଙ୍କ ପାଇଁ ଭୂସ୍ବର୍ଗ ପାଲଟିଛି ଶିମିଳିପାଳ ଅଭୟାରଣ୍ୟ ! ଫରେଷ୍ଟ ଗାର୍ଡଙ୍କୁ ଗୁଳି କରି ହତ୍ୟା

author img

By

Published : May 23, 2023, 7:14 AM IST

Updated : May 23, 2023, 5:26 PM IST

Forest guard shot dead by poachers

ଶିମିଳିପାଳରେ ଫରେଷ୍ଟ ଗାର୍ଡକୁ ଗୁଳିକରି ହତ୍ୟା କଲେ ଶିକାରୀ । ଶିିମିଳିପାଳ ଅଭୟାରଣ୍ୟରେ ପାଟ୍ରୋଲିଂ ବେଳେ ଶିକାରୀଙ୍କ ବନ୍ଧୁକ ଗୁଳିରେ ତାଙ୍କ ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ

ଶିମିଳିପାଳରେ ଫରେଷ୍ଟ ଗାର୍ଡକୁ ଗୁଳିକରି ମାରିଲେ ଶିକାରୀ

ରାଇରଙ୍ଗପୁର: ଶିମିଳିପାଳରେ ଫୁଟିଲା ଗୁଳି । ଶିକାରୀଙ୍କ ଗୁଳିମାଡ଼ରେ ଆଖି ବୁଜିଲେ ଫରେଷ୍ଟ ଗାର୍ଡ । ଗତକାଲି (ସୋମବାର) ମୟୂରଭଞ୍ଜ ଜିଲ୍ଲା ସ୍ଥିତ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ବନ୍ୟପ୍ରାଣୀ ବନଖଣ୍ଡର ବାଙ୍ଗିରିପୋଷି ରେଞ୍ଜ ଅନ୍ତର୍ଗତ ଚାକିଡି ବିଟ୍ ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଯାଇଛି । ଶିକାରୀଙ୍କ ଗୁଳିରେ ଜଣେ ଫରେଷ୍ଟ ଗାର୍ଡଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ବିମଲ କୁମାର ଜେନା । ଗୁଳିମାଡ କରିଥିବା ଶିକାରୀଙ୍କୁ ଧରିବା ପାଇଁ ପୋଲିସ ତନାଘନା ଆରମ୍ଭ କରିଛି ।

ସୂଚନା ଅନୁଯାୟୀ, ବିମଲ କୁମାର ଜେନା ଫରେଷ୍ଟ ଗାର୍ଡ ଭାବେ କାର୍ଯ୍ୟ କରୁଥିଲେ । ସେ ଶିମିଳିପାଳ ଅଭୟାରଣ୍ୟର ନଅଣା ସାଉଥ୍ ରେଞ୍ଜ ବାଉଁଶଖାଳ ବିଟରେ କାର୍ଯ୍ୟରତ ଥିଲେ । ତେବେ ଯାହା ସୂଚନା ରହିଛି, ଗତକାଲି ସନ୍ଧ୍ୟାରେ ବିମଲ ପାଟ୍ରୋଲିଂରେ ଯାଇଥିବା ସମୟରେ ୫ ଜଣ ଶିକାରୀଙ୍କ ହାବୁଡରେ ପଡିଥିଲେ । ଶିକାରୀ ମାନେ ଅତର୍କିତ ଭାବେ ବନ କର୍ମଚାରୀଙ୍କ ଉପରକୁ ଗୁଳି ଚଳାଇଥିଲେ। ଫଳରେ ଫରେଷ୍ଟ ଗାର୍ଡ ବିମଲ କୁମାର ଜେନାଙ୍କ ବାମ ପଟ ଛାତିରେ ଗୁଳି ବାଜି ଯାଇଥିଲା । ତେବେ ରକ୍ତାକ୍ତ ଅବସ୍ଥାରେ ସେ ସେଠାରେ ହିଁ ଟଳି ପଡିଥିଲେ। । ପରେ ଶିକାରୀ ମାନେ ସେଠାରୁ ଫେରାର ହୋଇ ଯାଇଥିଲେ । ଅନ୍ୟ ବନବିଭାଗ କର୍ମଚାରୀ ମାନେ ସେଠାରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଏ ବିଷୟରେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇଥିଲେ ।

ଏହାମଧ୍ୟ ପଢନ୍ତୁ: ପ୍ରହସନ ପାଲଟିଛି ସରକାରୀ ଯୋଜନା ! ଆଜି ବି ଆଦିବାସୀ ଗାଁକୁ ପହଞ୍ଚିନି ପକ୍କା ଘର

ମୃତ ବିମଲଙ୍କ ଘର ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରର ଭଞ୍ଜପୁର ଅଞ୍ଚଳରେ । ତାଙ୍କ ପତ୍ନୀ ମଧ୍ୟ ଫରେଷ୍ଟ ଗାର୍ଡ ଭାବରେ କାର୍ଯ୍ୟରତ ଅଛନ୍ତି । କିଛି ବର୍ଷ ତଳେ ବିମଲଙ୍କ ବିବାହ ହୋଇଥିଲା । ଶିକାରୀଙ୍କ ଗୁଳିମାଡରେ ସ୍ବାମୀଙ୍କ ମୃତ୍ୟୁର ଖବର ଜାଣିବା ପରେ ସୋମବାର ରାତିରେ ତାଙ୍କର ପତ୍ନୀ ବାରିପଦା ସ୍ଥିତ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ କାନ୍ଦି କାନ୍ଦି ପହଞ୍ଚିଥିଲେ । ସେଠାରେ ସେ ସଂଜ୍ଞାହୀନ ହୋଇଯାଇଥିଲେ । ଏହାପରେ ତୁରନ୍ତ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ପିଆରଏମ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେପଟେ ଗୁଳିକାଣ୍ଡ ଘଟିଥିବା ସ୍ଥାନରେ ବାଙ୍ଗିରିପୋଷି ଥାନା ପୋଲିସ ଓ ବନ ବିଭାଗ ଅଧିକାରୀମାନେ ପହଞ୍ଚି ତଦନ୍ତ କରୁଥିବା ସୂଚନା ମିଳିଛି । ତଦନ୍ତ ପରେ କେଉଁ ପରିସ୍ଥିତିରେ ଗୁଳିମାଡ଼ ହୋଇଥିଲା ଏବଂ କାରଣ କ'ଣ ରହିଥିଲା ତାହା ସ୍ପଷ୍ଟ ହେବ ବୋଲି କୁହାଯାଇଛି ।

ଏନେଇ ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଭାନୁମିତ୍ର ଆଚାର୍ଯ୍ୟ କହିଛନ୍ତି, "ଶିମିଳିପାଳ ଅଭୟାରଣ୍ୟରେ ଶିକାରୀଙ୍କ ପ୍ରବେଶ ନେଇ ସୋମବାର ଦିନ ପାଖାପାଖି ୧୧ଟା ବେଳୁ ବନବିଭାଗକୁ ଖବର ଦିଆଯାଇଥିଲା । ହେଲେ ବନ ବିଭାଗର ଅଧିକାରୀମାନେ ଏହାକୁ ଗୁରୁତର ସହ ନେଇନଥିଲେ ।" ତେବେ ଯାହା ସୂଚନା ରହିଛି, ଦିନ ପ୍ରାୟ ୫ ଟା ସମୟରେ ବିମଲଙ୍କ ମୃତ୍ୟୁ ଘଟିଥିଲା । ହେଲେ କୌଣସି ବନବିଭାଗ ଅଧିକାରୀ କି କର୍ମଚାରୀ ତାଙ୍କୁ ଉଦ୍ଧାର କରିବା ପାଇଁ ତତ୍ପରତା ଦେଖାଇ ନଥିଲେ। ରାତି ପାଖାପାଖି ୧୦ ଟା ସମୟରେ ବନବିଭାଗ କର୍ମଚାରୀମାନେ ମୃତଦେହ ଉଦ୍ଧାର କରିଥିଲେ । ଏଠାରେ ପ୍ରଶ୍ନ ଉଠୁଛି ବିମଲଙ୍କ ମୃତ୍ୟ ପାଇଁ ଦାୟୀ କିଏ? କାହିଁକି ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ଅଣାଗଲା ନାହିଁ ? ଏହି ଘଟଣାରେ ବନବିଭାଗ ସମ୍ପୂର୍ଣ୍ଣ ରୂପେ ଦାୟୀ କାରଣ ବୋଲି ବିମଲଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ଇଟିଭି ଭାରତ, ରାଇରଙ୍ଗପୁର

Last Updated :May 23, 2023, 5:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.