Mo Ghara Scheme: ଘୋଷଣା ସର୍ବସ୍ବ ସରକାର କହିଲା ବିଜେପି, କଂଗ୍ରେସ କହିଲା ନିର୍ବାଚନୀ ଥୋପ

author img

By

Published : May 29, 2023, 8:57 PM IST

Etv Bharat

ନୂଆ ଆବାସ ଯୋଜନା 'ମୋ ଘର'କୁ ନେଇ ରାଜନୀତିର ଗନ୍ଧ ବାରିଲେ ବିରୋଧୀ । ଏହା କେବଳ ନିର୍ବାଚନୀ ଥୋପ। ନିର୍ବାଚନ ଆସିଲେ ସରକାର ଏମିତି ଘୋଷଣା କରନ୍ତି । 23 ବର୍ଷ ଶାସନ ପରେ ଏବେ ଲୋକଙ୍କ କଥା ମନେ ପଡିଲା ବୋଲି ବିରୋଧୀ ଅଭିଯୋଗ ଆଣିଛନ୍ତି। ଅଧିକ ପଢନ୍ତୁ

Mo Ghara Scheme

ଭୁବନେଶ୍ବର: ରାଜ୍ୟରେ ନବୀନ ସରକାରର ୫ମ ପାଳିର ୪ର୍ଥ ବର୍ଷ ପୂରଣ ହୋଇଥିବା ବେଳେ ଆଜି କ୍ୟାବିନେଟ ବୈଠକରେ ନୂଆ ଆବାସ ଯୋଜନା 'ମୋ ଘର'କୁ କ୍ୟାବିନେଟ ମୋହର ମାରିଛି। ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ। ଏହା କେବଳ ଘୋଷଣା ସର୍ବସ୍ବ ସରକାର । ନୂଆ ମଦ ବୋତଲରେ ପୁରୁଣା ମଦ ସଦୃଶ । କୌଣସି ଯୋଜନାରେ ବଜେଟ ନାହିଁ । ଖାଲି ସ୍କିମ ପରେ ସ୍କିମ କରୁଛନ୍ତି ବୋଲି ବିଜେପି କହିଥିବା ବେଳେ ଏହି ଯୋଜନାକୁ ନିର୍ବାଚନୀ ଥୋପ କହିଛି କଂଗ୍ରେସ।

ଏନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, "ନିର୍ବାଚନକୁ ଆଖି ଆଗରେ ରଖି ରାଜ୍ୟ ସରକାର ଏଭଳି କରୁଛନ୍ତି । ଆମେ ଯାହା କରିଛୁ, ତାହା କହୁଛୁ । ସେହି ଯୋଜନା ଏବେ କେନ୍ଦ୍ର ସରକାର ବନ୍ଦ କରିବା ପରେ ତାକୁ ଡାଇଭର୍ଟ କରିବାର ଯେଉଁ ସ୍କିମ ଥିଲା ତାକୁ ନୂଆ ଆକାରରେ ଘୋଷଣା କରିଛନ୍ତି । ଏହା କେବଳ ଘୋଷଣା ସର୍ବସ୍ବ ସରକାର । ନୂଆ ମଦ ବୋତଲରେ ପୁରୁଣା ମଦ ସଦୃଶ । କୌଣସି ଯୋଜନାରେ ବଜେଟ ନାହିଁ । ଖାଲି ସ୍କିମ ପରେ ସ୍କିମ କରୁଛନ୍ତି । ଅନେକ ଲୋକ ଏବେ ଅସନ୍ତୁଷ୍ଟ ଥିବାରୁ ତାଙ୍କୁ ଆଶା ଦେବାକୁ ପୁରୁଣା ଉପାୟ ବ୍ୟବହାର କରୁଛନ୍ତି । ହେଲେ ଲୋକ ସବୁ ଜାଣିଗଲେଣି, ବୁଝିଗଲେଣି । ତେଣୁ ଲୋକ ପରିବର୍ତ୍ତନ କରିବେ । ସେହିପରି ତାଙ୍କ ଦଳ ବିଜେଡିର ବିଧାୟକମାନେ ଖୁସି ନାହାନ୍ତି । ସମସ୍ତେ ଅସନ୍ତୁଷ୍ଟ ଅଛନ୍ତି । ପଲିଟିକାଲ ସିଷ୍ଟମ ନଷ୍ଟ ହୋଇଯାଇଛି । ସେମାନେ କାହାରିକୁ ଗୁହାରି କରିପାରୁନାହାନ୍ତି । ସମସ୍ତେ ଆମ ସହ ସମ୍ପର୍କରେ ଅଛନ୍ତି। ସେମାନଙ୍କ ନାଁ କୁହାଯିବ ନାହିଁ ।"

ଏହା ବି ପଢନ୍ତୁ-Cabinet Meeting: ନୂଆ ଆବାସ ଯୋଜନା ‘ମୋ ଘର’; ଋଣ ନେଲେ ମିଳିବ ସବସିଡି, ଉପକୃତ ହେବେ ନିମ୍ନ ମଧ୍ୟବିତ୍ତ ପରିବାର

ନବୀନ ସରକାରଙ୍କ 24 ବର୍ଷ ପୂର୍ତ୍ତି ଉପରେ ପ୍ରତିକ୍ରିୟାରେ ମନମୋହନ କହିଛନ୍ତି, "ନବୀନ ବାବୁ ପ୍ରଥମେ ଉତ୍ତର ଦିଅନ୍ତୁ । ସେ ଯେଉଁ ପଞ୍ଚମ ପାଳି ଶେଷ କରିବାକୁ ଯାଉଛନ୍ତି, ସେଥିରୁ ଏକାକି 14 ବର୍ଷର ହିସାବ ଦିଅନ୍ତୁ । 35 ଭାଗ ଜଳସେଚନ କରିବେ ବୋଲି କହିଥିଲେ । 10 ଲକ୍ଷ ହେକ୍ଟର ଜଳସେଚନ କଥା କହିଥିଲେ 2014 ମସିହାରେ । କେତେ କରିଛନ୍ତି ? ନିଜ ଜିଲ୍ଲା ଗଞ୍ଜାମ ଜିଲ୍ଲାର ହିସାବ ରଖନ୍ତୁ । ଗୋଟେ ଇଞ୍ଚ ଜମି ଜଳ ସେଚନ କରିନାହାନ୍ତି । ପର୍ଯ୍ୟଟନ ଶିଳ୍ପ ପାଇଁ କଣ କରିଛନ୍ତି ? ଶିଳ୍ପର ବିକାଶ ପାଇଁ ଆସିଥିବା 7 ଲକ୍ଷ କୋଟିରୁ କେତେ ଖର୍ଚ୍ଚ କରିଛନ୍ତି । ନିଯୁକ୍ତି କେତେ ଦେଇଛନ୍ତି । ଶ୍ବେତପତ୍ର ପ୍ରକାଶ କରନ୍ତୁ କେତେ ଯୁବକ ଦାଦନ ଖଟୁଛନ୍ତି । ସିଏ କେତେଟା ବ୍ୟାରେଜ କରିଛନ୍ତି । ଧାନ କିଣାରେ କେତେ ଲୋକଙ୍କୁ ସବସିଡ଼ି ଦେଇଛନ୍ତି । ଆଜି ପର୍ଯ୍ୟନ୍ତ ଚାଷୀ ପାଇଁ କଣ କରିଛନ୍ତି ତାର ଶ୍ବେତପତ୍ର ପ୍ରକାଶ କରନ୍ତୁ । ଯଦି ନୈତିକ ସାହସ ଅଛି ନବ ଦାସଙ୍କ ହତ୍ୟାର ଠିକରେ ତଦନ୍ତ କଲେ ନାହିଁ କାହିଁକି । 120 ଦିନରେ ଗୋଟିଏ ଫର୍ମାଲ ଚାର୍ଜସିଟ ଦେଲେ । ସାହସ ଥିଲେ ସିବିଆଇ ତଦନ୍ତ ପାଇଁ ଦିଅନ୍ତୁ । କେଉଁମାନେ ଏଥିରେ ସମ୍ପୁକ୍ତ । ମୁଖ୍ୟମନ୍ତ୍ରୀ ଓ ତାଙ୍କ ପାଖ ଲୋକ ଅଛନ୍ତି ବୋଲି ଚର୍ଚ୍ଚା ହେଉଛି ।"

କଂଗ୍ରେସର ପ୍ରତିକ୍ରିୟା:- ଏନେଇ ପିସିସି ସଭାପତି ଶରତ ପଟ୍ଟନାୟକ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, "ମୋ ଘର ହେଉଛି ନିର୍ବାଚନୀ ଥୋପ । 23 ବର୍ଷ ପରେ ଏବେ ବି ଲୋକ ଅଛନ୍ତି ଯେଉଁମାନେ ଘର ପାଇନାହାନ୍ତି । ନିର୍ବାଚନ ପାଖେଇ ଆସେ, ବିଜେଡିର ଘୋଷଣା କରିବା ପୁରୁଣା ଅଭ୍ୟାସ । ସ୍ଲୋଗାନ 2017 ମସିହାରୁ ଦେଉଛନ୍ତି ରାଜ୍ୟ ସରକାର ହେଲେ 2024 ନିର୍ବାଚନ ଆସିଲା ବେଳକୁ ସରକାରଙ୍କ ମନେ ପଡ଼ିଲା । ମୋ ଘର ଏକ ନିର୍ବାଚନ ଚାଲ। ଲୋକମାନଙ୍କ ମଧ୍ୟରେ ବିଭ୍ରାନ୍ତ କରିବାକୁ ଏଭଳି କରୁଛନ୍ତି ରାଜ୍ୟ ସରକାର । ଆଗରୁ ମୋ କୁଡ଼ିଆ ନେଇ ରାଜ୍ୟ ସରକାର ଡିଣ୍ଡିମ ପିଟୁଥିଲେ। ଓଡିଶାବାସୀଙ୍କୁ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ତା' ପରେ ବିଜୁ ପକ୍କା ଘର ଯୋଜନା କହିଲେ। କେନ୍ଦ୍ର ସରକାର ଯେଉଁ ଘର ଦେଲେ ତା ଉପରେ ରାଜ୍ୟ ସରକାର ସାଇନ ବୋର୍ଡ଼ ମାରୁଥିଲେ ଯେତେବେଳେ କେନ୍ଦ୍ର ସରକାର କଳି କଲେ ତା ପରେ ବନ୍ଦ ହୋଇଗଲା ସେ ଯୋଜନା । ବର୍ତ୍ତମାନ ନୂଆ ସ୍ଲୋଗାନ ଦେଲେ ମୋ ଘର।"

ସୂଚନା ଥାଉ କି ଆଜି କ୍ୟାବିନେଟ ବୈଠକରେ ମୋଟ 18ଟି ପ୍ରସ୍ତାବ ଉପରେ ମୋହର ବାଜିଛି। ଏଥିମଧ୍ୟରୁ 'ମୋ ଘର' ଯୋଜନାକୁ କ୍ୟାବିନେଟରେ ଅନୁମୋଦନ ମିଳିଛି । ମୋ ଘର ଯୋଜନାରେ ହିତାଧିକାରୀଙ୍କୁ ମିଳିବ ଘର। କେନ୍ଦ୍ର ସରକାର ଆବାସ ଯୋଜନାରେ ଗରିବ ହିତାଧିକାରୀଙ୍କ ପାଇଁ ଘର ଯୋଗାଇ ଦେଉଛନ୍ତି । ତେବେ ଦୀର୍ଘଦିନ ହେବ ପ୍ରକୃତ ହିତାଧିକାରୀ ଚୟନ ତାଲିକା ନେଇ ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ତୁ ତୁ ମେଁ ମେଁ ଚାଲିଛି। ବିଜେପି ରାଜରାସ୍ତାକୁ ମଧ୍ୟ ଓହ୍ଲାଇଛି, କଂଗ୍ରେସ ମଧ୍ୟ ହିତାଧିକାରୀ ଚୟନ ନେଇ ବହୁବାର ପ୍ରଶ୍ନ ଉଠାଇଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.