ହକି ବିଶ୍ୱକପ: ପ୍ରଥମ ଟିକେଟ କିଣିଲେ ମୁଖ୍ୟମନ୍ତ୍ରୀ, ଦେଲେ 500 ଟଙ୍କା

author img

By

Published : Nov 23, 2022, 3:36 PM IST

ହକି ବିଶ୍ବକପ ୨୦୨୩: ଜାନୁଆରୀ ୧୩ରୁ ହେବ ଆରମ୍ଭ, ପ୍ରଥମ ଟିକେଟ କିଣିଲେ ମୁଖ୍ୟମନ୍ତ୍ରୀ

୨୦୨୩ ଜାନୁଆରୀ ୧୩ରୁ ଓଡ଼ିଶାରେ ଆରମ୍ଭ ହେବ ହକି ବିଶ୍ବକପ । ବିଶ୍ବକପ ପାଇଁ ପ୍ରଥମ ଟିକେଟ କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୱେଷ୍ଟ ଷ୍ଟାଣ୍ଡ ପ୍ରଥମ ଫ୍ଲୋରରେ ୧ ନମ୍ବର ସିଟ୍‌ ପାଇଁ ଟିକେଟ କିଣିଛନ୍ତି ମୁଖ୍ୟମନ୍ତ୍ରୀ । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ଆସନ୍ତା ହକି ବିଶ୍ବକପ ପାଇଁ ପ୍ରଥମ ଟିକେଟ କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୨୩ ଜାନୁଆରୀ ୧୩ରୁ ଓଡ଼ିଶାରେ ଆରମ୍ଭ ହେବ ହକି ବିଶ୍ବକପ । ଜାନୁଆରୀ ୨୯ ଯାଏଁ କଳିଙ୍ଗ ଓ ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଚାଲିବ ଏହି ବିଶ୍ବକପ । ଏନେଇ ସମସ୍ତ ପ୍ରସ୍ତୁତି ପ୍ରକ୍ରିୟା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ଆରମ୍ଭ ହୋଇଯାଇଛି ଟିକେଟ ବିକ୍ରି ପ୍ରକ୍ରିୟା । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକି ବିଶ୍ବକପ ୨୦୨୩ର ପ୍ରଥମ ଟିକେଟ ଗ୍ରାହକ ହୋଇଛନ୍ତି ।

ହକି ବିଶ୍ବକପ ୨୦୨୩: ଜାନୁଆରୀ ୧୩ରୁ ହେବ ଆରମ୍ଭ, ପ୍ରଥମ ଟିକେଟ କିଣିଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ଆଜି ହକି ବିଶ୍ଵକପ ପାଇଁ ପ୍ରଥମ ଟିକେଟ କିଣିଛନ୍ତି । ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀଙ୍କ ଠାରୁ ୫୦୦ ଟଙ୍କିଆ ଟିକେଟ କିଣିଛନ୍ତି ନବୀନ । ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କଠାରୁ ଟଙ୍କା ନେବା ସହ ଟିକେଟ ପ୍ରଦାନ କରିଛନ୍ତି ହକି ଇଣ୍ଡିଆ ସଭାପତି । ୱେଷ୍ଟ ଷ୍ଟାଣ୍ଡ ପ୍ରଥମ ଫ୍ଲୋର ପାଇଁ ମୁଖ୍ୟମନ୍ତ୍ରୀ ଟିକେଟ କିଣିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସିଟ ନମ୍ବର ୧ ହୋଇଥିବାବେଳେ ସେ ୨ ନମ୍ବର ଗେଟରେ ପ୍ରବେଶ କରିବେ ବୋଲି ସୂଚନା ମିଳିଛି । ୨୦୧୮ ହକି ବିଶ୍ବକପର ସଫଳତା ପରେ ରାଜ୍ୟ କ୍ରମାଗତ ଦ୍ବିତୀୟଥର ପାଇଁ ଏହି ବିଶ୍ବସ୍ତରୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ଯାଉଛି ।

୨୦୨୩ ଜାନୁଆରୀ ୧୩ରୁ ୨୯ ଯାଏଁ ବିଶ୍ବକପ ଚାଲିବ । କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାରେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ମ୍ୟାଚ ଖେଳାଯିବ । ୨୦୧୮ ତୁଳନାରେ ୨୦୨୩ ବିଶ୍ବକପକୁ ଅଧିକ ଗ୍ରାଣ୍ଡ କରିବାକୁ ଅଣ୍ଟା ଭିଡିଛି ଓଡିଶା । ଟୁର୍ଣ୍ଣାମେଣ୍ଟ ପାଇଁ ବିଶ୍ବସ୍ତରୀୟ ମାନଦଣ୍ଡ ସ୍ଥିର କରିବାକୁ ଓଡିଶା ସରକାର ଜୋରଦାର ପ୍ରସ୍ତୁତି କରିଛନ୍ତି । ଏକାସାଙ୍ଗରେ ଏହି ଟୁର୍ଣ୍ଣାମେଣ୍ଟ ୨ଟି ସହରରେ ଅନୁଷ୍ଠିତ ହେବ । ଖେଳାଳି, ଅଧିକାରୀ ଓ ଦର୍ଶକଙ୍କ ପାଇଁ ଏହା ଏକ ସ୍ମରଣୀୟ ବିଶ୍ବକପ କରିବାକୁ ଓଡିଶା ସରକାର ପ୍ରୟାସ ଚଳାଇଛନ୍ତି ।

ଏହି ବିଶ୍ବକପରେ ରାଜ୍ୟର କଳା, ଐତିହ୍ୟ ଓ ସଂସ୍କୃତିକୁ ପ୍ରଦର୍ଶନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ରହିଛି । ବିଭିନ୍ନ ବିଭାଗ ନିରବଚ୍ଛିନ୍ନ ଭାବରେ ଏବଂ ଦକ୍ଷତାର ସହିତ କାର୍ଯ୍ୟ କରୁଛନ୍ତି । ଆନ୍ତର୍ଜାତୀୟ ଇଭେଣ୍ଟ ଆୟୋଜନ କରିବାରେ ଓଡିଶା ଏକ ମାନଦଣ୍ଡ ସ୍ଥିର କରିଛି । ରାଉରକେଲାର ନବୀକରଣ ଏବଂ ସୌନ୍ଦର୍ଯ୍ୟକରଣ ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି । କଳିଙ୍ଗ ଷ୍ଟାଡିୟମରେ ନୂତନ ଟର୍ଫ ପକାଯାଉଛି । ଉଭୟ ସ୍ଥାନରେ ବିଶ୍ବକପର ସଫଳ ଆୟୋଜନ ପାଇଁ ସୁରକ୍ଷା, ଅଗ୍ନି ନିରାପତ୍ତା, ପରିବହନ ସଂଯୋଗ, ଆବାସ, ପର୍ଯ୍ୟଟନ, ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା, ଜନସାଧାରଣଙ୍କ ମଧ୍ୟରେ ବିଭିନ୍ନ କ୍ଷେତ୍ର ପାଇଁ ଆବଶ୍ୟକତା ଅନୁସାରେ ବ୍ୟବସ୍ଥା କରାଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.