ଉଚ୍ଚଶିକ୍ଷା ବିଭାଗ ଓ ନାସକମ୍ ମଧ୍ୟରେ ବୁଝାମଣା: ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳରେ ଦକ୍ଷ ହେବେ ଯୁବବର୍ଗ
Published: May 24, 2023, 12:26 PM


ଉଚ୍ଚଶିକ୍ଷା ବିଭାଗ ଓ ନାସକମ୍ ମଧ୍ୟରେ ବୁଝାମଣା: ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳରେ ଦକ୍ଷ ହେବେ ଯୁବବର୍ଗ
Published: May 24, 2023, 12:26 PM
ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳରେ ଦକ୍ଷ ହେବେ ଯୁବବର୍ଗ । ଏନେଇ ନାସକମ୍ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷର କଲା ଉଚ୍ଚଶିକ୍ଷା ବିଭାଗ । ଅଧିକ ପଢନ୍ତୁ
ଭୁବନେଶ୍ବର: ଭବିଷ୍ୟତ ଆହ୍ବାନର ମୁକାବିଲା ପାଇଁ ଯୁବବର୍ଗଙ୍କୁ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳରେ ଦକ୍ଷ କରାଯିବ । ରାଜ୍ୟର ୮ ଲକ୍ଷ ଛାତ୍ରଛାତ୍ରୀଙ୍କୁ “ଫ୍ୟୁଚର ସ୍କିଲ୍ସ ପ୍ରାଇମ୍” ମାଧ୍ୟମରେ ଦକ୍ଷତା ଭିତ୍ତିକ ତାଲିମ ପ୍ରଦାନ କରାଯିବ । ଯୁବବର୍ଗଙ୍କୁ ଅତ୍ୟାଧୁନିକ ବୈଷୟିକ ଜ୍ଞାନ କୌଶଳରେ ଦକ୍ଷ ଏବଂ ନିପୁଣ କରିବାକୁ ରାଜ୍ୟ ସରକାର ଏକ ନୂଆ ପଦକ୍ଷେପ ନେଇଛନ୍ତି । ଏନେଇ ମଙ୍ଗଳବାର ଉଚ୍ଚଶିକ୍ଷା ବିଭାଗ ଏବଂ ନାସକମ୍ ମଧ୍ୟରେ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି । ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ଏବଂ ବିଭାଗୀୟ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀଙ୍କ ଉପସ୍ଥିତିରେ ଏହି ଚୁକ୍ତିପତ୍ର ସ୍ବାକ୍ଷର ହୋଇଛି ।
ରାଜ୍ୟର ୮ ଲକ୍ଷ ଛାତ୍ରଛାତ୍ରୀଙ୍କୁ “ଫ୍ୟୁଚର ସ୍କିଲ୍ସ ପ୍ରାଇମ୍” ମାଧ୍ୟମରେ ଦକ୍ଷତାଭିତ୍ତିକ ତାଲିମ ପ୍ରଦାନ କରାଯିବ । ଯାହାଦ୍ଵାରା ଛାତ୍ରଛାତ୍ରୀ ଭବିଷ୍ୟତରେ ପ୍ରଯୁକ୍ତିବିଦ୍ୟା ସମ୍ପର୍କିତ ବିଭିନ୍ନ ଆହ୍ବାନର ସଫଳ ମୁକାବିଲା କରିପାରିବେ । ଆଜିର ଡିଜିଟାଲ ଇକୋସିଷ୍ଟମରେ ଆବଶ୍ୟକ ହେଉଥିବା ପ୍ରମୁଖ ଜ୍ଞାନକୌଶଳରେ ଛାତ୍ରଛାତ୍ରୀ ଓ ଶିକ୍ଷକ-ପ୍ରଶିକ୍ଷକ-ଅଧ୍ୟାପକମାନଙ୍କୁ ଦକ୍ଷ କରିବା ଏବଂ ଭାରତକୁ ଏକ ଡିଜିଟାଲ ପ୍ରତିଭାସମ୍ପନ୍ନ ରାଷ୍ଟ୍ରରେ ପରିଣତ କରିବା ହେଉଛି ଏହି ବୁଝାମଣାପତ୍ରର ଉଦ୍ଦେଶ୍ୟ । “ଫ୍ୟୁଚର ସ୍କିଲ୍ସ ପ୍ରାଇମ୍” ହେଉଛି ନାସକମ ଏବଂ ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗର ଏକ ମିଳିତ ଉପକ୍ରମ । ଏହା ଭାରତର ଏପରି ଏକ ବୈଷୟିକ ଦକ୍ଷତା ବୃଦ୍ଧି ହବ୍ ଯାହା ଶିକ୍ଷାର ଗଣତାନ୍ତ୍ରିକକରଣକୁ ସାକାର କରିବା ସହିତ ଉଭୟ ଛାତ୍ରଛାତ୍ରୀ ଏବଂ ପେସାଦାରମାନଙ୍କ ବିଭିନ୍ନ ବିଷୟରେ ଦକ୍ଷତା ବୃଦ୍ଧି କରିବା, ପୁନଃଦକ୍ଷ ହେବା ଏବଂ କ୍ୟାରିୟରରେ ଆଗକୁ ବଢ଼ିବା ପାଇଁ ସୁଯୋଗ ପ୍ରଦାନ କରୁଛି ।
ଡିଜିଟାଲ ପ୍ରବାହ ଏବଂ ଶିଳ୍ପ ଅନୁକୂଳ ବିଷୟବସ୍ତୁ ସହିତ ସମସ୍ତ କ୍ଷେତ୍ରରେ ବୈଷୟିକ ଦକ୍ଷତା ସୃଷ୍ଟି କରିବା ହେଉଛି ଏହି ବୁଝାମଣାର ଲକ୍ଷ୍ୟ । ଛାତ୍ରଛାତ୍ରୀଙ୍କର ଉପଯୁକ୍ତ କ୍ୟାରିୟର ଗଠନ ସହିତ ଶିଳ୍ପାନୁଷ୍ଠାନମାନଙ୍କ ଦ୍ବାରା ମାନ୍ୟତାପ୍ରାପ୍ତ ନାସକମ୍ ସାର୍ଟିଫାଏଡ୍ ପ୍ରଫେସନାଲ ହେବା ପାଇଁ ଏହା ସୁଯୋଗ ସୃଷ୍ଟି କରିବ । ଏହି ସହଭାଗିତାର ଲକ୍ଷ୍ୟ ହେଉଛି ଏନ.ଏସ.କ୍ୟୁ.ଏଫ. ଏବଂ ଏନ.ଓ.ଏସ. ସଂଯୁକ୍ତ ପାଠ୍ୟକ୍ରମ ମାଧ୍ୟମରେ ନୂତନ ପ୍ରଯୁକ୍ତି କାର୍ଯ୍ୟକ୍ରମଗୁଡିକୁ ସମନ୍ବିତ କରି ରାଜ୍ୟ ପାଇଁ ଏକ ଭବିଷ୍ୟତ ପ୍ରତିଭା ସମୂହ ତିଆରି କରିବା, ଯାହା ଜାତୀୟ ଶିକ୍ଷା ନୀତି ୨୦୨୦ ସହ ଉପଯୁକ୍ତ ସମନ୍ବୟ ଓ ତାଳମେଳ ରଖି କାର୍ଯ୍ୟ କରିପାରିବ ।
ଏଥିରେ ଛାତ୍ରଛାତ୍ରୀ ବିଭିନ୍ନ ସ୍ତରର ପାଠ୍ୟକ୍ରମରେ ସହଜରେ ଅଧ୍ୟୟନ କରିପାରିବେ । ଭାରତ ସରକାରଙ୍କ ବିଭିନ୍ନ ପ୍ରୋତ୍ସାହନ ପାଇଁ ସେମାନେ ଆବେଦନ କରିପାରିବେ ଏବଂ ଶିଳ୍ପ ବିଶେଷଜ୍ଞମାନଙ୍କ ଠାରୁ ପ୍ରତ୍ୟକ୍ଷ ଭାବେ ବ୍ୟବହାରିକ ଜ୍ଞାନ ଆହରଣ କରିପାରିବେ । ଏତଦ୍ ବ୍ୟତୀତ ଛାତ୍ରଛାତ୍ରୀ ନିଯୁକ୍ତି ମେଳା, ଇଣ୍ଟର୍ଣ୍ଣସିପ୍, ନିଯୁକ୍ତି ହେକାଥନ୍, ଦକ୍ଷତା ଚ୍ୟାଲେଞ୍ଜ ଭଳି ସ୍ବତନ୍ତ୍ର କ୍ୟାରିୟର ବିକାଶ କାର୍ଯ୍ୟକ୍ରମର ସୁବିଧା ନେଇପାରିବେ ।
ଇଟିଭି ଭାରତ, ଭୁବନେଶ୍ବର
