ଦେଶରେ ପ୍ରଥମ; ମାଲକାନଗିରିରୁ ଆରମ୍ଭ ହେଲା ସ୍ବାସ୍ଥ୍ୟ ସେବାର ଐତିହାସିକ ଯାତ୍ରା

author img

By

Published : Aug 20, 2021, 12:31 PM IST

Updated : Aug 20, 2021, 1:53 PM IST

ସ୍ମାର୍ଟ ହେଲଥ କାର୍ଡ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଶୁଭାରମ୍ଭ ହେଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲଥ କାର୍ଡ ଯୋଜନା । ଆଜି ମାଲକାନଗିରି ଗସ୍ତରେ ଯାଇ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ...

ମାଲକାନଗିରି/ ଭୁବନେଶ୍ବର: ଶୁଭାରମ୍ଭ ହେଲା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲଥ କାର୍ଡ ଯୋଜନା । ଆଜି ମାଲକାନଗିରି ଗସ୍ତରେ ଯାଇ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ପ୍ରଥମ ଜିଲ୍ଲା ଭାବରେ ଉପାନ୍ତ ମାଲକାନଗିରିରେ ସ୍ବାସ୍ଥ୍ୟ ସେବାର ଚିତ୍ର ବଦଳାଇବା ପାଇଁ ଲୋକଙ୍କୁ ସ୍ମାର୍ଟ ହେଲଥ କାର୍ଡ ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ ।

ସ୍ମାର୍ଟ ହେଲ୍‌ଥ କାର୍ଡ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ବଣ୍ଡା ଜନଜାତି ମହିଳା ଶୁକ୍ରୀ ଧାଙ୍ଗଡା ମାଝୀଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ପ୍ରଥମ ସ୍ମାର୍ଟ ହେଲଥ କାର୍ଡ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ମାଲକାନଗିରିରୁ ସ୍ବାସ୍ଥ୍ୟ ସେବାର ଏହି ଐତିହାସିକ ଯାତ୍ରା ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ । ସେ ଚାଷୀ ହେଉ ବା ମୂଲିଆ । ଛୋଟ ଦୋକାନୀ ହେଉ ବା ରିକ୍ସା ବାଲା । ଟ୍ରଲି ବାଲା କିମ୍ବା ଦୂର ଦୂରାନ୍ତରେ ରହୁଥିବା ଜନଜାତି ଭାଇ ଭଉଣୀ । ସାଧାରଣ ଲୋକ, ସେ ଗାଁରେ ରହୁ ବା ସହରରେ । ସମସ୍ତଙ୍କ ଜୀବନ ମୋ ପାଇଁ ମୂଲ୍ୟବାନ । ମୁଁ ଚାହେଁ ସମସ୍ତେ ସୁସ୍ଥ ରୁହନ୍ତୁ । ଚିକିତ୍ସା ପାଇଁ ଟଙ୍କା କେବେ ବାଧକ ନ ହେଉ । ସମସ୍ତେ ସୁସ୍ଥ ରହି ନିଜ ପରିବାରର ଉନ୍ନତି ପାଇଁ କାମ କରନ୍ତୁ । ପ୍ରତି ପରିବାରର ଉନ୍ନତିରେ ହିଁ ରାଜ୍ୟର ଉନ୍ନତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳା ମାନଙ୍କ ପାଇଁ ଚିକିତ୍ସା ଖର୍ଚ୍ଚ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି ହୋଇଛି । ସେ ସଂପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, “୨୦୧୮ ମସିହାରେ ମାଲକାନଗିରି ପାଇଁ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଚାଲିଥିଲା । ମୁଁ ଲୋକସେବା ଭବନରୁ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲି । ସେ ସଭାରେ ଝିଅଟିଏ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ମା'ମାନଙ୍କ ପାଇଁ ଚିକିତ୍ସା ଖର୍ଚ୍ଚ ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଦେଲା । ଝିଅଟିର ସାହସ ଓ ବୁଦ୍ଧିକୁ ସମସ୍ତେ ସେଦିନ ତାରିଫ କରିଥିଲେ । ଝିଅଟି ଥିଲା ଆମ ମାଲକାନଗିରିର ମମତା ପଡିଆମୀ । ତାଙ୍କ ପ୍ରସ୍ତାବଟି ମୋତେ ବହୁତ ଭଲ ଲାଗି ଥିଲା । ମୁଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳା ମାନଙ୍କ ଚିକିତ୍ସା ସୁବିଧା ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଥିଲି ।”

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ଆଜି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ଆମେ ନୂଆ ରୂପରେ କାର୍ଯ୍ୟକାରୀ କରିବାକୁ ଯାଉଛୁ । ଏହି କାର୍ଯ୍ୟକ୍ରମ ମୁଁ ମାଲକାନଗିରିରୁ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନେଲି । ସେପ୍ଟେମ୍ବର ପହିଲାରୁ ଏହା ସାରା ରାଜ୍ୟରେ ଲାଗୁ ହେବ । ରାଜ୍ୟର ୯୬ ଲକ୍ଷ ପରିବାରକୁ ଏହି କାର୍ଡ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ରାଜ୍ୟର ସାଢେ ତିନି କୋଟି ଲୋକ ଉପକାର ପାଇବେ । ଏହି ନୂଆ ବ୍ୟବସ୍ଥାରେ ଆପଣଙ୍କୁ ହସ୍ପିଟାଲରେ କୌଣସି ନଥିପତ୍ର ଦେବାକୁ ପଡିବ ନାହିଁ । କେବଳ ଏହି ସ୍ମାର୍ଟ ହେଲଥ କାର୍ଡ ସାଥିରେ ନେଇ ହସ୍ପିଟାଲକୁ ଯିବାକୁ ହେବ । ଦେଶର ୨୦୦ରୁ ଅଧିକ ବଡ ବଡ ହସ୍ପିଟାଲରେ ଏହି କାର୍ଡ ଜରିଆରେ ହିତାଧିକାରୀମାନେ ଚିକିତ୍ସା ସୁବିଧା ପାଇପାରିବେ । ଏହି କାର୍ଡରେ ପରିବାର ପାଇଁ ୫ ଲକ୍ଷ ଟଙ୍କା ଓ ମା ମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ମିଳିବ ।

ଏଭଳି ସୁବିଧା ଦେବାରେ ସାରା ଦେଶରେ ଓଡିଶା ପ୍ରଥମ ରାଜ୍ୟ । ଆପଣଙ୍କ ରାଜ୍ୟ ସରକାର ପ୍ରଥମ । ଦେଶର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଏହା ଏକ ଐତିହାସିକ ପଦକ୍ଷେପ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସ୍ବାସ୍ଥ୍ୟ ସହିତ ଅର୍ଥନୀତିର ନିବିଡ ସଂପର୍କ ରହିଛି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସ୍ବାସ୍ଥ୍ୟ ଆମ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ । ସ୍ବାସ୍ଥ୍ୟ ହିଁ ସମ୍ପଦ ବୋଲି କୁହାଯାଏ । ତେଣୁ ପରିବାରରେ କେହି ଅସୁସ୍ଥ ହୋଇପଡିଲେ, ଆମର ଚିନ୍ତା ବଢିଯାଇଥାଏ । ସବଠୁ ବଡ ଚିନ୍ତା ଥାଏ ଚିକିତ୍ସା ପାଇଁ ଆବଶ୍ୟକ ଟଙ୍କା । ଏଥିପାଇଁ କିଏ ଜମି ବିକିଥାଏ, କିଏ ସୁନା ବିକିଥାଏ, କିଏ ଋଣ କରିଥାଏ । କେହି କେହି ଚିକିତ୍ସା ଖର୍ଚ୍ଚ ପାଇଁ ପିଲାମାନଙ୍କ ପାଠପଢା ମଧ୍ୟ ବନ୍ଦ କରିଦେଇଥାନ୍ତି । କେହି କେହି ମଧ୍ୟ ଧାର କରଜ କରିଥାନ୍ତି । ଏ ଖବର ମୁଁ ଯେତେବେଳେ ଶୁଣେ, ମୋତେ ବହୁତ ଦୁଃଖ ଲାଗେ । ଆମର ଏହି ସ୍ମାର୍ଟ ହେଲଥ କାର୍ଡ ଆପଣଙ୍କର ଏ ଦୁଃଖ ଲାଘବ କରିବ । ଚିକିତ୍ସା ବୋଝ କମ୍‌ କରିବାରେ ସାହାଯ୍ୟ କରିବ । ଆପଣଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ଖର୍ଚ୍ଚ କରୁଛନ୍ତି । ତେଣୁ ଏ ବାବଦ ଟଙ୍କାକୁ ଆପଣ ସଞ୍ଚୟ କରିପାରିବେ । ନିଜ ପିଲାଙ୍କ ପାଠପଢା ପାଇଁ, ପରିବାରର ଉନ୍ନତି ପାଇଁ ଖର୍ଚ୍ଚ କରିପାରିବେ ।”

ରାଜ୍ୟର ସବୁ ସରକାରୀ ହସ୍ପିଟାଲ ଗୁଡିକରେ ସମସ୍ତ ସ୍ବାସ୍ଥ୍ୟ ସେବା ମାଗଣାରେ ପ୍ରଦାନ କରାଯାଉଛି । ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାରେ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରୁ ଆରମ୍ଭ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପର୍ଯ୍ୟନ୍ତ ସବୁ ସରକାରୀ ହସ୍ପିଟାଲରେ ଓଡିଶାବାସୀଙ୍କର ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି । ଆମର ସରକାରୀ ହସ୍ପିଟାଲରେ ଡ଼ାଇଲିସିସ୍‌ରୁ ଆରମ୍ଭ କରି କେମୋ ଥେରାପୀ, ସିଟି ସ୍କାନ, MRI, ବିଭିନ୍ନ ପାଥୋଲୋଜୀ ଟେଷ୍ଟ ସୁବିଧା ମିଳୁଛି । ମୁଁ ବହୁତ ଖୁସି ଯେ ଆମର ଲକ୍ଷ ଲକ୍ଷ ରୋଗୀ ସରକାରୀ ହସ୍ପିଟାଲରେ ଏ ସୁବିଧା ନେଉଛନ୍ତି । ସ୍ମାର୍ଟ କାର୍ଡରେ 64kbର ଚିପ୍ସ ରହିଛି । ଏଥିରେ ହିତାଧିକାରୀଙ୍କ ସମସ୍ତ ତଥ୍ୟ ରହିଛି । ହିତାଧିକାରୀ ଚାହିଁଲେ ମୋ ସେବା କେନ୍ଦ୍ରକୁ ଯାଇ ନୂଆ ତଥ୍ୟ ଯୋଗ କରିପାରିବେ ।

ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ କହିଛନ୍ତି ଯେ, ପ୍ରାକୃତିକ ବିପର୍ଯ୍ୟୟ ଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ ସେବା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଆମ ମୁଖ୍ୟମନ୍ତ୍ରୀ ସାରା ଦେଶରେ ଆଦର୍ଶ ହୋଇଛନ୍ତି । ଓଡ଼ିଶାରେ ସ୍ବାସ୍ଥ୍ୟ ସେବା ବିକାଶ ଉପରେ ମୁଖ୍ୟମନ୍ତ୍ରୀଙ୍କ ଫୋକ୍ସ ରହିଛି । ମାଲକାନଗିରି ସାଂସଦ ରମେଶ ମାଝି ସ୍ଵାଗତ ଭାଷଣ ଦେଇଥିବା ବେଳେ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ଧନ୍ୟବାଦ ଜଣାଇଛନ୍ତି । ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମହିଳାଙ୍କ ଚିକିତ୍ସା ଖର୍ଚ୍ଚ ବୃଦ୍ଧି ପାଇଁ ପ୍ରସ୍ତାବ ଦେଇଥିବା ମମତା ପତିଆମୀ ମଧ୍ୟ ସଭାରେ ଯୋଗଦେଇ ମତାମତ ଦେଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ସଚେତନତା ରଥର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ମନ୍ତ୍ରୀମଣ୍ଡଳର ସଭ୍ୟ ସାଂସଦ, ବିଧାୟକ, ଜିଲ୍ଲାପାଳ, ଏସ୍ପି ଓ ଜିଲ୍ଲାର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated :Aug 20, 2021, 1:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.