ମାଲକାନଗିରିରେ ମୁଖ୍ୟମନ୍ତ୍ରୀ; ହିତାଧିକାରୀଙ୍କୁ ବାଣ୍ଟିବେ BSKY ସ୍ମାର୍ଟ କାର୍ଡ

author img

By

Published : Aug 20, 2021, 10:35 AM IST

ମାଲକାନଗିରିରେ ମୁଖ୍ୟମନ୍ତ୍ରୀ; BSKY ଡିଜିଟାଲ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ମାଲକାନଗିରିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲଥ କାର୍ଡ ଯୋଜନାର ଶୁଭାରମ୍ଭ କରିବେ ନବୀନ । କିଛି ଲୋକଙ୍କୁ ନିଜ ହାତରେ ହେଲଥ କାର୍ଡ ବାଣ୍ଟିବେ ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ବର: ମାଲକାନଗିରି ଜିଲ୍ଲାରେ ବଦଳିବ ସ୍ବାସ୍ଥ୍ୟ ସେବାର ଚିତ୍ର । ଆଜି ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲଥ କାର୍ଡ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ଏନେଇ ମାଲକାନଗିରିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ଥାନୀୟ ସଂସ୍କୃତି ଭବନରେ ମୁଖ୍ୟମନ୍ତ୍ରୀଙ୍କ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ହେବ । ଏଥିରେ ଜିଲ୍ଲାର ମୋଟ ୧ ଲକ୍ଷ ୫୫ ହଜାର ୮୨୩ ହେଲଥ୍‌ କାର୍ଡ ବଣ୍ଟନ କରାଯିବ । କିଛି ଲୋକଙ୍କୁ ନିଜ ହାତରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ହେଲଥ କାର୍ଡ ବାଣ୍ଟିବା ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ, ଉଦଘାଟନ ଓ ଭିର୍ତ୍ତିପ୍ରସ୍ତର ସ୍ଥାପନ କରିବେ ।

ଏହି ଯୋଜନା ଅଧିନରେ ପୁରୁଷଙ୍କ ପାଇଁ ୫ ଲକ୍ଷ ଓ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କା ଯାଏ ପ୍ରତିବର୍ଷ ସ୍ୱାସ୍ଥ୍ୟ ବୀମା ମିଳିପାରିବ । କାଲିମେଳା ବ୍ଲକରେ ସର୍ବାଧିକ ୩୬ ହଜାର ୮୬୨ ଜଣ ହିତାଧିକାରୀ ରହିଥିବା ବେଳେ, ମାଲକାନଗିରି ବ୍ଲକରେ ୨୬ ହଜାର ୮୩୯, ମାଥିଲିରେ ୨୨ ହଜାର ୮୯୯, କୋରୁକୋଣ୍ଡାରେ ୧୮ ହଜାର ୫୫୦, ଚିତ୍ରକୋଣ୍ଡାରେ ୧୬ ହଜାର ୭୮୮, ଖଇରପୁଟରେ ୧୪ ହଜାର ୭୩୮, ପଡିଆ ବ୍ଲକରେ ୧୧ ହଜାର ୭୭୯, ମାଲକାନଗିରି ପୌର ପରିଷଦରେ ୫୫ ହଜାର ୧୭୩ ଏବଂ ବାଲିମେଳା ଏନଏସିରେ ୨ ହଜାର ୨୦୫ ହିତାଧିକାରୀ ଏହି ସୁବିଧା ପାଇବେ ।

ଏଥିପଇଁ ୩୮୧ଟି ସ୍ୱାସ୍ଥ୍ୟ କାର୍ଡ ବିତରଣ କେନ୍ଦ୍ରର ବ୍ୟବସ୍ଥା ହୋଇଛି । ଆଜି ମୁଖ୍ୟମନ୍ତ୍ରୀ ଯୋଜନାର ଶୁଭାରମ୍ଭ କରିବା ସହ ନିଜ ହାତରେ କିଛି ହିତାଧିକାରୀଙ୍କୁ କାର୍ଡ ବାଣ୍ଟିବେ । ଏହା ପରେ ଆସନ୍ତା ୨୧ରୁ ୨୫ ତାରିଖ ମଧ୍ୟରେ ସମସ୍ତ କାର୍ଡ ବଣ୍ଟନ ପାଇଁ ଲକ୍ଷ୍ୟ ରଖାଯାଇଛି । ଏହି କାର୍ଯ୍ୟ କରିବା ଲାଗି ମନ୍ତ୍ରୀ, ବିଧାୟକ ଓ ପ୍ରଶାସନିକ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି । ଏହାସହ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସମସ୍ତ ବ୍ଲକ, ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ପୌର ପରିଷଦକୁ ମନ୍ତ୍ରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି ।

ପଡିଆ ବ୍ଲକ ପାଇଁ ମନ୍ତ୍ରୀ ନବକିଶୋର ଦାସ, ମାଲକାନଗିରି ବ୍ଲକ ପାଇଁ ମନ୍ତ୍ରୀ ସମୀର ରଞ୍ଜନ ଦାଶ, କାଲିମେଳା ବ୍ଲକ ପାଇଁ ଜଗନ୍ନାଥ ସାରକା, କୋରକୋଣ୍ଡା ବ୍ଲକ ପାଇଁ ପଦ୍ମିନୀ ଦିଆନ୍, ମାଥିଲି ବ୍ଲକ ପାଇଁ ମନ୍ତ୍ରୀ ଅରୁଣ ସାହୁ, ଖଇରପୁଟ ବ୍ଲକ ପାଇଁ ବିକ୍ରମ କେଶରୀ ଆରୁଖ, ଚିତ୍ରକୋଣ୍ଡା ବ୍ଲକ ପାଇଁ ତୁଷାରକାନ୍ତି ବେହେରା, ମାଲକାନଗିରି ପୌର ପରିଷଦ ପାଇଁ ମନ୍ତ୍ରୀ ପଦ୍ମନାଭ ବେହେରା, ବାଲିମେଳା ବିଜ୍ଞାପିତ ଅଞ୍ଚଳ ପାଇଁ କୁନା ତ୍ରିପାଠୀଙ୍କୁ ଦାୟିତ୍ୱ ଦିଆଯାଇଛି । କାର୍ଯ୍ୟକ୍ରମରେ ୧୦ ଜଣ ନିଗମ ଅଧକ୍ଷ ଯୋଗ ଦେଇଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.