BJD ଫୋକସରେ ପଶ୍ଚିମ ଓଡିଶା; 5 ଲୋକସଭା ଓ 31 ବିଧାନସଭା ଜିତିବ ଦଳ କହିଲେ ସୁଶାନ୍ତ

author img

By

Published : May 24, 2023, 9:02 PM IST

ବିଜେଡି ଫୋକ୍ସରେ ପଶ୍ଚିମ ଓଡିଶା; 5 ଲୋକସଭା ଓ 21ବିଧାନସଭା ଜିତିବ ଦଳ : ସୁଶାନ୍ତ

ପଶ୍ଚିମ ଓଡିଶାରେ 36 ଟି ବିଧାନସଭା ଆସନ ରହିଛି । 22ଟି ଆସନ ଏବେ ଶାସକ ଦଳ ପାଖରେ ଥିବା ବେଳେ 8ଟି ଆସନ ବିଜେପି ଓ 4ଟି କଂଗ୍ରେସ ଦଖଲରେ ରହିଛି । ଗୋଟେ ସିପିଆଇଏମ ଖାତାକୁ ଯାଇଛି । ଅଧିକ ପଢନ୍ତୁ

BJD ଫୋକସରେ ପଶ୍ଚିମ ଓଡିଶା

ଭୁବନେଶ୍ବର: ବିଜେଡି ତଥା ବିଜେଡି ସୁପ୍ରିମୋଙ୍କ ଫୋକ୍ସରେ ପଶ୍ଚିମ ଓଡିଶା । ପଶ୍ଚିମ ଓଡିଶାର 5 ରୁ 5 ଲୋକସଭା ଆସନ ଦଖଲ କରିବ ବିଜେଡି । 35ରୁ 31 ବିଧାନସଭା ଆସନ ବିଜେଡି ଖାତାକୁ ଆସିବ । ଏଭଳି ପୂର୍ବାନୁମାନ କରିଛନ୍ତି ପଶ୍ଚିମ ଓଡିଶା ବିଜେଡିର ଟାଣୁଆ ନେତା ସୁଶାନ୍ତ ସିଂ । ପ୍ରସଙ୍ଗକୁ ନେଇ ସୁଶାନ୍ତଙ୍କୁ ଜୋରଦାର କାଉଣ୍ଟର କରିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ । ସୁଶାନ୍ତ ସିଂ ଜଣେ ରାଜନୈତିକ ଗଣିତଜ୍ଞ ନୁହଁନ୍ତି ବୋଲି କହି ସେ କଟାକ୍ଷ କରିଛନ୍ତି ।

10 ଜିଲ୍ଲାକୁ ନେଇ ପଶ୍ଚିମ ଓଡିଶା ଲୋକସଭା ନିର୍ବାଚନ କ୍ଷେତ୍ର ରହିଛି । ସୁନ୍ଦରଗଡ, ବରଗଡ, ବଲାଙ୍ଗୀର, ସମ୍ବଲପୁର, କଳାହାଣ୍ଡି, ନୂଆପଡା, ଝାରସୁଗୁଡା, ସୋନପୁର, ବୌଦ୍ଧ ଓ ଦେବଗଡ । ଏହି ଜିଲ୍ଲାକୁ ନେଇ 5 ଲୋକସଭା କ୍ଷେତ୍ର । ରାଜ୍ୟର 21 ଲୋକସଭା କ୍ଷେତ୍ରରୁ 12ଟି ବିଜେଡି, 8 ବିଜେପି ଓ ଗୋଟିଏ କଂଗ୍ରେସ ଦଖଲରେ ଅଛି । ଭୁବନେଶ୍ବର, କଟକ ଓ ମୟୂରଭଞ୍ଜଙ୍କୁ ଛାଡି ବାକି 5 ଲୋକସଭା କ୍ଷେତ୍ର ବିଜେପି ପଶ୍ଚିମ ଓଡିଶାରୁ ଦଖଲ କରିଛି । ପଶ୍ଚିମ ଓଡିଶାର 5 ଟି ଲୋକସଭା କ୍ଷେତ୍ର ସୁନ୍ଦରଗଡ, ବରଗଡ, ବଲାଙ୍ଗୀର, ସମ୍ବଲପୁର, କଳାହାଣ୍ଡି ବିଜେପି ଦଖଲରେ ଅଛି ।

ସେହିପରି ପଶ୍ଚିମ ଓଡିଶାରେ 36 ଟି ବିଧାନସଭା ଆସନ ରହିଛି । 22ଟି ଆସନ ଏବେ ଶାସକ ଦଳ ପାଖରେ ଥିବା ବେଳେ 8ଟି ଆସନ ବିଜେପି ଓ 4ଟି କଂଗ୍ରେସ ଦଖଲରେ ରହିଛି । ଗୋଟେ ସିପିଆଇଏମ ଖାତାକୁ ଯାଇଛି । ବିଜେପି ଖାତାକୁ ଯାଇଥିବା ପଶ୍ଚିମ ଓଡିଶାର 5 ଲୋକସଭା ଆସନ ଏବଂ ବିରୋଧୀ ହାତରେ ଥିବା 13 ବିଧାନସଭା ଆସନକୁ ଛଡେଇ ଆଣିବାକୁ ଯୋଜନା କରିଛି ବିଜେଡି । ଏନେଇ ବିଜେଡିର ହେଭିୱେଟ ନେତା ସୁଶାନ୍ତ ସିଂ କହିଛନ୍ତି ଯେ, ପଶ୍ଚିମ ଓଡିଶାକୁ ନବୀନ ପଟ୍ଟନାୟକ ପ୍ରାଧାନ୍ୟ ଦେଇ ଆସୁଛନ୍ତି । ପଶ୍ଚିମ ଓଡିଶାରେ ଆମେ ୩୧ରୁ ଅଧିକ ବିଧାୟକ ଜିତିବୁ । ସେହିଭଳି ୫ରୁ ୫ ଲୋକସଭା ଆସନ ଜିତିବୁ ବୋଲି କହିଛନ୍ତି ସୁଶାନ୍ତ ସିଂ । ବିଜେପି ସାଂସଦଙ୍କ ବିରୋଧରେ ଗ୍ରାଉଣ୍ଡରେ ଅସନ୍ତୋଷ ରହିଛି । ପଶ୍ଚିମ ଓଡିଶାରେ ଏମାନଙ୍କର ଦର୍ଶନ ମିଳେନି ।

ସୁଶାନ୍ତଙ୍କ ଦାବିର ଜବାବ ରଖିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ । ସେ କହିଛନ୍ତି ଯେ, କିଏ ଜିତିବ କିଏ ହାରିବ ତାହା ସମୟ କହିବ । ସେ ବାବଦରେ ସୁଶାନ୍ତ ସିଂଙ୍କର ଜ୍ୟୋତିର୍ବିଦ ହେବାର ଆବଶ୍ୟକତା ନାହିଁ । କିଛି ଦିନ ତଳେ ସେ ମାନ ଅଭିମାନ କରିଥିଲେ । ମାନ ଅଭିମାନ ବୋଧେ ତୁଟିଗଲା । ଏବେ ତାକୁ ମେକ ଅପ୍ କରିବା ଲାଗି କିଛି କଥା କହିଥିବେ । ତାଙ୍କ କଥାରେ କିଛି ବାସ୍ତବତା ନାହିଁ । ଏହା ଅବାନ୍ତର ମନ୍ତବ୍ୟ । ଯେତେବେଳେ ନିଜର ମାନ ଅଭିମାନ ତୁଟିଯାଏ, ସେତେବେଳେ ନିଜର ପ୍ରଭୁଙ୍କ ନିକଟରେ ଆନ୍ତରିକତା ଦେଖାଇବା ପାଇଁ ସେ ଟିକେ ଅଧିକ କଥା କୁହନ୍ତି । ସୁଶାନ୍ତ ସିଂ ସେହି ଧାରାରେ ଅବାସ୍ତବ ମନ୍ତବ୍ୟ ଦେଇଛନ୍ତି । ସୁଶାନ୍ତ ସିଂ ଜଣେ ରାଜନୈତିକ ଗଣିତଜ୍ଞ ନୁହଁନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.