ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ଥାନାରେ ଅଭିଯୋଗ ପରେ ଅଭିଯୁକ୍ତ ଗିରଫ

author img

By

Published : Aug 4, 2022, 7:30 PM IST

Updated : Aug 4, 2022, 9:12 PM IST

ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ଥାନାରେ ଲିଖିତ ଅଭିଯୋଗ

ମାଲକାନଗିରି ସଦର ବ୍ଲକ ସ୍ଥିତ ଏକଲବ୍ୟ ସ୍କୁଲର ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ । ସ୍କୁଲ ଛୁଟିରେ ଯାଇ ଯୁବକଙ୍କ ସହ ସମ୍ପର୍କ ଥିବା କହି ଛାତ୍ରୀଙ୍କ ପିତାଙ୍କଠାରୁ ଜୋର ଜବରଦସ୍ତ ଦସ୍ତଖତ ପାଇଁ ସ୍କୁଲ କର୍ତ୍ତୃପକ୍ଷର ଉଦ୍ୟମ । ଅଧିକ ପଢନ୍ତୁ

ମାଲକାନଗିରି: ଜିଲ୍ଲାର ସଦର ବ୍ଲକ ଚମ୍ପାନଗର ସ୍ଥିତ ଏକଲବ୍ୟ ସ୍କୁଲର ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ । ଛାତ୍ରୀ ଜଣକ ଗର୍ଭବତୀ ହେବା ପରେ ତାର ପିତାଙ୍କୁ ସ୍କୁଲ କର୍ତ୍ତୃପକ୍ଷ ଏକ କାଗଜରେ ଦସ୍ତଖତ କରିବାକୁ ବାଧ୍ୟ କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି ପରିବାର ସଦସ୍ୟ । ଏହାପରେ ଚାଇଲ୍ଡ ଲାଇନ୍ ସହାୟତାରେ ନାବାଳିକା ଛାତ୍ରୀ ଜଣକ ମାଲକାନଗିରି ଆଦର୍ଶ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୁକ୍ତକୁ ଧରି କୋର୍ଟ ଚାଲାଣ କରିଛି ପୋଲିସ ।

ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ଥାନାରେ ଲିଖିତ ଅଭିଯୋଗ

ଗର୍ଭବତୀ ଛାତ୍ରୀଙ୍କ ଘର ସାଉଁଳିଗୁଡ଼ା ବୋଲି ଜଣାପଡ଼ିଛି । ତେବେ ପରିବାର ଲୋକଙ୍କ କହିବାନୁସାରେ ଗତ ଜୁଲାଇ ୧୨ ତାରିଖରେ ଏକଲବ୍ୟ ସ୍କୁଲ କର୍ତ୍ତୃପକ୍ଷ ବୋଲେରୋ ଯୋଗେଁ ଛାତ୍ରୀଙ୍କ ଘରେ ପହଞ୍ଚି ତାଙ୍କ ଝିଅ ଅସୁସ୍ଥ ଥିବା କହିଥିଲେ । ଏହାପରେ ଛାତ୍ରୀଙ୍କ ପିତାଙ୍କୁ ସାଙ୍ଗରେ ନେଇ ସ୍କୁଲରେ ପହଞ୍ଚିବା ପରେ ଝିଅ ଗର୍ଭବତୀ ଥିବା ସହ ଜଣେ ପିଲା ସହ ତାର ଶାରୀରିକ ସମ୍ପର୍କ ଥିବା କହିଥିଲେ । ଛାତ୍ରୀଙ୍କ ବାପାଙ୍କୁ ସ୍କୁଲର କିଛି ଶିକ୍ଷକ ଓ ବିଦ୍ୟାଳୟ କର୍ମଚାରୀ ଧମକ ଚମକ ଦେବା ସହ ଏକ କାଗଜରେ ଦସ୍ତଖତ କରିବାକୁ ବାଧ୍ୟ କରିଥିଲେ ।

ଏହାପରେ ପୁଣି ଜୁଲାଇ ୧୩ ତାରିଖ ଦିନ ପରିବାର ଲୋକଙ୍କୁ ଡ଼ାକି ପୂର୍ବରୁ ଲେଖାଯାଇଥିବା କାଗଜରେ ଦସ୍ତଖତ କରି ଛାତ୍ରୀଜଣକୁ ତାଙ୍କ ଘରକୁ ପଠାଇ ଦେଇଥିଲେ । ଗାଁରେ ପହଁଞ୍ଚିବା ପରେ ଗାଁର ଆଶା ଓ ଅଙ୍ଗନବାଡି କର୍ମୀଙ୍କ ସହାୟତାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ପରେ ୩୦ ତାରିଖରେ ଚାଇଲ୍ଡ ଲାଇନ୍ ସହାୟତାରେ ନାବାଳିକା ଛାତ୍ରୀଜଣକ ମାଲକାନଗିରି ଆଦର୍ଶ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ।

ଅଙ୍ଗନବାଡି କର୍ମୀଙ୍କ କହିବାନୁସାରେ, "ଏକଲବ୍ୟ ସ୍କୁଲକୁ ଯାଇ ଯୁବକ ଜଣକ ଛାତ୍ରୀଙ୍କ ସହିତ ଶାରୀରିକ ସମ୍ପର୍କ ରଖି ଆସୁଥିବା ଛାତ୍ରୀ ଜଣକ କହିଛନ୍ତି ।" ସେପଟେ ପରିବାର ଲୋକ କହିଛନ୍ତି ଯେ, "ସ୍କୁଲ ଛୁଟି ସମୟରେ ତାଙ୍କ ଝିଅର କୌଣସି ପୁଅ ସହ ସମ୍ପର୍କ ନଥିଲା । ଯାହା ହୋଇଛି ସ୍କୁଲରେ ହିଁ ହୋଇଛି ।" ଛାତ୍ରୀ ଜଣକ ସ୍କୁଲ ଛୁଟି ସମୟରେ ଗାଁକୁ ଯାଇ ଉକ୍ତ ଯୁବକ ସହ ସମ୍ପର୍କ ରଖିଥିବା କହି ସ୍କୁଲ କର୍ତ୍ତୃପକ୍ଷ ପରିବାର ଲୋକଙ୍କଠାରୁ ଜୋର ଜବରଦସ୍ତ ଦସ୍ତଖତ କରାଇଥିବା ଅଭିଯୋଗ କରିଛନ୍ତି ।

ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯଦି ଛାତ୍ର ଜଣକ ୬ମାସ ହେଲାଣି ଗର୍ଭବତୀ ହେଲେଣି ତେବେ କିଭଳି ସ୍କୁଲ ହଷ୍ଟେଲ ଦାୟିତ୍ବରେ ଥିବା କର୍ତ୍ତୃପକ୍ଷ ଜାଣି ପାରିଲେନି । ଯଦି ବିଳମ୍ବରେ ଜାଣିଲେ ସ୍କୁଲ୍ ଅଧ୍ୟକ୍ଷ ଲିଖିତ ଭାବେ ପୋଲିସକୁ ନ ଜଣାଇ ଓ ବିନା ପରାମର୍ଶରେ କେଉଁ କାରଣରେ ଓ କେମିତି ପରିବାର ଲୋକଙ୍କ ଠାରୁ ଜୋର ଜବରଦସ୍ତ ଦସ୍ତଖତ କରାଇ ଛାତ୍ରୀକୁ ଘରକୁ ପଠାଇ ଦେଇଥିଲେ ।

ଏଭଳି ବହୁ ପ୍ରଶ୍ନ ଉଙ୍କିମାରୁଥିବାରୁ ପୋଲିସ ହିଁ ଉପଯୁକ୍ତ ତଦନ୍ତ କରି ଏହି ସବୁ ପ୍ରଶ୍ନର ଉତ୍ତର ଖୋଜି କାଢିବାକୁ ସାଧାରଣରେ ଦାବି ହୋଇଛି । ଏହି ଘଟଣାଟି ଜିଲ୍ଲାପାଳ ଜାଣିଲା ପରେ ଏହାର ତଦନ୍ତ କରି ତୁରନ୍ତ ସମ୍ପୂର୍ଣ୍ଣ ତଥ୍ୟ ଦେବା ପାଇଁ ପିଏ ITDAଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଜିଲ୍ଲା ଶିଶୁ ଶୁରକ୍ଷା ଅଧିକାରୀଙ୍କୁ ପଚାରିବାରୁ ସେ ଏଭଳି କିଛି ଅଭିଯୋଗ ଆସିନାହିଁ ଅଭିଯୋଗ ଆସିଲେ ଏହାର ତଦନ୍ତ କରାଯିବ ବୋଲି କହିଛନ୍ତି ।

ଇଟିଭି ଭାରତ, ମାଲକାନଗିରି

Last Updated :Aug 4, 2022, 9:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.