ପଞ୍ଚାୟତସ୍ତରରୁ ସଂଗଠନ ସଜାଡ଼ିବାକୁ ପ୍ରୟାସ, ଜାନୁଆରୀ ୨୬ରୁ କଂଗ୍ରେସର ହାଥ୍ ସେ ହାଥ୍ ଯୋଡ଼ୋ କାର୍ଯ୍ୟକ୍ରମ

ପଞ୍ଚାୟତସ୍ତରରୁ ସଂଗଠନ ସଜାଡ଼ିବାକୁ ପ୍ରୟାସ, ଜାନୁଆରୀ ୨୬ରୁ କଂଗ୍ରେସର ହାଥ୍ ସେ ହାଥ୍ ଯୋଡ଼ୋ କାର୍ଯ୍ୟକ୍ରମ
ସାଧାରଣତନ୍ତ୍ର ଦିବସରୁ ସାରା ଦେଶରେ ଆରମ୍ଭ ହେବ ହାଥ୍ ସେ ହାଥ୍ ଯୋଡୋ କାର୍ଯ୍ୟକ୍ରମ । ପ୍ରଦେଶ କଂଗ୍ରେସ ମଧ୍ୟ ପ୍ରତିଟି ଘରେ ରାହୁଲ ଗାନ୍ଧୀ ଏବଂ କଂଗ୍ରେସର ବାର୍ତ୍ତା ପହଞ୍ଚାଇବା ପାଇଁ ପ୍ରସ୍ତୁତ ହୋଇଛି । ଏନେଇ କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସୁବୋଧକାନ୍ତ ସହାୟ ।
ଭୁବନେଶ୍ବର: ଜାନୁଆରୀ ୨୬ରୁ ସାରା ଦେଶରେ ଆରମ୍ଭ ହେବ ହାଥ୍ ସେ ହାଥ୍ ଯୋଡୋ କାର୍ଯ୍ୟକ୍ରମ । ପ୍ରତିଟି ଘରେ ପହଞ୍ଚିବ ରାହୁଲ ଗାନ୍ଧୀ ଏବଂ କଂଗ୍ରେସର ବାର୍ତ୍ତା । ଏନେଇ କଂଗ୍ରେସ ପକ୍ଷରୁ ସର୍ବଭାରତୀୟସ୍ତରରେ ଆରମ୍ଭ ହେବ ହାଥ୍ ସେ ହାଥ୍ ଯୋଡୋ କାର୍ଯ୍ୟକ୍ରମ । ବୁଧବାର ଭୁବନେଶ୍ୱର କଂଗ୍ରେସ ଭବନରେ ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସୁବୋଧକାନ୍ତ ସହାୟ ।
କନ୍ୟାକୁମାରୀରୁ କାଶ୍ମୀର ଭାରତ ଯୋଡ ଯାତ୍ରା ସମୟରେ ରାହୁଲ ଗାନ୍ଧୀଙ୍କ ଉପଲବ୍ଧିକୁ ନେଇ ଆସନ୍ତାକାଲିଠାରୁ ଓଡ଼ିଶାର ନବରଙ୍ଗପୁରରୁ ଆରମ୍ଭ ହେବ ହାତ ସେ ଯୋଡୋ ଯାତ୍ରା । ପ୍ରତି ପଞ୍ଚାୟତରେ ପହଞ୍ଚିବ କଂଗ୍ରେସ । ପ୍ରତିଦିନ ଗୋଟିଏ ପଞ୍ଚାୟତରେ କାର୍ଯ୍ୟକ୍ରମ ହେବ । ବ୍ଲକ ଓ ଜିଲ୍ଲାସ୍ତରରେ ମଧ୍ୟ କାର୍ଯ୍ୟକ୍ରମ କରିବାର ଯୋଜନା ରହିଛି । ତେବେ ଆଜିର ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସରକାର ବିରୋଧରେ ବର୍ଷିଛନ୍ତି ସହାୟ । ସେ କହିଛନ୍ତି, "ମୋଦିଙ୍କ ଶିଳ୍ପପତି ବନ୍ଧୁଙ୍କର ପ୍ରତିଦିନ ୧ ହଜାର କୋଟି ଟଙ୍କା ବୃଦ୍ଧି ପାଉଛି । ସାଧାରଣ ଲୋକଙ୍କ ଆୟ କମୁଛି । କିନ୍ତୁ ବିଜେପି ବନ୍ଧୁମାନଙ୍କର ଆୟ ବଢ଼ୁଛି । ୫୫ ଲକ୍ଷ କୋଟି ଋଣରୁ ୧୫୫ ଲକ୍ଷ କୋଟି ଋଣ କଲେଣି ମୋଦି ସରକାର । ଋଣ ଛାଡ଼ ମଧ୍ୟ କରୁନାହାନ୍ତି କେନ୍ଦ୍ର ସରକାର । ୧ ଲକ୍ଷ ୮୪ ହଜାର କୋଟି ଟଙ୍କା କର୍ପୋରେଟ ଟାକ୍ସ ଛାଡ଼ କରିଛନ୍ତି । ସବୁ ବର୍ଗର ଜନସାଧାରଣ ଆଜି ନିରୁପାୟ । ଦରଦାମ ବୃଦ୍ଧି ସହ ଆଇନ ଶୃଙ୍ଖଳା ପରିସ୍ଥିତି ଅତ୍ୟନ୍ତ ଶୋଚନୀୟ ହୋଇପଡିଛି । ୧ ଲକ୍ଷ ୬୪ ହଜାର ୩୩ ଲୋକ ଆତ୍ମହତ୍ୟା କରିଛନ୍ତି । କୃଷକ, ବେକାରୀ ଯୁବକମାନଙ୍କ ଆତ୍ମହତ୍ୟା ବଢିଛି । ବାକ୍ ସ୍ୱାଧୀନତା ନାହିଁ, ସରକାର ବିରୋଧରେ କିଛି କହିପାରିବେ ନାହିଁ ।"
ଆଜିର ସାମ୍ବାଦିକ ସମ୍ମିଳନୀରେ ଦରଦାମ ଓ ବେକାରୀ ସମସ୍ୟା ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସୁବୋଧକାନ୍ତ ସହାୟ । ପ୍ରତିଘରେ କଂଗ୍ରେସ ରାହୁଲ ଗାନ୍ଧୀଙ୍କ ପତ୍ର ପହଞ୍ଚାଇବ ବୋଲି ସେ କହିଛନ୍ତି । ଏହା ସହ ଆଗାମୀ ଦିନରେ କଂଗ୍ରେସ ସହ ସାଧାରଣ ଜନତା ଯୋଡି ହେବେ ବୋଲି କହିଛନ୍ତି । ସେ କହିଛନ୍ତି, "ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରାର ସଫଳତାକୁ ଗଣମାଧ୍ୟମରେ ପ୍ରଚାର ପ୍ରସାର ନକରିବା ପାଇଁ ବିଜେପି ପ୍ରୟାସ କରୁଛି । ଦେଶରେ ଏଭଳି ଅରାଜକତା ସୃଷ୍ଟି ହୋଇଛି, ଯାହାର କୌଣସି ସମାଧାନ ନାହିଁ । କଂଗ୍ରେସ ଏହି ହାଥ୍ ସେ ହାଥ୍ ଯୋଡୋ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତି ଲୋକଙ୍କ ସହ ଯୋଡି ହେବ । ଜନସାଧାରଣଙ୍କୁ ସମସ୍ତ ବିଷୟ ଅବଗତ କରାଯିବ ।"
ଇଟିଭି ଭାରତ, ଭୁବନେଶ୍ବର
