ମାଣ୍ଡିଆରୁ ଚଟପଟା ଖାଦ୍ୟ, ରାତି ପାହିଲେ ଜଗନ୍ନାଥଙ୍କ ଦୋକାନରେ ଲାଗୁଛି ଭିଡ

author img

By

Published : Jun 23, 2022, 3:15 PM IST

ମନମୋହୁଛି ମାଣ୍ଡିଆ ଖାଦ୍ୟ

ପାରମ୍ପରିକ ଖାଦ୍ୟ ଭାବେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ମାଣ୍ଡିଆର ବେଶ୍ ଗୁରୁତ୍ବ ରହିଛି । ଜାଣି ଆଶ୍ଚର୍ଯ୍ୟ ହେବେ ମାଣ୍ଡିଆ ଛତୁଆ ଓ ଜାଉ ବ୍ୟତୀତ ମାଣ୍ଡିଆରୁ ବିଭିନ୍ନ ଚଟପଟା ଖାଦ୍ୟ ସାମଗ୍ରୀ ତିଆରି ହେଉଛି ଯାହା ଲୋକଙ୍କୁ ଆକର୍ଷିତ କରିଛି । ଦେଖନ୍ତୁ ଆମର ସ୍ବତନ୍ତ୍ର ରିପୋର୍ଟ ।

କୋରାପୁଟ: ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଆଦିବାସୀଙ୍କ ପାଇଁ ପରିଚୟ ଥିବା କୋରାପୁଟ ଆଜି ବିଶ୍ବରେ କଫି ପାଇଁ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି । ଆଗାମୀ ଦିନରେ କୋରାପୁଟ କଫି ସମଗ୍ର ଦେଶରେ ଏକ ନୂତନ ସ୍ଥାନ ହାସଲ କରିବ । କଫି ଛଡା ଜିଲ୍ଲାର ହଳଦୀ , ଅଦା, ଷ୍ଟ୍ରବେରୀ ଓ ଆମ୍ବ ଆଗରୁ କମାଲ କରି ସାରିଛି । ଏବେ ଲୋକଙ୍କ ମନ ମୋହିଛି ମାଣ୍ଡିଆ ତିଆରି ଖାଦ୍ୟ ସାମଗ୍ରୀ । ପାରମ୍ପାରିକ ଖାଦ୍ୟ ଭାବେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ମାଣ୍ଡିଆର ବେଶ୍ ଗୁରୁତ୍ବ ରହିଛି । ମାଣ୍ଡିଆରୁ ଛତୁଆ ଓ ଜାଉ ତିଆରି ହେଉଥିବା କଥା ସମସ୍ତେ ଜାଣିଥିବେ । ହେଲେ ମାଣ୍ଡିରୁ ଚଟପଟା ସ୍ନାକ୍ସ, ଚାହା ଓ ସୁପ୍‌ ଏବେ ଚର୍ଚ୍ଚାରେ ରହିଛି । ଜଗନ୍ନାଥ ଚିନ୍ନାରୀ ନାମକ ବ୍ୟବସାୟୀ ଏହି ଖାଦ୍ୟ ସାମଗ୍ରୀ ହବ ଖୋଲିଛନ୍ତି । ରାତି ପାହିଲେ ମାଣ୍ଡିଆ ସାମଗ୍ରୀ ପାଇଁ ଜଗନ୍ନାଥଙ୍କ ଦୋକାନ ଆଗରେ ଲୋକଙ୍କ ଭିଡ ଲାଗୁଛି ।

ମନମୋହୁଛି ମାଣ୍ଡିଆ ଖାଦ୍ୟ

ଜୟପୁର ବ୍ଲକ୍ ଅନ୍ତର୍ଗତ ବାରିଣୀପୁଟର ଜଗନ୍ନାଥ ଚିନ୍ନାରୀ ଜୟପୁର ସହରର ପାରାବେଡା ଅଞ୍ଚଳରେ ମିଲେଟ୍ ହବ ଦୋକାନ କରିଛନ୍ତି । ସ୍ନାତକ ପାସ୍‌ କରିବା ପରେ ଅଟା ଓ ଚୂନା କଳ କରିଥିଲେ ଜଗନ୍ନାଥ । ବାହାର ରାଜ୍ୟରେ ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ତିଆରି ଦେଖି ନିଜ ଅଞ୍ଚଳରେ ମଧ୍ୟ ପ୍ରସ୍ତୁତ କରିବା ପାଇଁ ଇଚ୍ଛା କରିଥିଲେ ସେ । ଏନେଇ ହାଇଦ୍ରାବାଦ ଠାରେ ଆଇସିଏଆର ଅଧୀନରେ ତାଲିମ୍ ନେଇଥିଲେ । ଏହାପରେ ନିଜର ଏକ ମାଣ୍ଡିଆ ହବ ଖୋଲିବାରେ ସଫଳ ହୋଇଛନ୍ତି । ଏଭଳି ଖାଦ୍ୟ ସାଧାରଣ ଲୋକ ଗ୍ରହଣ କରିଥିବା ବେଳେ ସ୍ବଚ୍ଛତା ଓ ଗୁଣବତ୍ତାକୁ ବଜାୟ ରଖିଛି । କେବଳ ସେତିକି ନୁହେଁ ରାଜ୍ୟର ବିଭିନ୍ନ ବ୍ଲକରେ SHG ମହିଳା ମାନଙ୍କୁ ତାଲିମ ମଧ୍ୟ ଦେଉଛନ୍ତି ଜଗନ୍ନାଥ । ମାଣ୍ଡିଆଯୁକ୍ତ ଖାଦ୍ୟ ତଥା ପାନୀୟ ପ୍ରତି ସହରାଞ୍ଚଳରେ ଆଗ୍ରହ ବଢିବାକୁ ଲାଗିଛି ।

ମାଣ୍ଡିଆ ଓଡ଼ିଶାରେ ଉତ୍ପାଦନ ହେଉଥିବା ଖାଦ୍ୟ ଶସ୍ୟ ମଧ୍ୟରେ ଅନ୍ୟତମ । ଏହା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ପାରମ୍ପରିକ ଖାଦ୍ୟ ଭାବରେ ପରିଚିତ ଥିବା ବେଳେ ସମୟ କ୍ରମେ ମାଣ୍ଡିଆକୁ ନେଇ ପରୀକ୍ଷା ନିରୀକ୍ଷା ହେବାପରେ ଏବେ ପ୍ରସ୍ତୁତ ହେଉଛି ଏକାଧିକ ସୁଆଦିଆ ବ୍ୟଞ୍ଜନ । ମାଣ୍ଡିଆ ଚାହା', ସୁପ୍ ସହ ବିସ୍କୁଟ , କେକ୍ , ଆଙ୍ଗୁଠି ଖଜା , ଗଜା ଲଡୁ ଚକଲେଟ୍ , ମିକ୍ସର, ମୁରୁକି ,କୁକିସ୍ ,ନିମିକି ଭଳି ଚଟପଟା ଶୁଖିଲା ଖାଦ୍ୟ ପ୍ରସ୍ତୁତ ହେଉଛି । ମାଣ୍ଡିଆରେ ପ୍ରସ୍ତୁତ ଇଡିଲି ଓ ଦୋସା ପାଉଡର ମଧ୍ୟ ଲୋକେ କିଣୁଛନ୍ତି । ସୁସ୍ଥ ଶରୀର ପାଇଁ ଲୋକେ ଅନେକ କିଛି କରୁଥିବା ବେଳେ ଲୋକେ ମାଣ୍ଡିଆ ଓ ଗୁଡରେ ତିଆରି ସାମଗ୍ରୀ ପ୍ରତି ଆକର୍ଷିତ ହେଉଛନ୍ତି । ଏଥିସହ ଲୋକେ ଅର୍ଡର ଦେଲେ ମାଣ୍ଡିଆଯୁକ୍ତ ସାମଗ୍ରୀ ତିଆରି କରୁଛନ୍ତି ।

ଇଟିଭି ଭାରତ, କେରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.