ଅଧାରେ ରହିଛି ପୁନର୍ବାସ ଥଇଥାନ କେନ୍ଦ୍ର ନିର୍ମାଣ, କେବେ ଦୂର ହେବ ନିରାଶ୍ରୟଙ୍କ ଦୁଃଖ ?

ଅଧାରେ ରହିଛି ପୁନର୍ବାସ ଥଇଥାନ କେନ୍ଦ୍ର ନିର୍ମାଣ, କେବେ ଦୂର ହେବ ନିରାଶ୍ରୟଙ୍କ ଦୁଃଖ ?
୩୫କୋଟି ୬୯ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା 'ପୁନର୍ବାସ ଥଇଥାନ କେନ୍ଦ୍ର' କାମ ୪ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଚାଲିଛି । ମାଲାକାନଗିିରିରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିବାବେଳେ ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ଦାବି ହୋଇଛି । ଅଧିକ ପଢନ୍ତୁ
ମାଲକାନଗିରି: ବୃଦ୍ଧ ବୃଦ୍ଧା ଓ ଅସହାୟଙ୍କୁ ଆବାସ ଯୋଗାଇଦେବାକୁ 'ପୁନର୍ବାସ ଥଇଥାନ କେନ୍ଦ୍ର' କରିଛନ୍ତି ସରକାର । ରାଜ୍ୟର ବିଭିନ୍ନ ଜିଲ୍ଲାରେ ସରକାର ଏହି 'ପୁନର୍ବାସ ଥଇଥାନ କେନ୍ଦ୍ର' କରୁଥିବାବେଳେ ମାଲକାନଗିରିରେ ବିପରୀତ ଚିତ୍ର ଦେଖିବାକୁ ମିଳିଛି । କୋରକୁଣ୍ଡାଠାରେ ୨୫ ଏକର ଜାଗାରେ ଆରମ୍ଭ କରାଯାଇଥିବା Integrated Infrastructure Complexର ନିର୍ମାଣ କାର୍ଯ୍ୟ ୪ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଚାଲିଛି । ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି, "ଏହି ବିଲ୍ଡିଂର ଠିକା ନେଇଥିବା କମ୍ପାନୀ ସହ ପ୍ରତି ମାସରେ ସଚିବ ସ୍ତରୀୟ ଆଲୋଚନା କରାଯାଉଛି ଏବଂ ଆସନ୍ତା ଡିସେମ୍ବର ୩୧ ସୁଦ୍ଧା କମ୍ପାନୀ ବିଲ୍ଡିଂ ଗୁଡିକୁ ହସ୍ତାନ୍ତର କରିବା ନେଇ ଲିଖିତ ଭାବେ ଜଣାଇଛି ।
RTI ତଥ୍ୟ ଅନୁସାରେ, ଏହି କାମ ପାଇଁ ପ୍ରଥମେ ୨୭କୋଟି ୪୪ ଲକ୍ଷ ୨ହଜାର ୭୦୦ଟଙ୍କା ବ୍ୟୟବରାଦ ହୋଇଥିଲା । ୨୦୧୯ ମସିହା ମାର୍ଚ୍ଚ ୨୭ ତାରିଖରେ କାମ ଆରମ୍ଭ ହେଲା । ପରେ ଏହି ମୂଲ୍ୟକୁ ୩୫ କୋଟି ୬୯ ଲକ୍ଷ ୧୭ ହଜାରକୁ ବୃଦ୍ଧି କରାଗଲା । ଏହାର ଟେଣ୍ଡର ନେଇଥିବା Bridge and proof ନାମକ ଠିକା କମ୍ପାନୀ ୨୦୨୧ ମସିହା ଡିସେମ୍ବର ୧୫ ସୁଦ୍ଧା ନେଇଛି ୧୮ କୋଟି ୭ ଲକ୍ଷ ୫୫ ହଜାର ୨୯୧ ଟଙ୍କା । ଆଉ ବଳକା ୧୫ କୋଟି ୬୧ ଲକ୍ଷ ୬୧ ହଜାର ୯ଟଙ୍କା କମ୍ପାନୀ ନିଜ ପାଖେ ରଖିଥିବା ରସିଦରୁ ସ୍ପଷ୍ଟ ହୋଇଛି । ହେଲେ ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରଖିବାରୁ ମାତ୍ର ୬୦ ପ୍ରତିଶତ କାମ ଶେଷ ହୋଇଥିବା ଦେଖିବାକୁ ମିଳିଛି ।
ଅପରପକ୍ଷେ, ଏହି ପୁନର୍ବାସ ଥଇଥାନ କେନ୍ଦ୍ର କାମ ବିଳମ୍ବକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଇଛି । ଜିଲ୍ଲା ସଭାପତି କହିଛନ୍ତି, ଇନ୍ଦିରା କଲୋନିର ଜଣେ ବୃଦ୍ଧଙ୍କର କେହି ନଥିବାବେଳେ ସେ ଦୀର୍ଘଦିନ ଧରି ବାସହରା ହୋଇ ଗଛମୁଳେ ରହିଆସୁଥିବାବେଳେ ନିକଟରେ ମୃତ୍ୟୁ ହୋଇଛି । ଯଦି ଏହି ଥଇଥାନ କେନ୍ଦ୍ର କାମ ନିର୍ଦ୍ଧାରିତ ସମୟରେ ସରିଥାନ୍ତା ହୁଏତ ସେ ବ୍ୟକ୍ତି ଜଣଙ୍କ ଆଜି ସୁସ୍ଥ ଥାଆନ୍ତେ । ସେହି ବୃଦ୍ଧ ଜଣକ ଆଶ୍ରୟ ପାଇପାରିଥାନ୍ତେ । ତେବେ ଅନେକ ସମୟରେ ଜିଲ୍ଲାରେ ଏଭଳି ଘଟଣା ଘଟୁଥିବା ନେଇ ଅଭିଯୋଗ ହୋଇଆସୁଛି । ଏଥିପ୍ରତି ସରକାର ଓ ପ୍ରଶାସନ ଧ୍ୟାନ ଦେଇ ଏହାର କାର୍ଯ୍ୟ ତୁରନ୍ତ ଶେଷ ନକଲେ ରାଜରାସ୍ତାକୁ ଓହ୍ଲାଇବେ ବୋଲି କଂଗ୍ରେସ ଜିଲ୍ଲା ସଭାପତି ଗୋବିନ୍ଦ ପାତ୍ର ଚେତାବନୀ ଦେଇଛନ୍ତି ।
ଇଟିଭି ଭାରତ,ମାଲକାନଗିରି
