୨୦୨୪ ପାଇଁ ଅଣ୍ଟା ଭିଡ଼ୁଛି କଂଗ୍ରେସ, ଉଭୟ ସରକାରର ବିଫଳତା ନେଇ ଲୋକଙ୍କ ପାଖରେ ପହଞ୍ଚିବାକୁ ପ୍ରସ୍ତୁତ

author img

By

Published : Jan 22, 2023, 11:05 PM IST

କଂଗ୍ରେସ ବିଧାୟକ ସୁର ରାଉତରାୟ

ହକି ବିଶ୍ବକପ ଆୟୋଜନର ଶ୍ରେୟ ନବୀନ ପଟ୍ଟନାୟକଙ୍କୁ ଦେଇ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଏବେଠାରୁ ପ୍ରଚାର ଆରମ୍ଭ କଲାଣି ବିଜେଡି । ବିଜେପି ମଧ୍ୟ ରବିବାରଠାରୁ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆୟୋଜନ କରି ରଣନୀତି ପ୍ରସ୍ତୁତ କରିଛି । ସେପଟେ କଂଗ୍ରେସ ମଧ୍ୟ ପ୍ରସ୍ତୁତ ରହିଥିବା କହିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ । ଅଧିକ ପଢ଼ନ୍ତୁ

କଂଗ୍ରେସ ବିଧାୟକ ସୁର ରାଉତରାୟ

ଭୁବନେଶ୍ବର: ୨୦୨୪ରେ ସାଧାରଣ ନିର୍ବାଚନ ଆସୁଥିବାରୁ ପ୍ରମୁଖ ରାଜନୈତିକ ଦଳ ଗୁଡ଼ିକ ଏବେ କ୍ଷମତା ହାସଲ କରିବାକୁ ଭିନ୍ନଭିନ୍ନ ରଣନୀତି ଆପଣାଉଛନ୍ତି । ରାଜ୍ୟରେ ଆୟୋଜିତ ହକି ବିଶ୍ବକପର ଶ୍ରେୟ ନବୀନ ପଟ୍ଟନାୟକଙ୍କୁ ଦେଇ ଏବେଠାରୁ ପ୍ରଚାର ଆରମ୍ଭ କରିଛି ବିଜେଡି । ବିଜେପି ପକ୍ଷରୁ ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କ ଘନଘନ ଓଡ଼ିଶା ଗସ୍ତ ପରେ ରବିବାରଠାରୁ ଆରମ୍ଭ ହୋଇଛି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ । ତେବେ କଂଗ୍ରେସ ମଧ୍ୟ ପଛରେ ନାହିଁ । ଜାନୁଆରୀ ୨୬ରୁ ହାଥ୍‌ ସେ ହାଥ୍‌ ଯୋଡ଼ୋ ଯାତ୍ରା ଆରମ୍ଭ କରିବା ସହ AICC ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀଙ୍କୁ ଓଡ଼ିଶା ଗସ୍ତରେ ଆଣି ରଣନୀତି ପ୍ରସ୍ତୁତ କରିବା ପାଇଁ ଦଳ ସଜବାଜ ହେଉଥିବା ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି ।

ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ଏନେଇ ଶାସକ ବିଜେଡି ସମ୍ପୂର୍ଣ୍ଣ ପ୍ରସ୍ତୁତି ଆରମ୍ଭ କରିଦେଇଛି । ସାଙ୍ଗଠନିକ କ୍ଷେତ୍ରରେ ବରିଷ୍ଠ ନେତାମାନଙ୍କୁ ଦାୟିତ୍ବ ଦିଆଯାଇଛି । ତୃଣମୂଳ ସ୍ତରରୁ ସଂଗଠନକୁ ଅଧିକ ମଜଭୁତ କରିବା ସହ ଦଳ କିଭଳି କ୍ଷମତାକୁ ଆସିବ ସେନେଇ ଦଳର ମୁଖିଆ ନବୀନଙ୍କ ସ୍ବଚ୍ଛ ଶାସନକୁ ଆଧାର କରି ଆଗକୁ କାର୍ଯ୍ୟକ୍ରମ ସ୍ଥିର କରିଛି । ହକି ବିଶ୍ବକପ ଆୟୋଜନ କରି ତାର ଶ୍ରେୟ ନବୀନଙ୍କୁ ଦେବା ସହ ରାଜ୍ୟର ବିକାଶ ପୁରୁଷ ଏକ ଆଉ ଅଦ୍ବିତୀୟ ନେତା ବୋଲି ପ୍ରଚାରକୁ ଜୋରଦାର କରିଛି ଶାସକ ବିଜେଡି । ସମସ୍ତ ଛାମୁଆ ସଂଗଠନକୁ ଅଧିକ କ୍ରିୟାଶୀଳ କରି ସବୁ ବର୍ଗଙ୍କ ସହାନୁଭୂତି ଜିତିବାର ଏକ ଯୋଜନା କାର୍ଯ୍ୟକାରୀ କରିବାରେ ବିଜେଡି ପ୍ରମୁଖ ରାଜନୈତିକ ଦଳଗୁଡ଼ିକଠାରୁ ଆଗରେ ରହିଛି ।

ବିଜେପି ମଧ୍ୟ ରାଜ୍ୟରେ କ୍ଷମତା ହାସଲ କରିବା ପାଇଁ ରଣହୁଙ୍କାର ଦେଇଛି । କେନ୍ଦ୍ରୀୟ ପ୍ରଭାରୀଙ୍କଠାରୁ ଦଳୀୟ ନେତା କର୍ମୀ ମାରାଥନ ଆଲୋଚନା କରି ବୁଥସ୍ତରରୁ ସଂଗଠନକୁ ଅଧିକ ସୁଦୃଢ଼ କରାଯିବା ନେଇ ଆଲୋଚନା ଜୋରଦାର କରିଛନ୍ତି । ସେପଟେ କଂଗ୍ରେସ ମଧ୍ୟ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରାର ସମ୍ପୂର୍ଣ୍ଣ ଫାଇଦା ନେବାକୁ ପ୍ରସ୍ତୁତି ଆରମ୍ଭ କରିଛି । ଏନେଇ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, "କଂଗ୍ରେସର ରୋଡ୍‌ମ୍ୟାପ୍‌ ପ୍ରସ୍ତୁତି ସରିଛି । ଆଗକୁ ଦାୟିତ୍ବ ବଣ୍ଟନ କରାଯିବ । ରାହୁଲ ଗାନ୍ଧୀଙ୍କ ପଦଯାତ୍ରା ଶେଷ ହେବାପରେ AICC ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଓଡ଼ିଶା ଗସ୍ତରେ ଆସିବେ । ସଂଗଠନକୁ ସୁଦୃଢ କରି ଆଗକୁ ବଢିବ କଂଗ୍ରେସ । ରାଜ୍ୟରେ ଯେଉଁଭଳି ନାରୀ ନିର୍ଯାତନା, ଦରଦାମ ବୃଦ୍ଧି, ବେକାରୀ ସମସ୍ୟା ବୃଦ୍ଧି, ଚାଷୀ ହତାଶ, ଏଭଳି ବିଭିନ୍ନ ସମସ୍ୟାକୁ ନେଇ ଓଡିଶାବାସୀଙ୍କ ପାଖରେ ରଖିବ କଂଗ୍ରେସ ।" ତେବେ କଂଗ୍ରେସ ଆଗକୁ ହାଥ୍‌ ସେ ହାଥ୍‌ ଯୋଡୋ ପଦଯାତ୍ରା ଆରମ୍ଭ କରିବ । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତାକୁ ସାଧାରଣ ଜନତାଙ୍କ ଆଗରେ ପ୍ରକାଶ କରି ଲୋକଙ୍କ ଆସ୍ଥାଭାଜନ ହେବାକୁ ଦଳ ପ୍ରୟାସ କରୁଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.