ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତର ଆଜି ଦ୍ବିତୀୟ ଦିନ, ସ୍ବାଗତ ଅପେକ୍ଷାରେ ଭିସୁଟ
ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତର ଆଜି ଦ୍ବିତୀୟ ଦିନ, ସ୍ବାଗତ ଅପେକ୍ଷାରେ ଭିସୁଟ
ତିନି ଦିନିଆ ଓଡିଶା ଗସ୍ତରେ ଆସିଥିବା ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଦ୍ବିତୀୟ ଦିନରେ ସମ୍ବଲପୁର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଅଧିକ ପଢନ୍ତୁ
ଭୁବନେଶ୍ବର: 3 ଦିନିଆ ଓଡ଼ିଶା ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆଜି ଦ୍ବିତୀୟ ଦିନ । ଆଜି (ମଙ୍ଗଳବାର) ରାଇରଙ୍ଗପୁର ଓ ସମ୍ବଲପୁରରେ ରାଷ୍ଟ୍ରପତିଙ୍କ ବିଭିନ୍ନ କାର୍ଯ୍ୟକ୍ରମ ରହିଛି । ସମୟ 8ଟା 15ରୁ 9ଟା 15 ମିନିଟ ମଧ୍ୟରେ ରାଷ୍ଟ୍ରପତି ତାଙ୍କ ଶାଶୂଘର ପାହାଡପୁର ଗସ୍ତ କରିବେ । ସେଠାରେ ଏସଏଲଏସ ସ୍ମାରକୀ ଆବାସିକ ବିଦ୍ୟାଳୟ ପରିସରରେ ସ୍ବାମୀ ଓ ଦୁଇ ପୁଅଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ଏହାପରେ ସେଠାରେ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେବେ । ପରେ ସେଠାରେ ନିର୍ମିତ ସ୍କିଲ ଟ୍ରେନିଂ ସେଣ୍ଟରକୁ ଉଦଘାଟନ କରିବେ ।
ଏହାପରେ ବାଦାମପାହାଡ ରେଳ ଷ୍ଟେସନ ଗସ୍ତ କରି ସେଠାରେ ତିନୋଟି ଟ୍ରେନକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବେ । ବାଦାମପାହାଡ ରେଳ ଷ୍ଟେସନ ନବୀକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ସହିତ ବାଦାମପାହାଡରୁ ରାଇରଙ୍ଗପୁର ଟ୍ରେନ ଯାତ୍ରା କରିବେ । ରାଇରଙ୍ଗପୁର ପୋଷ୍ଟ ଅଫିସରେ ଡାକ ବିଭାଗର ଏକ ସ୍ବତନ୍ତ୍ର ଲଫାପା ଉଦଘାଟନ କରିବା ପରେ ସମ୍ବଲପୁର ଅଭିମୁଖେ ଯାତ୍ରା କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
ଆଜି ରାଷ୍ଟ୍ରପତିଙ୍କ ସମ୍ବଲପୁର ଗସ୍ତ: ଓଡ଼ିଶା ଗସ୍ତର ଦ୍ବିତୀୟ ଦିନରେ ରାଇରଙ୍ଗପୁର କାର୍ଯ୍ୟକ୍ରମ ପରେ ସମ୍ବଲପୁର ଗସ୍ତ କରିବେ ରାଷ୍ଟ୍ରପତି । ମାଆ ସମଲେଇଙ୍କ ଦର୍ଶନ ସହ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବ ବିଦ୍ୟାଳୟ (ଭିସୁଟ)ର 15ତମ ସମାବର୍ତ୍ତନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ରାଷ୍ଟ୍ରପତିଙ୍କ ସ୍ବାଗତ ଲାଗି ପ୍ରସ୍ତୁତ ରହିଛି ଭିସୁଟ । ଏହି ସମାବର୍ତ୍ତନ ଉତ୍ସବରେ ସ୍ବର୍ଣ୍ଣପଦକ ପାଇଁ 37 ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି । ଆସନ୍ତାକାଲି (ବୁଧବାର) କିଲାସମା ପଡିଆରେ ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ପକ୍ଷରୁ ଜାତୀୟ ଶିକ୍ଷାନୀତି ଅଧିବେଶନରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
ପ୍ରକାଶ ଥାଉ କି, ଗତକାଲି (ସୋମବାର)ଠୁ 3 ଦିନିଆ ଓଡିଶା ଗସ୍ତରେ ଆସିଥିଲେ ମହାମହିମ । ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୟୂରଭଞ୍ଜ ଗସ୍ତ କରିଥିଲେ । ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ମୟୂରଭଞ୍ଜ ସଦର ମହକୁମା ବାରିପଦାଠାରେ ସର୍ବଭାରତୀୟ ସାନ୍ତାଳୀ ଲେଖକ ସଂଘର 36ତମ ବାର୍ଷିକ ଉତ୍ସବ ଓ ସାହିତ୍ୟ ମହୋତ୍ସବକୁ ଉଦଘାଟନ କରିଥିଲେ । ପରେ ମୟୂରଭଞ୍ଜ ଜିଲ୍ଲାର କୁଳିଅଣାଠାରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟକୁ ଲୋକାର୍ପଣ କରିଥିଲେ ରାଷ୍ଟ୍ରପତି । ଏହାପରେ ରାଇରଙ୍ଗପୁରରେ ପହଞ୍ଚିଥିଲେ ରାଷ୍ଟ୍ରପତି ମୁର୍ମୁ । ଅପରାହ୍ନ ପ୍ରାୟ ସାଢେ ୪ଟାରେ ରାଷ୍ଟ୍ରପତି ପହଞ୍ଚିବା ପରେ ମହୁଲଡିହା ସ୍ଥିତ ପୂର୍ତ୍ତ ବିଭାଗର ଡାକବଙ୍ଗଳାରେ ବିଶେଷ ବ୍ୟକ୍ତିଙ୍କ ସହ ସାକ୍ଷାତ କରିଥିଲେ । ଏହାପରେ ରାଇରଙ୍ଗପୁର ସ୍ଥିତ ନିଜ ବାସଭବନରେ ରାତ୍ରିଯାପନ କରିଥିଲେ ରାଷ୍ଟ୍ରପତି ।
ଇଟିଭି ଭାରତ, ଭୁବନେଶ୍ବର
