କେନ୍ଦ୍ରରେ ବିଜେଡିର ପୁଣି ଅସ୍ପଷ୍ଟ ଆଭିମୁଖ୍ୟ; କ୍ୟାରଟ୍‌ ଆଣ୍ଡ ଷ୍ଟିକ ଫର୍ମୁଲାରେ ଯାଉଛି ବିଜେଡି

author img

By

Published : May 29, 2023, 4:33 PM IST

କେନ୍ଦ୍ରରେ ବିଜେଡିର ପୁଣି ଅସ୍ପଷ୍ଟ ଆଭିମୁଖ୍ୟ

କେନ୍ଦ୍ରରେ ବିଜେଡିର ଷ୍ଟାଣ୍ଡ ସ୍ପଷ୍ଟ ନୁହେଁ । ଦିଲ୍ଲୀରେ ଅନୁଷ୍ଠିତ ନୀତି ଆୟୋଗ ବୈଠକରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିବା ବେଳେ ନବୀନ ଏଥିରେ ଯୋଗ ଦେଲେ ନାହିଁ । ଅନ୍ୟପଟେ ନୂତନ ସଂସଦ ଭବନର ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଯୋଗ ଦେଲେ ବିଜେଡିର ସାଂସଦ । ତେବେ ବିଜେଡିର ଏଭଳି ଅସ୍ପଷ୍ଟ ଷ୍ଟାଣ୍ଡକୁ ନେଇ ଉଠିଛି ପ୍ରଶ୍ନ । ଅଧିକ ପଢ଼ନ୍ତୁ

କେନ୍ଦ୍ରରେ ବିଜେଡିର ପୁଣି ଅସ୍ପଷ୍ଟ ଆଭିମୁଖ୍ୟ

ଭୁବନେଶ୍ବର: ପୁଣିଥରେ କେନ୍ଦ୍ରରେ ଦ୍ବନ୍ଦ୍ବାତ୍ମକ ଷ୍ଟାଣ୍ଡ୍‌ ନେଲା ବିଜେଡି । ଦିଲ୍ଲୀରେ ଅନୁଷ୍ଠିତ ନୀତି ଆୟୋଗ ବୈଠକରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିବା ବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ଯୋଗ ଦେଲେ ନାହିଁ । ଅନ୍ୟପଟେ ନୂତନ ସଂସଦ ଭବନର ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଯୋଗ ଦେଲେ ବିଜେଡିର ସାଂସଦ । ଏଥିରୁ ପ୍ରଶ୍ନ ଉଠିବା ସ୍ବାଭାବିକ, ବିଜେଡିର ଷ୍ଟାଣ୍ଡ କଣ ? କଣ ଚାହୁଁଛି ବିଜେଡି ? କାହିଁକି ଏପରି ଷ୍ଟାଣ୍ଡ୍‌ ନେଉଛି ବିଜେଡି ?

କ୍ୟାରଟ୍‌ ଆଣ୍ଡ ଷ୍ଟିକ୍‌ ଫର୍ମୁଲାରେ ବିଜେଡି ଯାଉଛି: ନୀତି ଆୟୋଗ ବୈଠକରେ ନବୀନ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା । କିନ୍ତୁ କଣ ହେଲା କେଜାଣି, ନବୀନ ଯୋଗଦେଲେ ନାହିଁ । ରାଜନୈତିକ ସମୀକ୍ଷକ ଅକ୍ଷୟ ସାହୁଙ୍କ ମତରେ ବିଜେଡି ବିଭ୍ରାନ୍ତୀକର ଷ୍ଟାଣ୍ଡ୍‌ ନେଲା । ବିଜେପି ସହିତ ଶାନ୍ତି ବଜାୟ ରଖିବା ପାଇଁ ବିଜେଡିର ଏହା ଏକ ଷ୍ଟ୍ରାଟେଜି ବୋଲି କୁହାଯାଉଛି । କେତେବେଳେ ସମର୍ଥନ କରୁଛି, ତ ଆଉ କେତେବେଳେ ନାରାଜ ପ୍ରଦର୍ଶନ କରୁଛି । ଚିଟଫଣ୍ଡ୍‌ ସ୍କାମ୍‌ଠାରୁ ଆରମ୍ଭ କରି ଖଣି ଦୁର୍ନୀତିରେ ଏକାଧିକ ନେତା ଓ ମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗ ରହିଥିବାରୁ, କାଳେ ବିଜେପି ଏହି ପ୍ରସଙ୍ଗରେ ଆକ୍ରମଣାତ୍ମକ ଦୃଷ୍ଟିଭଙ୍ଗି ଆପଣାଇବ, ସେଥିପାଇଁ ବିଜେଡି ବିଲ୍‌ ପାସ ବେଳେ ବିଜେପିକୁ ସମର୍ଥନ ଦେଉଛି । କିନ୍ତୁ ଆଉ କେତେବେଳେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ଦୂରତା ବଜାୟ ରଖୁଛି । ଯେତେବେଳେ ସାହାଯ୍ୟ ଦରକାର ସେତେବେଳେ ବିଜେପିକୁ ସାହାଯ୍ୟ କରୁଛି । ଯାହାକି ବିଜେଡିକୁ ଲାଭ ଦେଉଛି । ବିଜେଡିର ଏପରି ରଣନୀତି ବିଜେପି ନେତା ଓ ରାଜନୈତିକ ସମୀକ୍ଷକଙ୍କୁ ଭାବିବାକୁ ବାଧ୍ୟ କରୁଛି । କାରଣ କେତେବେଳେ ନରମ ତ କେତେବେଳେ ଗରମ ଆଭିମୁଖ୍ୟ ଆପଣଉଛି ବିଜେଡି ।" କ୍ୟାରଟ୍‌ ଆଣ୍ଡ୍‌ ଷ୍ଟିକ୍‌ ଫର୍ମୁଲାରେ ବିଜେଡି ଯାଉଛି ବୋଲି ସେ କହିଛନ୍ତି ।

କେନ୍ଦ୍ରରେ ବିଜେଡିର ଷ୍ଟାଣ୍ଡ୍‌ ସ୍ପଷ୍ଟ ହେବା ଦରକାର: ଅନ୍ୟପଟେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, "କେନ୍ଦ୍ର ବିରୋଧରେ ବିଜେଡିର ଷ୍ଟାଣ୍ଡ କଣ, ତାହା ସ୍ପଷ୍ଟ ହେବା ଦରକାର । ନୀତି ଆୟୋଗ ବୈଠକରେ ନବୀନ ଯୋଗ ନଦେବା ଏବଂ ସଂସଦ ଭବନ ଉଦ୍‌ଘାଟନ କାର୍ଯ୍ୟକ୍ରମରେ ବିଜେଡି ସାଂସଦମାନେ ସାମିଲ ହେବା ସମଦୂରତା ନୀତିକୁ ହାସ୍ୟାସ୍ପଦ କରିଛି । ଯଦି ବିଜେପିକୁ ବିଜେଡି ସମର୍ଥନ ଦେଉନାହିଁ, ତେବେ ନୀତି ଆୟୋଗ ବୈଠକରେ ଯୋଗ ନଦେବା ସହିତ ସଂସଦ ଭବନ ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଯୋଗ ନଦେବା କଥା । କିନ୍ତୁ ବିଜେଡି ସେପରି କରିନାହିଁ । ସଂସଦ ଭବନ କାର୍ଯ୍ୟକ୍ରମରେ ବିଜେଡିର ସାଂସଦମାନେ ଭାଗନେଲେ । ଯାହାକି ବିଜେଡିର ଅସ୍ପଷ୍ଟ ନୀତିକୁ ପ୍ରମାଣିତ କରିଛି ।" ଏହା କଣ ସମଦୂରତା କି ବୋଲି ପ୍ରଶ୍ନ କରିଛି କଂଗ୍ରେସ ।

ତେବେ ଏନେଇ ଆମେ ବିଜେଡି ଓ ବିଜେପିର ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ ମଧ୍ୟ ଏହା ସମ୍ଭବ ହୋଇନଥିଲା । ସେମାନେ କିଛି ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିଲେ । ଶନିବାର ନୀତି ଆୟୋଗର ବୈଠକ ଅନୁଷ୍ଠିତ ହୋଇଥିଲା । ଏବଂ ଦିନକ ପରେ ଅର୍ଥାତ ରବିବାର ସଂସଦ ଭବନ ଉଦ୍‌ଘାଟନ କାର୍ଯ୍ୟକ୍ରମ ରହିଥିଲା । ବିଜେଡି ସହିତ ବିଜେପିର ଏହି ସମ୍ପର୍କ ଫଳରେ, ୨୦୧୯ ଲୋକସଭା ଏବଂ ବିଧାନସଭା ନିର୍ବାଚନରେ ବିଜେପି କିଛି ଲାଭ କରିଥିଲା କିନ୍ତୁ ୨୦୨୨ରେ ଅନୁଷ୍ଠିତ ପଞ୍ଚାୟତ ଓ ପୌର ନିର୍ବାଚନରେ ଫଳାଫଳରେ ହ୍ରାସ ଘଟିଛି । ବିଜେଡିର ଏହି ନୂଆ ରଣନୀତି ବିଜେପି ରଣନୀତିକାରମାନଙ୍କୁ ବାଧ୍ୟ କରିଛି ଭାବିବା ପାଇଁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.