ପାଖେଇ ଆସୁଛି ରଥଯାତ୍ରା, ଶାବର ଶ୍ରୀକ୍ଷେତ୍ରରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ
Published: May 25, 2023, 3:15 PM

ପାଖେଇ ଆସୁଛି ରଥଯାତ୍ରା, ଶାବର ଶ୍ରୀକ୍ଷେତ୍ରରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ
Published: May 25, 2023, 3:15 PM
ଶାବର ଶ୍ରୀକ୍ଷେତ୍ର ରଥନିର୍ମାଣ କାର୍ଯ୍ୟରେ ଆଦିବାସୀଙ୍କ ଗୁରୁତ୍ୱପୁର୍ଣ୍ଣ ଭୂମିକା ରହି ଆସିଛି । ରଥ ନିର୍ମାଣ କରୁଛନ୍ତି ଆଦିବାସୀ ଶିଳ୍ପୀ ସନ୍ୟାସୀ ମାଝୀ । ଅଧିକ ପଢନ୍ତୁ
କୋରାପୁଟ: ଆଉ ଦିନ କେଇଟା ପରେ ରଥଯାତ୍ରା। ରତ୍ନସିଂହାସନରୁ ବାହାରି ସାନ ଭଉଣୀ ସୁଭଦ୍ରା ଓ ବଡ ଭାଇ ବଳଭଦ୍ରଙ୍କୁ ସାଙ୍ଗରେ ଧରି ମାଉସି ଘରକୁ ଯିବେ ଜଗତର ନାଥ ଜଗନ୍ନାଥ। ହାତରେ ଆଉ ମାତ୍ର କମ ଦିନ ଥିବାରୁ ରଥ ନିର୍ମାଣ କାର୍ଯ୍ୟ ଜୋରସୋରେ ଚାଲିଛି। ରଥଯାତ୍ରକୁ ନେଇ ପୁରୀ ବଡଦାଣ୍ଡ ଚଳଚଞ୍ଚଳ ହୋଇ ଉଠିଥିବା ବେଳେ ଶାବର ଶ୍ରୀକ୍ଷେତ୍ର କୋରାପୁଟ ଜିଲ୍ଲାର ଜଗନ୍ନାଥ ମନ୍ଦିର ପରିସର ମଧ୍ୟ ବେଶ ଚଳଚଞ୍ଚଳ ରହିଛି । କାରିଗରମାନେ ରଥ ନିର୍ମାଣରେ ନିମଗ୍ନ ରହିଛନ୍ତି । ଜଗନ୍ନାଥ ମନ୍ଦିରରେ ରୋଷେଇଶାଳରେ ରନ୍ଧନ କାର୍ଯ୍ୟଠାରୁ ଆରମ୍ଭ କରି ମନ୍ଦିର ଓ ରଥ ଉପରେ ଦୈବ ସେବା ଯୋଗାଇଦେବାରେ ଆଦିବାସୀଙ୍କ ଗୁରୁତ୍ୱପୁର୍ଣ୍ଣ ଭୂମିକା ରହି ଆସିଛି ।
ଏଠାରେ ରଥ ନିର୍ମାଣ କରୁଛନ୍ତି ଆଦିବାସୀ ଶିଳ୍ପୀ ସନ୍ୟାସୀ ମାଝୀ । ଜଗନ୍ନାଥଙ୍କ କୃପା, ବାପାଙ୍କ ନିର୍ଦ୍ଦେଶନା ଓ ନିଜର ନିଷ୍ଠାପୂର୍ଣ୍ଣ ଅଭ୍ୟାସ ବଳରେ ସେ ରଥ ନିର୍ମାଣ କରୁଛନ୍ତି। ବର୍ଷ ବର୍ଷ ହେଲା ରଥଯାତ୍ରୀ ସମୟରେ ସେ ତିନି ଠାକୁରଙ୍କ ପାଇଁ ରଥ ନିର୍ମାଣ କରିଥାନ୍ତି। ବାପାଙ୍କ ସହ ନବରଙ୍ଗପୁରରେ 1975ରେ ରଥ କାର୍ଯ୍ୟରେ ସହଯୋଗୀ ଭାବେ କାର୍ଯ୍ୟ କରିବାକୁ ଆରମ୍ଭ କରିଲେ ସନ୍ୟାସୀ । ଏହାପରେ କଳାହାଣ୍ଡି ଜିଲ୍ଲାର ଲଡୁଗାଁ, ନବରଙ୍ଗପୁର ଜିଲ୍ଲାର ପାପଡ଼ାହାଣ୍ଡି ଓ ନବରଙ୍ଗପୁରଠାରେ ରଥ ନିର୍ମାଣ କରିବା ନେଇ ଅଭିଜ୍ଞତା ହାସଲ କରିଥିଲେ । ଅଭିଜ୍ଞତାର ସ୍ପର୍ଶରେ ସିଦ୍ଧ ହୋଇଥିବା ହାତ ବର୍ତ୍ତମାନ କୋରାପୁଟର ତିନି ରଥ ନିର୍ମାଣରେ ସ୍ପର୍ଶ ଦେଉଛନ୍ତି । ଏହା ମୋର ଜଗନ୍ନାଥଙ୍କ ପ୍ରତି ସେବା ବୋଲି କହିଛନ୍ତି ସନ୍ୟାସୀ।
କୋରାପୁଟରେ ଜଗନ୍ନାଥ ମନ୍ଦିର ଆରମ୍ଭ ହେବା ଦିନଠାରୁ ମନ୍ଦିରରେ ସମସ୍ତ କାର୍ଯ୍ୟରେ ଆଦିବାସୀଙ୍କ ପ୍ରାଧାନ୍ୟତା ରହି ଆସିଛି । ବର୍ତ୍ତମାନ ରଥ ନିର୍ମାଣରେ ସନ୍ୟାସୀ ମାଝୀ ଜଣେ ଆଦିବାସୀ ଶିଳ୍ପୀ ଭାବେ ଯୋଗ ଦେବା ଜଗନ୍ନାଥଙ୍କ ଅପାର ଲୀଳା ବୋଲି ମନ୍ଦିର ପରିଚାଳନା କମିଟିର ସମ୍ପାଦକ ଜଗବନ୍ଧୁ ସାମଲ ମତ ରଖିଛନ୍ତି । ରଥ ନିର୍ମାଣଠାରୁ ଆରମ୍ଭ କରି ରଥ ଉପରେ ଛେରାପହଁରା ଓ ରଥରେ ପୂଜାର୍ଚ୍ଚନାରେ ଆଦିବାସୀଙ୍କ ପ୍ରତ୍ୟକ୍ଷ ଯୋଗଦାନ ରହିଛି । ଚଳିତ ବର୍ଷ କୋରାପୁଟରେ ପାଳିତ ହେଉଥିବା ମନ୍ଦିରର ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ଆୟୋଜିତ ହେଉଥିବା ରଥ ଯାତ୍ରାରେ ବହୁ ଭକ୍ତ ସାମିଲ ହେବେ । ରାଜ୍ୟବାସୀଙ୍କ ସହିତ ପଡ଼ୋଶୀ ଆନ୍ଧ୍ର ଓ ଛତିଶଗଡ଼ର ଜଗନ୍ନାଥ ପ୍ରେମୀଙ୍କୁ ଏହା ଆକର୍ଷିତ କରିବ ବୋଲି ଆଶା କରାଯାଉଛି ।
ଇଟିଭି ଭାରତ, କୋରାପୁଟ
