ଟ୍ରଲି ବ୍ୟାଗ ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର

author img

By

Published : Jan 22, 2023, 8:10 PM IST

Dead body  in Trolley bag

ଟ୍ରଲି ବ୍ୟାଗରୁ ମିଳିଲା ଯୁବକଙ୍କ ମୃତ ଦେହ । ଜଙ୍ଗଲ ମଧ୍ୟରେ ଫୋପଡ଼ା ଯାଇଥିଲା ଟ୍ରଲି ବ୍ୟାଗ । ଅଧିକ ପଢ଼ନ୍ତୁ

ଟ୍ରଲି ବ୍ୟାଗରେ ମୃତଦେହ

ଖୋର୍ଦ୍ଧା : ଟ୍ରଲି ବ୍ୟାଗ ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଜଙ୍ଗଲ ମଧ୍ୟରୁ ଏହି ଟ୍ରଲି ବ୍ୟାଗକୁ ଜବତ କରିଛି ପୋଲିସ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅଧୀନସ୍ଥ ହରିପୁର ଜଙ୍ଗଲରେ । ଏ ସମ୍ପର୍କରେ ନାଚୁଣୀ ଥାନା ପୋଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଯୁବକକୁ ଅନ୍ୟ କେଉଁଠି ହତ୍ୟା କରିବାପରେ ହତ୍ୟାକାରୀମାନେ ଏଠାରେ ଫୋପାଡ଼ି ଦେଇଥିବା ସନ୍ଦେହ କରୁଛି ପୋଲିସ । ତେବେ ସାଇଣ୍ଟଫିକ୍ ଟିମର ତଦନ୍ତ ପରେ ପୋଲିସ ତା'ର ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବ ବୋଲି ବାଲୁଗାଁ SDPO ମାନସ ରଞ୍ଜନ ବାରିକ ସୂଚନା ଦେଇଛନ୍ତି ।

ସୂଚନାନୁସାରେ ରବିବାର ଅର୍ଥାତ୍ ଆଜି ସକାଳୁ ହରିପୁର ଜଙ୍ଗଲରେ ଏକ ଟ୍ରଲି ବ୍ୟାଗ ପଡିଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ଏନେଇ ତୁରନ୍ତ ନାଚୁଣୀ ଥାନାକୁ ଖବର ଦେଇଥିଲେ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରଲି ବ୍ୟାଗକୁ ଜବତ କରିଥିଲା । ଏହାପରେ ଟ୍ରଲି ବ୍ୟାଗକୁ ଯାଞ୍ଚ ବେଳେ ତାହା ଅଧିକ ଭାରି ଜଣାପଡ଼ିଥିଲା । ପରେ ପୋଲିସ ସ୍ଥାନୀୟ ଲୋକଙ୍କ ଉପସ୍ଥିତିରେ ଟ୍ରଲି ବ୍ୟାଗକୁ ଖୋଲିଥିଲା । ତେବେ ବ୍ୟାଗ ଭିତରେ ଏକ ଯୁବକଙ୍କ ମୃତଦେହ ଥିବା ଦେଖିବାକୁ ପାଇଥିଲା । ଯାହାକୁ ନେଇ ଚକିତ ହୋଇଯାଇଥିଲା ପୋଲିସ । ଅନୁମାନ କରାଯାଉଛି ଯେ, ଯୁବକଙ୍କୁ କେହି ହତ୍ୟା କରି ସୁଟକେସ୍‌ରେ ପୁରାଇ ଜଙ୍ଗଲରେ ଫିଙ୍ଗି ଦେଇଛନ୍ତି ।

ଏହି ଘଟଣାକୁ ନେଇ ଅଞ୍ଚଳରେ ଉଦ୍‌ବେଗ ପ୍ରକାଶ ପାଇଛି । କିଏ ଓ କାହିଁକି ଏଭଳି କାଣ୍ଡ ଘଟାଇଲା ତାହାକୁ ନେଇ ସଭିଁଙ୍କ ମନରେ ପ୍ରଶ୍ନ । ମୃତ ଯୁବକଙ୍କ ଉଚ୍ଚତା ପ୍ରାୟ ୫ ଫୁଟ୍ ୩ ଇଞ୍ଚ ହୋଇଥିବା ବେଳେ ବୟସ ୨୫-୨୭ ଭିତରେ ହୋଇଥିବା ଅନୁମାନ କରାଯାଉଛି । ଯୁବକ ଜଣକ ନୟାଗଡ଼ ଜିଲ୍ଲା ରଣପୁର ଥାନା ଅଞ୍ଚଳର ମନୋରଞ୍ଜନ ମହାପାତ୍ର ବୋଲି ଜଣା ପଡ଼ିଛି। ସେ ଜଣେ ଗାଡ଼ି ଚାଳକ ବୋଲି ପୋଲିସ ସୂଚନା ଦେଇଛି । ସେପଟେ ନାଚୁଣୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍‌ ଜାରି ରଖିଛି । ଏହାସହ ଆଖପାଖ ଲୋକଙ୍କୁ ମଧ୍ୟ ପଚରାଉଚରା କରୁଛି ।

ଏହାମଧ୍ୟ ପଢ଼ନ୍ତୁ. ଶ୍ରୀୟାଙ୍କ ଆରୋପ ପରେ ମୁଁହ ଖୋଲିଲେ ହ୍ୟୁମାନ, କହିଲେ ମିଛ ଅଭିଯୋଗ କରିବା ସମାଧାନର ରାସ୍ତା ନୁହେଁ

ଅନ୍ୟପକ୍ଷରେ ଏ ଘଟଣା ପଛରେ ଯେଉଁମାନେ ସମ୍ପୃକ୍ତ ଅଛନ୍ତି ସେମାନଙ୍କୁ ଖୁବଶୀଘ୍ର ପୋଲିସ ଗିରଫ କରିବ । ଏ ସମ୍ପର୍କରେ ପୋଲିସ ଏକ ମାମଲା ମଧ୍ୟ ରୁଜୁ କରିଛି । ତେବେ ଟ୍ରଲି ବ୍ୟାଗ ଭିତରୁ ଯୁବକଙ୍କ ମୃତଦେହ ମିଳିବା ପରେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏତେ ଛୋଟ ଟ୍ରଲି ବ୍ୟାଗ ଭିତରେ କିଭଳି ଜଣେ ୫ ଫୁଟର ଯୁବକର ମୃତଦେହ ରହିପାରିଲା । ଏହାସହ ଘଟଣାକୁ ନେଇ ପୋଲିସ ମଧ୍ୟ ତଦନ୍ତ ଆରମ୍ଭ କରିଛି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.