ବିଜେପିକୁ ନେଇ ବିଜେଡିର ପ୍ରତିକ୍ରିୟା, ୨୦୧୯ରେ ୧୨୦ ମିଶନ କୁଆଡ଼େ ଗଲା ପ୍ରଶ୍ନ କଲେ ବିଧାୟକ

ବିଜେପିକୁ ନେଇ ବିଜେଡିର ପ୍ରତିକ୍ରିୟା, ୨୦୧୯ରେ ୧୨୦ ମିଶନ କୁଆଡ଼େ ଗଲା ପ୍ରଶ୍ନ କଲେ ବିଧାୟକ
ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ନେଇ ପ୍ରତିକ୍ରିୟା ରଖିଲେ ବିଜେଡି ବିଧାୟକ ଉମାକାନ୍ତ ସାମନ୍ତରାୟ । ବିଜେପିର ୧୨୦ ମିଶନ ସ୍ବପ୍ନ ପୂରଣ ହେବନି । ୨୦୨୪ ନିର୍ବାଚନରେ ବିଜେଡିର ଆସନ ସଂଖ୍ୟା ଆହୁରି ବଢ଼ିବ ବୋଲି କହିଛନ୍ତି ବିଧାୟକ ଉମା ସାମନ୍ତରାୟ । ଅଧିକ ପଢ଼ନ୍ତୁ
ଭୁବନେଶ୍ୱର: ଆଜି ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଜାରି ରହିଛି । ୨୦୨୪ ସାଧାରଣ ନିର୍ବାଚନ ପାଇଁ ଏହି ବୈଠକରେ ରଣନୀତି ପ୍ରସ୍ତୁତ କରୁଛି ଦଳ । ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ଉମାକାନ୍ତ ସାମନ୍ତରାୟ । ୨୦୧୯ ନିର୍ବାଚନ ପୂର୍ବରୁ ମଧ୍ୟ ୧୨୦ ମିଶନ କଥା କହିଥିଲେ ବିଜେପି ନେତା । କିନ୍ତୁ ୨୦୧୯ରେ କେତେ ସି୍ଟ ପାଇଲେ ବୋଲି ସେ ପ୍ରଶ୍ନ କରିଛନ୍ତି । ତେବେ ୨୦୨୪ ନିର୍ବାଚନରେ ବିଜେଡିର ଆସନ ସଂଖ୍ୟା ଆହୁରି ବଢ଼ିବ ବୋଲି ସେ କହିଛନ୍ତି ।
ରବିବାର ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ ହୋଇଛି । ଓଡ଼ିଶାରେ ସରକାର ଗଠନ ଏବଂ ଅଧିକ ଲୋକସଭା ସିଟ ଜିତିବା ଲକ୍ଷ୍ୟ ନେଇ ରଣନୀତି ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ଏହି ବୈଠକ ଆରମ୍ଭ ହୋଇଛି । ୨୦୨୪ ପାଇଁ ଦଳ କିପରି ମଜଭୁତ ହେବ ସେ ନେଇ ବୈଠକରେ ମାନସ ମନ୍ଥନ ହେବ । ବୈଠକରେ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ରାଜ୍ୟ ପ୍ରଭାରୀ ଡି ପୁରନ୍ଦେଶ୍ୱରୀ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ଦଳର ବରିଷ୍ଠ ନେତା ଉପସ୍ଥିତ ରହିଥିଲେ । ତେବେ ବିଜେପିର ଜାତୀୟ କାର୍ଯ୍ୟକାରିଣୀରେ ମୋଦି ଦେଇଥିବା ୨ ସୂତ୍ରୀ ମନ୍ତ୍ର ନେଇ ରାଜ୍ୟ କାର୍ଯ୍ୟକାରିଣୀରେ ନିଷ୍ପତ୍ତି ହେବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର । ରାଜ୍ୟ ସରକାର କେନ୍ଦ୍ରୀୟ ଯୋଜନାକୁ ହାଇଯାକ କରି ନେଉଥିବା କଥା ଲୋକଙ୍କୁ କୁହାଯିବ ବୋଲି ବିଜେପି ସାଧାରଣ ସମ୍ପାଦକ ସୂଚନା ଦେଇଥିଲେ ।
ଏହା ମଧ୍ୟ ପଢ଼ନ୍ତୁ...BJP Executive Meet: ଜାତୀୟ କାର୍ଯ୍ୟକାରିଣୀ 2 ସୁତ୍ରୀକୁ ଫୋକସ
ତେବେ ବିଜେପି କାର୍ଯ୍ୟକାରିଣୀ ବୈଠକ ନେଇ ବିଜେଡି ବିଧାୟକ ଉମାକାନ୍ତ ସାମନ୍ତରାୟ କହିଛନ୍ତି, "୨୦୧୯ରେ ୧୨୦ ମିଶନ କଥା କହିଥିଲେ ବିଜେପି ନେତା । ସେହି ୧୨୦ ମିଶନ କୁଆଡେ ଗଲା ? କେତେ ସିଟ୍ ପାଇଲେ ୨୦୧୯ରେ ? ଆଜି ବି କହୁଛୁ, ୨୦୧୯ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେତିକି ଆସନ ପାଇଥିଲେ, ୨୦୨୪ରେ ତାଠାରୁ ଅଧିକ ଆସନ ଜିତିବ ବିଜେଡି । ନବୀନ ପଟ୍ଟନାୟକ ପୁଣିଥରେ ମୁଖ୍ୟମନ୍ତ୍ରୀ ହେବେ । କେନ୍ଦ୍ର ବିନା ସ୍ବାର୍ଥରେ କାହାକୁ ପଇସା ଦେଉନାହିଁ । କେନ୍ଦ୍ର ସରକାର ଓଡ଼ିଶାକୁ ସାବତ ପୁଅ ଭଳି ବ୍ୟବହାର କରୁଛନ୍ତି । କୌଣସି ଯୋଜନା ରାଜ୍ୟ ସରକାର ହାଇଯାକ କରିନାହାନ୍ତି ।" ବିଜେପି ନେତା କେବଳ ଭାଷଣ ଦିଅନ୍ତି ଓ ଲୋକଙ୍କୁ ମିଛ କୁହନ୍ତି ବୋଲି କହିଛି ବିଜେଡି ।
ଇଟିଭି ଭାରତ, ଭୁବନେଶ୍ବର
