ବଜାରରେ ମିଳୁଛି ପ୍ଲାଷ୍ଟିକ ଚାଉଳ: ପାଣିରେ ଭାସୁଛି, ନିଆଁରେ ତରଳୁଛି

author img

By

Published : Jan 15, 2022, 9:29 AM IST

Updated : Jan 15, 2022, 1:58 PM IST

କୋରାପୁଟରେ ପ୍ଲାଷ୍ଟକ ଚାଉଳ! ଆତଙ୍କିତ ଲୋକେ

ପ୍ଲାଷ୍ଟିକ ଅଣ୍ଡା, ପରିବା ପରେ ଏବେ ବଜାରରେ ବୁଲୁଛି ପ୍ଲାଷ୍ଟକ ଚାଉଳ। କୋରାପୁଟରୁ ପ୍ଲାଷ୍ଟକ ଚାଉଳ ଠାବ ହୋଇଥିବା ଅଭିଯୋଗ । ଅଧିକ ପଢନ୍ତୁ

କୋରାପୁଟ: ପ୍ଲାଷ୍ଟିକ ଅଣ୍ଡା, ପ୍ଲାଷ୍ଟିକ ପରିବା ପରେ ଏବେ ବଜାରକୁ ଆସିଛି ପ୍ଲାଷ୍ଟକ ଚାଉଳ । କୋରାପୁଟରେ ପ୍ଲାଷ୍ଟକ ଚାଉଳ ଠାବ ହୋଇଥିବା ଅଭିଯୋଗ ହୋଇଛି । ଯାହା ସୂଚନା ରହିଛି, ଶୁକ୍ରବାର ମାଳିଗୁଡା ଗ୍ରାମର କିଛି ଆଦାବାସୀ ସମ୍ପ୍ରଦାୟର ଲୋକେ ସହର ନିକଟସ୍ଥ ବଜାରରୁ ଏକ ଚାଉଳ ପ୍ୟାକେଟ୍ ଆଣିଥିଲେ । ପରେ ପ୍ୟାକେଟ୍ ଭିତରେ ପ୍ଲାଷ୍ଟକ ଭଳି ଚାଉଳ ମିଶ୍ରିତ ଥିବା ଦେଖାଯାଇଥିଲା । ଭୟଭୀତ ଲୋକେ ଏହାକୁ ରୋଷେଇ କରିବା ପରେ ଭାତରେ ଭିନ୍ନତା ଦେଖିଥିଲେ । ଉକ୍ତ ଚାଉଳକୁ ଗରମ ପାଣିରେ ପକାଇବା ପରେ ମିଶ୍ରିତ ଚାଉଳ ଭାସୁଥିବାର ଦେଖିବାକୁ ମିଳିଥିଲା । ପରେ ଅଧିକ ପ୍ରମାଣ ପାଇଁ ଚାଉଳକୁ ନିଆଁରେ ଢଳା ଯାଇଥିଲା । ନିଆଁ ସଂସ୍ପର୍ଶରେ ଆସିବା ପରେ ଚାଉଳ ତରଳି ଯିବାରୁ ଲୋକେ ଅଧିକ ଭୟଭୀତ ହୋଇପଡିଥିଲେ ।

ବଜାରରେ ମିଳୁଛି ପ୍ଲାଷ୍ଟିକ ଚାଉଳ

ଏହି ପ୍ଲାଷ୍ଟକ ଚାଉଳ ସମ୍ପର୍କରେ ଅଭିଯୋଗ ହେବା ପରେ କୋରାପୁଟ ଚାମ୍ବର ଅଫ କମର୍ସର ସଭାପତି ରମେଶ କୁମାର ପ୍ରତିକ୍ରିୟା ରଖିଛନ୍ତି । ଏହି ଚାଉଳକୁ ସେ ଫାର୍ଟିଫାଇଡ ଚାଉଳ ବୋଲି କହିଛନ୍ତି । ଅପପୃଷ୍ଟି ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ଏହି ଫାର୍ଟିଫାଇଡ଼ ଚାଉଳ ମିଶ୍ରିତ ହୋଇ ଆସୁଥିବା ଜଣାଇଛନ୍ତି । ଅପରପକ୍ଷେ ଜିଲ୍ଲା ଯୋଗାଣ ଅଧିକାରୀ ପୀତବାସ ପଣ୍ଡାଙ୍କ ସହ ଟେଲିଫୋନ ଯୋଗେ ସମ୍ପର୍କ ସ୍ଥାପନା କରାଯିବା ପରେ ଏହି ମାମଲା ଆହୁରି ଜଟିଳ ହୋଇପଡିଛି ।

ପୀତବାସଙ୍କ କହିବା କଥା, ସରକାରଙ୍କ ଦ୍ବାରା ଫର୍ଟିଫାଇଡ଼ ଚାଉଳ ସାର୍ବଜନୀନ ଭାବେ ବିକ୍ରି କରିବାର କୌଣସି ନିର୍ଦ୍ଦେଶ ନାହିଁ । କେବଳ କିଛି ସ୍ବତନ୍ତ୍ର ଅଞ୍ଚଳରେ ଅପପୃଷ୍ଟିକୁ ରୋକିବା ପାଇଁ ଫୋର୍ଟିଫାଇଡ଼ ଚାଉଳ ମିଶାଇ ଖାଉଟିଙ୍କୁ ବିକ୍ରି କରାଯାଇଥାଏ । ଦିଆଯାଉଥିବା ଉକ୍ତ ଚାଉଳ ବସ୍ତାରେ ତାହା ଫୋର୍ଟିଫାଇଡ଼ ଚାଉଳ ବୋଲି ସ୍ପଷ୍ଟ ଉଲ୍ଲେଖ ହୋଇଥାଏ । କିନ୍ତୁ ଗ୍ରାମସବାସୀ କିଣିଥିବା ଚାଉଳ ବସ୍ତା ଉପରେ ସେପରି କିଛି ଲେଖା ଯାଇନଥିବା ଯୋଗୁଁ ଆଶଙ୍କା ଦ୍ବିଗୁଣିତ ହୋଇଛି । ରାଜ୍ୟରୁ ଅନେକ ଅପମିଶ୍ରିତ ଖାଦ୍ୟ ପଦାର୍ଥ ଠାବ ହୋଇଥିବା ବେଳେ କୋରାପୁଟରେ ପ୍ଲାଷ୍ଟିକ ଚାଉଳ ଅଭିଯୋଗର ତଦନ୍ତ କରି ଏହାକୁ ସ୍ପଷ୍ଟ କରିବାକୁ ଦାବି ହୋଇଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Last Updated :Jan 15, 2022, 1:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.