ବଙ୍ଗଳାଗୁଡା ପୋଲର ପୁନରୁଦ୍ଧାର ପାଇଁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଗ୍ରାମବାସୀ

author img

By

Published : Sep 14, 2022, 6:21 PM IST

ବଙ୍ଗଳାଗୁଡା ପୋଲର ପୁନରୁଦ୍ଧାର ପାଇଁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଗ୍ରାମବାସୀ

ଭୁଶୁଡ଼ି ଯାଇଥିବା ପୋଲର ପୁନରୁଦ୍ଧାର ପାଇଁ ଦାବି । ପୋଲର ପୁନରୁଦ୍ଧାର ନହେବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଅଧିକ ପଢ଼ନ୍ତୁ

କୋରାପୁଟ : ଧସି ଯାଇଛି ବଙ୍ଗଳାଗୁଡା ପୋଲ । କୋରାପୁଟ ଜିଲ୍ଲା ଲେନ୍ଦିରି ମାଳିଗୁଡା ନିକଟ ବଙ୍ଗଳାଗୁଡାର ୩୨୬ ନମ୍ବର ଜାତୀୟ ରାଜପଥରେ ୪୦ ଫୁଟର ବ୍ରିଜ୍‌ ୨୦ ଫୁଟ ତଳକୁ ଭୁଶୁଡି ପଡିଥିଲା । ତେବେ ଏହି ଘଟଣାକୁ ୨୫ଦିନ ବିତିଯାଇଥିଲେ ମଧ୍ୟ ଏକ ଅସ୍ଥାୟୀ ପୋଲ ଏଯାଏଁ ନିର୍ମାଣ ହୋଇପାରିଲାନି । ଏନେଇ ପୋଲର ଉଭୟ ପଟେ ରହୁଥିବା ଗ୍ରାମବାସୀ ଯାତାୟତରେ ନାହିଁନଥିବା ସମସ୍ୟା ଭୋଗୁଛନ୍ତି ।

ବଙ୍ଗଳାଗୁଡା ପୋଲର ପୁନରୁଦ୍ଧାର ପାଇଁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଗ୍ରାମବାସୀ

ତେବେ ସାମାନ୍ୟ ବର୍ଷା ହେଲେ ଗ୍ରାମବାସୀଙ୍କ ଏକ ପ୍ରକାରର ଯାତାୟତ ଠପ୍ ହୋଇଯାଏ । ଯଦି କେହି ରୋଗାଗସ୍ତ ହୁଅନ୍ତି ତେବେ ତାଙ୍କୁ ଡାକ୍ତରଖାନାରେ ପହଞ୍ଚାଇବା କାଠିକର ପାଠ ହୋଇପଡ଼େ । ଏହାକୁ ନେଇ ଏହି ପୋଲର ଉଭୟ ପଟେ ରହୁଥିବା ଗ୍ରାମବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଏଠାରେ ଏକ ପୋଲ ନିର୍ମାଣ ପାଇଁ ଗ୍ରାମବାସୀ ଜିଲ୍ଲାପାଳଙ୍କ ନିକଟରେ ଗୁହାରୀ କରିଥିଲେ ।

ପୁରୁଣା ପୋଲ ହୋଇଥିବା ଯୋଗୁଁ ଏହି ପୋଲଟି ଭାଙ୍ଗି ଯାଇଛି । ତେଣୁ ଏହି ରାସ୍ତା ନିକଟରେ ପ୍ରାଥମିକତା ଭିତ୍ତିରେ ଏକ ଅସ୍ଥାୟୀ ପୋଲ ତିଆରି କରିବାକୁ ସ୍ଥାନିୟ ବାସିନ୍ଦା ଦାବି କରିଛନ୍ତି । ହେଲେ ପ୍ରଶାସନ ପୋଲ ତିଆରି ହେବ ବୋଲି ପ୍ରତିଶୃତି ଦେଇଥିଲେ । କିନ୍ତୁ ପାଳନ ପୋଲ ନିର୍ମାଣ କାମ ଆରମ୍ଭ ହେଉନଥିବାରୁ ଗ୍ରାମବାସୀ କ୍ଷୋଭ ପ୍ରକାଶ କରିଛନ୍ତି । ଗ୍ରାମବାସୀ ଭୁଶୁଡ଼ି ପଡିଥିବା ପୋଲ ନିକଟରେ ବିକ୍ଷୋଭ କରିବା ସହ ଏନେଇ ପୁଣିଥରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ ।

ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି, "ଏହି ପୋଲର ବିକଳ୍ପ ବ୍ୟବସ୍ଥା କରା ନଯିବାରୁ ଲେନ୍ଦେରୀ ମାଳିଗୁଡାର ଚାଷୀ କୋରାପୁଟ ବଜାରରେ ପରିବା ବିକ୍ରି କରିବାକୁ ଆସିପାରୁନାହାନ୍ତି । ଫଳରେ ସେମାନଙ୍କ ରୋଜଗାର ମଧ୍ୟ ଠପ୍ ହୋଇଯାଇଛି । ଯାହାଫଳରେ ଘରେ ଓଳିଏ ଚୁଲି ଜଳିଲେ ଓଳିଏ ଉପବାସରେ ରହୁଛନ୍ତି । ଏଥିସହିତ ଲେନ୍ଦେରୀ ମାଳିଗୁଡ଼ା ଠାରେ ଏହି ଅଞ୍ଚଳର ଏକମାତ୍ର ଉଚ୍ଚ ବିଦ୍ୟାଳୟ ରହିଥିବା ଯୋଗୁଁ ବିଦ୍ୟାଳୟକୁ ବିଭିନ୍ନ ଗ୍ରାମରୁ ଆସୁଥିବା ଛାତ୍ରଛାତ୍ରୀ ଅନେକ ହଇରାଣ ହରକତ ହେଉଛନ୍ତି । ଏପରିକି ଅନେକ ଛାତ୍ରଛାତ୍ରୀ ସ୍କୁଲକୁ ଆସୁନାହାନ୍ତି ।" ଏନେଇ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଅବଗତ କରାଇଥିବା କହିଛନ୍ତି ।

ସ୍କୁଲ ଯାଇନପାରିବାରୁ ପିଲାଙ୍କ ପାଠପଢ଼ାରେ ଡୋରି ପଡ଼ିଲାଣି । ଅନ୍ଧାର ଘରକୁ ଠେଲି ହେଇଯାଉଛି ପିଲାଙ୍କ ଭବିଷ୍ୟତ । ତେବେ ବଙ୍ଗଲାଗୁଡ଼ା ଠାରେ ଏକ ଅସ୍ଥାୟୀ ପୋଲ ନିର୍ମାଣ କରିବା ପାଇଁ ହ୍ୟୁମ୍ ପାଇପ ଘଟଣାସ୍ଥଳରେ ପହଞ୍ଚିଛି । ଆସନ୍ତା କିଛିଦିନ ମଧ୍ୟରେ ବର୍ଷା କମିଗଲେ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଜିଲ୍ଲାପାଳ ଅବଦଲ ଅକ୍ତର ପ୍ରତିଶୃତି ଦେଇଥିବା ସ୍ଥାନୀୟ ନେତା ବାବୁଲା ବେନିୟା ଜଣାଇଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.