କରଞ୍ଜିଆରେ ପୁଣି ହାତୀ ଉପଦ୍ରବ: କ୍ଷତିପୂରଣ ଦାବିରେ ୧୦ ବନ କର୍ମଚାରୀ ବନ୍ଧକ

author img

By

Published : Sep 21, 2022, 4:08 PM IST

elephant attack in rairangpur villagers demands for compensation

ମୟୂରଭଞ୍ଜ କରଞ୍ଜିଆ ବନଖଣ୍ଡରେ ପୁଣି ହାତୀ ଉପଦ୍ରବ । ବାରାପାଣପଶି ଗାଁରେ ହାତୀ ଆକ୍ରମଣରେ ଜଣେ ଆହତ ହୋଇଥିବାବେଳେ ଏକର ଏକର ଚାଷଜମି ନଷ୍ଟ କରିଛନ୍ତି । କ୍ଷତି ପୂରଣ ଦାବିରେ ୧୦ ଜଣ ବନବିଭାଗ କର୍ମଚାରୀଙ୍କୁ ଅଟକ ରଖିଛନ୍ତି ଗ୍ରାମବାସୀ । ଅଧିକ ପଢନ୍ତୁ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡରେ ହାତୀ ଉପଦ୍ରବ । ଥମିବାର ନାଁ ନେଉନି ହାତୀ ଉପଦ୍ରବ । ବିଭିନ୍ନ ସମୟରେ ଜଙ୍ଗଲୀ ହାତୀପଲ ଗାଁରେ ପଶି ଫସଲ ନଷ୍ଟ କରୁଛନ୍ତି । ଆଜି ପୁଣି ହାତୀପଲ ବାରାପାଣପଶି ଗାଁରେ ପଶି ଉପଦ୍ରବ କରିଛନ୍ତି । ହାତୀ ଆକ୍ରମଣରେ ଜଣେ ଗୁରୁତର ଆହାତ ହୋଇଥିବା ବେଳେ ବ୍ୟାପକ ଫସଲ ନଷ୍ଟ କରିଛନ୍ତି । ବାରମ୍ବାର ହାତୀ ଉପଦ୍ରବ ଯୋଗୁଁ ଅତିଷ୍ଠ ହୋଇଗଲେଣି ଗ୍ରାମବାସୀ । ହେଲେ ଲୋକଙ୍କୁ ମିଳୁନି କ୍ଷତିପୂରଣ । ତେବେ ଆଜି କ୍ଷୟକ୍ଷତି ଦାବିରେ ଗ୍ରାମବାସୀ ୧୦ ଜଣ ବନ କର୍ମଚାରୀଙ୍କୁ ବନ୍ଧକ ରଖିଛନ୍ତି ।

ପୁଣି କରଞ୍ଜିଆରେ ହାତୀ ଉପଦ୍ରବ

ସୂଚନା ଅନୁସାରେ, କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଦୁଧିଆଣି ରେଞ୍ଜରେ ଅଛନ୍ତି ୨୮ ଟିକିଆ ହାତୀପଲ । ବିଳମ୍ବିତ ରାତିରେ ଦୁଧିଆଣି ରେଞ୍ଜ ଅନ୍ତର୍ଗତ ବାରାପାଣପଶି ଗାଁରେ ହାତୀପଲ ପଶି କରିଛନ୍ତି ଉପଦ୍ରବ । ହାତୀ ଆକ୍ରମଣରେ ଜଣେ ଆହତ ହୋଇଛନ୍ତି । ଏଥିସହ ହାତୀପଲ ଚାଷ ଜମିରେ ପଶି ଧାନଫସଲ ଖାଇଯିବା ସହ ଦଳି ଚକଟି ନଷ୍ଟ କରିଛନ୍ତି ଏକର ଏକର ଫସଲ । ତେବେ ହାତୀ ଉପଦ୍ରବ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ପୁରୁଣା ଦେଓଗାଁର ଗ୍ରାମବାସୀ ତାତିଛନ୍ତି । ହାତୀ ଘଉଡ଼ାଇବାକୁ ଆସିଥିବା ୧୦ ଜଣ ବନ କର୍ମଚାରୀଙ୍କୁ ଗାଡି ସହିତ ଆଜି ଭୋର ୫ଟା ସମୟରୁ ଅଟକ ରଖି କ୍ଷତିପୂରଣ ଦାବି କରିଛନ୍ତି ଗ୍ରାମବାସୀ । ଯାହା ଫଳରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ: କରଞ୍ଜିଆ ବନଖଣ୍ଡରେ ମାତିଲେ ହାତୀ, ଆକ୍ରମଣରେ ମହିଳା ଗୁରୁତର

ଏନେଇ ଗ୍ରାମବାସୀ କହିଛନ୍ତି, " ବାରମ୍ବାର ଏହି ଅଞ୍ଚଳରେ ହାତୀ ପଶି ଧାନ ଫସଲ ଆଦି ନଷ୍ଟ କରିଦେଉଛନ୍ତି । ରାତି 9ଟାରେ ଗାଁ ଭିତରେ ହାତୀ ପ୍ରବେଶ କରି ବ୍ୟାପକ କ୍ଷୟକ୍ଷତି କରୁଛନ୍ତି । ହାତୀ ଆକ୍ରମଣରେ ଘରଦ୍ବାର ଭାଙ୍ଗୁଛି, ଲୋକେ ଆହାତ ହେଉଛନ୍ତି । ତେବେ ଆଜି ଭୋର 5ଟାରୁ ବନ ବିଭାଗର କର୍ମଚାରୀମାନେ ହାତୀ ଘଉଡ଼ାଇବା ପାଇଁ ଆସିଥିଲେ । ତେଣୁ ଆସିଥିବା ବନ କର୍ମଚାରୀଙ୍କୁ ଅଟକ ରଖିଛନ୍ତି ଗ୍ରାମବାସୀ ।" ଦିନରାତି ଅକ୍ଲାନ୍ତ ପରିଶ୍ରମ କରି ଜମିରେ ଫସଲ କରାଯାଉଛି । ସେଥିରୁ ଯାହା ମିଳୁଛି ପରିବାର ଚଳୁଛି । କିନ୍ତୁ ବନ ବିଭାଗର ଅବହେଳା ଯୋଗୁଁ ବେଉସା ଉଜୁଡି ବସୁଥିବା ଚାଷୀ ଅଭିଯୋଗ କରିଛନ୍ତି । ସେପଟେ ହାତୀପଲ ଯୋଗୁଁ ଲୋକମାନେ ଘର ସମ୍ମୁଖରେ ନିଆଁ ଜାଳି ରାତି ଉଜାଗର ରହୁଛନ୍ତି । କ୍ଷତିପୂରଣ ନମିଳିବା ଯାଏଁ ବନ କର୍ମଚାରୀଙ୍କ ଛଡାଯିବ ନାହିଁ ବୋଲି ଗ୍ରାମବାସୀ କହିଛନ୍ତି ।

ସୂଚନା ଥାଉକି, ଗତକାଲି କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଶୁକୃଳି ବ୍ଲକ ଚତୁରାଞ୍ଜଳି ପଞ୍ଚାୟତର ମାଜୁରା ସାହିରେ ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇଛନ୍ତି । ସକାଳୁ ସକାଳୁ କାଜଲ ସିଂ ହାଁସଦା ନାମକ ମହିଳା ଘର ନିକଟରେ ମର୍ଣିଂ ୱାକ୍ କରୁଥିବା ବେଳେ ହଠାତ୍ ଗୋଟିଏ ଦନ୍ତା ହାତୀ ନିକଟସ୍ଥ କାଜୁ ଜଙ୍ଗଲରୁ ଆସି ତାଙ୍କୁ ଆକ୍ରମଣ କରିଥିଲା । ଘଟଣାସ୍ଥଳରୁ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ମହିଳାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ତୁରନ୍ତ କେନ୍ଦୁଝର ଜିଲ୍ଲା ମୁଖ୍ୟ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ବର୍ତ୍ତମାନ କରଞ୍ଜିଆ ବନଖଣ୍ଡ ଅଞ୍ଚଳର ବିଭିନ୍ନ ସ୍ଥାନରେ ୨୮ ଟିକିଆ ହାତୀପଲଙ୍କ ଉପଦ୍ରବ ଜାରି ରହିଛି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.