ପ୍ରେମିକାର ଲାଗିଥିଲା ଅନ୍ୟତ୍ର ବାହାଘର, ସହିନପାରି ଆତ୍ମହତ୍ୟା କଲେ ପ୍ରେମୀଯୁଗଳ

author img

By

Published : Dec 6, 2022, 8:04 AM IST

ପ୍ରେମିକାର ଲାଗିଥିଲା ଅନ୍ୟତ୍ର ବାହାଘର

ସାଲିଆ ସାହି ଶ୍ରୀରାମ ନଗରରେ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା । ପ୍ରେମିକା ଘରୁ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର । ଅଧିକ ପଢନ୍ତୁ

ଭୁବନେଶ୍ବର: ରାଜଧାନୀରେ ବୃଦ୍ଧି ହେବାରେ ଲାଗିଛି ପ୍ରେମ ଜନିତ ଆତ୍ମହତ୍ୟା ମାମଲା । ପ୍ରେମକୁ ନପାଇ କିଏ ବେକରେ ରଶି ଲଗାଇ ଝୁଲି ପଡୁଛିତ ଆଉ କିଏ ବିଷପାନ କରି ଆତ୍ମହତ୍ୟା କରୁଛି । ଫଳରେ ଅବେଳାରେ ଝଡିପଡୁଛି ଅନେକଙ୍କ ଜୀବନ । ବିଶେଷକରି ପ୍ରେମରେ ବିଫଳ ହେବା ପରେ ଯୁବପିଢିଙ୍କ ମଧ୍ୟରେ ଅଧିକ ଆତ୍ମହତ୍ୟା ପ୍ରବଣତା ଦେଖିବାକୁ ମିଳୁଛି । ସୋମବାର ରାଜଧାନୀରେ ପୁଣି ଏପରି ଏକ ଖବର ସାମ୍ନାକୁ ଆସିଛି । ପ୍ରେମିକାର ଲାଗିଥିଲା ଅନ୍ୟତ୍ର ବାହାଘର, କିନ୍ତୁ ପ୍ରେମ ସମ୍ପର୍କକୁ ନେଇ ଘରେ କହିପାରିଲେନି ପ୍ରେମିକା କି ଏହାକୁ ସହି ପାରିଲେନି ପ୍ରେମିକ । ଶେଷରେ ପ୍ରେମ ନିଶାରେ ଜୀବନ ହାରିଛନ୍ତି ପ୍ରେମୀଯୁଗଳ । ଏଭଳି ଘଟଣା ଘଟିଛି ନୟାପଲ୍ଲୀ ଥାନା ସାଲିଆ ସାହି ଶ୍ରୀରାମ ନଗରରେ । ପ୍ରେମିକାର ଘରେ ଉଭୟ ମିଶି ଆତ୍ମହତ୍ୟା କରିଥିବା ଜଣାପଡିଛି । ଦୁଇ ମୃତକ ହେଉଛନ୍ତି ପି.ବର୍ଷା ରେଡ୍ଡୀ ଓ ଚିତ୍ରସେନ ଗୌଡ ।

ମିଳିଥିବା ସୂଚନା ଅନୁଯାୟୀ, ସାଲିଆ ସାହିର ଶ୍ରୀରାମ ନଗରରେ ରହୁଥିବା ପି.ବର୍ଷା ରେଡ୍ଡୀ ନବମରୁ ପାଠ ଛାଡ଼ିବା ପରେ ଘରେ ରହୁଥିଲେ‌ । ପରେ ପରେ ଗଞ୍ଜାମର ଚିତ୍ରସେନ ଗୌଡ ନାମକ ଯୁବକଙ୍କ ସହ ସେହି ବସ୍ତିରେ ଆରମ୍ଭ ହୋଇଥିଲା ପ୍ରେମ ସମ୍ପର୍କ । ଚିତ୍ରସେନ ବିଶାଖାପାଟନମ ଯାଇ ଏକ କମ୍ପାନୀରେ ଚାକିରି କରୁଥିବା ବେଳେ ଉଭୟ ପ୍ରତିଦିନ ଫୋନରେ ବାର୍ତ୍ତାଳାପ କରୁଥିଲେ । କିନ୍ତୁ ବର୍ଷା ତାଙ୍କର ପ୍ରେମ ସମ୍ପର୍କକୁ ନେଇ ପରିବାର ଲୋକଙ୍କୁ ଜଣାଇନଥିଲେ । ଏହାରି ଭିତରେ ବର୍ଷାର ବାହାଘର ଘରଲୋକେ ଅନ୍ୟତ୍ର ଦେଖିବା ଆରମ୍ଭ କରିଥିଲେ । ଆଉ ଏ ବିଷୟରେ ପ୍ରେମିକ ଚିତ୍ରସେନ ଜାଣିବାକୁ ପାଇଥିଲେ‌ । ଶେଷରେ ଭୁବନେଶ୍ବର ଫେରି ଆସି ବର୍ଷାଙ୍କ ଘରକୁ ଯାଇଥିଲେ । ଘରେ ଯୁବତୀଙ୍କ ବାପାମାଆ ନଥିବା ସମୟରେ ସେଠାରେ ଉଭୟ ପ୍ରେମିଯୁଗଳ ଆତ୍ମହତ୍ୟା କରିଥିଲେ ।

କିଛି ଘଣ୍ଟାପରେ କାମ ସାରି ଘରକୁ ଫେରିଥିଲେ ବର୍ଷାଙ୍କ ବାପା ଓ ମାଆ । ଏହାପରେ ଘର ମଧ୍ୟରେ ଜଣେ ଯୁବକ ଓ ଝିଅର ମୃତଦେହ ଝୁଲୁଥିବା ଦେଖିବାକୁ ପାଇଥିଲେ । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା । ପ୍ରାଥମିକ ତଦନ୍ତରୁ ଏହା ପ୍ରେମଜନିତ ଆତ୍ମହତ୍ୟା ବୋଲି ପୋଲିସ ଜାଣିବାକୁ ପାଇଛି ।

ଏହାମଧ୍ୟ ପଢନ୍ତୁ-ଜନତା ଦଳ ଆନ୍ଦୋଳନର ନେତୃତ୍ୱ ନିଅନ୍ତୁ ନବୀନ ଓ ନୀତିଶ: କେସି ତ୍ୟାଗୀ

ବର୍ଷାଙ୍କ ବାପା ମାଆଙ୍କୁ ପୋଲିସ ପଚାରାଉଚରା କରିବା ବେଳେ ଝିଅର ପ୍ରେମ ସମ୍ପର୍କ ବିଷୟରେ ଜାଣିନଥିବା କହିଥିଲେ ଉଭୟ । ଜଣିଥିଲେ ଏପରି ଦିନ ଦେଖିବାକୁ ପଡ଼ି ନଥାନ୍ତା ବୋଲି କହିଛନ୍ତି ମୃତ ଯୁବତୀଙ୍କ ବାପାମାଆ । ତେବେ କେବଳ ଏହି ଗୋଟିଏ ଘଟଣା ନୁହେଁ, ପ୍ରେମ ପାଇଁ ରାଜଧାନୀରେ ଏପରି ଅନେକ ଘଟଣା ସାମ୍ନାକୁ ଆସିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.