ଆସନ୍ତା ଶିକ୍ଷାବର୍ଷରୁ ବଦଳିପାରେ ଡ୍ରେସକୋଡ୍, ମଠା ରଙ୍ଗର ଶାଢୀ ପିନ୍ଧିବେ ଶିକ୍ଷୟିତ୍ରୀ

ଆସନ୍ତା ଶିକ୍ଷାବର୍ଷରୁ ବଦଳିପାରେ ଡ୍ରେସକୋଡ୍, ମଠା ରଙ୍ଗର ଶାଢୀ ପିନ୍ଧିବେ ଶିକ୍ଷୟିତ୍ରୀ
ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଡ୍ରେସକୋଡ୍ ବଦଳାଇବାକୁ ଚିନ୍ତା କରୁଛନ୍ତି ରାଜ୍ୟ ସରକାର । ମଠା ରଙ୍ଗର ଶାଢ଼ୀ ପିନ୍ଧିବେ ଶିକ୍ଷୟିତ୍ରୀ । ଅଧିକ ପଢନ୍ତୁ
ଭୁବନେଶ୍ବର: ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ଡ୍ରେସକୋଡ୍ ବଦଳାଇବାକୁ ଚିନ୍ତା କରୁଛନ୍ତି ରାଜ୍ୟ ସରକାର । 2023-24 ଶିକ୍ଷାବର୍ଷରୁ ମିଶ୍ରିତ ସ୍କୁଲର ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଏକପ୍ରକାର ଡ୍ରେସକୋଡ୍ ପାଇଁ ରୂପରେଖ ପ୍ରସ୍ତୁତ କରାଯାଉଛି । ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ରହିଥିବା ମିଶ୍ରିତ ସ୍କୁଲଗୁଡ଼ିକର ଶିକ୍ଷୟିତ୍ରୀ ମଠା ରଙ୍ଗର ଶାଢ଼ୀ ପିନ୍ଧିବେ । ଯାହାର ମେରୁନ୍ ରଙ୍ଗର ବର୍ଡର ରହିବ । ସେହିପରି ଶିକ୍ଷକମାନେ ଧଳା ସାର୍ଟକୁ କଳା ପ୍ୟାଣ୍ଟ ପିନ୍ଧିବେ । ମିଶ୍ରିତ ସ୍କୁଲଗୁଡିକରେ ଏଭଳି ନିୟମ ଲାଗୁ ହେବା ନେଇ ଯୋଜନା ଚାଲିଛି ।
ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟଗୁଡିକରେ ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କ ପାଇଁ ଡ୍ରେସ କୋଡ଼ ଭିନ୍ନ ଭିନ୍ନ ରହିଛି । ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମିଶ୍ରିତ ସ୍କୁଲରେ ପ୍ରାଥମିକ ଶିକ୍ଷୟତ୍ରୀଙ୍କ ପାଇଁ ଲାଗୁ ହୋଇଥିବା ଗୋଲାପୀ ଶାଢ଼ୀ ଉଠିଯିବ । ଏହା ପରିବର୍ତ୍ତେ ସମସ୍ତେ ମଠା ରଙ୍ଗର ଶାଢୀ ପିନ୍ଧିବେ । ଏହାକୁ ନେଇ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ସଭାପତି ବ୍ରହ୍ମାନନ୍ଦ ମହାରଣା କହିଛନ୍ତି ଯେ, "ମିଶ୍ରିତ ସ୍କୁଲରେ ସମାନ ଡ୍ରେସକୋଡ୍ ଲାଗୁ ହେଉଛି । ଯଦି ଉକ୍ତ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ବଦଳି ଅନ୍ୟ ଏକ ପ୍ରାଥମିକ ବିଦ୍ୟାଳୟକୁ ହୁଏ, ତେବେ ସେ କେଉଁ ରଙ୍ଗର ପୋଷାକ ପିନ୍ଧିବେ । ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।" ତେବେ ସମସ୍ତ ସ୍କୁଲରେ ଗୋଟିଏ ପ୍ରକାରର ଡ୍ରେସ କୋର୍ଡ଼ ଲାଗୁ କରାଯାଉ ବୋଲି କହିଛନ୍ତି । ଅନ୍ୟପଟେ ଓଷ୍ଟା ସମ୍ପାଦକ ପ୍ରକାଶ ମହାନ୍ତି କହିଛନ୍ତି ଯେ, "ଏହି ଯୋଜନାକୁ ସ୍ବାଗତ କରାଯାଉଛି । କିନ୍ତୁ ଏହା ସବୁ ସ୍କୁଲରେ ଲାଗୁ କରିଲେ ସମସ୍ତେ ଉପକୃତ ହେବେ ।"
ସେହିପରି ଓଡ଼ିଶା ଅଭିଭାବକ ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ କହିଛନ୍ତି ଯେ, ଶିକ୍ଷକଙ୍କ ଗୁଣାତ୍ମକ ବିକାଶ ପରିବର୍ତ୍ତେ ସେମାନଙ୍କ ଡେକୋରେସନ ବୃଦ୍ଧି କରାଯାଉଛି । ଏଥିରେ ଶିକ୍ଷାର ବୃଦ୍ଧି ହେଉନି । ଛାତ୍ରଛାତ୍ରୀ ସ୍କୁଲରେ କିପରି ଗୁଣାତ୍ମକ ଶିକ୍ଷା ପାଇବେ, ତା’ ଉପରେ ରାଜ୍ୟ ସରକାର ଦୃଷ୍ଟି ଦେବା ଆବଶ୍ୟକ । ଅଯଥାରେ ବାସ୍ତବତାରୁ ନଜର ହଟାଇବା ପାଇଁ ଏହା ଏକ କୌଶଳ ପରି ମନେ ହେଉଛି । ଏଥିରୁ ନିବୃତ୍ତ ରୁହନ୍ତୁ । ସବୁ ବିଦ୍ୟାଳୟ ପାଇଁ ଗୋଟିଏ ପ୍ରକାର ଡ୍ରେସକୋଡ୍ କରାଯାଉ ବୋଲି କହିଛନ୍ତି ଅଭିଭାବକ ମହାସଂଘର ଅଧ୍ୟକ୍ଷ ।
ସୂଚନା ଅନୁଯାୟୀ ୨୦୧୦ ମସିହାରେ ପ୍ରଥମ ଥର ଏହି ଡ୍ରେସ କୋଡ଼ ନିୟମ ହୋଇଥିଲା । ଗୋଟିଏ ସ୍କୁଲରେ ଶିକ୍ଷକଙ୍କ ୨ରୁ ୩ଟି ଡ୍ରେସ କୋଡ଼ ହୋଇଥିବାରୁ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ମଧ୍ୟରେ ଭେଦଭାବ ସୃଷ୍ଟି ହେଉଛି । ଯାହା ଆଗାମୀ ଦିନରେ ପରିବର୍ତ୍ତନ ହେବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚିନ୍ତା କରାଯାଉଛି ।
ଇଟିଭି ଭାରତ, ଭୁବନେଶ୍ୱର
