ଆସନ୍ତାକାଲିଠାରୁ +2 ନାମଲେଖା ପାଇଁ ଆବେଦନ, ଜୁନ ୨୮ ରେ ପ୍ରଥମ ମେରିଟ୍ ଲିଷ୍ଟ

author img

By

Published : May 28, 2023, 6:33 PM IST

ଆସନ୍ତାକାଲିଠାରୁ ଯୁକ୍ତ ଦୁଇ ଆବେଦନ

ଆସନ୍ତାକାଲିଠାରୁ SAMS ପୋର୍ଟାଲ ଜରିଆରେ +2 ନାମଲେଖା ପାଇଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ଜୁନ ୨୮ ତାରିଖରେ ବାହାରିବ ପ୍ରଥମ ପର୍ଯ୍ୟାୟ ମେରିଟ ଲିଷ୍ଟ । ଅଧିକ ପଢନ୍ତୁ

ଭୁବନେଶ୍ବର : ଆସନ୍ତାକାଲିଠାରୁ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ଆରମ୍ଭ ହେବ । ତେବେ SAMS ପୋର୍ଟାଲ ଜରିଆରେ ହେବାକୁ ଥିବା ଏହି ଆବେଦନ ପ୍ରକ୍ରିୟା ଜୁନ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଜୁନ ୨୮ ତାରିଖରେ ପ୍ରକାଶ ପାଇବ ପ୍ରଥମ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ । ଏହାସହ ଜୁଲାଇ ୨୯ ତାରିଖରେ ଆରମ୍ଭ ହେବ ଯୁକ୍ତ ଦୁଇ ପ୍ରଥମ ବର୍ଷର ପାଠପଢ଼ା । ଆରମ୍ଭ ହେବାକୁ ଥିବା ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା ପାଇଁ ଆସନ୍ତାକାଲିଠାରୁ ଖୋଲିବ SAMS ପୋର୍ଟାଲ । ପ୍ରଥମ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ୍‌ ୨୮ ଜୁନରେ ପ୍ରକାଶ ପାଇବ । ୨୯ ଜୁନରୁ ୫ ଜୁଲାଇ ପର୍ଯ୍ୟନ୍ତ ଜାରି ରହିବ ପ୍ରଥମ ପର୍ଯ୍ୟାୟ ଆଡ଼ମିଶନ ।

ସେହିପରି ଦ୍ବିତୀୟ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ଜୁଲାଇ ୧୩ ତାରିଖରେ ପ୍ରକାଶ ପାଇବ । ଚଏସ୍‌ ଲକିଂ ବା ସ୍ଲାଇଡ଼ ଅପ୍ ଆଦି ଜୁଲାଇ ୧୯ ତାରିଖ ସୁଧା କରବା ପାଇଁ ଛାତ୍ରଛାତ୍ରୀଙ୍କୁ ସମୟ ଦିଆଯାଇଛି । ୨୬ ଜୁଲାଇରୁ ୨୭ ଜୁଲାଇ ସ୍ପଟ୍‌ ସିଲେକ୍ସନ ପାଇଁ ତାଲିକା ପ୍ରକାଶ ପାଇବ । ସ୍ପଟ୍‌ ସିଲେକ୍ସନ ମଧ୍ୟ ଏଥର ଅନଲାଇନ ମାଧ୍ୟମରେ ହେବ । ଏହାସହ ଜୁଲାଇରେ ୨୯ ତାରିଖରେ ଆରମ୍ଭ ହେବ ଯୁକ୍ତ ଦୁଇ ପ୍ରଥମ ବର୍ଷର କ୍ଲାସ ।

ଅନ୍ୟପଟେ ୧୦୬ଟି ଅପଗ୍ରେଡେଡ୍‌ ହାୟର ସେକେଣ୍ଡାରୀ ସ୍କୁଲ ଅନୁମୋଦନ ହୋଇଛି । ସେଥିରେ ମଧ୍ୟ ୧୩୦୦୦ ସିଟ୍‌ ରହିଛି । ସୂଚନା ଅନୁଯାୟୀ, ରାଜ୍ୟରେ ଚଳିତବର୍ଷ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣହାର ଅଧିକ ରହିଛି । CBSEରେ ୯୩.୬୪%, ICSEରେ ୯୮.୫୪% ଏବଂ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶ ପାଇଥିବା ପରୀକ୍ଷାଫଳରେ ଉତ୍ତୀର୍ଣ୍ଣ ହାର ୯୬.୪% ରହିଛି ।

ଚଳିତବର୍ଷ ଦଶମ ଶ୍ରେଣୀରେ ରେଗୁଲାର ଓ ଏକ୍ସ-ରେଗୁଲାର ପିଲାଙ୍କୁ ମିଶାଇ ମୋଟ ୫ ଲକ୍ଷ ୮ ହଜାର ୪୦୪ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ରାଜ୍ୟରେ ୨ ହଜାର ୬୭ ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (କନିଷ୍ଠ ମହାବିଦ୍ୟାଳୟ) ଥିବାବେଳ ଯୁକ୍ତ ଦୁଇରେ ମୋଟ ୫ ଲକ୍ଷ ୯ ହଜାର ଆସନ ରହିଛି । ସେଥିରୁ କଳାରେ ୨ ଲକ୍ଷ ୭୭ ହଜାର ୩୮୮, ବିଜ୍ଞାନରେ ୧ ଲକ୍ଷ ୬୩ ହଜାର ୩୦୪, ବାଣିଜ୍ୟରେ ୪୫ ହଜାର ୩୩୨ ଏବଂ ସଂସ୍କୃତରେ ୧୩ ହଜାର ୩୩୨ଟି ଆସନ ରହିଛି । ସେହିପରି ୩୦ଟି ସରକାରୀ ଡିପ୍ଲୋମା କଲେଜରେ ୧୦ ହଜାର ୯୧୭ ଟି ଆସନ ରହିଥିବାବେଳେ ବେସରକାରୀ କଲେଜରେ ଡିପ୍ଲୋମାରେ ୫୩ ହଜାର ୪୦୦ ଆସନ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.