'ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ କୋରାପୁଟ ଜିଲ୍ଲା ଭଲ ପ୍ରଦର୍ଶନ କରିଛି'

author img

By

Published : Sep 18, 2021, 12:34 PM IST

ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ କୋରାପୁଟ ଜିଲ୍ଲା  ଭଲ ପ୍ରଦର୍ଶନ କରିଛି

ଶୁକ୍ରବାର କୋରାପୁଟ ଗସ୍ତରେ ଯାଇ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କରିଥିଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ । ଅଧିକ ପଢନ୍ତୁ...

କୋରାପୁଟ: ଶୁକ୍ରବାର କୋରାପୁଟ ଗସ୍ତରେ ଯାଇ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କରିଥିଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ । ଏହି ବୈଠକରେ ଆକାଂକ୍ଷା ଜିଲ୍ଲା ପୋଗ୍ରାମ ଅଧିନରେ ୨୦୧୮ ଅପ୍ରେଲରୁ ଜୁଲାଇ ୨୦୨୧ ମଧ୍ୟରେ ଜିଲ୍ଲାର ଶିକ୍ଷା,ସ୍ୱାସ୍ଥ୍ୟ ଓ ପୋଷଣ,କୃଷି,ଜଳ ଉତ୍ସ,ମୌଳିକ ଭିତ୍ତିଭୂମିର କାର୍ଯ୍ୟ ଦକ୍ଷତା ଉପରେ ଆଲୋଚନା ହୋଇଥିଲା । ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ କୋରାପୁଟ ଜିଲ୍ଲା ବହୁତ ଭଲ ପ୍ରଦର୍ଶନ କରିଛି ବୋଲି ଶ୍ରୀ ସେଠୀ ମତବ୍ୟକ୍ତ କରିଥିଲେ । ରାଜସ୍ୱ ବିଭାଗର ବିଭିନ୍ନ ଯୋଜନା ସଂପର୍କରେ ମଧ୍ୟ ସମୀକ୍ଷା କରାଯାଇଥିଲା । ରାଜ୍ୟ ସରକାରଙ୍କ ନିଷ୍ପତି ଅନୁସାରେ ପ୍ରତି ପଡା ଗ୍ରାମକୁ ରାଜସ୍ୱ ଗ୍ରାମର ମାନ୍ୟତା ଦିଆଯିବ । ଏନେଇ ବୈଠକରେ ପ୍ରତି ରାଜସ୍ୱ ଅଧିକାରୀଙ୍କୁ ଡିସେମ୍ବର ୨୦୨୧ ମଧ୍ୟରେ ଜିଲ୍ଲାରେ ଥିବା ପ୍ରତିଟି ପଡା ଗ୍ରାମର ଲୋକମାନଙ୍କ ପାଖରୁ ପ୍ରସ୍ତାବ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ କୋରାପୁଟ ଜିଲ୍ଲା ଭଲ ପ୍ରଦର୍ଶନ କରିଛି

ସ୍ୱାସ୍ଥ୍ୟ ଓ ପୋଷଣରେ ଆକାଂକ୍ଷା ଜିଲ୍ଲା ଡେଲଟା ରାକିଙ୍ଗରେ କୋରାପୁଟ ଜିଲ୍ଲା ୨୦୧୮ ଅପ୍ରେଲରେ ୮୨ତମ ସ୍ଥାନରେ ଥିବାବେଳେ ୨୦୨୧ ଜୁଲାଇ ମାସରେ ୪୬ ତମ ସ୍ଥାନରେ ରହିଛି । ଶିକ୍ଷାରେ ୨୦୧୮ ଅପ୍ରେଲରେ ୧୨ ତମ ସ୍ଥାନରେ ଥିଲା ମାତ୍ର ଜୁନ ମାସ ୨୦୨୧ ରେ ସମଗ୍ର ଭାରତରେ କୋରାପୁଟ ଜିଲ୍ଲା ପ୍ରଥମ ସ୍ଥାନ ଅଧିକାର କରିଥିଲା ହେଲେ ଜୁଲାଇ ୨୦୨୧ରେ ୧୫ତମ ସ୍ଥାନରେ ଅଛି । କୃଷି, ଜଳ ଉତ୍ସରେ ୨୦୧୮ ଅପ୍ରେଲରେ ୬୬ତମ ସ୍ଥାନରେ, ଜୁଲାଇ ୨୦୨୧ରେ ୨୧ ତମ ସ୍ଥାନରେ ରହିଛି । ଦକ୍ଷତା ବିକାଶ କ୍ଷେତ୍ରରେ ୨୦୧୮ ଅପ୍ରେଲରେ ୧୨ ତମ ସ୍ଥାନରେ, ଜୁଲାଇ ୨୦୨୧ରେ ୮୯ତମ ସ୍ଥାନରେ ରହିଛି । ମୌଳିକ ଭିତିଭୂମୀ ଉପରେ ୨୦୧୮ ଅପ୍ରେଲରେ ୮୯ ତମ ସ୍ଥାନରେ, ଜୁଲାଇ ୨୦୨୧ରେ ୩୩ ତମ ସ୍ଥାନରେ ରହିଥିବା ଜଣାପଡିଛି । ତୁଳନାତ୍ମକ ଅଭିବୃଦ୍ଧିକୁ ଦେଖିଲେ ୨୦୧୮ ଅପ୍ରେଲରେ କୋରାପୁଟ ଜିଲ୍ଲା ୩୮.୩ ଥିବାବେଳେ ଜୁଲାଇ ୨୦୨୧ରେ ୪୯.୭ ରହିଛି । ଏହି ୫ଟି କ୍ଷେତ୍ରରେ ଜିଲ୍ଲାରେ ତୁଳନାତ୍ମକ ଅଭିବୃଦ୍ଧି ଘଟିଥିବା ଜଣାପଡିଛି । ଜାନୁଆରୀ ୨୦୧୮ ମସିହାରୁ ଓଡିଶାର ୧୦ଟି ଜିଲ୍ଲାର ତୁଳନାତ୍ମକ ବିକାଶ କ୍ଷେତ୍ରରେ କୋରାପୁଟ ଜିଲ୍ଲା ସବୁଠୁ ଆଗରେ ରହିଛି ।

ଶିକ୍ଷା କ୍ଷେତ୍ରରେ ଜିଲ୍ଲାର ଖାଲି ପଡିଥିବା ଶିକ୍ଷକ ପଦବୀ,ଶୌଚାଳୟ,ପାନୀୟ ଜଳ ଓ ବିଦ୍ୟାଳୟ ଗୁଡିକରେ ବିଦ୍ୟୁତ ଯୋଗାଣ ଉପରେ ସମୀକ୍ଷା ହୋଇଥିଲା । କୃଷି କ୍ଷେତ୍ରରେ ମାଇକ୍ରୋ ଜଳସେଚନ,ପ୍ରାଣୀଧନ ଟୀକାକରଣ,ମୃତିକା ସ୍ୱାସ୍ଥ୍ୟ ପତ୍ର,ଦୁଗ୍ଧ ଶୀତଳୀକରଣ,ଦୁଗ୍ଧ ଉତ୍ପାଦନ ବିଷୟରେ ସମୀକ୍ଷା କରାଯାଇଥିଲା । ମୌଳିକ ଭିତ୍ତିଭୂମି ଉପରେ ପ୍ରତି ଗ୍ରାମ ପଞ୍ଚାୟତରେ ଇଣ୍ଟରନେଟ ସୁବିଧା, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ରାସ୍ତା ଗତିବିଧି ଉପରେ ସମୀକ୍ଷା କରାଯାଇଥିଲା । ଆର୍ଥିକ ଅର୍ନ୍ତଭୁକ୍ତ କ୍ଷେତ୍ର ଉପରେ ମୁଦ୍ରା ଲୋନ,ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନା,ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ଅଟଳ ପେନସନ ଯୋଜନା, ପ୍ରଧାନମନ୍ତ୍ରୀ ଜନଧନ ଯୋଜନାର କାର୍ଯ୍ୟକାରିତା ଓ କ୍ରୀୟାଶୀଳନତା ଉପରେ ସମୀକ୍ଷା କରାଯାଇଥିଲା ।

ସେହିପରି ବିବାଦୀୟ କୋଟିଆ ପ୍ରସଙ୍ଗରେ ମଧ୍ୟ ସମୀକ୍ଷା କରାଯାଇଥିଲା । କୋଟିଆରେ ୨ଟି ସେମି ହାଇ ମାସ୍କ ଲାଇଟ ଲାଗିଥିବାବେଳେ ଗୋଟିଏ ହାଇ ମାସ୍କ ଲାଇଟ କୋଟିଆ ପାଇଁ ଆବଶ୍ୟକ ଥିବା କୁହାଯାଇଥିଲା । ଉକ୍ତ ଅଞ୍ଚଳରେ ଥ୍ରୀ ଫେଜ ବିଦ୍ୟୁତ କରଣ ଆବଶ୍ୟକ ବୋଲି ପ୍ରଶାସନ ତରଫରୁ ଆଲୋଚନା କରାଯାଇଥିଲା । କୋଟିଆରେ ବିଏସଏନଲ ମୋବାଇଲ ଟାଓାର ଥିବାବେଳେ ଯଥା ଶୀଘ୍ର ସେଠାରେ ଇଣ୍ଟରନେଟର ସୁବିଧା କରାଯିବ ଏବଂ ପୋଲିସ ଷ୍ଟେସନ ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଥିବା କୁହାଯାଇଥିଲା । ଏଥି ସହିତ ପ୍ରଶାସନିକ ଅଧିକାରୀମାନେ ପ୍ରତିଦିନ କୋଟିଆ ଗସ୍ତ କରି ଉକ୍ତ ଅଞ୍ଚଳର ବିକାଶ ଦିଗରେ ସ୍ୱତନ୍ତ୍ର ଧ୍ୟାନ ଦେଉଥିବା ପ୍ରଶାସନ ତରଫରୁ କୁହାଯାଇଛି । ଏହି ସମୀକ୍ଷା ବୈଠକରେ କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ, ଡିଏଫଓ ରିଙ୍କୁ କୁମାରୀ, କୋରାପୁଟ ଉପ ଜିଲ୍ଲାପାଳ ଲଳିତ କୁମାର କଅଁର, ଜୟପୁର ଉପ ଜିଲ୍ଲାପାଳ ହେମକାନ୍ତ ସଏ, ପିଡି ଡିଆରଡିଏ ପ୍ରବୀର କୁମାର ନାୟକଙ୍କ ସମେତ ଜିଲ୍ଲାସ୍ତରୀୟ ସମସ୍ତ ଅଧିକାରୀମାନେ ଉପସ୍ଥିତ ଥିଲେ ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.