ଅଧାରେ ଅଟକିଲା ଉତ୍କଳ ବିଶ୍ଵବିଦ୍ୟାଳୟର ନୂତନ ଫାଟକ ନିର୍ମାଣ

ଅଧାରେ ଅଟକିଲା ଉତ୍କଳ ବିଶ୍ଵବିଦ୍ୟାଳୟର ନୂତନ ଫାଟକ ନିର୍ମାଣ
ହଜିଗଲାଣି ଉତ୍କଳ ବିଶ୍ଵବିଦ୍ୟାଳୟର ନୂତନ ଫାଟକ ସ୍ବପ୍ନ । ତିଆରି ହୋଇପାରୁନି ଉତ୍କଳ ବିଶ୍ଵବିଦ୍ୟାଳୟର ନୂତନ ଫାଟକ । ଫଳରେ ରଙ୍ଗ୍ରୁଟ ଦେଇ ଯାତାୟତ କରୁଛନ୍ତି ଲୋକେ । ଅଧିକ ପଢ଼ନ୍ତୁ
ଭୁବନେଶ୍ବର: ଅଧାରେ ଅଟକିଲା ଉତ୍କଳ ବିଶ୍ଵବିଦ୍ୟାଳୟର ନୂତନ ଫାଟକ ନିର୍ମାଣ । ବାଣୀବିହାର ଛକରୁ ଗଙ୍ଗୁଆ ନାଳ ଦେଇ ନୂଆ ରୋଡରେ ପ୍ରବେଶ ଫାଟକ ନିର୍ମାଣ ହେବାର ଥିଲା । ଆଖିଦୃଶିଆ ଗେଟ୍ ସାଙ୍ଗକୁ ପ୍ରଶସ୍ତ ରାସ୍ତା ଏବଂ ରାସ୍ତାର ଦୁଇ ପାର୍ଶ୍ବର ସୌନ୍ଦର୍ଯ୍ୟକରଣ ଏବେ ସ୍ବପ୍ନ ପାଲଟିଛି । ନିଜେ କୁଳପତି ଗତବର୍ଷ ଏଭଳି ପ୍ରୋଜେକ୍ଟକୁ ସ୍ବାଗତ କରିବାସହ ତୁରନ୍ତ କାର୍ଯ୍ୟ ଆରମ୍ଭ ହୋଇ ଶେଷ ହେବ ବୋଲି କହିଥିଲେ । କିନ୍ତୁ ବର୍ତ୍ତମାନ ତାହା ଯେମିତି କେବଳ ସ୍ବପ୍ନ ପଲଟିଯାଇଛି ।
ଉତ୍କଳ ବିଶ୍ୱବିଦ୍ୟାଳୟକୁ ପ୍ରବେଶ କରିବାକୁ ହେଲେ ବାଣୀବିହାରଠାରୁ ରଙ୍ଗ ରୁଟ୍ ଦେଇ ଆସିବାକୁ ପଡୁଛି । ଯାହା ନିୟମ ଅନୁଯାୟୀ ଅପରାଧ । ବାରମ୍ବାର ଏହି ରଙ୍ଗରୁଟ୍ରେ ଯିବା ଆସିବା କରିବା ଦ୍ଵାରା ଅନେକ ସମୟରେ ମଧ୍ୟ ଦୁର୍ଘଟଣା ଘଟୁଛି । ସେପଟେ ବିଶ୍ବବିଦ୍ୟାଳୟର ଗୋଟିଏ ମୁଖ୍ୟ ଗେଟ୍ ଥିବାରୁ ସେହି ଗେଟ୍ ଦେଇ ପ୍ରବେଶ ଓ ପ୍ରସ୍ଥାନ ରହିଛି । ବିଶେଷ ଭାବରେ ଯେଉଁମାନେ ବାଣୀବିହାର ଦେଇ ଆସୁଛନ୍ତି ସେମାନେ ରଙ୍ଗ୍ ରୁଟରେ ଆସୁଛନ୍ତି । କିନ୍ତୁ ଯେଉଁ ମାନେ ଭିଏସ ନଗର ଦେଇ ଆସୁଛନ୍ତି ସେମାନେ ଅଧିକ ବାଟ ବୁଲି ବିଶ୍ଵବିଦ୍ୟାଳୟ ମଧ୍ୟକୁ ପ୍ରବେଶ କରୁଛନ୍ତି । କାରଣ ମୁଖ୍ୟ ଫାଟକକୁ ଛାଡିଦେଲେ ବାକି ଦୁଇଟି ଗେଟ୍ ବନ୍ଦ ରହିଛି ।
ଏନେଇ ଉତ୍କଳ ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀ କହିଛନ୍ତି ଯେ, ଗତବର୍ଷ ସମାବର୍ତ୍ତନ ଉସବରେ ମନ୍ତ୍ରୀ ଓ ପରବର୍ତ୍ତୀ ସମୟରେ କୁଳପତି ସବିତା ଆଚାର୍ଯ୍ୟ ମଧ୍ୟ ସୂଚନା ଦେଇଥିଲେ ଖୁବ ଶୀଘ୍ର ଏହି ପ୍ରକଳ୍ପ ଆରମ୍ଭ ହେବ । ଇତି ମଧ୍ୟରେ ବର୍ଷେ ବିତିଗଲେ ବି ବର୍ତ୍ତମାନ ସୁଦ୍ଧା ହୋଇପାରିଲା ନାହିଁ ବିଶ୍ଵବିଦ୍ୟାଳୟର ନୂତନ ଫାଟକ । ଏଠାରେ ଅନେକ ସମୟରେ ଦୁର୍ଘଟଣା ଘଟୁଛି । ନୂଆ ରାସ୍ତା ହେଲେ ଛାତ୍ରଛାତ୍ରୀ ଆଉ ଦୁର୍ଘଟଣାର ଶିକାର ହେବେ ନାହିଁ ।
ନବକଳେବର ହେଲେ ରାଜ୍ୟ ତଥା ରାଜ୍ୟ ବାହାରୁ ଆହୁରି ଅଧିକ ଛାତ୍ରଛାତ୍ରୀ ପାଠ ପଢିବା ପାଇଁ ମଧ୍ୟ ଆଗ୍ରହ ସୃଷ୍ଟି କରିବେ । କାରଣ ମୁଖଶାଳାରୁ ହିଁ ବିଶ୍ବବିଦ୍ୟାଳୟର ପ୍ରକୃତ ଅସ୍ତିତ୍ଵ ଜଣାପଡିବ । ଏହାସହ ରାଜ୍ୟ ସରକାର ଓ କୁଳପତିଙ୍କୁ ଛାତ୍ରଛାତ୍ରୀ ଅନୁରୋଧ କରିଛନ୍ତି ଯେ, ଖୁବଶୀଘ୍ର ଏହି ଯୋଜନା କାର୍ଯ୍ୟକାରୀ କରନ୍ତୁ । ଯାହାଦ୍ଵାରା ପିଲାମାନେ ମଧ୍ୟ ବିଭିନ୍ନ ସମସ୍ୟାରୁ ମୁକୁଳି ପାରିବେ ।
ଏପଟେ ଉତ୍କଳ ବିଶ୍ଵବିଦ୍ୟାଳୟର ଜଣେ ଅଧିକାରୀ କହିଛନ୍ତି ଯେ, ବର୍ତ୍ତମାନ ଏହି ଯୋଜନା ସ୍ଥଗିତ ରଖାଯାଇଛି । ରାଜ୍ୟସରକାର କି ବିଶ୍ଵବିଦ୍ୟାଳୟ ପକ୍ଷରୁ ତାହା ଅସ୍ପଷ୍ଟ ରହିଛି । ହେଲେ ଏହି ପ୍ରକଳ୍ପ ହେଲେ ବହୁତ ଭଲ ହେବାସହ ରଙ୍ଗ୍ରୁଟରେ ଘଟୁଥିବା ଦୁର୍ଘଟଣା କମିପାରିବ । ଏହାସହ ବାହାରକୁ ବହୁତ ସୁନ୍ଦର ଲାଗିବ ବୋଲି କହିଛନ୍ତି ।
ସୂଚନା ଅନୁଯାୟୀ, ଉତ୍କଳ ବିଶ୍ବବିଦ୍ୟାଳୟ ମୁଖ୍ୟ ମୁଖଶାଳାର ନବକଳେବରକୁ ନେଇ ସମସ୍ତେ ଦେଖିଥିଲେ ସ୍ବପ୍ନ । ବାଣୀବିହାର ଛକରୁ ଗଙ୍ଗୁଆ ନାଳ ଦେଇ ନୂଆ ରୋଡରେ ପ୍ରବେଶ ଫାଟକ ନିର୍ମାଣ ସମେତ ଆଖିଦୃଶିଆ ଗେଟ୍ ସାଙ୍ଗକୁ ପ୍ରଶସ୍ତ ରାସ୍ତା ଏବଂ ରାସ୍ତାର ଦୁଇ ପାର୍ଶ୍ବର ସୌନ୍ଦର୍ଯ୍ୟକରଣ ହେବାର ଥିଲା । ଏହି ପ୍ରକଳ୍ପର କାମ ପୋଲିସ ହାଉସିଂ ହାତକୁ ନେଇଥିଲା । ଡିଜାଇନ୍ କରିଥିଲେ ଓଡ଼ିଆ ଆର୍କିଟେକ ରୂଚିପୂର୍ଣ୍ଣା ଜେନା ।
ଏହାର ନିର୍ମାଣ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ କରାଯିବାକୁ ଯୋଜନା କରାଯାଇଥିଲା । ଏଥିରେ ମୁଖ୍ୟ ଫାଟକ ସମେତ ସୁରକ୍ଷାକର୍ମୀ ରୁମ, ସିସିଟିଭି, ଉଭୟ ପାର୍ଶ୍ବରେ ୯ ମିଟର ଲେଖାଏଁ ପକ୍କା ରାସ୍ତା, ରାସ୍ତାର ଦୁଇ କଡରେ ୬ ଫୁଟ ଲେଖାଏଁ ପାଦଚଲା ରାସ୍ତା ନିର୍ମାଣ କରାଯିବାର ଯୋଜନା ରହିଛି । ଗଙ୍ଗୁଆ ନାଳ ଦେଇ ଯାଇଥାନ୍ତା ପ୍ରଶସ୍ତ ରାସ୍ତା । ଯେଉଁଥିପାଇଁ ବାଣୀବିହାର ଛକରେ ଥିବା ଦୋକାନ ଗୁଡିକୁ ଉଚ୍ଛେଦ କରିବା ପାଇଁ ବିଡିଏ ଓ ବିଏମସିକୁ ଚିଠି ଲେଖିଥିଲେ କୁଳପତି । ବାଣୀବିହାର ବିଶ୍ବବିଦ୍ୟାଳୟକୁ ଆକର୍ଷଣୀୟ କରିବାସହ କ୍ୟାମ୍ପସରେ ଏକ ଶୃଙ୍ଖଳିତ ଶୈଖିକ ବାତାବରଣ ସୃଷ୍ଟି କରିବା ପାଇଁ ବାଣୀବିହାର ସେଣ୍ଟ୍ରାଲ ଭିଷ୍ଟା ପ୍ରୋଜେକ୍ଟ ଖୁବଶୀଘ୍ର ଆରମ୍ଭ କରାଯିବାକୁ ବୋଲି ଯୋଜନା କରାଯାଇଥିଲା । ଏଥିପାଇଁ ୨୫ କୋଟି ଟଙ୍କାର ବ୍ୟୟ ବରାଦ ହୋଇଥିଲା ।
ଇଟିଭି ଭାରତ, ଭୁବନେଶ୍ବର
