Odisha Cabinet Meeting: 'ମୋ ଘର' ଯୋଜନାରେ ବାଜିପାରେ ମୋହର

author img

By

Published : May 29, 2023, 8:54 AM IST

Updated : May 29, 2023, 9:10 AM IST

ଆଜି ରାଜ୍ୟ କ୍ୟାବିନେଟ ବୈଠକ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧକ୍ଷତାରେ ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ । 10ରୁ ଅଧିକ ପ୍ରସ୍ତାବ ଉପରେ ବାଜିପାରେ ମୋହର । ଅଧିକ ପଢନ୍ତୁ

ଭୁବନେଶ୍ବର: ଆଜି ରାଜ୍ୟ କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧକ୍ଷତାରେ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ । ପୂର୍ବାହ୍ନ 10ଟା 30ରେ ଲୋକସେବା ଭାବନରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ 10ରୁ ଅଧିକ ପ୍ରସ୍ତାବ ଉପରେ ମୋହର ବାଜିବାର ସମ୍ଭାବାନା ରହିଛି । କେତେକ ବଡ ନିଷ୍ପତ୍ତି ଉପରେ ମୋହର ବାଜିପାରେ । ବିଶେଷ କରି ରାଜ୍ୟବାସୀଙ୍କ ପାଇଁ ନିଜସ୍ୱ ଯୋଜନା 'ମୋ ଘର' ନେଇ ଘୋଷଣା କରିବାକୁ ଯାଉଛନ୍ତି ଓଡିଶା ସରକାର । ରାଜ୍ୟ କ୍ୟାବିନେଟ ଅନୁମୋଦନ ପରେ ଘୋଷଣା କରିବେ କରିବେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ।

ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ମାଷ୍ଟର ଷ୍ଟ୍ରୋକ ଖେଳିବାକୁ ଯାଉଛନ୍ତି । ରାଜ୍ୟ ସରକାର ଘୋଷଣା କରିବାକୁ ଯାଉଛନ୍ତି 'ମୋ ଘର' ଯୋଜନା । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କା ଘର ଯୋଜନାରୁ ବାଦ ପଡୁଥିବା ଲୋକଙ୍କୁ ଏହି ଯୋଜନାରେ ସାମିଲ କରାଯିବ । ଏହି ଯୋଜନାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପୂର୍ବାହ୍ନ 10.30ରେ ବସିବାକୁ ଥିବା ରାଜ୍ୟ କ୍ୟାବିନେଟ ଅନୁମୋଦନ ଦେଇପାରେ । ଏହା ସହ ସଦସ୍ୟ ଓ ସଦସ୍ୟାଙ୍କ ସଂଖ୍ୟା ବଢ଼ିଥିବାରୁ ଯେଉଁମାନେ ନିଜ ଘର ବଢ଼େଇବାକୁ ଚାହୁଁଥିବେ ସେମାନଙ୍କୁ ଏହି ଯୋଜନାରେ ସାମିଲ କରାଯିବ ।

ଏହି ଯୋଜନା ଅନ୍ତର୍ଗତ ସମ୍ପୃର୍ଣ୍ଣ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ଏହି ଯୋଜନାରେ ନୂଆ ଘର ନିର୍ମାଣ, ଘର ସମ୍ପ୍ରସାରଣ, ପୁନଃ ନିର୍ମାଣ ଓ ଅଧା କାମ ସମ୍ପୂର୍ଣ୍ଣ କରିବା । ଏହି ଯୋଜନା ଅନ୍ତର୍ଗତ ହିତାଧିକାରୀଙ୍କ ପାଇଁ ସୁଲଭ ମୂଲ୍ୟରେ ସବସିଡି ଯୁକ୍ତ ଲୋନ ଯୋଗାଇ ଦେବେ ସରକାର । 4ଟି ସ୍ଲାବରେ ଲୋନ ମିଳିବ । 1 ଲକ୍ଷ, 1.50 ଲକ୍ଷ, 2 ଲକ୍ଷ ଓ 3 ଲକ୍ଷ । 10 ବର୍ଷରେ ଏହି ଲୋନ ସୁଝିବାକୁ ପଡିବ । ଏହା ସହ ବର୍ଷଟେ ମୋରାଟୋରିୟମ ପରିୟଡ଼ ରହିବ । ଉଭୟ ସାଧାରଣ ଓ ଏସିଏସଟିଙ୍କ ଲାଗି ସବସିଡି ବ୍ୟବସ୍ଥା ରହିଛି ।

1 ଲକ୍ଷରେ ସାଧାରଣ ବର୍ଗ ପାଇଁ 30 ହଜାର ଓ ଏସିଏସଟି/ଭିନ୍ନକ୍ଷମଙ୍କ ପାଇଁ 40 ହଜାର, 1.50 ଲକ୍ଷରେ ସାଧାରଣ 45 ହାଜର ଓ ଏସିଏସଟି/ଭିନ୍ନକ୍ଷମଙ୍କ ପାଇଁ 55 ହଜାର, 2 ଲକ୍ଷରେ ସାଧାରଣଙ୍କ ପାଇଁ 60 ହଜାର ଓ ଏସିଏସଟି/ଭିନ୍ନକ୍ଷମଙ୍କ ପାଇଁ 70 ହଜାର, 3 ଲକ୍ଷରେ ମଧ୍ୟ 60 ହଜାର ଓ ଏସିଏସଟି/ଭିନ୍ନକ୍ଷମଙ୍କ ପାଇଁ 70 ହଜାର ସବସିଡି ବ୍ୟବସ୍ଥା ରହିଛି । ଯେଉଁମାନଙ୍କର ପକ୍କା ଘର ନାହିଁ କିମ୍ବା କଚ୍ଚା ଘରେ ରହୁଛନ୍ତି ସେମାନେ ଏହି ଯୋଜନାର ସାମିଲ ହୋଇପାରିବେ । ପରିବାରର ରୋଜଗାର ମାସକୁ 25 ହାଜରରୁ କମ ହୋଇଥିବ । ଘରେ କୌଣସି ପ୍ରକାର 4 ଚକିଆ ଯାନ ନଥିବ । ଘରର କୌଣସି ସଦସ୍ୟ ସରକାରୀ କିମ୍ବା ପିଏସୟୁରେ ଚାକିରି କରିନଥିବେ ଓ ପେନସନ ଗ୍ରହଣ କରୁନଥିବେ । ପରିବାର 5 ଏକରରୁ କମ ଜଳସେଚିତ ଓ 15 ଏକରୁ କମ ଅଣ ଜଳସେଚିତ ଜମି ଥିବ । ସେମାନେ ଏହି ଯୋଜନାରେ ସାମିଲ ହୋଇପାରିବେ ।

ଏହି ଲୋନ ପାଇଁ ବ୍ୟାଙ୍କ କୌଣସି ପ୍ରସେସିଂ ଫି ମାଗିବ ନାହିଁ । ଏହି ଯୋଜନା ପାଇଁ ଏକ ୱେବ ପୋର୍ଟାଲ ଜାରି କରାଯିବ । https://rhodisha.gov.in/moghara ଜରିଆରେ ଆବେଦନ କରି ହେବ । 15 ଜୁନ 2023 ସୁଦ୍ଧା ଆବେଦନ ଗ୍ରହଣ କରାଯିବ । ହିତାଧିକାରୀ ନିଜେ କିମ୍ବା ମୋ ସେବା କେନ୍ଦ୍ରକୁ ଯାଇ ଏହି ଯୋଜନା ପାଇଁ ଆବେଦନ କରିପାରିବେ । ପାସପୋର୍ଟ ସାଇଜ ଫଟୋ, ଆଧାର କାର୍ଡ, ଜାତି ପ୍ରମାଣ ପତ୍ର, ଭିନ୍ନକ୍ଷମ ପ୍ରମାଣ ପତ୍ର, ରୋଜଗାର ପ୍ରମାଣ ପତ୍ର, ଜମି ପ୍ରମାଣ ପତ୍ର ଆବଶ୍ୟକ ।

ସେହିପରି ରାଜ୍ୟ କ୍ୟାବିନେଟ ଆଉ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ମୋହର ବାଜିପାରେ । ପ୍ରାୟ 10ରୁ ଉର୍ଦ୍ଧ୍ବ ପ୍ରସ୍ତାବକୁ ଅନୁମୋଦ ନେଇପାରନ୍ତି କ୍ୟାବିନେଟ । ସେହିପରି ଭିତ୍ତିଭୂମି ବିକାଶ, ପାନୀୟ ଜଳ, ସହରାଞ୍ଚଳ ବିକାଶର କିଛି ପ୍ରସ୍ତାବକୁ ମୋହର ମାରିବ କ୍ୟାବିନେଟ ।

ଇଟିଭି ଭାରତ, ଭୁବନେଶ୍ବର

Last Updated :May 29, 2023, 9:10 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.