ମାଲକାନଗିରିର ସମସ୍ତ ଲଘୁଖଣି ଟେଣ୍ଡର ରଦ୍ଦ

author img

By

Published : Aug 24, 2021, 12:46 PM IST

ମାଲକାନଗିରିର ସବୁ ଲଘୁଖଣି ଟେଣ୍ଡେର ରଦ୍ଦ

ମାଲକାନଗିରିରେ ଥିବା ସମସ୍ତ 48ଟି ଲଘୁଖଣି ଟେଣ୍ଡର ରଦ୍ଦ । ପୂର୍ବ ଅଭିଯୋଗ ଅନୁଯାୟୀ ରଦ୍ଦ କଲେ ଜିଲ୍ଲାପାଳ । ଅଧିକ ପଢନ୍ତୁ...

ମାଲକାନଗିରି: ବହୁ ଚର୍ଚ୍ଚିତ ଲଘୁ ଖଣିଜ ଟେଣ୍ଡର ଶେଷରେ ରଦ୍ଦ ହୋଇଛି । ମାଲକାନଗିରିରେ ଥିବା ସମସ୍ତ 48 ଟି ଲଘୁଖଣି ଟେଣ୍ଡର ରଦ୍ଦ କରିଛନ୍ତି ଜିଲ୍ଲାପାଳ । ପୂର୍ବତନ ଜିଲ୍ଲାପାଳ ଯଦୁଲା ବିଜୟ ଏହି ଟେଣ୍ଡର ପ୍ରକ୍ରିୟାକୁ ଫିକ୍ସିଂ କରିଥିବା ନେଇ ପୂର୍ବତନ କଂଗ୍ରେସ ସାଂସଦ ତଥା ପ୍ରଦେଶ କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଅଭିଯୋଗ କରିଥିଲେ ।

ମାଲକାନଗିରିର ସବୁ ଲଘୁଖଣି ଟେଣ୍ଡେର ରଦ୍ଦ

ଭିଜି ଗ୍ରାନାଇଟର ମାଲିକ ବେଣୁଗୋପଲ ଲଘୁ ଖଣିଜ ଟେଣ୍ଡର ପ୍ରକ୍ରିୟାରେ 7ଟି ଖଣି ପାଇଥିଲେ । ତତ୍କାଳୀନ ଜିଲ୍ଲାପାଳ ନିଜ ଘରେ ସମସ୍ତ ଟେଣ୍ଡର ବକ୍ସ ନେଇ ହେରଫେର କରିଥିବା ନେଇ ଅଭିଯୋଗ ହୋଇଥିଲା । ଏହାପରେ ତଦନ୍ତ କରାଯାଇ ବେଣୁଗୋପଲ ଦାଖଲ କରିଥିବା ସୋଲବେନ୍ସି ସାର୍ଟିଫିକେଟକୁ ମଧ୍ୟ ରଦ୍ଦ କରାଯାଇଥିଲା । ଏହି ଟେଣ୍ଡର ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ରଦ୍ଦ କରିବା ପାଇଁ ବାରମ୍ବାର ଦାବି କରାଯାଉଥିଲା । ମାଲକାନଗିରିରେ ନୂତନ ଭାବେ ଦାୟିତ୍ୱ ନେଇଥିବା ବିଶାଳ ସିଂ ଏହି ଘଟଣାକୁ ଗୁରୁତ୍ବର ସହ ନେଇ ତଦନ୍ତ କରିବା ପରେ ଏଥିରେ ହେରଫେର ହୋଇଥିବା ନେଇ ଜଣାପଡିଥିଲା ।

ଏହି ଟେଣ୍ଡର ପ୍ରକ୍ରିୟାକୁ ରଦ୍ଦ କରାଯିବା ପରେ ପୂର୍ବତନ ଜିଲ୍ଲାପାଳ କରିଥିବା ସମସ୍ତ 48 ଟେଣ୍ଡରକୁ ବର୍ତ୍ତମାନର ଜିଲ୍ଲାପାଳ ରଦ୍ଦ କରିଥିବା ସୂଚନା ଦେଇଛନ୍ତି । ସମସ୍ତ ଟେଣ୍ଡର ରଦ୍ଦ ହେବାପରେ ପୂର୍ବତନ ସାଂସଦ ତଥା ରାଜ୍ଯ କଂଗ୍ରେସର କାର୍ଯ୍ୟକାରୀ ସଭାପତି କହିଛନ୍ତି ଖଣି ଦୁର୍ନୀତିରେ ବହୁ ସରକାରୀ ଅଫିସର ସମ୍ପୃକ୍ତ ଅଛନ୍ତି ଏଣୁ ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଏକାନ୍ତ ଆବଶ୍ୟକ ।

ମାଲକାନଗିରିରୁ ପଞ୍ଚାନନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.