ନିର୍ବାଚନ ପାଇଁ ବିରୋଧୀଙ୍କ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ? ପ୍ରତିକ୍ରିୟା ରଖିଲା ବିଜେପି-କଂଗ୍ରେସ
Published: May 25, 2023, 5:06 PM

ନିର୍ବାଚନ ପାଇଁ ବିରୋଧୀଙ୍କ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ? ପ୍ରତିକ୍ରିୟା ରଖିଲା ବିଜେପି-କଂଗ୍ରେସ
Published: May 25, 2023, 5:06 PM
୨୦୨୪ ପୂର୍ବରୁ ନିର୍ବାଚନ ହେବାକୁ ଥିବା ଏବେ ଚର୍ଚ୍ଚା ଜୋର ଧରିଛି । ଯଦି ଆଗୁଆ ନିର୍ବାଚନ ହୁଏ ତେବେ ବିରୋଧୀ ବିଜେପି ଓ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ । କିଏ ସେହି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଯାହାକୁ ପ୍ରୋଜେକ୍ଟ କରି ବିରୋଧୀ ନିର୍ବାଚନ ଲଢିବ ? ଏହା ଉପରେ ପ୍ରତିକ୍ରିୟା ରଖିଛି ବିଜେପି ଓ କଂଗ୍ରେସ । ଅଧିକ ପଢନ୍ତୁ
ଭୁବନେଶ୍ବର: ରାଜ୍ୟରେ ୨୪ ବର୍ଷରୁ ଅଧିକ ସମୟ ଧରି କ୍ଷମତାରେ ରହିଥିବା ସରକାର ହେଉଛି ବିଜେଡି ସରକାର । ବିଜେଡି, ବ୍ରାଣ୍ଡ ନବୀନ ଓ ସଂଗଠନ କଥା କହି ବାରମ୍ବାର ସରକାର ଗଢୁଛି ବିଜେଡି । ପଞ୍ଜାୟତ, ପୌର, ଉପ ନିର୍ବାଚନରେ ସବୁଠି ବିଜେଡିର ବାଜିମାତ । ଏବେ ଆସୁଛି ୨୦୨୪ ନିର୍ବାଚନ । ୨୦୨୪ ପୂର୍ବରୁ ଏହି ନିର୍ବାଚନ ହେବାକୁ ଥିବା ଏବେ ଚର୍ଚ୍ଚା ଜୋର ଧରିଛି । ଯଦି ଆଗୁଆ ନିର୍ବାଚନ ହୁଏ ତେବେ ବିରୋଧୀ ବିଜେପି ଓ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ । କିଏ ସେହି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଯାହାକୁ ପ୍ରୋଜେକ୍ଟ କରି ବିରୋଧୀ ନିର୍ବାଚନ ଲଢିବ ? ଏହା ଉପରେ ପ୍ରତିକ୍ରିୟା ରଖିଛି ବିଜେପି ଓ କଂଗ୍ରେସ ।
ବିଜେପିର ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ଏହା ଉପରେ ପ୍ରତିକ୍ରିୟା ରଖି କହିଛନ୍ତି, "ସମସ୍ତ ନିର୍ବାଚିତ ବିଧାୟକଙ୍କ ଆସ୍ଥାଭାଜନ ଯିଏ ହୋଇପାରିବ ସେ ହିଁ ହେବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ । ବିଜେପି ଦଳ ଏକ ଗଣତାନ୍ତ୍ରିକ ଦଳ । ଆମର କେହି ହାଇକମାଣ୍ଡ ନାହାଁନ୍ତି । ଅନ୍ୟ କୌଣସି ରାଜ୍ୟ ଯେପରିକି ଉତ୍ତର ପ୍ରଦେଶ ହେଲା କି ଅନ୍ୟ କୌଣସି ରାଜ୍ୟ ସେଠାରେ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ହୋଇନାହିଁ । ତେଣୁ ଓଡିଶା କ୍ଷେତ୍ରରେ ମଧ୍ୟ ସେୟା ହେବାକୁ ଯାଉଛି । ନିର୍ବାଚିତ ପ୍ରତିନିଧି ନିଷ୍ପତ୍ତି ନେବେ ସେମାନଙ୍କ ମୁଖ୍ୟମନ୍ତ୍ରୀ କିଏ ହେବ ?"
ଏହା ବି ପଢନ୍ତୁ- କେବେ କାର୍ଯ୍ୟକ୍ଷମ ହେବ ଝାରସୁଗୁଡ଼ା ନୂତନ ବସଷ୍ଟାଣ୍ଡ, ଭୁଲିଗଲେ କି ସରକାର ?
କର୍ଣ୍ଣାଟକରେ ସିଦ୍ଧରମୈୟା ସରକାର ଗଠନ ପରେ କଂଗ୍ରେସ ବଳ ପାଇଛି । ସାରା ଭାରତରେ କଂଗ୍ରେସ କର୍ମୀ ଉତ୍ସାହିତ । ଓଡ଼ିଶାରେ ମଧ୍ୟ କଂଗ୍ରେସ କର୍ମୀ ଉତ୍ସାହିତ ଅଛନ୍ତି । ସାଂଗଠନିକ ଦୃଷ୍ଟି କୋଣରୁ ଦଳକୁ ସଜାଡିବାରେ ଲାଗିଛନ୍ତି । ମିଶନ ୯ରୁ ୯୦କୁ ସାର୍ଥକ କରିବା ପାଇଁ ଦଳ ଏକଜୁଟ ହୋଇଛି । କିନ୍ତୁ ନବୀନ ପଟ୍ଟନାୟକଙ୍କୁ ଟକ୍କର ଦେବା ପାଇଁ କଂଗ୍ରେସର ସେଭଳି କେହି ନେତା ନାହାନ୍ତି ବୋଲି ଚର୍ଚ୍ଚା ହେଉଛି । ନବୀନଙ୍କ ପପୁଲାରିଟି ଆଗରେ ସବୁ ନେତା ଫେଲ । ଏମିତି କିଏ ନେତା ଅଛନ୍ତି ଯିଏ ନବୀନଙ୍କ ସମକକ୍ଷ ହୋଇପାରିବ । ଯାହାକୁ ଲୋକେ ଅଲଟରନେଟିଭ ନେତା ଭାବେ ବାଛିବେ । ପିସିସି ସଭାପତିଙ୍କ ଉତ୍ତର ହେଲା ହାଇକମାଣ୍ଡ ନିଷ୍ପତ୍ତି ନେବେ କିଏ ହେବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ । ରାଜ୍ୟ କଂଗ୍ରେସ କିଛି କହିପାରିବ ନାହିଁ ।
ବରିଷ୍ଠ ରାଜନୀତି ସମୀକ୍ଷକ ରବି ଦାସ କହିଛନ୍ତି, "ପୂର୍ବ ନିର୍ବାଚନରେ ମଧ୍ୟ ସେୟା ହୋଇଥିଲା । ବିଜେପି ଓ କଂଗ୍ରେସ ନିଜର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିପାରିନଥିଲେ । ଏବେ ବି ସେୟା ହେବାକୁ ଯାଉଛି । ନବୀନଙ୍କ ଭଳି ଜଣେ ନେତାଙ୍କୁ ଟକ୍କର ଦେବା ପାଇଁ ବିରୋଧୀ ବିଜେପି ଓ କଂଗ୍ରେସ ପାଖରେ ନେତା ନାହାନ୍ତି । ନବୀନଙ୍କୁ ଟକ୍କର ଦେବା ଏତେ ସହଜ ହୋଇନଥିବାରୁ ବିରୋଧୀ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପ୍ରୋଜେକ୍ଟ କରୁନାହାନ୍ତି । ଯଦି ସେମାନେ ଏପରି କରନ୍ତି ତେବେ ନବୀନଙ୍କ ପାଇଁ ନିର୍ବାଚନ ଜିତିବା ଆହୁରି ସହଜ ହୋଇଯିବ । ତେଣୁ ଉଭୟ ଦଳ କେନ୍ଦ୍ର ନେତୃତ୍ବ ଉପରେ ନିର୍ଭରଶୀଳ ।"
ଆଗୁଆ ନିର୍ବାଚନ ପାଇଁ ପ୍ରମୁଖ ରାଜନୈତିକ ଦଳ ଅଣ୍ଟା ଭିଡିଲେଣି । ମନ୍ତ୍ରୀ ମଣ୍ଡଳରେ ଅଦଳ ବଦଳ କରି ନେତାଙ୍କ ଶକ୍ତି ବୃଦ୍ଧି କରୁଛି ବିଜେଡି । ପଶ୍ଚିମ ଓଡିଶାରେ ସଂଗଠନକୁ ମଜବୁତ କରୁଛି । ସୁଶାନ୍ତ ସିଂହ ଉପରେ ପଶ୍ଚିମ ଓଡ଼ିଶାର ଦାୟିତ୍ବ ଦେଇଛି ଦଳ । ଅସନ୍ତୁଷ୍ଟଙ୍କୁ ସନ୍ତୋଷ କରିବାକୁ ପ୍ରୟାସ ଜାରି ରଖିଛି । ସେପଟେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟି ରାଜ୍ୟରେ କୋର କମିଟି ଗଠନ ସହ ବୁଥ ସ୍ତରରେ ଦଳର ସ୍ଥିତିକୁ ମଜବୁତ କରିବାରେ ଲାଗି ପଡିଛନ୍ତି । କଂଗ୍ରେସ ମଧ୍ୟ ୧୦୦ଟି ସ୍ଥାନରେ ରୋଡ ଶୋ' କରିବାର ଯୋଜନା କରିସାରିଛି । ତେବେ ବିନା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀରେ ବିରୋଧୀ କିପରି ବ୍ରାଣ୍ଡ ନବୀନଙ୍କୁ ଟକ୍କର ଦେଉଛନ୍ତି ତା ଉପରେ ରାଜ୍ୟବାସୀଙ୍କ ନଜର ।
ଇଟିଭି ଭାରତ, ଭୁବନେଶ୍ବର
