କଂଗ୍ରେସ ଭବନରେ ବୀରେନ୍ଦ୍ର ପାଣ୍ଡେଙ୍କ ପାର୍ଥିବ ଶରୀର, ଶେଷ ଦର୍ଶନ କଲେ କଂଗ୍ରେସ ନେତା

author img

By

Published : Mar 19, 2023, 9:38 PM IST

କଂଗ୍ରେସ ଭବନରେ ବୀରେନ୍ଦ୍ର ପାଣ୍ଡେଙ୍କ ପାର୍ଥିବ ଶରୀର

କଂଗ୍ରସର ପୂର୍ବତନ ବିଧାୟକ ବୀରେନ୍ଦ୍ର ପାଣ୍ଡେଙ୍କ ଶେଷ ଦର୍ଶନ କଲେ ପିସିସି ସଭାପତିଙ୍କ ସମେତ ବରିଷ୍ଠ କଂଗ୍ରେସ ନେତା । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ପରେ ତାଙ୍କ ପାର୍ଥିବ ଶରୀରକୁ କଂଗ୍ରେସ ଭବନକୁ ଅଣାଯାଇଥିଲା । ଅଧିକ ପଢ଼ନ୍ତୁ

କଂଗ୍ରେସ ଭବନରେ ବୀରେନ୍ଦ୍ର ପାଣ୍ଡେଙ୍କ ପାର୍ଥିବ ଶରୀର

ଭୁବନେଶ୍ବର: ପରଲୋକରେ ପୂର୍ବତନ କଂଗ୍ରେସ ବିଧାୟକ ବୀରେନ୍ଦ୍ର ପାଣ୍ଡେ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ବୀରେନ୍ଦ୍ର ପାଣ୍ଡେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା । ଘରୋଇ ହସ୍ପିଟାଲରେ ମୃତ୍ୟୁ ପରେ ବୀରେନ୍ଦ୍ରଙ୍କ ପାର୍ଥିବ ଶରୀରକୁ କଂଗ୍ରେସ ଭବନ ଅଣାଯାଇଥିଲା । ସେଠାରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମେତ ବରିଷ୍ଠ କଂଗ୍ରେସ ବିଧାୟକ ଓ ନେତାମାନେ ଦିବଂଗତ କଂଗ୍ରେସ ନେତାଙ୍କ ଶେଷ ଦର୍ଶନ କରିଥିଲେ । ତେବେ ତାଙ୍କର ମୃତ୍ୟୁ କଂଗ୍ରେସ ଦଳ ତଥା ସମଗ୍ର ପଶ୍ଚିମ ଓଡିଶା ପାଇଁ ଏକ ବିରାଟ ଶୂନ୍ୟସ୍ଥାନ ବୋଲି କହିଛନ୍ତି ପିସିସି ସଭାପତି ।

ଯକୃତ ରୋଗରେ ପୀଡ଼ିତ ଥିଲେ ପୂର୍ବତନ ବିଧାୟକ ବୀରେନ୍ଦ୍ର ପାଣ୍ଡେ । ଗତ ମାର୍ଚ୍ଚ ୧୬ ତାରିଖରେ ତାଙ୍କୁ ପ୍ରଥମେ ସମ୍ବଲପୁରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ ଆପୋଲ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା । ଶେଷ ପର୍ଯ୍ୟନ୍ତ ସେ କଂଗ୍ରେସ ଶ୍ରମିକ ସଂଗଠନ ସହ ଯୋଡି ହୋଇ ରହିଥିଲେ । ସାଧାରଣ ମଣିଷର ନ୍ୟାର୍ଯ୍ୟ ଦାବି ପାଇଁ ସେ ଅନେକ ସମୟ ଦେଇଛନ୍ତି । ଜୀବନକାଳ ମଧ୍ୟରେ ସେ ୩ ଥର ବିଧାୟକ ହୋଇଛନ୍ତି । କଂଗ୍ରେସ ଦଳରୁ ସେ ଝାରସୁଗୁଡା ଆସନରୁ ୧୯୮୦ରୁ ୧୯୮୫, ୧୯୮୫ରୁ ୧୯୯୦ ଏବଂ ୧୯୯୫ରୁ ୨୦୦୦ ପର୍ଯ୍ୟନ୍ତ ବିଧାୟକ ହୋଇଥିଲେ । ତାଙ୍କ ସମୟରେ ଝାରସୁଗୁଡା ଜିଲ୍ଲାରେ ଅନେକ ଉନ୍ନୟନମୂଳକ କାର୍ଯ୍ୟ ହୋଇଛି । ଝାରସୁଗୁଡାର ସର୍ବାଙ୍ଗୀନ ଉନ୍ନତି ପାଇଁ ଆପ୍ରାଣ ଉଦ୍ୟମ ଜାରି ରଖିଥିଲେ ବୀରେନ୍ଦ୍ର । ସମଗ୍ର ପଶ୍ଚିମ ଓଡିଶାର ଜଣେ ଟାଣୁଆ କଂଗ୍ରେସ ନେତା ଭାବେ ସେ ପରିଚିତ ଥିଲେ ।

ତେବେ କଂଗ୍ରେସ ଭବନରେ ତାଙ୍କର ପାର୍ଥିବ ଶରୀରକୁ ପିସିସି ସଭାପତିଙ୍କ ସମେତ କଂଗ୍ରେସ ବିଧାୟକ ସୁର ରାଉତରାୟ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ, ବରିଷ୍ଠ ସାମ୍ବାଦିକ ରବି ଦାସ ପ୍ରମୁଖ ଶେଷ ଦର୍ଶନ କରି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । କଂଗ୍ରେସ ଭବନରେ ଏହି ସମୟରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଏନେଇ ପିସିସି ସଭାପତି କହିଛନ୍ତି, "ବୀରେନ୍ଦ୍ର ପାଣ୍ଡେଙ୍କ ଦେହାନ୍ତ କଂଗ୍ରେସ ଦଳ ପାଇଁ ଏକ ବିରାଟ ଶୂନ୍ୟସ୍ଥାନ । ପଶ୍ଚିମ ଓଡ଼ିଶାର କଂଗ୍ରେସ ଦଳ ଏକ ଟାଣୁଆ ନେତା ହରାଇଛି ।" ସେହିଭଳି କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, "ବୀରେନ୍ଦ୍ର ପାଣ୍ଡେ ଏକ ସାଧାରଣ ପରିବାରରୁ ଆସି ରାଜନୀତିରେ ସଫଳ ହୋଇଥିଲେ । ଝାଡ଼ସୁଗୁଡ଼ା ନିର୍ବାଚନ ମଣ୍ଡଳୀର ବିକାଶ କଥା ଚିନ୍ତା କରୁଥିଲେ ।" ସେ ଜଣେ ଭଦ୍ର ଓ ଅମାୟୀକ ସ୍ୱଭାବର ବ୍ୟକ୍ତି ଥିଲେ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.