ପ୍ରମୁଖ ଶାସନ ସଚିବଙ୍କ କଡା ନିର୍ଦ୍ଦେଶ: ୩ ମାସ ପାଇଁ ଅନୁମୋଦିତ ବ୍ୟୟ ବରାଦକୁ ଜୁନ ସୁଦ୍ଧା ଖର୍ଚ୍ଚ କର

author img

By

Published : May 26, 2023, 12:28 PM IST

review meeting

ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ଗ୍ରାମ୍ୟ ଉନ୍ନୟନ ବିଭାଗ ସମ୍ମିଳନୀ କକ୍ଷରେ ସମୀକ୍ଷା ବୈଠକ ଅନୁଷ୍ଠିତ । ଅଧିକ ପଢନ୍ତୁ

ଭୁବନେଶ୍ବର: ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ ବିଭାଗ ଅଧିନରେ ଥିବା ସମସ୍ତ ଯୋଜନାର କରିଛନ୍ତି ସମୀକ୍ଷା । ଏନେଇ ଲୋକସେବା ଭବନ ଗ୍ରାମ୍ୟ ଉନ୍ନୟନ ବିଭାଗ ସମ୍ମିଳନୀ କକ୍ଷରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ୨୦୨୩-୨୪ ଆର୍ଥିକ ବର୍ଷରେ ବିଭିନ୍ନ ପ୍ରକଳ୍ପ ନିମନ୍ତେ ପ୍ରଥମ ୩ ମାସ ପାଇଁ ଅନୁମୋଦିତ ବ୍ୟୟ ବରାଦକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଖର୍ଚ୍ଚ କରିବା ପାଇଁ ସେ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ପ୍ରଥମ ୩ ମାସ ପାଇଁ ବିଭାଗ ବଜେଟର ୨୫ ପ୍ରତିଶତ ବ୍ୟୟ ଧାର୍ଯ୍ୟ ଥିଲେ ମଧ୍ୟ ଅନେକ ଡିଭିଜନରେ ଏହି ଲକ୍ଷ୍ୟ ହାସଲ ହୋଇପାରିନାହିଁ । ଏନେଇ ଆସନ୍ତା ଜୁନ ମାସ ଶେଷ ସୁଦ୍ଧା ପ୍ରଥମ ତ୍ରୈମାସିକ ଅନୁଦାନ ସମ୍ପୂର୍ଣ୍ଣ ବ୍ୟୟ କରିବା ପାଇଁ ସେ କଡା ନିର୍ଦ୍ଦେଶ ଦେଇଛନ୍ତି । ଏହି ଅବହେଳା ପାଇଁ ସର୍ବୋଚ୍ଚ ଯନ୍ତ୍ରୀ ଓ ମୁଖ୍ୟ ଯନ୍ତ୍ରୀ ଉତ୍ତରଦାୟୀ ରହିବେ । ସେହିପରି କ୍ଷେତ୍ରୀୟ ସ୍ତରରେ ବ୍ୟୟ ପାଇଁ ମଗା ଯାଉଥିବା ଅନୁଦାନ ରାଶି ୪୮ ଘଣ୍ଟା ଭିତରେ ମିଳିଯିବା ଜରୁରୀ । ତେଣୁ ମୁଖ୍ୟଯନ୍ତ୍ରୀମାନେ ଏଥିପ୍ରତି ଯତ୍ନବାନ ହେବା ସହ ଆଗାମୀ ବୈଠକରେ ଏହାକୁ ସୁନିଶ୍ଚିତ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ସେହିପରି ପ୍ରକଳ୍ପ ସମ୍ପୂର୍ଣ୍ଣ ପାଇଁ ଡିଭିଜନମାନେ ବିଭାଗକୁ ଦେଉଥିବା ସମୟ ସୀମା କୌଣସି ପରିସ୍ଥିତିରେ ପାର ହେବା ଉଚିତ ନୁହେଁ । ତେଣୁ ଯୋଗାଯୋଗ ପାଇଁ ଏଣିକି ବିଭାଗକୁ ପ୍ରେରିତ ସମସ୍ତ ଚିଠିପତ୍ର ଓସ୍ୱାସ ମାଧ୍ୟମରେ ପଠାଇବାକୁ ସମସ୍ତ କ୍ଷେତ୍ରୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରାରମ୍ଭରେ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲ ସର୍ବୋଚ୍ଚ ପ୍ରାଥମିକତା ପ୍ରକଳ୍ପ ଗୁଡିକର ଆସନ୍ତା ଜୁନ ୭ ତାରିଖ ସୁଦ୍ଧା ଟେଣ୍ଡର ପ୍ରକ୍ରିୟା ଶେଷ କରି ୨୦୨୪ ଫେବୃଆରୀ ସୁଦ୍ଧା ପ୍ରକଳ୍ପ ସାରିବାକୁ ବିଭାଗୀୟ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ବୈଠକରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା, ମୁଖ୍ୟମନ୍ତ୍ରୀ ସଡକ ଯୋଜନା, କୋଠାବାଡି, ଗ୍ରାମ୍ୟ ଉନ୍ନୟନ ବିଭାଗର ସମସ୍ତ ଯୋଜନା ସମ୍ପର୍କରେ ଆଲୋଚନା କରାଯାଇଛି ।

ତେବେ ବିଗତ ବର୍ଷରେ ଆରମ୍ଭ କରାଯାଇଥିବା ପ୍ରକଳ୍ପ ଗୁଡିକ ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ଚଳିତ ୨୦୨୩-୨୪ ଆର୍ଥିକ ବର୍ଷରେ ହାତକୁ ନିଆ ଯାଇଥିବା ଯୋଜନା ଓ ପ୍ରକଳ୍ପଗୁଡିକର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟର ସମସ୍ତ ୬୦ଟି ଡିଭିଜନ ଏବଂ ୧୩ଟି ଇଞ୍ଜିନିୟରିଂ ସର୍କଲ ସଂସ୍ଥାର ମୁଖ୍ୟଯନ୍ତ୍ରୀ ଏବଂ ସର୍ବୋଚ୍ଚ ଯନ୍ତ୍ରୀମାନେ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ଏଥିସହ ସର୍କଲ ଓ ଡିଭିଜନର ସମସ୍ତ ଯନ୍ତ୍ରୀମାନଙ୍କୁ ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମର ଅଗ୍ରଗତି ଓ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ପ୍ରମୁଖ ଶାସନ ସଚିବ ପଚାରି ବୁଝିଥିଲେ । ତେବେ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସ୍ୱତନ୍ତ୍ର ଶାସନ ସଚିବ ସୁଦର୍ଶନ ପରିଡା, ଇଆଇସି ଅକ୍ଷୟ କୁମାର ପ୍ରଧାନ, ଇଆଇସି ପ୍ରଦୀପ ସାମଲଙ୍କ ସମେତ ବିଭାଗୀୟ ବରିଷ୍ଠ ପଦାଧିକାରୀ ଯୋଗ ଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.