ବିବାହିତ ପ୍ରେମିକର ପ୍ରେମକୁ ପ୍ରତ୍ୟାଖାନ କଲା ପ୍ରେମିକା, ଗୁଳିମାଡ କରି ହେଲା ଗିରଫ
Published: Mar 15, 2023, 9:51 AM

ବିବାହିତ ପ୍ରେମିକର ପ୍ରେମକୁ ପ୍ରତ୍ୟାଖାନ କଲା ପ୍ରେମିକା, ଗୁଳିମାଡ କରି ହେଲା ଗିରଫ
Published: Mar 15, 2023, 9:51 AM
ବିବାହିତ ପ୍ରେମିକର ପ୍ରେମକୁ ପ୍ରତ୍ୟାଖାନ କଲା ପ୍ରେମିକା । ଗୁଳିମାଡ କରି ହତ୍ୟା ଉଦ୍ୟମ କଲା ପ୍ରେମିକ । ଅଭିଯୋଗ କରି ତଦନ୍ତ ଆରମ୍ଭ କଲା ପୋଲିସ । ଅଧିକ ପଢନ୍ତୁ
ରାଇରଙ୍ଗପୁର: ବିବାହିତ ପ୍ରେମିକର କଥାରେ ରାଜି ହଲାନି ପ୍ରେମିକା । ରାଗରେ ଜର୍ଜରିତ ହୋଇ ପ୍ରେମିକାକୁ ଗୁଳି କରି ହତ୍ୟା କରିବାକୁ ଉଦ୍ୟମ କରିଲା ପ୍ରେମିକ । ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲାର ବିଶୋଇ ଥାନା ଅଞ୍ଚଳରୁ । ପ୍ରେମିକକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ପୋଲିସ । ଗିରଫ ହୋଇଥିବା ଯୁବକ ତଥା ପ୍ରେମିକ ଜଣକ ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ୱାର୍ଡ଼ ନଂ ୧୦ ଅଁଳାଡୁବାର ଅର୍ଜୁନ ପଣ୍ଡା, ବୟସ ୩୩ ବର୍ଷ ବୋଲି ଜଣାପଡିଛି ।
ସୂଚନା ଅନୁଯାୟୀ, କିଛି ବର୍ଷ ପୂର୍ବରୁ ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ଅଁଳାଡୁବାର ଅର୍ଜୁନ ପଣ୍ଡାଙ୍କ ସହିତ ବିଶୋଇ ଥାନା ଅଞ୍ଚଳର ଜୈନିକ ଯୁବତୀଙ୍କ (ସେତେବେଳେ ନାବାଳିକା ଥିଲେ ଯୁବତୀ) ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ସେହି ସମୟରେ ଅର୍ଜୁନ ଏକ ଟାଟା ମ୍ୟାଜିକ ଗାଡ଼ି ଭଡ଼ାରେ ଚଳାଉଥିବା ବେଳେ ଯୁବତୀଙ୍କ ପ୍ରେମରେ ପଡି ଯାଇଥିଲେ । ପରେ ପରେ ଦୁହିଁଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ମଧ୍ୟ ରହିଥିବାର ପୋଲିସ ପକ୍ଷରୁ ସୂଚନା ମିଳିଛି । ଇତି ମଧ୍ୟରେ କିଛି ମାସ ପୂର୍ବରୁ ଅର୍ଜୁନଙ୍କ ଅନ୍ୟତ୍ର ବିବାହ ହୋଇ ସାରିଥିଲା । କିନ୍ତୁ ପ୍ରେମିକ ଅର୍ଜୁନ ପ୍ରେମିକାକୁ ଭୁଲି ନପାରି ବାରମ୍ବାର ପ୍ରେମ ନିବେଦନ କରିଆସୁଥିଲା । କିନ୍ତୁ ଅର୍ଜୁନଙ୍କ ବିବାହ ହୋଇଥିବା କଥା ଜାଣି ଦୂରରେ ରହୁଥିଲେ ପ୍ରେମିକା । ଏହି ଘଟଣା ପରେ ଅର୍ଜୁନ ରାଗରେ ସବୁଦିନ ପାଇଁ ପ୍ରେମିକାକୁ ରାସ୍ତାରୁ ହଟାଇବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । ଯୋଜନା ଅନୁସାରେ ଝାଡ଼ଖଣ୍ଡ ରାଜ୍ୟର ହଳଦୀପୋଖରୀ ଅଞ୍ଚଳର ନାକିମ୍ ଖାନ ସହିତ ବନ୍ଧୁକ କିଣିବା ପାଇଁ ଯୋଗାଯୋଗ କରିଥିଲେ । ପରେ ନାକିମ୍ ଖାନ ପାଖରୁ ୩୫୦୦୦ ଟଙ୍କା ବିନିମୟରେ ଏକ ଦେଶୀ ମାଉଜର ବନ୍ଧୁକ କିଣିଥିଲେ ଅର୍ଜୁନ ।
ମାର୍ଚ୍ଚ ମାସ ୯ ତାରିଖ ଗୁରୁବାର ଦିନ ସନ୍ଧ୍ୟା ସମୟରେ ଅର୍ଜୁନ ଟାଟା ମ୍ୟାଜିକ ଗାଡ଼ିରେ ପ୍ରେମିକାକୁ ନେଇ ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ବୁଧିଆକୁଦର ଗ୍ରାମ ନିକଟସ୍ଥ ଖଡଖାଇ ନଦୀ କୂଳକୁ ଯାଇଥିଲେ । ସେଠାରେ ଯୁବତୀଙ୍କୁ ଜୀବନରେ ମାରି ଦେବା ପାଇଁ ଗୁଳି କରିଥିଲେ ଅର୍ଜୁନ । ତେବେ ଗୁଳିଟି ନାବାଳିକାଙ୍କ ଜଙ୍ଘରେ ବାଜି ବାହାରି ଯାଇଥିଲା । ଗୁଳିମାଡ଼ରେ ଯୁବତୀ ଜଣକ ଆହତ ହୋଇଥିବା ଦେଖି ଜଣେ ମହିଳା ସହଯୋଗୀଙ୍କ ପାଖରେ ନଜର ବନ୍ଦୀ ଭାବେ ଛାଡ଼ି ଦେଇଥିଲା ଅର୍ଜୁନ । ସେଠାରେ ଆହତ ଯୁବତୀଙ୍କୁ ନିଜେ ଚିକିତ୍ସା କରିବା ସହିତ ପେନ୍ କିଲର୍ ଟ୍ୟାବଲେଟ ମଧ୍ୟ ଦେଇଥିଲେ ।
ମାର୍ଚ୍ଚ ମାସ ୧୩ ତାରିଖ ସୋମବାର ଦିନ କୌଶଳ କ୍ରମେ ଯୁବତୀ ଜଣକ ଜଣେ ବ୍ୟକ୍ତିଙ୍କ ଠାରୁ ଫୋନ ନେଇ ବିଶୋଇ ସ୍ଥିତ ମାମୁଁ ଭୀମସେନ ସୋରେନଙ୍କୁ ଫୋନ ଯୋଗେ ତାଙ୍କ ସହିତ ଘଟିଥିବା ଘଟଣା ସମ୍ପର୍କରେ କହିଥିଲେ । ଏନେଇ ମାମୁଁ ଭୀମସେନ ସୋରେନ ବିଶୋଇ ଥାନା ପୋଲିସକୁ ଘଟଣା ବିଷୟରେ ଅବଗତ କରେଇବା ପରେ ଏକ ଏତଲା ଦାଏର କରିଥିଲେ । ଅଭିଯୋଗ ପାଇବା ପରେ ବିଶୋଇ ଥାନା ପୋଲିସ ଘଟଣାର ଛାନଭିନ ଆରମ୍ଭ କରିବା ସହିତ ଘଟଣାକୁ ନେଇ ରାଇରଙ୍ଗପୁର ଏସଡିପିଓ ଗୋକୁଳାନନ୍ଦ ସାହୁଙ୍କ ନଜରକୁ ଆଣିଥିଲେ ।
ତେବେ ରାଇରଙ୍ଗପୁର ଏସଡିପିଓ ଗୋକୁଳାନନ୍ଦ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ବିଶୋଇ ଥାନା ପୋଲିସ ପ୍ରଥମେ ଉକ୍ତ ଯୁବତୀଙ୍କୁ ଅଭିଯୁକ୍ତ ମହିଳାଙ୍କ ଘରୁ ଉଦ୍ଧାର କରିବା ସହିତ ନଜର ବନ୍ଦୀ ରଖିଥିବା ମହିଳାଙ୍କୁ ଗିରଫ କରିଥିଲେ । ପରେ ମୁଖ୍ୟ ଅଭିଯୁକ୍ତ ଅର୍ଜୁନ ପଣ୍ଡାଙ୍କୁ ଅଁଳାଡୁବା ସ୍ଥିତ ତାଙ୍କ ଘରୁ ଗିରଫ କରିବାରେ ସକ୍ଷମ ହୋଇଥିଲା ପୋଲିସ । ତା ସହିତ ଦେଶୀ ମାଉଜର ବନ୍ଧୁକ ଯୋଗାଇ ଦେଇଥିବା ଅଭିଯୋଗରେ ନାକିମ ଖାନକୁ ଗୋରୁମହିଷାଣୀରୁ ଗିରଫ କରିଥିଲା ।
ମାଉଜର ସହ ଘଟଣାରେ ବ୍ୟବହୃତ ଟାଟା ମ୍ୟାଜିକ ଗାଡ଼ି, ସ୍କୁଟି ଓ ତିନୋଟି ମୋବାଇଲ ମଧ୍ୟ ଜବତ କରିଥିଲା ପୋଲିସ । ସେପଟେ ଘଟଣାସ୍ଥଳରେ ବାରିପଦାରୁ ସାଇଣ୍ଟିଫିକ ଟିମ୍ ମଧ୍ୟ ପହଞ୍ଚି ତଦନ୍ତ ପ୍ରକ୍ରିୟାକୁ ଆଗେଇ ନେଇଥିବା ବେଳେ ଗାଡ଼ି ମଧ୍ୟରୁ ଫାୟରିଂ ହୋଇଥିବା ଖୋକା ମଧ୍ୟ ଜବତ କରାଯାଇଛି । ଏନେଇ ବିଶୋଇ ଥାନା ପୋଲିସ କେସ ନମ୍ବର ୫୬/୨୩ ରେ ଆଇପିସି ଧାରା ୩୬୫, ୩୭୬, ୩୬୭, ୩୬୮, ୩୦୭, 120-B, ପକ୍ସୋ ଆକ୍ଟ, ଆର୍ମ୍ସ ଆକ୍ଟ, ଏସସିଏସଟି ଆକ୍ଟ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଥିବା ବେଳେ ତିନି ଜଣ ଅଭିଯୁକ୍ତଙ୍କୁ ବାରିପଦା ପୋକ୍ସୋ କୋର୍ଟ ଚାଲାଣ କରାଯାଇଥିବା ନେଇ ରାଇରଙ୍ଗପୁର ଏସଡିପିଓ ଗୋକୁଳାନନ୍ଦ ସାହୁ ସୂଚନା ଦେଇଛନ୍ତି ।
ଇଟିଭି ଭାରତ, ରାଇରଙ୍ଗପୁର
