ରାଜ୍ୟରେ କାଳବୈଶାଖୀ ସକ୍ରିୟ, ଆହୁରି ୫ ଦିନ ବର୍ଷିବ

author img

By

Published : May 25, 2023, 5:44 PM IST

ଆସନ୍ତା ୫ ଦିନ ବଜ୍ରପାତ ସହ ବର୍ଷା

ରାଜ୍ୟରେ ପୁଣି କାଳବୈଶାଖୀ ସକ୍ରିୟ ରହିଥିବାବେଳେ ତାତିରୁ ମିଳିବ ନିସ୍ତାର । ଆସନ୍ତା ୫ ଦିନ ଧରି ବର୍ଷା ଲାଗିରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଅଧିକ ପଢନ୍ତୁ

ଆସନ୍ତା ୫ ଦିନ ବଜ୍ରପାତ ସହ ବର୍ଷା

ଭୁବନେଶ୍ବର: ରାଜ୍ୟରେ ପୁଣି ସକ୍ରିୟ ହୋଇଛି କାଳବୈଶାଖୀ। ଅପରାହ୍ନରେ ଟ୍ବିନ୍ ସିଟିରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଥିବା ଦେଖିବାକୁ ମିଳିଛି । ଫଳରେ ତାତିରୁ ତ୍ରାହି ପାଇଛନ୍ତି ଟ୍ବିନ୍ ସିଟି ବାସିନ୍ଦା । ତେବେ ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ଆଜିଠୁ ୫ ଦିନ ଧରି ବର୍ଷା ଲାଗିରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଏହି ପରିବର୍ତ୍ତିତ ପାଗ କାରଣରୁ ଖରା ଓ ଗୁଳିଗୁଳିରୁ ଆଶ୍ବସ୍ତି ପାଇବେ ରାଜ୍ୟବାସୀ । ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଖରାରୁ ଆଶ୍ବସ୍ତି ମିଳିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

ଅନ୍ୟପଟେ ଆସନ୍ତା ୨୪ ଘଣ୍ଟା ପାଇଁ ରାଜ୍ୟର କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏହି ସମୟରେ ପବନର ବେଗ ୪୦ରୁ ୫୦ କିଲୋମିଟର ରହିପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

ତେବେ କେନ୍ଦୁଝର, ମୟୁରଭଞ୍ଜ,ବାଲେଶ୍ଵର, କୋରାପୁଟ, ରାୟଗଡ଼ା, ଗଜପତି,ଗଞ୍ଜାମ,ନୟାଗଡ଼, ଖୋର୍ଦ୍ଧା,ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଢେଙ୍କାନାଳ, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ବଲାଙ୍ଗୀର ଓ ନୂଆପଡ଼ା ଆଦି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ଆସନ୍ତାକାଲି ପାଇଁ ରାଜ୍ୟର ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାକୁ ଥିବାରୁ ୯ ଜିଲ୍ଲାକୁ ସତର୍କ କରାଇଛି ପାଣିପାଗ ବିଭାଗ । ଜିଲ୍ଲାଗୁଡ଼ିକ ହେଲା ମୟୁରଭଞ୍ଜ, ବାଲେଶ୍ଵର, ଭଦ୍ରକ, କେନ୍ଦୁଝର, ରାୟଗଡ଼ା, କୋରାପୁଟ, ଗଜପତି,ଗଞ୍ଜାମ ଓ କନ୍ଧମାଳ ।

ଗତ ୨୪ ଘଣ୍ଟାରେ ୨୫ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ଭୁବନେଶ୍ଵରରେ ୪୨.୮ ଡିଗ୍ରୀ ରହିଥିବା ବେଳେ କଟକରେ ୪୧.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା । ଅପରପକ୍ଷେ ରାଜ୍ୟର କିଛି ଜିଲ୍ଲାରେ ବର୍ଷା ହୋଇଥିବାବେଳେ ଗଞ୍ଜାମ ପାତ୍ରପୁରରେ ସର୍ବାଧିକ ୩୭.୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସେହିପରି ନୂଆପଡ଼ାରେ ମଧ୍ୟ ପ୍ରବଳ ବର୍ଷା ହୋଇଥିବା ଜଣାପଡିଛି । କିଛି ଦିନର ବ୍ୟବଧାନ ପରେ ରାଜ୍ୟରେ ପୁଣି ଥରେ ସକ୍ରିୟ ହୋଇଉଠିଛି କାଳବୈଶାଖୀ । ଫଳରେ ଲଗାତର ୫ ଦିନ ଧରି ପ୍ରବଳ ବର୍ଷିବା ନେଇ ପୂର୍ବାନୁମାନ କରାଯାଇଛି । ଏହାସହ ପ୍ରବଳ ପବନ ସହ ବଜ୍ରପାତ ହେବାକୁ ଥିବା ଜିଲ୍ଲାମାନଙ୍କୁ ସତର୍କ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶକ ଏଚ ଆର ବିଶ୍ବାସ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.