ଗଞ୍ଜେଇ ବୋଝେଇ ଟ୍ରକକୁ ଦେଉଥିଲେ ସୁରକ୍ଷା, ଅବକାରୀ ଏଏସଆଇ ଓ ଦୁଇ କନେଷ୍ଟବଳ ଗିରଫ

author img

By

Published : Sep 18, 2022, 11:05 PM IST

ଗଞ୍ଜେଇ ବୋଝେଇ ଟ୍ରକକୁ ଦେଉଥିଲେ ସୁରକ୍ଷା, ଅବକାରୀ ଏଏସଆଇଙ୍କ ସମେତ ଦୁଇ କନେଷ୍ଟବଳ ଗିରଫ

କୋରାପୁଟରୁ ୮୦୩.୭୬୫ କିଲୋ ଗଞ୍ଜେଇ ନେଇ ଆନ୍ଧ୍ର ଯାଉଥିବା ବେଳେ ପୋଲିସ ହାତରେ ଧରା ପଡ଼ିଲେ ୪ ଚୋରାଚାଲାଣକାରୀ । ଏମାନଙ୍କୁ ସୁରକ୍ଷା ଦେଇ ଯାଉଥିବା ଜଣେ ଅବକାରୀ ଏଏସଆଇଙ୍କ ସମେତ ଦୁଇ କନେଷ୍ଟବଳ ଗିରଫ । ଅଧିକ ପଢ଼ନ୍ତୁ

କୋରାପୁଟ: ଗଞ୍ଜେଇ ବୋଝେଇ ହୋଇଥିବା ଟ୍ରକକୁ ସୁରକ୍ଷା ଦେଇ ଯାଉଥିବା ବେଳେ ଅବକାରୀ ଅଧିକାରୀଙ୍କୁ ଧରିଲା ପୋଲିସ । କୋରାପୁଟ ଜିଲ୍ଲା ଅବକାରୀ ବିଭାଗର ଜଣେ କାର୍ଯ୍ୟରତ ଏଏସଆଇ ଆରୋପାଲକ ଦାସଙ୍କ ସମେତ ଦୁଇଜଣ ଅବକାରୀ କନେଷ୍ଟବଳଙ୍କୁ ଧରିଛି ପୋଲିସ । ସେମାନଙ୍କ ସହିତ ୪ ଜଣ ଗଞ୍ଜେଇ ଚୋରାଚାଲାଣକାରୀଙ୍କୁ ଗିରଫ କରିଛି ପଟ୍ଟାଙ୍ଗି ଥାନା ପୋଲିସ । ୮୦୩.୭୬୫ କିଲୋ ଗଞ୍ଜେଇ ସହିତ ଲୋଡ୍‌ ହୋଇଥିବା ଟ୍ରକ ଏବଂ ଏହାକୁ ଏସ୍କର୍ଟ କରୁଥିବା ଏକ ବୋଲେରୋକୁ ଜବତ କରିଛି ପୋଲିସ ।

ଗଞ୍ଜେଇ ବୋଝେଇ ଟ୍ରକକୁ ଦେଉଥିଲେ ସୁରକ୍ଷା, ଅବକାରୀ ଏଏସଆଇଙ୍କ ସମେତ ଦୁଇ କନେଷ୍ଟବଳ ଗିରଫ

ଗତ ଛଅ ମାସ ମଧ୍ୟରେ ଗତ କିଛି ବର୍ଷର ରେକର୍ଡ ଭାଙ୍ଗି ବିପୁଳ ପରିମାଣର ଗଞ୍ଜେଇ ଜବତ କରିଥିବା ନେଇ କୋରାପୁଟ ଜିଲ୍ଲା ଅବକାରୀ ବିଭାଗର ଅଧିକ୍ଷକ ଶନିବାର ଦିନ ପ୍ରକାଶ କରିଥିଲେ । ତେବେ ଅବକାରୀ ଅଧିକ୍ଷକଙ୍କ ଏହି ଗର୍ବର ବାର୍ତ୍ତାକୁ ୨୪ ଘଣ୍ଟା ନପୁରୁଣୁ ଆଜି (ରବିବାର) ଖୋଦ୍‌ ଅବକାରୀ ବିଭାଗର ଜଣେ କାର୍ଯ୍ୟରତ ଏଏସଆଇ ଓ ଦୁଇଜଣ କନେଷ୍ଟବଳ ଗଞ୍ଜେଇ ବୋଝେଇ ଟ୍ରକକୁ ସୁରକ୍ଷା ଦେଇ ଯାଉଥିବା ବେଳେ ପୋଲିସ ହାତରେ ଧରା ପଡ଼ିଛନ୍ତି । ଏଏସଆଇ ଆରୋପାଲକ ଦାସଙ୍କ ସମେତ ଧରା ହୋଇଥିବା ଦୁଇ କନେଷ୍ଟବଳ ହେଉଛନ୍ତି ତ୍ରିଲୋଚନ ରାଏ ଚେଟ୍ଟୀ ଓ ରାୱାଡା ଭେଙ୍କଟେଶ ।

ପୋଲିସର କହିବା ଅନୁଯାୟୀ କୋରାପୁଟର ୩ ଜଣ ଗଞ୍ଜେଇ ଚୋରା ଚାଲାଣକାରୀ ଯୁବକ ଧୀରଜ କୁମାର ତୁରୁକ, ରାଜ କୁମାର ଚେଟ୍ଟି ଓ ଗୋଲକ ବିହାରୀ ବାଘଙ୍କ ସହିତ ଏକ ବୋଲେରୋରେ ଆଗରେ ୮୦୩.୭୬୫ କିଲୋ ଗଞ୍ଜେଇ ନେଇ ଯାଉଥିବା ଏକ ଟ୍ରକକୁ ସୁରକ୍ଷା ପ୍ରଦାନ କରୁଥିଲେ ଅବକାରୀ ବିଭାଗର ଅଧିକାରୀ ଓ କନେଷ୍ଟବଳ । ଆଜି (ରବିବାର) ଭୋର ୪ଟା ବେଳକୁ ପଟ୍ଟାଙ୍ଗି ଥାନାର ଏସଆଇ କରୁଣାକର ଶବରଙ୍କ ନେତୃତ୍ବରେ ପୋଲିସ ପାଟ୍ରୋଲିଂ କରୁଥିବା ବେଳେ କୋରାପୁଟରୁ ଆନ୍ଧ୍ର ଆଡକୁ ଯାଉଥିବା ଏକ ଟ୍ରକ ସମେତ ତାକୁ ଏସ୍କର୍ଟ କରୁଥିବା ବୋଲେରୋକୁ ଜବତ କରିଥିଲା ପୋଲିସ । ଟ୍ରକର ଡ୍ରାଇଭର ଅନ୍ଧାରର ଫାଇଦା ନେଇ ଖସି ଯାଇଥିଲେ ବି ଟ୍ରକ୍ ମଧ୍ୟରେ ବସିଥିବା ରାଜସ୍ଥାନ ବାସିନ୍ଦା ପ୍ରକାଶ ବେହେଲକୁ ମଧ୍ୟ ଗିରଫ କରିଥିବା ପୋଲିସ ପ୍ରକାଶ କରିଛି ।ତେବେ ରାଜ୍ୟରେ ଅବକାରୀ ଚୋରାଚାଲାଣକୁ ରୋକିବା ପାଇଁ କାର୍ଯ୍ୟରତ ଅଧିକାରୀ ନିଜେ ଗଞ୍ଜେଇ ଚୋରାଚାଲାଣରେ ସମ୍ପୃକ୍ତ ରହିବାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.