ଓଡ଼ିଶାରେ ହେବ ଆଗୁଆ ନିର୍ବାଚନ ! ଅଣ୍ଟା ଭିଡ଼ିଲେଣି ତିନି ପ୍ରମୁଖ ଦଳ

author img

By

Published : May 23, 2023, 6:54 PM IST

ଓଡ଼ିଶାରେ ହେବ ଆଗୁଆ ନିର୍ବାଚନ !

ଓଡ଼ିଶାରେ ଆଗୁଆ ନିର୍ବାଚନ ନେଇ ଚର୍ଚ୍ଚା ଜୋର ଧରିଛି । ଦେଶରେ ୫ ରାଜ୍ୟରେ ହେବାକୁ ଥିବା ସାଧାରଣ ନିର୍ବାଚନ ସହ ଓଡିଶାରେ ମଧ୍ୟ ନିର୍ବାଚନ ହେବ ବୋଲି ସମ୍ଭାବନା ସୃଷ୍ଟି ହୋଇଛି । ତେବେ ଆଗୁଆ ନିର୍ବାଚନ ପାଇଁ ପ୍ରସ୍ତୁତ ଥିବା ତିନି ଦଳର ନେତା ପ୍ରତିକ୍ରିୟା ରଖିଛନ୍ତି । ଅଧିକ ପଢ଼ନ୍ତୁ

ଓଡ଼ିଶାରେ ହେବ ଆଗୁଆ ନିର୍ବାଚନ !

ଭୁବନେଶ୍ବର: ଆସନ୍ତା ନଭେମ୍ବର କିମ୍ବା ଡିସେମ୍ବର ମାସରେ ହୋଇପାରେ ସାଧାରଣ ନିର୍ବାଚନ ! ଦେଶରେ ୫ ରାଜ୍ୟରେ ହେବାକୁ ଥିବା ସାଧାରଣ ନିର୍ବାଚନ ସହ ଓଡିଶାରେ ମଧ୍ୟ ନିର୍ବାଚନ ହେବ ବୋଲି ସମ୍ଭାବନା ସୃଷ୍ଟି ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତରୁ ଏନେଇ ଆଭାସ ମିଳିବାରେ ଲାଗିଛି । ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାରେ ଅଗୁଆ ନିର୍ବାଚନ ନେଇ ଆକଳନ କରିବା ପରେ ଏବେ ଚିତ୍ର କିଛିଟା ସ୍ପଷ୍ଟ ହେବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ରହି ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ କହିବା, ବିବାଦୀୟଙ୍କୁ ବିଦା କରି ବରିଷ୍ଠ ନେତାଙ୍କୁ ମନ୍ତ୍ରୀମଣ୍ଡଳରେ ନେବା ଚର୍ଚ୍ଚାକୁ ଖୋରାକ ଯୋଗାଇଛି । ଆଦିବାସୀ ଭୋଟ ବ୍ୟାଙ୍କକୁ ସୁଦୃଢ କରିବା ଲାଗି ୧୪ ଜିଲ୍ଲାକୁ ଏସଡିସିରେ ସାମିଲ କରିବା, ଭୋଟ ବ୍ୟାଙ୍କଙ୍କୁ ଦୃଷ୍ଟିରେ ରଖି ମନ୍ତ୍ରୀମାନଙ୍କୁ କ୍ୟାବିନେଟରେ ସାମିଲ କରିବା, ଏ ସବୁ ନିର୍ବାଚନ ପ୍ରସ୍ତୁତି ପ୍ରକ୍ରିୟାର ଅଂଶବିଶେଷ ବୋଲି କୁହାଯାଉଛି ।

ସଂଗଠନ ସଜାଡୁଛି ବିଜେଡି: ଏନେଇ ବିଜେଡିର ବରିଷ୍ଠ ଉପସଭାପତି ଦେବୀ ମିଶ୍ର କହିଛନ୍ତି, "ବହୁତ କଥା ଚର୍ଚ୍ଚା ହେଉଛି । କିଛିଦିନ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଗୁଆ ନିର୍ବାଚନ କଥା କହିଥିଲେ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ମଧ୍ୟ ଅଗୁଆ ନିର୍ବାଚନ କଥା କହିଛନ୍ତି । ନିର୍ବାଚନ ଅଗୁଆ ହୋଇପାରେ । ଆଗାମୀ ଦିନରେ ଦେଶର ୫ଟି ରାଜ୍ୟରେ ନିର୍ବାଚନ ହେଉଛି । ଯଦି ନିର୍ବାଚନ କମିଶନ ଚାହାନ୍ତି, ତାହାଲେ ହୋଇପାରେ । କେବଳ ବିଜେଡି ନୁହେଁ, ସବୁ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଯେହେତୁ ନିର୍ବାଚନ ବର୍ଷ, ତେଣୁ ସବୁ ଦଳ ନିଜର ସାଂଗଠନିକ କାର୍ଯ୍ୟ ଜୋରଦାର କରିଛନ୍ତି । ବିଜେଡି ସବୁବେଳେ ବିକାଶର କାର୍ଯ୍ୟକ୍ରମ ସହ ସାଂଗଠନିକ କାର୍ଯ୍ୟ ଜାରି ରଖିଥାଏ । ନିକଟରେ ବିଜେପି କାର୍ଯ୍ୟକାରିଣୀ କରିଛି ।"

ସେ ଆହୁରି କହିଛନ୍ତି, "ବିଜେଡି ସବୁ ବର୍ଗର ପସନ୍ଦର ଦଳ । ଅନ୍ୟ ଦଳଙ୍କ ପରି ଗୋଟିଏ ବର୍ଗର ନୁହେଁ । ସଂଖ୍ୟା ଗରିଷ୍ଠ, ସଂଖ୍ୟା ଲଘୁ, ଆଦିବାସୀ, ହରିଜନ, ମହିଳା, ଯୁବକ, କର୍ମଚାରୀ, ବସ୍ତିବସିନ୍ଦାଙ୍କ ପର୍ଯ୍ୟନ୍ତ ସମସ୍ତେ ବିଜୁ ଜନତା ଦଳକୁ ପସନ୍ଦ କରନ୍ତି । ପଞ୍ଚାୟତ, ଜିଲ୍ଲା ପରିଷଦ ନିର୍ବାଚନରେ ବିଜେଡିର ଫଳାଫଳ ଭଲ ହୋଇଛି । ସମସ୍ତ ୩୦ ଜିଲ୍ଲାରେ ଦଳ ଜିଲ୍ଲା ପରିଷଦ ଗଠନ କରିଛି । ଏହି ପ୍ରଭାବକୁ ବଞ୍ଚାଇ ରଖିବାକୁ ବିଜେଡି ଉଦ୍ୟମ କରୁଛି । ସଂଗଠନ ସଜାଡୁଛି । ନୂଆ ଲୋକଙ୍କୁ ଦଳରେ ସାମିଲ କରୁଛି ।"

କଂଗ୍ରେସ ପ୍ରସ୍ତୁତ: ସେହିପରି ଅଗୁଆ ନିର୍ବାଚନ ଲାଗି କଂଗ୍ରେସ ପ୍ରସ୍ତୁତ ଥିବା କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ସେ କହିଛନ୍ତି, "୬ ମାସ ପୂର୍ବରୁ ନିର୍ବାଚନ କଲେ ମଧ୍ୟ ଦଳ ସ୍ବାଗତ କରିବ । ବିଜେଡି ଓ ବିଜେପି ଉଭୟ ଭାଇ ଭାଇ ମିଶିକି ଅଛନ୍ତି । କେତେବେଳେ ବି ଉଭୟ ଦଳ ମେଣ୍ଟ କରିପାରନ୍ତି । ରାଜ୍ୟରେ କି ପ୍ରକାର ଶାସନ ଚାଲିଛି ଲୋକେ ଜାଣିଛନ୍ତି । ରୋଗୀଙ୍କୁ ମେଡ଼ିକାଲ ବ୍ୟବସ୍ଥା ନାହିଁ । ଏମିତି କି ସରକାରଙ୍କ ପ୍ରତି ଲୋକ ଖୁସି ନୁହନ୍ତି । ଏହାକୁ ନେଇ କଂଗ୍ରେସ ଆନ୍ଦୋଳନ ଆରମ୍ଭ କରିବ । ଛାତ୍ର, ଯୁବ, ମହିଳାଙ୍କ କାର୍ଯ୍ୟକାରିଣୀ କରିବ । ସବୁ ବ୍ଲକରେ ଓ ବୁଥସ୍ତରରେ ଦଳର ବିଭିନ୍ନ କାର୍ଯ୍ୟକ୍ରମ ହେବ । ଦିଲ୍ଲୀରୁ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଆସିବେ । ଯାହା ଆମେ ପୂର୍ବରୁ କହିଛୁ, ୯ରୁ ୯୦ ମିଶନ ନେଇ ଚାଲିବୁ ।"

ଅଲଗା ଅଲଗା ନିର୍ବାଚନ ହେଲେ ବିଜେଡିର କ୍ଷତି ହେବ: ସେପଟେ ବିଜେପି ନେତା ପ୍ରଦୀପ ପୁରୋହିତ କହିଛନ୍ତି, "ଆଗୁଆ ନିର୍ବାଚନ ପ୍ରସଙ୍ଗରେ କେନ୍ଦ୍ର ଏବଂ ରାଜ୍ୟସ୍ତରୀୟ ଆଲୋଚନା ଚାଲିଛି । ଓଡିଶା ସରକାର ମଧ୍ୟ ବିଧାନସଭା ଭାଙ୍ଗି ଆଗୁଆ ନିର୍ବାଚନ କରିବାକୁ ପ୍ରସ୍ତୁତ ଅଛନ୍ତି । କିନ୍ତୁ ଓଡିଶା ସରକାର ଚାହୁନାହାନ୍ତି ଲୋକସଭା ନିର୍ବାଚନର କିଛି ମାସ ପରେ ହେଉ ବିଧାନସଭା ନିର୍ବାଚନ । ଅଲଗା ଅଲଗା ନିର୍ବାଚନ ହେଲେ ଓଡିଶାରେ ବିଜେଡି କ୍ଷତିରେ ରହିବ । ବିଧାନସଭା ନିର୍ବାଚନ ଜିତିବାକୁ କଷ୍ଟ ହେବ । କାରଣ କେନ୍ଦ୍ର ନେତୃତ୍ଵ ମାନେ ଓଡିଶା ଆସିବେ । ସେ ଭୟରେ ଯଦି କେନ୍ଦ୍ରରେ ଆଗୁଆ ନିର୍ବାଚନ ହେବ, ଓଡିଶା ସରକାର ମଧ୍ୟ ନିର୍ବାଚନକୁ ଓହ୍ଲାଇବେ । ତେଣୁ ଆଗୁଆ ନିର୍ବାଚନର ସମ୍ଭାବନା ରହିଛି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.