OBC Survey: ଜୁନ ୬ ଯାଏଁ ଚାଲିବ ପଛୁଆ ବର୍ଗ ସର୍ଭେ

author img

By

Published : May 27, 2023, 7:30 AM IST

ଜୁନ ୬ ଯାଏଁ ଚାଲିବ ପଛୁଆ ବର୍ଗ ସର୍ଭେ

ରାଜ୍ୟରେ ଜୁନ ୬ ପର୍ଯ୍ୟନ୍ତ ଚାଲିବ ପଛୁଆ ବର୍ଗ ସର୍ଭେ । ମେ' ୧ ତାରିଖରୁ ସର୍ଭେ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ

ଭୁବନେଶ୍ବର: ରାଜ୍ୟରେ ଚାଲିଛି ଓବିସି ସର୍ଭେ । ପ୍ରଚଣ୍ଡ ରୌଦ୍ରତାପକୁ ଦୃଷ୍ଟିରେ ରଖି ପଛୁଆ ବର୍ଗ ଲୋକମାନଙ୍କ ସର୍ଭେ(OBC) ସମୟକୁ ବୃଦ୍ଧି କରାଯାଇଛି । ଆସନ୍ତା ଜୁନ ୬ ତାରିଖ ପର୍ଯ୍ୟନ୍ତ ସର୍ଭେ ଚାଲିବ । ରାଜ୍ୟ ପଛୁଆ ବର୍ଗ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି । ସର୍ଭେରେ ପ୍ରତିଦିନ ଏନୁମରେଟରମାନେ ଘରକୁ ଘର ବୁଲି ପଛୁଆ ବର୍ଗ ଲୋକମାନଙ୍କର ୬ ତାରିଖ ଯାଏଁ ତଥ୍ୟ ସଂଗ୍ରହ କରିବେ । ସର୍ଭେର ସମସ୍ତ ପ୍ରକ୍ରିୟା ଆଜି ଅର୍ଥାତ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ନିର୍ଘଣ୍ଟ ହୋଇଥିଲା । କିନ୍ତୁ ମେ' ମାସ ସାରା ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଛି । ଏହାସହିତ କାଳବୈଶାଖୀ ମଧ୍ୟ ତାଣ୍ଡବ କରୁଛି । ଫଳରେ ସର୍ଭେ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି । ଏହାକୁ ଦୃଷ୍ଟିରେ ରଖି ପଛୁଆ ବର୍ଗ ଆୟୋଗ ନୂଆ ପଦକ୍ଷେପ ନେଇଛନ୍ତି । ବିଭିନ୍ନ ଦିଗରୁ ବିଚାର କରି ଆୟୋଗ ସର୍ଭେ କାର୍ଯ୍ୟ ସମୟକୁ ବୃଦ୍ଧି କରିଛନ୍ତି ।

ମେ' ୧ ତାରିଖରୁ ଆରମ୍ଭ ହୋଇଛି ପଛୁଆ ବର୍ଗ ସର୍ଭେ । ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ସର୍ଭେ କାର୍ଯ୍ୟ ଜାରି ରହିବ ବୋଲି ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁ ପଛୁଆ ବର୍ଗ ବ୍ୟକ୍ତିମାନେ ତଥ୍ୟ ପ୍ରଦାନ କରିନାହାନ୍ତି ସେମାନେ ନିଜର ଓ ପରିବାର ସଦସ୍ୟଙ୍କ ତଥ୍ୟ ପ୍ରଦାନ କରିବାକୁ ଆୟୋଗ ଅନୁରୋଧ କରିଛନ୍ତି । ପଛୁଆ ବର୍ଗଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତି ଜାଣିବାକୁ ଏହି ସର୍ଭେ କରାଯାଉଛି । ଓବିସି ଭାଇ ଓ ଭଉଣୀମାନେ ସର୍ଭେରେ ସାମିଲ ହେବା ଲାଗି ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଛି । ଅଙ୍ଗନବାଡ଼ି କେନ୍ଦ୍ର ଓ ଅନ୍ୟ ସର୍ଭେ ସେଣ୍ଟରରେ ତଥ୍ୟ ଦାଖଲ କରିବାକୁ କୁହାଯାଇଛି ।

୨୦୨୧ ମେ' ମାସରେ ପଛୁଆ ବର୍ଗ ସର୍ଭେ ପାଇଁ ଘୋଷଣା ହୋଇଥିଲା । କୋଭିଡ଼ ସଂକ୍ରମଣ ଲାଗି ସେତେବେଳେ ଗଣନା ସ୍ଥଗିତ ରଖାଯାଇଥିଲା । ବିଭିନ୍ନ ଗାଇଡ଼ଲାଇନ ଅନୁସାରେ ସର୍ଭେ କରାଯାଉଛି । ଜିଲ୍ଲାପାଳ ଓ ମହାନଗର କମିଶନର ସର୍ଭେ କାର୍ଯ୍ୟ ତଦାରଖ କରୁଛନ୍ତି । ୬ ଜଣ ଅତିରିକ୍ତ ସଚିବ ପାହ୍ୟାର ଅଫିସରଙ୍କୁ ୩୦ ଜିଲ୍ଲାର ଜୋନାଲ ଅଫିସର ଦାୟିତ୍ବ ଦିଆଯାଇଛି । ନିର୍ବାଚନ ଓ ଜନଗଣନାରେ ଅଭିଜ୍ଞତା ଥିବା ବରିଷ୍ଠ ଓଏଏସ ଅଧିକାରୀଙ୍କୁ ସର୍ଭେ କାର୍ଯ୍ୟରେ ସାମିଲ କରାଯାଇଛି ।

ପଞ୍ଚାୟତରେ ଅଙ୍ଗନବାଡ଼ି କର୍ମୀ ଓ ସହରାଞ୍ଚଳରେ ୱାର୍ଡ ଅଫିସର, ଟ୍ୟାକ୍ସ କଲେକ୍ଟର ଗଣନାକାରୀ କାର୍ଯ୍ୟ ତୁଲାଉଛନ୍ତି । ପ୍ରତ୍ୟେକ ୧୦ ଗଣନାକାରୀଙ୍କ କାର୍ଯ୍ୟ ତଦାରଖ ପାଇଁ ଜଣେ ଲେଖାଏଁ ସୁପରଭାଇଜରଙ୍କୁ ନିଯୁକ୍ତି ଦିଆଯାଇଛି । ପ୍ରାଥମିକ ସ୍କୁଲ, ସରକାରୀ ଅନୁଷ୍ଠାନ, ସୁଲଭ ବିକ୍ରୟ କେନ୍ଦ୍ରରେ ସର୍ଭେ କେନ୍ଦ୍ର ସ୍ଥାପନ କରାଯାଇଛି । ପ୍ରତ୍ୟେକ ସର୍ଭେ କେନ୍ଦ୍ରରେ ୨ରୁ ୫ ଜଣ ଲେଖାଏଁ ଗଣନାକାରୀ ରହିଛନ୍ତି । ଘରୋଇ ଡିଲର ଥିବା କେନ୍ଦ୍ରରେ ଜଣେ ଲେଖାଏଁ ଗଣନାକାରୀ ରହିଛନ୍ତି । ଗଣନା ପାଇଁ ପରିବାରର ମୁଖିଆଙ୍କ ପରିଚୟ ପ୍ରମାଣପତ୍ର ରହିବା ଜରୁରୀ । ଏହି ସର୍ଭେ ସଂକ୍ରାନ୍ତ ତଥ୍ୟ ମଧ୍ୟ ଉଭୟ ଡିଜିଟାଲ ଓ ସାଧାରଣ ଫର୍ମରେ ପୂରଣ ହେଉଛି । ରାଜ୍ୟରେ ପଛୁଆ ବର୍ଗଙ୍କ ସର୍ଭେ କରାଇବା ପାଇଁ ରାଜ୍ୟ ଓବିସି କମିଶନଙ୍କୁ ଗତ ୨୦୨୧ ଫେବୃୟାରୀ ୨୬ ତାରିଖରେ ରାଜ୍ୟ ସରକାର ଅନୁମତି ଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.