ଖେଳରେ ଦେଖୁଥିଲେ ଭବିଷ୍ୟତ, ଖେଳ ସଜାଇ ଦେଲା ଭିନ୍ନକ୍ଷମ
Updated on: Jan 24, 2023, 10:59 PM IST

ଖେଳରେ ଦେଖୁଥିଲେ ଭବିଷ୍ୟତ, ଖେଳ ସଜାଇ ଦେଲା ଭିନ୍ନକ୍ଷମ
Updated on: Jan 24, 2023, 10:59 PM IST
କଳିଙ୍ଗ ଷ୍ଟାଡିୟମ ବାହାରେ ଦର୍ଶକଙ୍କ ମୁହଁରେ ରଙ୍ଗ ମାରି ଖୁସି ହେଉଛନ୍ତି ଭିନ୍ନକ୍ଷମ କ୍ରୀଡ଼ାପ୍ରେମୀ । ପିଲାଦିନୁ ଖେଳ ପ୍ରତି ଅହେତୁକ ରୁଚି ରଖିଥିବା ଏହି କ୍ରୀଡ଼ାପ୍ରେମୀ ଖେଳୁଥିବା ସମୟରେ ଗୋଡ଼ରେ ବଲ ବାଜିବାରୁ ଭିନ୍ନକ୍ଷମ ପାଲଟି ଯାଇଥିଲେ । ଏବେ ମଧ୍ୟ ଖେଳ ପ୍ରତି ତାଙ୍କ ମନରେ କମିନି ଭଲ ପାଇବା । ଅଧିକ ପଢ଼ନ୍ତୁ
ଭୁବନେଶ୍ବର: ଖେଳ ପ୍ରତି ଅନେକଙ୍କର ରୁଚି ରହିଥାଏ । କିନ୍ତୁ ଏଭଳି ଜଣେ କ୍ରୀଡ଼ାପ୍ରେମୀ ଅଛନ୍ତି, ଯାହାଙ୍କୁ ଖେଳ ସଜାଇ ଦେଇଛି ଭିନ୍ନକ୍ଷମ । ଖେଳ ପାଇଁ ସେ ଗୋଟିଏ ଗୋଡ଼ ହରାଇଛନ୍ତି । ଏଭଳି କ୍ରୀଡ଼ାପ୍ରେମୀ ହେଉଛନ୍ତି ଭଦ୍ରକ ଜିଲ୍ଲା ନୂଆବନ୍ଧ ଗାଁର ବିଦ୍ୟାଧର ଦାସ । ରାଜ୍ୟରେ ହକି ବିଶ୍ବକପ ଚାଲିଥିବାବେଳେ ସେ କଳିଙ୍ଗ ଷ୍ଟାଡିୟମ ବାହାରେ ଗୋଟିଏ ଗୋଡ଼ରେ ବୁଲି ବୁଲି ଦର୍ଶକଙ୍କ ମୁହଁରେ ରଙ୍ଗ ମାରୁଛନ୍ତି । ଖେଳାଳି ଓ ଖେଳପ୍ରମୀଙ୍କୁ ଦେଖି ସେ ବେଶ ଖୁସି ହେଉଛନ୍ତି ।
ଖେଳ ସଜାଇଛି ଭିନ୍ନକ୍ଷମ: ଭଦ୍ରକ ଜିଲ୍ଲା ନୂଆବନ୍ଧ ଗାଁର ବିଦ୍ୟାଧର ଦାସଙ୍କର ପିଲାଟି ଦିନରୁ ଖେଳ ପ୍ରତି ବହୁତ ରୁଚି ରହିଥିଲା । ପିଲାଦିନେ କ୍ରିକେଟ ଖେଳୁଥିବା ବେଳେ ଗୋଡରେ ଜୋରରେ ବଲ ବାଜିବାରୁ ଗୋଡ଼ ଅଚଳ ହୋଇଯାଇଥିଲା । ପରବର୍ତ୍ତୀ ସମୟରେ ଏହା କ୍ୟାନ୍ସରରେ ପରିଣତ ହୋଇଥିଲା । ଫଳରେ ଗୋଡ଼ଟି କାଟିବାକୁ ପଡ଼ିଥିଲା । ସେହି ଦିନଠାରୁ ସେ ଭିନ୍ନକ୍ଷମ । କିନ୍ତୁ ଆଜି ମଧ୍ୟ ତାଙ୍କ ମନରେ ଖେଳ ପ୍ରତି ଭଲପାଇବା କମ ହୋଇନାହିଁ । ଖେଳ ନାଁ ଶୁଣି ଗୋଟିଏ ଗୋଡ଼ରେ ସେ ଭଦ୍ରକରୁ ଧାଇଁ ଆସିଛନ୍ତି ଭୁବନେଶ୍ବର ।
ଦର୍ଶକଙ୍କ ମୁହଁରେ ରଙ୍ଗ ମାରି ପୋଷୁଛନ୍ତି ପେଟ: କଟକ ବାରବାଟୀରେ କ୍ରିକେଟ ମ୍ୟାଚ୍ ହେଉ ଅବା କଳିଙ୍ଗ ଷ୍ଟାଡିୟମରେ ହକି । ମ୍ୟାଚ୍ ନାଁ ଶୁଣିଲେ ଭଦ୍ରକରୁ ଧାଇଁ ଆସନ୍ତି ଏହି ବିଦ୍ୟାଧର । କିନ୍ତୁ ତାଙ୍କୁ ଷ୍ଟାଡିୟମ ଭିତରେ ବସି ଖେଳ ଦେଖିବାର ସୁଯୋଗ କେବେ ମିଳିନି । ଟିକେଟ ପାଇଁ ଟଙ୍କା ନାହିଁ । ଷ୍ଟାଡିୟମ ବାହାରେ ଖେଳାଳି ଓ କ୍ରୀଡ଼ାପ୍ରେମୀଙ୍କୁ ଦେଖି ସେ ବେଶ ଖୁସି ହୋଇଥାନ୍ତି । ତେବେ ରୋଜଗାର ପାଇଁ ମ୍ୟାଚ୍ ସମୟରେ ଷ୍ଟାଡିୟମ ବାହାରେ ରଙ୍ଗ ଓ ତୁଳୀ ଧରି ଦର୍ଶକଙ୍କ ମୁହଁରେ ବିଭିନ୍ନ ଦେଶର ପତାକା ଚିତ୍ର ଆଙ୍କି କିଛି ଟଙ୍କା କମେଇଥାନ୍ତି ।
ନିଜ ଗାଁରେ ଛୋଟ ଦୋକାନଟିଏ କରି ଗୁଜୁରାଣ ମେଣ୍ଟାଉଥିବା ଏହି ବିଦ୍ୟାଧର ହକି କିମ୍ବା କ୍ରିକେଟ ଖେଳ ହେଉଥିବାର ଖବର ପାଇଲେ ଚାଲି ଆସନ୍ତି ଖେଳ ଦେଖିବାକୁ । କିନ୍ତୁ ଟିକେଟ କିଣି ଖେଳ ଦେଖିବାକୁ ତାଙ୍କ ପାଖରେ ସମ୍ବଳ ନାହିଁ । ଦିନେ ଖେଳରେ ଭବିଷ୍ୟତ ଗଢ଼ିବାକୁ ଆଶା ରଖିଥିବା ପିଲାକୁ ଭିନ୍ନକ୍ଷମ ସଜାଇ ଦେଇଥିଲା ଖେଳ । ତଥାପି ଏକ ଆଜଣା ଆଶା ଓ ବିଶ୍ବାସ, ତାଙ୍କୁ କେବେ ଖେଳଠାରୁ ଅଲଗା କରିପାରିନି । ବିଦ୍ୟାଧରଙ୍କ କାହାଣୀ ଶୁଣି ତାଙ୍କର ଖେଳ ପ୍ରତି ଭଲପାଇବାକୁ ତାରିଫ କରିଛନ୍ତି କ୍ରୀଡ଼ାପ୍ରେମୀ ।
ଇଟିଭି ଭାରତ, ଭୁବନେଶ୍ବର
