ପଦ୍ମ ଛାଡ଼ିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଓ ପୁଅ ଶିଶିର ଗମାଙ୍ଗ

author img

By

Published : Jan 25, 2023, 11:28 AM IST

Updated : Jan 25, 2023, 7:23 PM IST

ବିଜେପି ଛାଡ଼ିଲେ ଗିରିଧର ଗମାଙ୍ଗ ଓ ଶିଶିର ଗମାଙ୍ଗ

ବିଜେପି ଛାଡ଼ିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଓ ପୁଅ ଶିଶିର ଗମାଙ୍ଗ । ବିଦ୍ଧିବଧ ଭାବେ ଉଭୟେ ଦଳରୁ ଇସ୍ତଫା ଦେଇଛନ୍ତି । ଅଧିକ ପଢ଼ନ୍ତୁ

ଗିରିଧର ଗମାଙ୍ଗ ଓ ଶିଶିର ଗମାଙ୍ଗଙ୍କ ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ବର: ବିଜେପିରୁ ଇସ୍ତଫା ଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ । ଗିରଧର ଗମାଙ୍ଗଙ୍କ ସହ ତାଙ୍କ ପୁଅ ଶିଶିର ଗମାଙ୍ଗ ମଧ୍ୟ ଦଳରୁ ବିଦ୍ଧିବଧ ଭାବରେ ଇସ୍ତଫା ଦେଇଛନ୍ତି । ଦଳର ପ୍ରାଥମିକ ସଦସ୍ୟ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପଦରୁ ଉଭୟ ଇସ୍ତଫା ଦେଇଛନ୍ତି । କିଛି ଦିନ ପୂର୍ବରୁ ଉଭୟ ତେଲେଙ୍ଗାନା ଗସ୍ତ କରି BRS ମୁଖ୍ୟ କେ. ଚନ୍ଦ୍ର ଶେଖର ରାଓଙ୍କୁ ଭେଟିଥିଲେ । ଏହାପରେ ଉଭୟ ଖୁବଶୀଘ୍ର ଦଳ ଛାଡ଼ିବେ ବୋଲି ଚର୍ଚ୍ଚା ହେଉଥିଲା। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି ଗିରଧର ଗମାଙ୍ଗ ଓ ତାଙ୍କ ପୁଅ ଶିଶିର ଗମାଙ୍ଗ ।

ଏହା ମଧ୍ୟ ପଢ଼ନ୍ତୁ: ବିଜେପି ଛାଡିବେ ଗିରିଧର ଗମାଙ୍ଗ ! BRSରେ ହେବେ ସାମିଲ

"ରାଜନୀତିରେ ଅପମାନ ସହନୀୟ, ଅନାଦର ନୁହେଁ": ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଗିରିଧାରୀ କହିଛନ୍ତି, "ମୁଁ ରାଜନୀତିରେ ପରିବାରବାଦରେ ବିଶ୍ୱାସ କରେନାହିଁ । କିନ୍ତୁ ପରିବାରବାଦ ରହିଛି, ରହିବ । ମୋର ବୟସ ଏବେ ୮୧ ବର୍ଷ । ଆଉ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବି ନାହିଁ । ୫୦ ବର୍ଷ ରାଜନୀତି କରିବା ପରେ ଏବେ ଭବିଷ୍ୟତ କହିବ ମୁଁ କେଉଁଠି ପହଞ୍ଚିବି । ଭାରି ହୃଦୟରେ ମୁଁ ବିଜେପିରୁ ଇସ୍ତଫା ଦେଉଛି । ଜଣେ ରାଜନେତା ହିସାବରେ କହିବି, ରାସ୍ତାରେ ଅପମାନ ସହନୀୟ । କିନ୍ତୁ ଅନାଦର ଗ୍ରହଣୀୟ ନୁହେଁ । ଅନାଦର ବା ଅଣଦେଖାକୁ ମୁଁ ଗ୍ରହଣ କରିନାହିଁ କିମ୍ବା କରିବି ନାହିଁ ।" ରାଜ୍ୟସ୍ତରୀୟ ବିଜେପି ନେତାଙ୍କୁ ନେଇ ଗିରିଧାରୀଙ୍କ ମନରେ କ୍ଷୋଭ ରହିଛି । ସେ କହିଛନ୍ତି, "ଡାକିଲେ ଯାଇଛି, ପଚାରିଲେ କହିଛି । ରାଜ୍ୟରେ କେନ୍ଦ୍ରସ୍ତରୀୟ ନେତାଙ୍କୁ ନେଇ ବିଜେପିର କାର୍ଯ୍ୟକ୍ରମ ହୁଏ । ଦଳୀୟ କାର୍ଯ୍ୟକ୍ରମ ବାବଦରେ ସୂଚନା ଦିଆଯାଏନାହିଁ । କିମ୍ବା ସେମାନେ ଯିବା ପରେ ସୂଚନା ଦିଆଯାଏ । ଜାଣିଜାଣି ସୂଚନା ବିଳମ୍ବରେ ଦିଆଯାଏ । ଦେଖିକି ନଦେଖିଲା ପରି ବ୍ୟବହାର କରାଯାଏ ।" ଆଗାମୀ ପଦକ୍ଷେପ ବାବଦରେ ଗିରିଧାରୀ କହିଛନ୍ତି, "ଯଦି ମୋତେ ଏକ ଜାତୀୟ ଦଳରୁ ସୁଯୋଗ ମିଳିବ ତାହାଲେ ସାମିଲ ହେବି । ଜାତୀୟ ଦଳ ଗଢିବା ଲାଗି ଯୋଗ ଦେବି । ସେଠାରେ ମୋତେ ଯେଉଁ ଦାୟିତ୍ୱ ମିଳିବ, ମୁଁ ସମ୍ପାଦନ କରିବି ।"

ବିଜେପିରେ ଅବହେଳିତ ଥିଲେ !: ସେହିପରି ଶିଶିର ଗମାଙ୍ଗ କହିଛନ୍ତି, "ଯେତେବେଳେ ମୁଁ ବିଜେପିରେ ଯୋଗ ଦେଲି ସେତେବେଳେ କୋରାପୁଟ ସାଂସଦ ପ୍ରାର୍ଥୀ କରାଯିବ ବୋଲି ଦଳ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା । କିଛି ଲୋକଙ୍କ ଲାଗି ପରିସ୍ଥିତି ଏମିତି ଉପୁଜିଲା ଶେଷରେ ମୋତେ ଗୁଣୁପୁରରୁ ବିଧାନସଭା ଲଢ଼ିବା ଲାଗି ଟିକେଟ ଦିଆଗଲା । କିଛି ବିଜେପି ନେତା ଦଳରେ ଥାଇ ଦଳୀୟ ପ୍ରାର୍ଥୀଙ୍କ ଲାଗି କାର୍ଯ୍ୟ କରୁନଥିଲେ । ପରବର୍ତ୍ତୀ ସମୟରେ ସଂଗଠନ ନିର୍ବାଚନରେ କେବଳ ଜିଲ୍ଲା ସଭାପତି ବଦଳିଲେ, ଅନ୍ୟମାନେ ରହିଲେ । ଦକ୍ଷିଣ ଓଡ଼ିଶାର ଜଣେ ନେତାଙ୍କ ନିର୍ଦ୍ଦେଶରେ ମୋତେ କାମ କରେଇ ଦେଉନଥିଲେ । ୨୦୧୫ରୁ ୨୦୧୯ ଯାଏଁ ଏମିତି ଚାଲିଲା । ୨୦୧୯ରେ ସେହି ସମାନ ଲୋକ ବିଭିନ୍ନ ପଦପଦବୀରେ ରହିଲେ । ପୁନର୍ବାର ସହଯୋଗ କଲେନାହିଁ । ଏନେଇ ଆମେ ଦଳର ବିଭିନ୍ନ ଫୋରମରେ ଜଣେଇଲୁ । ହେଲେ କେହି ବୁଝିଲେ ନାହିଁ ।"

"ନବୀନ ପଟ୍ଟନାୟକ ବିଜେପିକୁ ନିୟନ୍ତ୍ରଣ କରୁଛନ୍ତି": ବିଜେପିକୁ ନେଇ ବଡ଼ ଅଭିଯୋଗ କରିଛନ୍ତି ଶିଶିର । ସେ କହିଛନ୍ତି, "ନବୀନ ପଟ୍ଟନାୟକ ହେଉଛନ୍ତି ଅଲ ପାର୍ଟି ପ୍ରେସିଡେଣ୍ଟ । ପୂର୍ବରୁ କଂଗ୍ରେସ ନେତା କହିଥିଲେ, ପିସିସି ସଭାପତି କିଏ ହେବେ ତାହା ନବୀନ ପଟ୍ଟନାୟକ ନିଷ୍ପତ୍ତି ନିଅନ୍ତି । ସେଇଟା ଆମେ ଜାଣିଥିଲୁ ହେଲେ କହି ପାରୁନଥିଲୁ । ବିଜେପି ସ୍ଵାଧୀନ ଭାବରେ ଚାଲିବ ବୋଲି ଆଶା କରୁଥିଲୁ । ବିଜେପିରେ ମଧ୍ୟ ସମାନ ଅବସ୍ଥା ବୋଲି ଲାଗୁଛି । କିଛିନା କିଛି ବାଟରେ ନବୀନ ପଟ୍ଟନାୟକ ବିଜେପିକୁ ନିୟନ୍ତ୍ରଣ କରୁଛନ୍ତି ବୋଲି ସନ୍ଦେହ ହେଉଛି । ଗୋପବନ୍ଧୁ ଗୋଟେ କଥା କହିଥିଲେ । ନବୀନ ବାବୁ ତାହାର ଓଲଟା କାର୍ଯ୍ୟ କରୁଛନ୍ତି । ମିଶୁ ଦେଶ ପାଣ୍ଠି, ମୋ ପାଣ୍ଠିରେ । ଚାଲିଯିବା ଦେଶବାସୀଙ୍କ ପିଠିରେ । ଯେତିକି ବିରୋଧୀ ଦଳ ଆସିବେ ତାଙ୍କୁ କିଣି ପକେଇବା ନବୀନ ବାବୁଙ୍କର କାମ ।" ଯେଉଁ ଦଳକୁ ଯିବୁ ରାଜ୍ୟ ଲାଗି କାର୍ଯ୍ୟ କରିବୁ ବୋଲି ସେ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ବରିଷ୍ଠ ସାମ୍ବାଦିକ ଚିରଞ୍ଜିତ ରାଜଗୁରୁଙ୍କ ପରଲୋକ, ବିଭିନ୍ନ ମହଲରେ ଶୋକର ଛାୟା

BRSକୁ ଯିବେ ଗମାଙ୍ଗ ବାପପୁଅ: ତେବେ ଆଗାମୀ ଦିନରେ ଉଭୟ ଏକ ଜାତୀୟ ଦଳରେ ଯୋଗଦେବେ ବୋଲି କହିଛନ୍ତି । ନାଁ ନକହିଥିଲେ ବି ସେ ଭାରତୀୟ ରାଷ୍ଟ୍ରୀୟ ସମିତି (BRS)ରେ ଯୋଗଦେବେ ବୋଲି ସୂଚନା ଦେଇଛନ୍ତି । ନିକଟରେ ଗିରିଧର ଓ ଶିଶିର ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କୁ ସାକ୍ଷାତ କରିଥିଲେ । କେସିଆର ତାଙ୍କୁ ଦଳରେ ଯୋଗଦେବାକୁ ନିମନ୍ତ୍ରଣ ଦେଇଥିଲେ ବୋଲି ଶିଶିର କହିଛନ୍ତି । ସେବେଠୋରୁ ସେମାନେ ବିଆରଏସରେ ଯୋଗଦେବେ ବୋଲି ଚର୍ଚ୍ଚା ହୋଇ ଆସୁଥିଲା । କେସିଆର ଏବେ ଓଡ଼ିଶା ରାଜନୀତି ଉପରେ ନଜର ରଖିଛନ୍ତି । ବିଶେଷକରି ଦକ୍ଷିଣ ଓଡ଼ିଶା ଉପରେ ସେ ଧ୍ୟାନ କେନ୍ଦ୍ରୀଭୂତ କରିଛନ୍ତି । ଓଡ଼ିଶାର କେତେକ ନେତାଙ୍କ ସହ ଚନ୍ଦ୍ରଶେଖର ବ୍ୟକ୍ତିଗତ ଭାବେ ଆଲୋଚନା କରିଛନ୍ତି । ଆଗାମୀ କିଛିଦିନରେ ଉଭୟ ଦଳରେ ସାମିଲ ହେବେ ।


ଭାରତ ରାଷ୍ଟ୍ର ସମିତି (BRS) ଓଡିଶା ଶାଖାର ସଭାପତି ହେବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଓ ବିଆରଏସ ଓଡିଶା ଶାଖର ଯୁବ ବାହିନୀ ମଙ୍ଗ ଶିଶିର ଗମାଙ୍ଗ ଧରିବେ ବୋଲି ଚର୍ଚ୍ଚା ହେଉଛି । ଗତ ଜାନୁଆରୀ ୧୩ ତାରିଖରେ ହାଇଦ୍ରାବାଦ ପ୍ରଗତି ଭବନରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (KCR)ଙ୍କୁ ସାକ୍ଷାତ କରିଥିଲେ ଗିରିଧର ଗମାଙ୍ଗ ଓ ତାଙ୍କ ପୁଅ ଶିଶିର ଗମାଙ୍ଗ । ଏହି ସାକ୍ଷାତ ଆଲୋଚନା ପରେ ଗମାଙ୍ଗ ପରିବାର ବିଜେପି ଛାଡୁଥିବା ଅସମର୍ଥିତ ସୂତ୍ରରୁ ଖବର ମିଳିଥିଲା । ଗୋଟିଏ ସମୟରେ ଗିରିଧର ଗମାଙ୍ଗ ମଧ୍ୟ ଜଣେ ପ୍ରଭାବୀ ରାଜନେତା ଥିଲେ । ୧୭ ଫେବୃୟାରୀ ୧୯୯୯ରୁ ୬ ଡିସେମ୍ବର ୧୯୯୯ ପର୍ଯ୍ୟନ୍ତ ସ୍ବଳ୍ପ ସମୟ ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ ଗିରିଧର ଗମାଙ୍ଗ । ନିଜ ରାଜନୈତିକ ଜୀବନରେ ମୋଟ ୯ ଥର ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ଗିରିଧର ଗମାଙ୍ଗ ପ୍ରଥମ ଥର ପଞ୍ଚମ ଲୋକସଭାକୁ କୋରାପୁଟ ସଂସଦୀୟ କ୍ଷେତ୍ରରୁ ନିର୍ବାଚିତ ହୋଇଥିଲେ । ୨୦୧୫ ମସିହାରେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗଦାନ କରିଥିଲେ ଗିରିଧର ଗମାଙ୍ଗ ଏବଂ ଶିଶିର ଗମାଙ୍ଗ । ସେ ନିଜେ କୌଣସି ନିର୍ବାଚନ ଲଢିନଥିଲେ । କିନ୍ତୁ ତାଙ୍କ ପୁଅ ଶିଶିର ଗମାଙ୍ଗ ବିଜେପି ଟିକେଟରୁ ଗୁଣପୁର ବିଧାନସଭା ଆସନରୁ ନିର୍ବାଚନ ଲଢି ପରାଜିତ ହୋଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Jan 25, 2023, 7:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.