ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ହତ୍ୟା ପଛରେ ଟପ୍ ଲେବଲ ଷଡ଼ଯନ୍ତ୍ର, SIT ତଦନ୍ତ ଦାବି କଲା କଂଗ୍ରେସ, ଗୃହ ବିଭାଗକୁ ନିଶାନା

author img

By

Published : Jan 31, 2023, 5:45 PM IST

ନବ ଦାସଙ୍କୁ ହତ୍ୟାକୁ ନେଇ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ଘଟଣାକୁ ନେଇ ତେଜିବାରେ ଲାଗିଛି ରାଜନୀତି । ଏହା ପଛରେ ଗଭୀର ଷଡ଼ଯନ୍ତ୍ର ରହିଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ ଓ ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ । ଗୃହ ବିଭାରୁ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ସହ ଏହି ଘଟଣାର ଏସ୍‌ଆଇଟି ତଦନ୍ତ ଦାବି କରିଛି କଂଗ୍ରେସ । ଅଧିକ ପଢ଼ନ୍ତୁ

ନବ ଦାସଙ୍କୁ ହତ୍ୟାକୁ ନେଇ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ବର: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ଏହା ପଛରେ ଗଭୀର ଷଡ଼ଯନ୍ତ୍ର ରହିଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ ଓ ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ । ରାଜ୍ୟର ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ଗୃହ ବିଭାଗର ଜଣେ କର୍ମୀ ହତ୍ୟା କରିବା ଘଟଣାକୁ ନିନ୍ଦା କରିବା ସହ ଗୃହ ବିଭାରୁ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି କଂଗ୍ରେସ । ଏହାସହ ଏଭଳି ସମ୍ବେଦନଶୀଳ ଘଟଣାର ଏସ୍‌ଆଇଟି ତଦନ୍ତ ଦାବି କରିଛନ୍ତି କଂଗ୍ରେସ ନେତା ।

ଗତ ଜାନୁଆରୀ ୨୯ ତାରିଖରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ବ୍ରଜରାଜନଗର ଗସ୍ତ କରୁଥିଲେ । ଗାନ୍ଧି ଛକ ନିକଟରେ ମନ୍ତ୍ରୀଙ୍କୁ ସ୍ବାଗତ ସମୟରେ ତାଙ୍କ ସୁରକ୍ଷା ଦାୟିତ୍ବରେ ଥିବା ଏଏସ୍‌ଆଇ ଗୋପାଳକ୍ରିଷ୍ଣ ଦାସ ମନ୍ତ୍ରୀଙ୍କୁ ଗୁଳି କରିଥିଲା । ଏଥିରେ ମନ୍ତ୍ରୀଙ୍କର ମୃତ୍ୟୁ ଘଟିଥିଲା । ତେବେ ଏହାରି ମଧ୍ୟରେ ଅଭିଯୁକ୍ତ ପୋଲିସ ଏଏସ୍‌ଆଇକୁ ଗିରଫ କରାଯାଇଛି । ତେବେ ତାଙ୍କର ମାନସିକ ଭାରସାମ୍ୟ ଠିକ ନଥିଲା ବୋଲି ଏଏସ୍‌ଆଇଙ୍କ ପରିବାର ପକ୍ଷରୁ କୁହାଯାଇଛି । ଏହାକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ହୋଇଛି । ଜଣେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତି କିପରି ଚାକିରିରେ ରହିଥିଲା ଓ ତା ହାତକୁ କିପରି ସର୍ଭିସ ରିଭରବଲ ଦିଆଯାଇଥିଲା, ସେନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧି ।

ତେବେ ଏନେଇ ସାମ୍ବାଦିକ ସମ୍ମିଳନୀ ଜରିଆରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ କହିଛନ୍ତି, "ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ହତ୍ୟା ପଛରେ ଟପ ଲେଭଲରେ ଥିବା ଲୋକଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି । ଏଭଳି ଘଟଣା ଯୋଗୁଁ ମୁଖ୍ୟମନ୍ତ୍ରୀ ଦାୟୀ । ପ୍ରଥମେ ଗୃହ ବିଭାଗରୁ ଇସ୍ତଫା ଦିଅନ୍ତୁ ମୁଖ୍ୟମନ୍ତ୍ରୀ । ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ଗୃହ ବିଭାଗର କର୍ମୀ ହତ୍ୟା କରୁଛି, ହେଲେ ମୁଖ୍ୟମନ୍ତ୍ରୀ ଚୁପ । ଅଭିଯୁକ୍ତ ପୋଲିସ ଅଧିକାରୀ ମୁଣ୍ଡ ଖରାପ ଥିଲା ବୋଲି କୁହାଗଲାଣି । ଆଉ କେହି କୌଣସି ଫାଇଦା ନେବା ପାଇଁ ହତ୍ୟା କରିନାହିଁ ତ, ଏଭଳି ପ୍ରଶ୍ନ ଏବେ ଉଠୁଛି । ୪୮ ଘଣ୍ଟା ପରେ ବି ପୋଲିସ ଏ ପର୍ଯ୍ୟନ୍ତ ହତ୍ୟାକାଣ୍ଡର କାରଣ ଖୋଜି ପାରିନି । ପୋଲିସ ଡିଜି ଚୁପ, ମୁଖ୍ୟମନ୍ତ୍ରୀ ଚୁପ । କ୍ରାଇମବ୍ରାଞ୍ଚକୁ ତଦନ୍ତ ଭାର ଦେଇ ମାମଲାକୁ ଚାପିବାକୁ ଉଦ୍ୟମ କରାଯାଉଛି । ପରୀ ହତ୍ୟାକାଣ୍ଡ ମାମଲାକୁ ଚାପିବାକୁ ଚେଷ୍ଟା କରିଥିବା ଅରୁଣ ବୋଥ୍ରାଙ୍କୁ ତଦନ୍ତ ଦାୟିତ୍ବ ଦିଆଯାଇଛି ।" ତେବେ ନବ ଦାସ ଜଣେ କ୍ୟାବିନେଟ ମନ୍ତ୍ରୀ ସହ ଆର୍ଥିକ ଓ ରାଜନୈତିକ ପାତିଆରା ଥିବା ବ୍ୟକ୍ତି ଥିଲେ । ତେଣୁ ଏହି ହତ୍ୟାକାଣ୍ଡ ପଛରେ ସାଙ୍ଘାତିକ ଷଡଯନ୍ତ୍ର ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି ।

ସେହିଭଳି ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ମଧ୍ୟ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସରକାରଙ୍କୁ ଟାର୍ଗେଟ କରି ସେ ଅନେକ ପ୍ରଶ୍ନ ପଚାରିଛନ୍ତି, ସେ କହିଛନ୍ତି, "ଅଭିଯୁକ୍ତ କେବେ ଚିକିତ୍ସିତ ହେଉଥିଲା, ଗୃହ ବିଭାଗକୁ ଜଣାଇଥିଲା ନା ନାହିଁ ? ସୁରକ୍ଷା ଦାୟିତ୍ବରେ ଥିବା ଅଭିଯୁକ୍ତ ପୋଲିସ ଅଧିକାରୀଙ୍କୁ ସେଠାରେ କିଏ ନିଯୁକ୍ତି ଦେଇଥିଲା ? ମାନସିକ ବିକୃତ ଥିବା ପୋଲିସକୁ ଚିକିତ୍ସା କରୁଥିବା ଡାକ୍ତର, ତାଙ୍କୁ ଠିକ ହେଲେ ବୋଲି ସାର୍ଟିଫିକେଟ ଦେଇଥିଲେ ନା ନାହିଁ ? ଅଭିଯୁକ୍ତ ପୋଲିସକୁ ସାଧାରଣ ଲୋକ କାବୁ କରିବା ବେଳେ ସେଠାରେ ଉପସ୍ଥିତ ପୋଲିସ କଣ କରୁଥିଲେ ? ଗୋପାଳ ଦାସର ସେଠାରେ କଣ କାର୍ଯ୍ୟ ଥିଲା, କିଏ ତାଙ୍କୁ ସେଠାରେ ଡ୍ୟୁଟିରେ ରଖିଥିଲା ?" ତେବେ ଏହା ପଛରେ ଗଭୀର ଷଡ଼ଯନ୍ତ୍ର ରହିଥିବା ଅଭିଯୋଗ କରି ସେ କହିଛନ୍ତି, "ଏହା ଏକ ମାମୁଲି ହତ୍ୟା ନୁହେଁ । ଶାସନର ଟପ୍ ପୋଜିସନରେ ଥିବା ଲୋକ ଷଡ଼ଯନ୍ତ୍ରରେ ଲିପ୍ତ ।" ଘଟଣାର ଏସ୍ଆଇଟିସ୍ତରୀୟ ତଦନ୍ତ କରାଯାଉ ବୋଲି ଦାବି କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.