ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ରାଜ୍ୟ ସରକାର ବିଫଳ: ବିଜେପି

author img

By

Published : May 25, 2023, 11:59 AM IST

BJP press meet

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ରାଜ୍ୟ ସରକାର ବିଫଳ । ସାମ୍ବାଦିକ ସମ୍ମିଳନୀ କରି ଟାର୍ଗେଟ କଲା ବିଜେପି । ଅଧିକ ପଢନ୍ତୁ

ବିଜେପିର ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ବର: ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ରାଜ୍ୟ ସରକାର ବିଫଳ । ସରକାର ଏହାକୁ ନେଇ ଯେଉଁ ସଫଳତା କାହାଣୀ କହୁଛନ୍ତି ତାହା ଶତାବ୍ଦୀର ସବୁଠୁ ବଡ଼ ମିଥ୍ୟା । ଏନଡିଆରଏଫ, ଏସଡିଆରଏଫ ଗଠନ ହେବା ସହ ଉନ୍ନତ ଟେକ୍ନୋଲୋଜି ଯୋଗୁଁ ଆଗୁଆ ସୂଚନା ପାଇ ବିପର୍ଯ୍ୟୟର ମୁକାବିଲା କରାଯାଇପାରୁଛି । ଏଥିରେ ରାଜ୍ୟ ସରକାରଙ୍କ ବାହାଦୁରୀ କ’ଣ । ସାମ୍ବାଦିକ ସମ୍ମିଳନୀରେ ବିଜେଡି ସରକାରକୁ ଟାର୍ଗେଟ କରି ଏପରି କହିଛନ୍ତି ବିଜେପି ମୁଖପାତ୍ର ପ୍ରିୟବ୍ରତ ପଣ୍ଡା ।

ବିଜେପି ମୁଖପାତ୍ର ଅଭିଯୋଗ କରିଛନ୍ତି ଯେ, ଓଡ଼ିଶାରେ ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା ନେଇ ବିଭାଗୀୟ ମନ୍ତ୍ରୀ ଓ ସଚିବ ଯେଉଁ କାହାଣୀ କହୁଛନ୍ତି ତାହା ସମ୍ପୂର୍ଣ୍ଣ ମିଛ । ସବୁଠୁ ଅଧିକ ସମୁଦ୍ରକୂଳ ଅବକ୍ଷୟ ହେବାରେ ଓଡ଼ିଶାର ସ୍ଥାନ ଦ୍ଵିତୀୟ । ରାଜ୍ୟର ଶତକଡା ୨୨ ଭାଗ ତଟବର୍ତ୍ତୀ ଅଞ୍ଚଳରେ ସମୁଦ୍ର ଅବକ୍ଷୟ ହୋଇଛି । ଜଙ୍ଗଲ ପୋଡିରେ ମଧ୍ୟ ଓଡ଼ିଶା ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି । କାମ୍ପା ଫଣ୍ଡରେ ଅଧିକାରୀଙ୍କ ବିଳାସପୂର୍ଣ୍ଣ ଗାଡି କିଣା ଯାଇଥିବା ବେଳେ ଜଙ୍ଗଲ ତିଆରି କରାଯାଇନାହିଁ । ଗତ ୩ ବର୍ଷରେ ଏକ ତୃତୀୟାଂଶ କାମ୍ପା ଫଣ୍ଡର ବିନିଯୋଗ ହୋଇଛି ।

ହାତୀ ମଣିଷ ଲଢେଇରେ ମଧ୍ୟ ଓଡ଼ିଶାରେ ସର୍ବାଧିକ ହାତୀ ମୃତ୍ୟୁ ହୋଇଛି । ବିଦ୍ୟୁତ୍‌ ଆଘାତରେ ୩୦ ହାତୀ ମଲେଣି । ଶିକାରୀଙ୍କ ପାଖରେ ବନ୍ଧୁକ ଗୁଳିଥିବା ବେଳେ ବାଡ଼ି ଧରି ବନ କର୍ମଚାରୀଙ୍କୁ ଛାଡି ଦିଆଯାଉଛି । ତେଣୁ ଜଙ୍ଗଲର କିପରି ସୁପରିଚାଳନା କରିଛନ୍ତି ତାହା ରାଜ୍ୟ ସରକାର ଆତ୍ମସମୀକ୍ଷା କରିବା ଦରକାର । ଗତ ଦୁଇ ଦିନ ତଳେ ଜଣେ ଫରେଷ୍ଟ ଗାର୍ଡଙ୍କୁ ଶିକାରୀମାନେ ହତ୍ୟା କଲେ । ତାଙ୍କ ପାଇଁ ସରକାର କଣ କରିଛନ୍ତି । ଆଧୁନିକ ଅର୍ଥଶସ୍ତ୍ରରେ ସଜ୍ଜିତ ଜଙ୍ଗଲ ତସ୍କରଙ୍କ ସାମ୍ନାରେ ନିରସ୍ତ୍ର ଜଙ୍ଗଲ ବିଭାଗ କର୍ମଚାରୀ ଠେଙ୍ଗା ଧରି ଜଙ୍ଗଲର ସୁରକ୍ଷା ଯୋଗାଉଛନ୍ତି ।

ରାଜଧାନୀର ରାଜଭବନରେ ଚନ୍ଦନ ଗଛ ସୁରକ୍ଷିତ ନାହିଁ । ହାତୀ ଭୟରେ କେନ୍ଦୁଝର, ମୟୂରଭଞ୍ଜ ଓ କୋରାପୁଟ ଭଳି ଆଭ୍ୟନ୍ତରୀଣ ଜିଲ୍ଲା ତ ଦୂରର କଥା ଖୋଦ୍ ରାଜଧାନୀ ଭୁବନେଶ୍ବର ମଧ୍ୟ ସୁରକ୍ଷିତ ନୁହେଁ । ତେଣୁ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ନାମରେ ବିଭାଗୀୟ ମନ୍ତ୍ରୀମାନେ ମିଥ୍ୟା ପ୍ରଚାରରୁ ନିବୃତ ରୁହନ୍ତୁ ବୋଲି ବିଜେପି କହିଛି । ସମସ୍ତ ପ୍ରାକୃତିକ ବିପର୍ଯ୍ୟୟ ଉପରେ ରୋକ୍ ଲଗାଇବା ପାଇଁ ରାଜ୍ୟ ସରକାର କୌଣସି ସମୀକ୍ଷା କରୁନାହାନ୍ତି । ଆଧୁନିକ ବୈଷୟିକ ଜ୍ଞାନର ସଦୁପଯୋଗ କରି ବନ୍ୟା ଓ ବାତ୍ୟାର ଆଗୁଆ ସୂଚନା ମିଳୁଛି ଏବଂ ତଦନୁଯାୟୀ ସତର୍କତା ଅବଲମ୍ବନ କରାଯାଇପାରୁଛି । ଜନଜୀବନ ହାନି ନିୟନ୍ତ୍ରିତ ହେଉଛି । ଓଡ଼ିଶାରେ ମହାବାତ୍ୟା ପରେ କେନ୍ଦ୍ରୀୟ ଅନୁଦାନରେ ନିର୍ମିତ ପକ୍କା ଆଶ୍ରୟସ୍ଥଳୀ ଗୁଡିକ ବିଶେଷ କାମରେ ଲାଗୁଛି । ଏଥିରେ ରାଜ୍ୟ ସରକାରଙ୍କ ବାହାଦୁରୀ କ’ଣ ବୋଲି ପ୍ରିୟବ୍ରତ ପଣ୍ଡା ପ୍ରଶ୍ନ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.