କନିଷ୍ଠ ଯନ୍ତ୍ରୀଙ୍କ ବଦଳି, ନିଆରା ଢଙ୍ଗରେ ବିିଦାୟ ଦେଲେ ସ୍ବାଭିମାନ ଅଞ୍ଚଳବାସୀ

author img

By

Published : Sep 5, 2022, 6:32 PM IST

villagers farewell to engineer with emotion in chitrakonda malkangiri

ସ୍ବାଭିମାନ ଅଞ୍ଚଳ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାର ଗ୍ରାମ୍ୟ ନିର୍ମାଣ ବିଭାଗର କନିଷ୍ଠ ଯନ୍ତ୍ରୀ ପ୍ରଶାନ୍ତ ବେହେରାଙ୍କ ଅନ୍ୟତ୍ର ବଦଳି । ଭାବ ବିହ୍ବଳ ବିଦାୟ ଦେଲେ ଆଦିବାସୀ । ଅଧିକ ପଢ଼ନ୍ତୁ

ମାଲକାନଗିରି: ସ୍ବାଭିମାନ ଅଞ୍ଚଳରେ କନିଷ୍ଠ ଯନ୍ତ୍ରୀଙ୍କୁ ନିଆରା ଢଙ୍ଗରେ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି (villagers farewell to engineer in chitrakonda) । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳରେ ଗ୍ରାମ୍ୟ ନିର୍ମାଣ ବିଭାଗର କନିଷ୍ଠ ଯନ୍ତ୍ରୀ ପ୍ରଶାନ୍ତ ବେହେରାଙ୍କ ଅନ୍ୟତ୍ର ବଦଳି ହୋଇଯାଇଥିବାରୁ ଗ୍ରାମବାସୀଙ୍କ ପକ୍ଷରୁ ତାଙ୍କୁ ଆଜି ବିଦାୟ ସମ୍ବର୍ଦ୍ଧନା (farewell programme of engineer in malkangiri) ଦିଆଯାଇଛି । ବିଗତ ସାତ ଦଶନ୍ଧି ଧରି ମାଓଗଡ଼ ଭାବେ ପରିଚିତ ସ୍ବାଭିମାନ ଅଞ୍ଚଳର ଜାନବାଇ ଠାରୁ ଆରମ୍ଭ କରି ଯୋଡାଆମ୍ବ ପର୍ଯ୍ୟନ୍ତ । ଗାଁକୁ ଗାଁ ଯୋଡିବା ପାଇଁ କେତେ ବେଳେ ପାହାଡ ଉପରେ ଘୋଡାରେ ଯାଇଛନ୍ତି ତ ଆଉ କେତେ ବେଳେ ଜଙ୍ଗଲ ରାସ୍ତାରେ ଚାଲି ଚାଲି ନଦୀ,ଝରଣା ପାରି ହୋଇଛନ୍ତି ଯନ୍ତ୍ରୀ ବାବୁ । ନିଜେ ଯନ୍ତ୍ରଣା ଭୋଗି ଆଦିବାସୀ ଲୋକଙ୍କ ପାଇଁ ଫିଟାଇଛନ୍ତି ବିକାଶର ରାସ୍ତା । ସେହି ଯନ୍ତ୍ରୀଙ୍କ ବଦଳି ହେବା ପରେ ସ୍ବାଭିମାନ ଅଞ୍ଚଳରେ ଦେଖିବାକୁ ମିଳିଛି ପ୍ରଜାମେଳି । ଭାବ ବିହ୍ବଳ ପରିବେଶରେ ଯନ୍ତ୍ରୀଙ୍କୁ ବିଦାୟ ଦେଇଥିବାବେଳେ ପୁଣି ଥରେ ତାଙ୍କୁ ପଠେଇବାକୁ ଗ୍ରାମବାସୀମାନେ ସରକାରଙ୍କୁ ଦାବି କରିଛନ୍ତି ।

କନିଷ୍ଠ ଯନ୍ତ୍ରୀଙ୍କ ବଦଳି, ନିଆରା ଢଙ୍ଗରେ ବିିଦାୟ ଦେଲେ ସ୍ବାଭିମାନ ଅଞ୍ଚଳବାସୀ

ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ପୁଣି ଦେଖିବାକୁ ମିଳିଛି ପ୍ରଜା ମେଳି । ପୂର୍ବରୁ ଲାଲଗଡର ଏହି ଇଲାକାରେ କେବଳ ମାଓବାଦୀମାନେ ପ୍ରଜାମେଳି କରୁଥିବା ବେଳେ ସ୍ବାଭିମାନ ଅଞ୍ଚଳର ଆଦିବାସୀ ଲୋକେ ବିକାଶକୁ ନେଇ ମେଳି କରିଛନ୍ତି । ଯନ୍ତ୍ରୀଙ୍କ ବଦଳି ହେବା କଥା ଶୁଣି ଶହ ଶହ ଆଦିବାସୀ ଲୋକେ ଏକତ୍ରିତ ହୋଇଛନ୍ତି । ୨୦୧୮ ମସିହାରେ ଗୁରୁପ୍ରିୟା ସେତୁର ଉଦଘାଟନ ପରେ ସ୍ବାଭିମାନ ଅଞ୍ଚଳର ବିକାଶ ଲାଗି ରାଜ୍ୟ ସରକାର ଶହ ଶହ କୋଟି ଟଙ୍କା ଯୋଗାଇଦେଲେ । ହେଲେ ମାଓବାଦୀଙ୍କ ଭୟରେ କୌଣସି ସରକାରୀ କର୍ମଚାରୀ ସେଠାକୁ ଯିବା ଲାଗି ଭୟ କରୁଥିବା ବେଳେ ଆଗେଇ ଆସିଥିଲେ ଯନ୍ତ୍ରୀ ପ୍ରଶାନ୍ତ ବେହେରା ଓରଫ ସାଇ ବାବୁ । ସ୍ବାଭିମାନ ଅଞ୍ଚଳର ୧୫୧ଟି ଗ୍ରାମକୁ ସଂଯୋଗ କରିବା ଲାଗି ରାଜ୍ୟ ସରକାର ତାଙ୍କୁ ସ୍ବତନ୍ତ୍ର ଦାୟିତ୍ବ ଦେଇଥିଲେ । ଗୋଟିଏ ପଟେ ସ୍ବାଭିମାନ ଅଞ୍ଚଳରେ ନକ୍ସଲ ପନ୍ଥିଙ୍କ ଦବଦବା ରହିଥିବା ବେଳେ ଅନ୍ୟପଟେ ସ୍ଥାନୀୟ ଲୋକେ ମଧ୍ୟ ବିଭିନ୍ନ କାରଣରୁ ମାଓବାଦୀଙ୍କୁ ସମର୍ଥନ କରୁଥିଲେ । ଦୀର୍ଘ ୪ ବର୍ଷ ଧରି ନିଜେ ଯନ୍ତ୍ରଣା ଭୋଗି ଆଦିବାସୀ ଲୋକଙ୍କ ପାଇଁ ଫିଟାଇ ଦେଇଛନ୍ତି ବିକାଶର ରାସ୍ତା । ଜାନବାଇ ଠାରୁ ଆରମ୍ଭ କରି ଯୋଡାଆମ୍ବ ପର୍ଯ୍ୟନ୍ତ ଗାଁକୁ ଗାଁ ଯୋଡି ହୋଇଛି ପିଚୁ ରାସ୍ତା । ଗାଁ ଭିତରେ ସିମେଣ୍ଟ କଂକ୍ରିଟ ରାସ୍ତା ସହ ପାନୀୟ ଜଳ ଏବଂ ବିଦ୍ୟୁତର ବ୍ୟବସ୍ଥା କରିଛନ୍ତି । ପିଲାଙ୍କ ପାଠ ପଢିବା ଲାଗି ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ର, ଲୋକଙ୍କ ସ୍ବାସ୍ଥ୍ୟ ସେବା ପାଇଁ ମେଡିକାଲ ଓ ଜୀବନର ସୁରକ୍ଷା ଲାଗି ବିଏସଏଫ କ୍ୟାମ୍ପ ସବୁ କିଛି କନିଷ୍ଠ ଯନ୍ତ୍ରୀଙ୍କ ପାଇଁ ସମ୍ଭବ ହୋଇ ପାରିଛି । ଏନେଇ ପ୍ରଶାନ୍ତ ବେହେରା କହିଛନ୍ତି, " ଯେତେବେଳେ ଏଠାକୁ ଆସିଥିଲି ଏଠାରେ କୌଣସି ରାସ୍ତା ଘାଟ ନଥିଲା। ସଭିଙ୍କ ସହଯୋଗ ଯୋଗୁଁ ଆଜି 90 ପ୍ରତିଶତ କାର୍ଯ୍ୟ ଶେଷ ହୋଇଛି । ଇଚ୍ଛା ରହିଛି ଏଠାକାର ଆଦିବାସୀ ପିଲାମାନେ ଭଲ ପାଠ ପଢି ପ୍ରଶାସନିକ ଅଧିକାରୀ ହୁଅନ୍ତୁ ଏବଂ ଆନ୍ତର୍ଜାତୀୟ କ୍ରୀଡ଼ାରେ ମେଡାଲ ହାସଲ କରନ୍ତୁ।"

ଏହା ମଧ୍ୟ ପଢ଼ନ୍ତୁ: ଆମକୁ ଭାତ ଅଣ୍ଟୁନି ବାହାରେ ବିକ୍ରି ହେଉଛି ଚାଉଳ, ସୁପରିଟେଣ୍ଡେଣ୍ଟଙ୍କ ନାଁରେ ଛାତ୍ରଙ୍କ ଅଭିଯୋଗ

ଦୀର୍ଘ ୫ ବର୍ଷ ଧରି ଯିଏ ସ୍ବାଭିମାନ ଅଞ୍ଚଳର ବିକାଶରେ ମୁଖ୍ୟ ନାୟକ ସାଜିଥିଲେ ଯନ୍ତ୍ରୀ ପ୍ରଶାନ୍ତ ବେହେରା । ସ୍ବାଭିମାନ ଅଞ୍ଚଳର ବିକାଶ ପାଇଁ ତାଙ୍କୁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାଙ୍କ ପକ୍ଷରୁ ଅନେକ ପୁରସ୍କାର ମଧ୍ୟ ମିଳିଛି । ତେବେ ରାଜ୍ୟର ଆଉ ଏକ ମାଓ ପ୍ରବଣ ଜିଲ୍ଲା ରାୟଗଡାକୁ ପ୍ରଶାନ୍ତ ବେହେରା ବଦଳି ହୋଇଛନ୍ତି । ହେଲେ ଯେଉଁ ସ୍ବାଭିମାନ ଅଞ୍ଚଳରକୁ ବିକାଶର ରାସ୍ତା ଦେଖାଇଛନ୍ତି ସେଠାକାର ଲୋକେ ତାଙ୍କୁ ଭୁଲି ପାରୁ ନାହାନ୍ତି । ଯନ୍ତ୍ରୀ ପ୍ରଶାନ୍ତ ବେହେରାଙ୍କ ଲାଗି ସ୍ବାଭିମାନ ଅଞ୍ଚଳରେ ବିଦାୟୀକାଳୀନ ସମ୍ବର୍ଦ୍ଧନା ଆନୁଷ୍ଠିତ ହୋଇଥିଲା । ଆଦିବାସୀ ଲୋକେ ଫୁଲ ଚନ୍ଦନ ଲଗାଇ ଯନ୍ତ୍ରୀ ପ୍ରଶାନ୍ତ ବେହେରାଙ୍କୁ କାନ୍ଧରେ ବସାଇ ଗାଁ ବୁଲାଇଥିଲେ । ଯେଉଁ ସ୍ଥାନରେ ଦିନେ ମାଓବାଦୀମାନେ ପ୍ରଜାମେଳି କରୁଥିଲେ ସେଠାରେ ଏବେ ଦେଖିବାକୁ ମିଳିଛି ବିକାଶର ମେଳି । ଯନ୍ତ୍ରୀ ସାଇ ବାବୁଙ୍କୁ ପୁଣି ଥରେ ଫେରାଇ ଦିଅ ବୋଲି ସରକାରଙ୍କୁ ନିବେଦନ କରିଛନ୍ତି ସ୍ବାଭିମାନ ଅଞ୍ଚଳର ଗ୍ରାମବାସୀ । ଯନ୍ତ୍ରୀଙ୍କ ବିଦାୟୀକାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅନେକ ପୋଲିସ କର୍ମଚାରୀ ଓ ଜନ ପ୍ରତିନିଧିମାନେ ଉପସ୍ଥିତ ରହିଥିଲେ ।

ମାଲକାନଗିରିରୁ ପଞ୍ଚାନନ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.