ଖୁବଶୀଘ୍ର ସରିବ ସ୍ୱାଧୀନତା ସଂଗ୍ରାମୀ ଗ୍ୟାଲେରୀ କାର୍ଯ୍ୟ: ACS

author img

By

Published : Dec 3, 2022, 7:47 AM IST

ଖୁବଶୀଘ୍ର ସରିବ ସ୍ୱାଧୀନତା ସଂଗ୍ରାମୀ ଗ୍ୟାଲେରୀ କାର୍ଯ୍ୟ

ଓଡିଶା ରାଜ୍ୟ ସଂଗ୍ରହାଳୟରେ ଗାନ୍ଧୀ ଗ୍ୟାଲେରୀ ଓ ସ୍ୱାଧୀନତା ସଂଗ୍ରାମୀ ଗ୍ୟାଲେରୀ କାର୍ଯ୍ୟ ଶେଷ କରିବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ନିର୍ଦ୍ଦେଶ । ଅଧିକ ପଢନ୍ତୁ

ଭୁବନେଶ୍ବର: ଖୁବଶୀଘ୍ର ଶେଷ ହେବାକୁ ଯାଉଛି ଓଡିଶା ରାଜ୍ୟ ସଂଗ୍ରହାଳୟ(Odisha State Museum)ରେ ହେବାକୁ ଥିବା ଗାନ୍ଧୀ ଗ୍ୟାଲେରୀ ଓ ସ୍ୱାଧୀନତା ସଂଗ୍ରାମୀ ଗ୍ୟାଲେରୀ । ଗ୍ୟାଲେରୀ ର୍ନିମାଣ କାର୍ଯ୍ୟ ଚଳିତ ମାସ ଶେଷ ସୁଦ୍ଧା ସମାପ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଆ, ଭାଷା, ସାହିତ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ । ଏନେଇ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଅତିରିକ୍ତ ଶାସନ ସଚିବ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ସମଗ୍ର ବିଶ୍ୱରେ ଗାନ୍ଧୀଜୀଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ ଅବସରରେ ରାଜ୍ୟସ୍ତରୀୟ କମିଟିର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶା ମ୍ୟୁଜିୟମରେ ଗାନ୍ଧୀ ଗ୍ୟାଲେରୀ ପ୍ରତିଷ୍ଠା ପାଇଁ ଘୋଷଣା କରିଥିଲେ । ଏଥିଲାଗି ଇନ୍‍ଟାକକୁ ଦାୟିତ୍ୱ ଦିଆଯାଇଥିଲା । ଇନ୍‍ଟାକ ବିଶେଷଜ୍ଞମାନଙ୍କ ସହ ଆଲୋଚନା ପରେ ଗାନ୍ଧୀ ଗ୍ୟାଲେରୀ ପାଇଁ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ କରିଥିଲା । ସେହିଭଳି ଓଡିଶାରେ ସ୍ୱାଧୀନତା ସଂଗ୍ରାମ ଶୀର୍ଷକ ଅନ୍ୟ ଏକ ଗ୍ୟାଲେରୀର ପ୍ରସ୍ତୁତି କାମ ମଧ୍ୟ ଇନ୍‍ଟାକ କରୁଛି । ଦୁଇଟି ଯାକ ଗ୍ୟାଲେରୀର ନିର୍ମାଣ କାର୍ଯ୍ୟ ଏକ ପ୍ରକାର ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଏଥିରେ ବହୁ ତ୍ରୁଟି ପରିଲକ୍ଷିତ ହୋଇଛି । ବିଶେଷଜ୍ଞମାନେ ତ୍ରୁଟି ସଂଶୋଧନ ଲାଗି ପୂର୍ବରୁ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି ।

ନିର୍ମିତ କେତେକ ପ୍ରତିମୂର୍ତ୍ତି ଠିକ୍‍ ନଥିବା ଏବଂ ଆଉ କେତେକ ଛବିରେ ଗୁରୁତର ତ୍ରୁଟିଥିବା ନଜରକୁ ଆସିଛି । ଇତି ମଧ୍ୟରେ ଉନ୍ନୟନ କମିଶନର ପ୍ରଦୀପ ଜେନା ଓ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ରାଜ୍ୟ ସଂଗ୍ରହାଳୟକୁ ଆସି ତ୍ରୁଟି ବିଚ୍ୟୁତି ଗୁଡିକ ଦେଖିବା ପରେ ତୁରନ୍ତ ଠିକଣା ଭାବେ ଏହି ଗୌରବାବହ ସ୍ମାରକୀର ନିର୍ମାଣ କାର୍ଯ୍ୟ କରିବାକୁ ମତବ୍ୟକ୍ତ କରିଛନ୍ତି । ଏ ସଂକ୍ରାନ୍ତରେ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବିଷୟ ବିଶେଷଜ୍ଞ ଏବଂ ବରିଷ୍ଠ ଅଧିକାରୀମାନଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଛି । ଇନ୍‍ଟାକ ଓ ରାଜ୍ୟ ସଂଗ୍ରହାଳୟ କର୍ତ୍ତୃପକ୍ଷ ସମନ୍ୱୟ ରକ୍ଷା କରିବା ସହ ବିଶେଷଜ୍ଞମାନଙ୍କ ପରାମର୍ଶ ନେଇ ନିର୍ମାଣ କାର୍ଯ୍ୟ ଚଳିତମାସ ଶେଷ ସୁଦ୍ଧା ଚୂଡାନ୍ତ କରିବାକୁ ସ୍ଥିର ହୋଇଛି ।

ଏହା ମଧ୍ୟ ପଢନ୍ତୁ-Make In Odisha Conclave: ବଣ୍ଟନ ବ୍ୟବସାୟରେ 6 ହଜାର କୋଟି ପୁଞ୍ଜି ନିବେଶ କରିବ ଟାଟା ପାୱାର

ଗ୍ୟାଲେରୀ ଗୁଡିକରେ ପାଇକ ବିଦ୍ରୋହ, ଘୁମୁସର କନ୍ଧ ମେଳି ଠାରୁ ଆରମ୍ଭ କରି ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମଧୁବାବୁ ଓ ଗୋପବନ୍ଧୁଙ୍କ ଭୂମିକା, ଅସହଯୋଗ ଆନ୍ଦୋଳନ, ଗାନ୍ଧୀଜୀଙ୍କ ଆଠଟି ଯାକ ଓଡିଶା ଗସ୍ତ, ଲବଣ ସତ୍ୟାଗ୍ରହ, ଭାରତଛାଡ ଆନ୍ଦୋଳନ, ବାଜିରାଉତଙ୍କ ବଳିଦାନ, ଘେସ ଜମିଦାର ପରିବାରର ବଳିଦାନ, ଆମସୋ ସିମକୋ ଗୁଳିକାଣ୍ଡ ସହିତ ବେଜେଲ ଗେଟ ହତ୍ୟା, ଲକ୍ଷ୍ମଣ ନାୟକଙ୍କ ଫାଶୀ, ମାଥିଲି, ପାପଡାହାଣ୍ଡି, ଇରମ, କାଇପଡା କଳାମାଟିଆ, ଲୁଣିଆ ଆଦି ଗୁଳିକାଣ୍ଡର ଝଲକ ରଖାଯାଉଥିବା ଜଣାପଡିଛି । ଏହାଛଡା ଏହି ଗ୍ୟାଲେରୀରେ ସ୍ୱାଧୀନତା ସଂଗ୍ରାମରେ ଉତ୍କଳନୀୟ ନାରୀମାନଙ୍କ ଭୂମିକାର ବି ଝଲକ ଦେଖିବାକୁ ମିଳିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.