ଏକାମ୍ର ହାଟରେ ନାଇଟ ବଜାର, ଗୀତ ନାଚ ସହ ନିଆରା ବଜାରର ମଜା ଉଠାଉଛନ୍ତି ପର୍ଯ୍ୟଟକ

ଏକାମ୍ର ହାଟରେ ନାଇଟ ବଜାର, ଗୀତ ନାଚ ସହ ନିଆରା ବଜାରର ମଜା ଉଠାଉଛନ୍ତି ପର୍ଯ୍ୟଟକ
ଭୁବନେଶ୍ୱରେ ଆନ୍ତର୍ଜାତୀୟ ଖାଦ୍ୟର ମେଳା ସହ ଚାଲିଛି ଡଟ ଫେଷ୍ଟ ବା ସିଟି ଫେଷ୍ଟ। ଏଥିସହ ରାଜଧାନୀର ଶୀତୁଆ ରାତିକୁ ଆହୁରି ଆକର୍ଷଣ କରୁଛି ନାଇଟ୍ ବଜାର। ଅଧିକ ପଢନ୍ତୁ
ଭୁବନେଶ୍ବର: ଓଡ଼ିଶାରେ ଚାଲିଛି ହକି ମହାକୁମ୍ଭ । ହକି ମହାସମର ୧୩ରୁ ଆରମ୍ଭ ହୋଇଥିବା ବେଳେ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ସମୟରେ ରାଜ୍ୟରେ ୧୬ଟି ଦେଶର ଖେଳାଳିଙ୍କ ସହ ରହୁଛନ୍ତି ପର୍ଯ୍ୟଟକ । ଏପଟେ ବିଶ୍ବକପକୁ ଅଧିକ ଆକର୍ଷଣୀୟ କରିବା ପାଇଁ ସହରକୁ ସଜାଯାଇଥିବା ବେଳେ ଭୁବନେଶ୍ୱରେ ଆନ୍ତର୍ଜାତୀୟ ଖାଦ୍ୟର ମେଳା ସହ ଚାଲିଛି ଡଟ ଫେଷ୍ଟ ବା ସିଟି ଫେଷ୍ଟ। ଆଉ ପାରମ୍ପରିକ ନୃତ୍ୟ ,ଗୀତ ଓ ସାମଗ୍ରୀର ପସରାକୁ ନେଇ ଏକାମ୍ର ହାଟରେ ଚାଲିଛି ନାଇଟ ବଜାର। ଏହି ନାଇଟ୍ ବଜାର ରାଜଧାନୀର ଶୀତୁଆ ରାତିକୁ ଆହୁରି ଆକର୍ଷଣ କରୁଛି। ଏହା ବିଳମ୍ବିତ ରାତି ପର୍ଯ୍ୟନ୍ତ ଅର୍ଥାତ ୫ ଟାରେ ଆରମ୍ଭ ହୋଇ ରାତି ୧୨ଟା ପର୍ଯ୍ୟନ୍ତ ଚାଲୁଛି ।
ତେବେ ଏନେଇ ସ୍ଥାନୀୟ କଳାକାର, ଷ୍ଟାର୍ଟଅପ୍, ପ୍ରଦର୍ଶନକାରୀ, କାରିଗର ଓ ଉଦ୍ଭାବକମାନଙ୍କୁ ନିଜର ସାମଗ୍ରୀ ଓ କଳାର ପ୍ରଦର୍ଶନ କରିବା ପାଇଁ ଏକ ଉନ୍ନତ ମଞ୍ଚ ପ୍ରଦାନ କରିଛି । ଓଡ଼ିଶାର ହସ୍ତଶିଳ୍ପ ଓ ବୟନଶିଳ୍ପକୁ ପ୍ରୋତ୍ସାହିତ କରିବାର ଉଦ୍ଦେଶ୍ୟ ସହିତ ଆୟୋଜିତ ହୋଇଥିବା ଫ୍ଲି ମାର୍କେଟ୍ ଏକ ଉଲ୍ଲେଖନୀୟ ଜନସମାଗମକାରୀ ପଦକ୍ଷେପ ଭାବେ ପ୍ରମାଣିତ ହୋଇଛି । ଏହି ଫ୍ଲି ମାର୍କେଟ୍ରେ ୧୨୦ରୁ ଅଧିକ ସ୍ଥାନୀୟ ଓ ଅନ୍ୟ ରାଜ୍ୟର ଅଧିକ ଉତ୍ପାଦିତ ସାମଗ୍ରୀ ପ୍ରଦର୍ଶିତ ହୋଇଛି । ଦୁଇବର୍ଷର କୋଭିଡ କଟକଣା ଭିତରେ ମଜାମସ୍ତି ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । ବିଶେଷ ଭାବେ ବିଳମ୍ବିତ ଯାଏଁ କୌଣସି ଦୋକାନ ବଜାର ବି ଖୋଲୁନଥିଲା। ତେଣୁ ରାଜଧାନୀବାସୀଙ୍କ ସହ ରାଜ୍ୟର ସମସ୍ତ ଲୋକଙ୍କୁ ଏହି ରାତି ବଜାରରର ଏକ ନିଆରା ଅନୁଭୂତି ଦେଇଛି । ମନୋରଞ୍ଜନର ଖୋରାକ ଯୋଗାଇବାକୁ ଏଭଳି ଆୟୋଜନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଏମ୍ସିର ସହଯୋଗରେ ଏଭଳି ନାଇଟ ବଜାର ଆୟୋଜନ କରାଯାଇଛି ।
ଏଠାରେ ବିଭିନ୍ନ ରାଜ୍ୟ ସମେତ ଆମ ରାଜ୍ୟର ପାରମ୍ପରିକ କପଡା, ଅଳଙ୍କାର, ଟେରାକୋଟା ସାମଗ୍ରୀ , ବାଉଁଶ ତିଆରି ସାମଗ୍ରୀ, ମାଟିର ତିଆରି ସାମଗ୍ରୀ ସହ ଭାରତର ବିଭିନ୍ନ ରାଜ୍ୟର କଳା ସଂସ୍କୃତିର ପରିଚୟ ସାଜିଥିବା ସାମଗ୍ରୀ ବିକ୍ରି ହେଉଛି । ହାତ ପାହାନ୍ତାରେ ଲୋକମାନେ ସବୁ ବର୍ଗର ସାମଗ୍ରୀ ସହ ଘରକୁ ସଜାଇବାକୁ ବିଭିନ୍ନ କାରୁକାର୍ଯ୍ୟ ବିଶିଷ୍ଟ ଘରକରଣା ସାମଗ୍ରୀ ମଧ୍ୟ ପାଇପାରୁଛନ୍ତି । ତେଣୁ ଏଠାରେ କିଣାବିକାର ଏକ ଆସର ଜମିଛି । ବ୍ୟବସାୟୀ ଦୁଇବର୍ଷର କରୋନା କଟକଣା ପରେ ସାମଗ୍ରୀ ବିକ୍ରି ନେଇ ଖୁସି ହେଉଥିବା ବେଳେ ଗ୍ରାହକମାନେ ମଧ୍ୟ ମନ ପସନ୍ଦର ଜିନିଷ ପାଇ ଖୁସି ହେଉଛନ୍ତି । ଖାଲି ସେତିକି ନୁହେଁ ନାଇଟ ବଜାରକୁ ସୁନ୍ଦର ଭବେ ଆଲୋକମାଳାରେ ସଜା ଯାଇଥିବା ବେଳେ ଆମ ସଂସ୍କୃତି, ପରମ୍ପରା ଓ ଲୋକକାଳର ଝଲକ ସହ କଳାକାରମାନଙ୍କ ଲାଇଭ କାର୍ଯ୍ୟକ୍ରମ ମଧ୍ୟ ଦେଖିବାକୁ ମିଳୁଛି ।
ନାଚ ଗୀତ ସହ ନାଇଟ ବଜାର ର ମଜା ନେଉଛନ୍ତି ଗ୍ରାହକ । ସବୁଠାରୁ ଆକର୍ଷଣୀୟ ରହିଛି ଏଠାରେ ପ୍ରଦର୍ଶିତ ହେଉଥିବା ଲୋକକଳା ବା ଅଧ୍ୟାତ୍ମିକ ବିଷୟ ବସ୍ତୁର କାହାଣୀ ବା ନୃତ୍ୟ । ଏଠାରେ କେଉଁଠି ଓଡ଼ିଶୀ ନୃତ୍ୟ ହେଉଛି ତ ଆଉ କେଉଁଠି ଲୀଳାମୟ କୃଷ୍ଣଙ୍କ କାହାଣୀ ଦେଖିବାକୁ ମିଳିଛି । ଯାହାକୁ ଦେଖିବା ପାଇଁ ଲୋକ ମାନଙ୍କର ବେଶ ଭିଡ ଜମୁଛି । କାରଣ ସହରର ଚାକଚକ୍ୟ ଭିତରେ ପରମ୍ପରା ଓ ଲୋକକଳାର ଦୃଶ୍ୟ ସିଧାସଳଖ ଦର୍ଶକ ଦେଖିବାକୁ ପାଇଛନ୍ତି ।
ତେବେ ଖାଲି ଓଡିଶା କି ଭୁବନେଶ୍ୱର ନୁହେଁ ରାଜ୍ୟ ବାହାରର ଗ୍ରାହକ ସହ ବିଦେଶୀ ପର୍ଯ୍ୟଟକଙ୍କୁ ବି ଏହି ମେଳାରେ ଦେଖିବାକୁ ମିଳିଛି । ଏଥିପାଇଁ ଭୁବନେଶ୍ୱର ଏବେ ମହୋତ୍ସବକୁ ନେଇ ଝଲସୁଥିବା ବେଳେ ବ୍ୟବସାୟ ଓ ଉତ୍ତମ ଜିନିଷ କିଣାବିକାର ହବ୍ ପାଲଟିଛି ଏକାମ୍ର ହାଟ । ଏହି ମହୋତ୍ସବ ଋତୁର ଶୀତୁଆ ରାତିରେ ସମସ୍ତେ ପ୍ରଥମ ଥର ପାଇଁ ହୋଇଥିବା ଏହି ନାଇଟ ବଜାର ର ବେଶ ମଜା ଉଠାଉଛନ୍ତି । ଏହାକୁ ନେଇ ରାଜଧାନୀବାସୀ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଥିବା ବେଳେ ଏହି ମହା ପର୍ବରେ ସାମିଲ ହୋଇ ଖୁସି ଅନୁଭବ କରୁଛନ୍ତି । ପରିବାର ସହ ଆସି ଖୁସି ହେବା ସହ ଏହି ନିଆରା ଅନୁଭୂତିକୁ ନିଜ କ୍ୟାମେରାରେ ମଧ୍ୟ କଏଦ କରୁଛନ୍ତି ଦର୍ଶକ ।
ଅନ୍ୟପଟେ ଅନ୍ତର୍ଜାତୀୟ ଖାଦ୍ୟ ମେଳାରେ ସବୁ ବର୍ଗର ଲୋକମାନେ ଭାରତର ୨୪ଟି ରାଜ୍ୟର ସୁସ୍ୱାଦୁ ଆଞ୍ଚଳିକ ଖାଦ୍ୟ, ଓଡ଼ିଶାର ପାରମ୍ପରିକ ଓ ଲୋକପ୍ରିୟ ଖାଦ୍ୟ ଏବଂ ହକି ବିଶ୍ୱକପ୍ରେ ଅଂଶଗ୍ରହଣ କରିଥିବା ୧୬ଟି ଦେଶର ଆନ୍ତର୍ଜାତୀୟ ଖାଦ୍ୟ ସ୍ୱାଦ ଚାଖିଛନ୍ତି ଲୋକେ ।
ଇଟିଭି ଭାରତ, ଭୁବନେଶ୍ବର
