ETV Bharat / state

କୋରାପୁଟରେ ପ୍ରତିଷ୍ଠା ହେବ ବିଶ୍ବସ୍ତରୀୟ ଆଦିବାସୀ ସଂଗ୍ରହାଳୟ, ରାଷ୍ଟ୍ରପତିଙ୍କୁ କୁଳପତିଙ୍କ ପ୍ରସ୍ତାବ

କୋରାପୁଟରେ ପ୍ରତିଷ୍ଠା ହେବ ବିଶ୍ବସ୍ତରୀୟ ଆଦିବାସୀ ସଂଗ୍ରହାଳୟ, ଲାଇବ୍ରେରୀ ଓ ଗବେଷଣା କେନ୍ଦ୍ର । ଏ ଦିଗରେ ସହଯୋଗ କରିବାକୁ ରାଷ୍ଟ୍ରପତି ପ୍ରତିଶ୍ତୁତି ଦେଇଥିବା ଜଣାଇଲେ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ କୁଳପତି । ଅଧିକ ପଢନ୍ତୁ

କୋରାପୁଟରେ ପ୍ରତିଷ୍ଠା ହେବ ବିଶ୍ବସ୍ତରୀୟ ଆଦିବାସୀ ସଂଗ୍ରହାଳୟ
କୋରାପୁଟରେ ପ୍ରତିଷ୍ଠା ହେବ ବିଶ୍ବସ୍ତରୀୟ ଆଦିବାସୀ ସଂଗ୍ରହାଳୟ

Published : January 22, 2023 at 1:42 PM IST

Choose ETV Bharat
ରାଷ୍ଟ୍ରପତିଙ୍କ ନିକଟରେ CUO କୁଳପତିଙ୍କ ପ୍ରସ୍ତାବ

କୋରାପୁଟ: ଅବିଭକ୍ତ କୋରାପୁଟ ଜିଲ୍ଲାରେ ଓଡ଼ିଶାର ସର୍ବାଧିକ ଆଦିବାସୀ ଜନଜାତି ବସବାସ କରୁଛନ୍ତି । ଏଥିଯୋଗୁଁ ଏହି ଅଞ୍ଚଳର ଆଦିବାସୀ ପରମ୍ପରା, ସଂସ୍କୃତି ଓ ଐତିହ୍ୟର ସଂରକ୍ଷଣ ଆବଶ୍ୟକ । ଏହି ଆବଶ୍ୟକତାକୁ ଦୃଷ୍ଟିରେ ରଖି କୋରାପୁଟ ସ୍ଥିତ ଓଡିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ଦିଲ୍ଲୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଛନ୍ତି । କେନ୍ଦ୍ରୀୟ ବିଶ୍ବ ବିଦ୍ୟାଳୟ ପରିସର ମଧ୍ୟରେ ବିଶ୍ୱସ୍ତରୀୟ ଆଦିବାସୀ ସଂଗ୍ରହାଳୟ, ଗବେଷଣା କେନ୍ଦ୍ର ତଥା ଜନଜାତି ଲାଇବ୍ରେରୀ ପ୍ରତିଷ୍ଠା କରିବା ପାଇଁ ସେ ରାଷ୍ଟ୍ରପତିଙ୍କ ନିକଟରେ ପ୍ରସ୍ତାବ ରଖିଛନ୍ତି । ରାଷ୍ଟ୍ରପତି ମଧ୍ୟ ଏହି ପ୍ରସ୍ତାବକୁ ସାକାର କରାଇବା ଦିଗରେ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିବା କୁଳପତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ପ୍ରାୟ ୫୦ ଏକର ଜାଗାରେ ଏହି ପ୍ରସ୍ତାବକୁ ରୂପରେଖ ଦେବା ପାଇଁ ବିଶ୍ବବିଦ୍ୟାଳୟରେ ଏକ ଉଚ୍ଚସ୍ତରୀୟ ବୈଠକ ମଧ୍ୟ ଅନୁଷ୍ଠିତ ହୋଇସାରିଛି । କୋରାପୁଟରେ ଶହେ ବର୍ଷରୁ ଊର୍ଦ୍ଧ୍ବ ପୁରୁଣା ଐତିହ୍ୟ ଭବନରେ ସ୍ଥାପିତ ରାଜ୍ୟର ଦ୍ଵିତୀୟ ଆଦିବାସୀ ସଂଗ୍ରହାଳୟ ଓ ଏଥିରେ ସଂରକ୍ଷିତ ହୋଇଥିବା ଆଦିବାସୀ ଜୀବନର ପ୍ରତିଛବିକୁ ଦର୍ଶନ କରିବା ସହ ଦର୍ଶକ ଓ ଗବେଷକମାନେ କୋରାପୁଟରେ ଥିବା କାଉନ୍ସିଲ ଫର ଏନାଲିଟିକାଲ ଟ୍ରାଇବଲ ଷ୍ଟଡିସ (କୋଟସ୍) ଦ୍ୱାରା ଆଦିବାସୀ ଜନଜାତିଙ୍କ ଜୀବନଧାରା ଉପରେ ଗବେଷଣା କରୁଛନ୍ତି ।

ଏହି ଗବେଷଣାକୁ ନେଇ ସନ୍ତୋଷ ବ୍ୟକ୍ତ କରି କୋଟସର ନିର୍ଦ୍ଦେଶକ ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର କହିଛନ୍ତି, ଆଦିବାସୀଙ୍କ ପ୍ରାଚୀନ ଜୀବନଧାରା ସ୍ମୃତିକୁ କୋରାପୁଟ ଆଦିବାସୀ ସଂଗ୍ରହାଳୟ ସଫଳତାର ସହ ଅନେକାଂଶରେ ସାଇତି ରଖିବା ସହ ପ୍ରଦର୍ଶିତ କରିବାରେ ସମର୍ଥ ହୋଇଛି । ମାଲକାନଗିରି ଜିଲ୍ଲାର ବଣ୍ଡା ଓ କୋୟା ଠାରୁ ଆରମ୍ଭ କରି ନବରଙ୍ଗପୁରର ଗୋଣ୍ଡ, କୋରାପୁଟ ଜିଲ୍ଲାର ପରଜା, କନ୍ଧ , ଭତରା, ଦୁରୁଆ, ଗାଦବା ତଥା ରାୟଗଡା ଜିଲ୍ଲାର ସଉରା ଜନଜାତିର ଜୀବନ ଧାରା, ଚାଲିଚଳଣି , ନାଚଗୀତ, ବସ୍ତ୍ର, ଅସ୍ତ୍ର, ଗହଣା ପ୍ରଭୃତି ବିଭବ ସମ୍ପର୍କରେ ତଥ୍ୟ ପ୍ରଦାନ କରି ଏହି ଅନୁଷ୍ଠାନ ଅନନ୍ୟ ସେବା ଯୋଗାଇ ପାରିଛି ।

ବର୍ତ୍ତମାନ ବିଶ୍ୱସ୍ତରୀୟ ଆଦିବାସୀ ସଂଗ୍ରହାଳୟ ପ୍ରତଷ୍ଠା ପାଇଁ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର କୁଳପତିଙ୍କ ଦ୍ଵାରା ଦିଆଯାଇଥିବା ପ୍ରସ୍ତାବ ଏ ପର୍ଯ୍ୟନ୍ତ ହୋଇଥିବା କାର୍ଯ୍ୟର ଗୁଣାତ୍ମକ ମାନବୃଦ୍ଧି କରି ଗବେଷଣା ଓ ସଂସ୍କୃତି ସଂରକ୍ଷଣ ଦିଗରେ ଚାଲିଥିବା କାର୍ଯ୍ୟକୁ ତ୍ୱରାନ୍ୱିତ କରିବ ବୋଲି କୋଟସ୍ ନିର୍ଦ୍ଦେଶକ ପ୍ରକାଶ କରିଛନ୍ତି ।

କୋରାପୁଟ ଅଞ୍ଚଳରେ ଆଦିବାସୀଙ୍କ କଳା, ସଂସ୍କୃତି, ଐତିହ୍ୟ, ସ୍ଥାପତ୍ୟ ଓ ଜୀବନଧାରାକୁ ସମ୍ମାନ ଜଣାଇ ଏହି କ୍ଷେତ୍ରରେ ବିଶେଷ ଗବେଷଣା କରିବା ପାଇଁ ଓଡ଼ିଶା କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ଓ କାଉନସିଲ ଫର୍ ଏନାଲିଟିକାଲ ଟ୍ରାଇବାଲ ଷ୍ଟଡିସ୍ (କୋଟସ) ମଧ୍ୟରେ ପୂର୍ବରୁ ଏକ ଚୁକ୍ତିନାମା ସ୍ବାକ୍ଷର ହୋଇଛି । କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟର ବିଭିନ୍ନ ବିଭାଗର ଛାତ୍ରଛାତ୍ରୀ କୋଟସରେ ଗବେଷଣା କରୁଥିବା ବ୍ୟକ୍ତିଙ୍କ ସହ ମିଶି ଲାଭବାନ ହେବା ସହ ଆଦିବାସୀ ଜନଜୀବନ ଉପରେ ଗବେଷଣାର ଧାରାରେ ନୂତନତ୍ବ ଆଣିବା ଦିଗରେ ପ୍ରୟାସ ଜାରି ରଖିଛନ୍ତି । ଓଡିଶା କେନ୍ଦ୍ରୀୟ ବିଶ୍ବ ବିଦ୍ୟାଳୟର ଏହି ପ୍ରୟାସ ଫଳରେ ଅବିଭକ୍ତ କୋରାପୁଟ ଜିଲ୍ଲାର ଆଦିବାସୀ ଜନଜୀବନର ମହକ ବିଶ୍ୱ ଦରବାରରେ ପହଞ୍ଚିବା ସହ ଏହାର ସଂରକ୍ଷଣ କରିବାରେ ସହାୟକ ହେବ ବୋଲି ଓଡିଶା ରାଜ୍ୟ ସ୍ୱତନ୍ତ୍ର ବିକାଶ ପରିଷଦର ଉପଦେଷ୍ଟା ପ୍ରଦୀପ ମାଝୀ ମତ ରଖିଛନ୍ତି ।

ଇଟିଭି ଭାରତ, କୋରାପୁଟ